ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସେନାପତି ପ୍ରଦ୍ୟୁମ୍ନ କେଶରୀ
ଲକ୍ଷ୍ମୀଧର ନାୟକ
ଅଶୋକ ଚନ୍ଦ୍ର ମହାପାତ୍ର
ଅଚ୍ୟୁତାନନ୍ଦ କର
ସନ୍ଥକବି ଭୀମ ଭୋଇ
ଗୋପୀନାଥ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଲକ୍ଷ ବିହଙ୍ଗ
 |- କିଶୋରୀ ଚରଣ ଦାସ
 
 
ତା: ମେ ୨୬, ୨୦୧୧  
 

ଯଥାକ୍ରମେ କଫି ପୂର୍ଣ୍ଣାଙ୍ଗ ହେଲା ଓ ମିସେସ୍‌ ପୁରୀ ତାକୁ ଚାମୁଚେ ଚାମୁଚେ କରି ପାଟିକୁ ନେଲେ୤ ଚାରି ପାଞ୍ଚ ଚାମୁଚ ଉତ୍ତାରୁ ଓ ଗୋଟିଏ ପୃଷ୍ଠାର ଜୋକ୍‌ ପରେ ସେ ଖଟ ଉପରେ ବସିଲେ ଓ କପ୍‌ଟିକୁ ହାତକୁ ଆଣି ସାଧାରଣ ଭାବରେ ଚୁମୁକି ଦେଲେ୤ ଖୋଲା ବହି ଖଟରେ ଓଲଟା ହୋଇରହିଥାଏ୤ ମିସେସ୍‌ ପୁରୀ କଫି ଖାଇବା ସାଙ୍ଗରେ କ’ଣ ମନେ ପକାଇଲା ପରି ଦେଖା ଯାଉଥାଆନ୍ତି୤

ବିହଙ୍ଗମାନେ ତାଙ୍କର ସ୍ମୃତିବିକଶ ମୁହଁକୁ ଦେଖିଲେ ଓ କୁତୂହଳୀ ହେଲେ, -ତାଙ୍କର କ’ଣ ମନେ ପଡୁଛି ?

ତାଙ୍କର ମନେ ପଡ଼ିବା ବସ୍ତୁକୁ ବର୍ଣ୍ଣନା କରିହେବ ନାହିଁ୤ କାରଣ ସ୍ମରଣିକା ଚଳନ୍ତା ଆଲୁଅ- ଛାଇ ପରି ଲାଗୁଛି, ସେଥିରେ ସଂହତି ନାହିଁ୤ ବୋଧହୁଏ ତା’ର କାୟା ଗଢ଼ିଉଠିଲେ ସେ ଅସୁନ୍ଦର ହୋଇଯିବ୤ ତେଣୁ ମିସେସ୍‌ ପୁରୀ ତା’ର ଅନିଶ୍ଚତପ୍ରବଣ ରୂପକୁ ଦେଖିବାକୁ ଭଲ ପାଉଛନ୍ତି ତାକୁ ଗଢ଼ିଉଠିବାକୁ ଦେଉନାହାନ୍ତି୤

ମିସେସ୍‌ ପୁରୀ ପୂର୍ବରୁ ଗୋଟିଏ ସେକ୍ସ ଆମୋଦଗ୍ରସ୍ତ ଜୋକ୍‌ ପଢୁଥିଲେ୤ ତାକୁ ହିଁ ପଢ଼ିସାରି ତାଙ୍କର ମନେ ପଡ଼ିଲା ସମ୍ପର୍କୀୟା ଜଣେ ନାରୀଙ୍କ ସହିତ ଜଣେ ଚିହ୍ନା ପରପୁରୁଷଙ୍କ ଚେହେରା୤ ଏବଂ କଳ୍ପନାରେ ଚିତ୍ରିତ ହେଲା ସେ ଦୁଇଜଣଙ୍କ ପାରସ୍ପରିକ ବ୍ୟବହାର୤ ସେ ଛବି ଅସ୍ପଷ୍ଟ; ସ୍ପଷ୍ଟ ହୋଇପାରନ୍ତା ନାହିଁ୤ କିନ୍ତୁ ଦୁଇଟି ସମ୍ବନ୍ଧହୀନ ପୁରୁଷ ସ୍ତ୍ରୀଙ୍କୁ ଏପରି ଭାବରେ ଏକାଠି କରିବାର କୃତିତ୍ବ ଆଉ କେତେ ଜଣକର ଥାଇପାରେ ? ଏହାକୁ ହିଁ ତ ସୃଷ୍ଟି କହନ୍ତି୤

ସୃଷ୍ଟିର ଜ୍ୟୋତି ତାଙ୍କ ମୁହଁରେ ଫୁଟିଉଠୁଥିଲା୤ ବିହଙ୍ଗମାନେ ତାକୁ ଦେଖି ଆପ୍ୟାୟିତ ହେଉଥିଲେ୤ ଏହି ସମୟରେ ପାଖରେ ଜୟରାମ ପହଞ୍ଚିଲା୤ ତା’ ହାତରେ ପରିବା ଥଳି୤

ଜୟରାମ ଷୋଳ ସତର ବର୍ଷର ଟୋକା୤ କଳା ମଚମଚ ବଳିଷ୍ଠ ଦେହ୤ ଖଣ୍ଡେ ଗେଞ୍ଜି ଓ ହାଫ୍‌ପ୍ୟାଣ୍ଟ୍‌ ପିନ୍ଧିଛି୤ ମୁଣ୍ଡରେ ଗୋଛାଏ ବାଳ, କପାଳରେ କେତୋଟି ଛୋଟ ଝାଳବିନ୍ଦୁ୤ ମୁହଁରେ ସ୍ପର୍ଦ୍ଧା ଓ ଅଭିମାନର ଇଙ୍ଗିତ, ଯେପରି କି ସେ କହିବାକୁ ଚାହେଁ ଯେ, ସେ ଜୟରାମ୍‌, ବୟସର ରଜା, ତା’ ହାତରେ ଥିବା ପରିବା ଥଳି ଅନ୍ୟ କିଛି ହୋଇପାରିଥାଆନ୍ତା୤

ଜୟରାମ ଦୁଆରବନ୍ଧର ଏପାଖକୁ ଛିଡ଼ାହୋଇ କହିଲା, -ମୁଁ ଯାଉଛି୤
ମିସେସ୍‌ ପୁରୀ କଳ୍ପନାରୁ ଫେରିଆସିଲେ, ଜୟରାମକୁ ଦେଖିପାରିଥିବାର ଅଙ୍ଗୀକାର ଜଣାଇଲେ ଓ କହିଲେ, ‘ଆଚ୍ଛା’୤ ତାଙ୍କ ଭଙ୍ଗୀରେ ଥିଲା ଦାତାର ଐଶ୍ବର୍ଯ୍ୟ ଓ ଉଦାରତା୤ ମନେ ହେଉଥିଲା ଯେ ସେ କେବଳ ଜୟରାମକୁ ଉତ୍ତର ଦେଉନାହାନ୍ତି, ତା’ର କର୍ତ୍ତବ୍ୟର ଶୁଭକାମନା ଜଣାଉଛନ୍ତି୤

ଜୟରାମ ଫେରିଯାଉଥିଲା୤ ଏହି ସମୟରେ ମିସେସ୍‌ ପୁରୀ ତାକୁ ପଛରୁ ଡାକିଲେ୤ କହିଲେ- “ଶୁଣ୍‌, ଆରଥର ପୋଟଳ ଖରାପ ପଡ଼ିଲା, ବିନ୍‌ଗୁଡ଼ାକ ବି ଶୁଖିଲା ଥିଲା୤ ତୁ ସୋନାଚାନ୍ଦ୍‌ ବଜାରକୁ ଯାଉନୁ ? ମିସେସ୍‌ ମିତ୍ରା କହୁଥିଲେ ଯେ, ସେ ସେଠୁ ବଢ଼ିଆ ବିନ୍‌ ପାଇଛନ୍ତି, କିଲୋ ମୋଟେ ବାରଅଣା-୤”
ଜୟରାମ ଟିକିଏ ଭାବିଲା ପରି ହେଲା ଓ କହିଲା, “ସୋନାଚାନ୍ଦ୍‌ ବଜାର ? ସେ ତ ହେଉଛି ଯାଇ କଲେଜ ପାଖରେ, ରେଲ୍‌ଲାଇନ୍‌ ସେପାଖରେ୤” ସେ ଚାଲିବା ରାସ୍ତାର ଦୂରତା କଳିଲା ପରି ଲାଗିଲା୤ ତା’ ଚାହାଣୀରେ ପ୍ରଶ୍ନ ଥିଲା, -ସେଠିକୁ ଯିବା କ’ଣ ଦରକାର ?

ମିସେସ୍‌ ପୁରୀ ତା’ ଚାହାଣୀକୁ ଅବଜ୍ଞା କଲେ ନାହିଁ, ନିରୁତ୍ତର ରହିଲେ୤ ମନେ ହେଉଥିଲା ଯେ, ସେ ତା’କୁ ତା’ ନିଜ ଦ୍ବିଧାର ସମାଧାନ କରିବାକୁ ଦେଉଛନ୍ତି୤ କେତୋଟି ମୁହୂର୍ତ୍ତ ପରେ ସେ ପଚାରିଲେ “କ’ଣ ଯାଇପାରିବୁ ନାହିଁ ?”
ଭର୍ତ୍ସନା ନୁହେଁ, ଆଦେଶ ନୁହେଁ, କେବଳ ସାମାନ୍ୟ ଅବିଶ୍ବାସ୤ ଜୟରାମର ଦ୍ବିଧା ତୁଟିଗଲା୤ ସେ ମୁଣ୍ଡ ହଲାଇ ସମ୍ମତି ଜଣାଇଲା୤ ତା’ ମୁଣ୍ଡର ଆଗୁଆ ବାଳ କେତୁଟା ଏ ପାଖରୁ ସେ ପାଖକୁ ଝୁଲିଗଲା୤

ମିସେସ୍‌ ପୁରୀ ଜୟରାମର ଫେରନ୍ତା ଚେହେରାକୁ ଅନାଇଲେ୤ ତା’ର ଛୋଟ ନିଦା ବେକ ଓ ହାତଗୋଡ଼ର ମାଂସପେଶୀ ତାଙ୍କ ଆଖିରେ ପଡ଼ିଲା୤ ସେ ସ୍ବାଗତ ଅନୁମୋଦନ କଲେ, -ଟୋକା …ମଜବୁତ୍‌… ୤

ବିହଙ୍ଗମାନେ ଏହି ଦୃଶ୍ୟ ଦେଖୁଥିଲେ୤ ସେମାନେ ଆଶ୍ଚର୍ଯ୍ୟ ହେଲେ ଓ ସମ୍ମାନର ଭାବ ଦେଇ ମିସେସ୍‌ ପୁରୀଙ୍କ ଆଡ଼କୁ ଚାହିଁଲେ୤ ତା’ର କାରଣ ହେଉଛି ଯେ, ବିହଙ୍ଗମାନଙ୍କ ଦୃଷ୍ଟିକୋଣ ନିଆରା୤ ସେମାନଙ୍କ ମନରେ ଆସିଥିଲା ଯେ, ଜୟରାମଠାରେ ଦେବତାର ଅଂଶ ଅଛି, କାହିଁକି ନା ସେ ପାରିବ, ତା’ର ଶକ୍ତି ଅଛି୤ ସେ ତାତିଲା ଭୂଇଁରେ ଏତେ ବାଟ ଚାଲିଚାଲି ଯାଇ ତାଜା ପରିବା କିଣିପାରିବ୤ କିନ୍ତୁ ସେହି ଶକ୍ତିକୁ ସଞ୍ଚାଳିତ କଲେ ମିସେସ୍‌ ପୁରୀ୤ ଅଳ୍ପ କଥା, ସାମାନ୍ୟ ଇଙ୍ଗିତରେ ସେ ତା’ର ଦେବତ୍ବକୁ ଖଟାଇପାରିଲେ୤ ମହୀୟସୀ ନାରୀ, – ଦେବତାଠୁଁ ବଡ଼ !

ମିସେସ୍‌ ପୁରୀ ପୁଣି ଖଟ ଉପରେ ଲୋଟିପଡ଼ିଲେ୤ ଜୋକ୍‌ ବହିଟିକୁ ରଖିଦେଇ ଖଟ ମୁଣ୍ଡରେ ଥିବା ରାତି ଟେବୁଲ୍‌ ଉପରୁ ଖଣ୍ଡେ ମ୍ୟାଗାଜିନ୍‌ ଆଣି ହାତରେ ଧରିଲେ୤

ମ୍ୟାଗାଜିନ୍‌ଟି କେବଳ ସ୍ତ୍ରୀ ଲୋକମାନଙ୍କ ପାଇଁ୤ ଚୋଲିର ନୂଆ ଢଙ୍ଗ, ଝାଳଗନ୍ଧରୁ ରକ୍ଷା ପାଇବା ପାଇଁ ନୂଆ ଉପାୟ, ପ୍ରାଚ୍ୟପାଶ୍ଚାତ୍ୟ ବିଭିନ୍ନ ରନ୍ଧନ କାରସାଦି, ଘରେ ରିଫ୍ରିଜେରେଟର୍‌ ଥିଲେ ହଠାତ୍‌ ପହଞ୍ଚୁଥିବା ଅତିଥିଙ୍କୁ କିପରି ଚର୍ଚ୍ଚା କରିବାକୁ ହୁଏ ଇତ୍ୟାଦି ଘରକରଣାର ଉପାଦେୟ ପ୍ରସଙ୍ଗ ସେଥିରେ ଥାଏ୤ ମିସେସ୍‌ ପୁରୀ ପୃଷ୍ଠା ଓଲଟାଇଗଲେ୤ ହଠାତ୍‌ ସେ ତାକୁ ଛାତି ଉପରେ ରଖି ଅନାଇଲେ ସାମ୍‌ନାର କାନ୍ଥ ଆଡ଼କୁ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କିଶୋରୀ ଚରଣ ଦାସ
କିଶୋରୀ ଚରଣ ଦାସ
ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସହିତ ଜଣେ ବଳିଷ୍ଠ ସାହିତ୍ୟିକ ଭାବେ କିଶୋରୀ ଚରଣ ଦାଶ(୧୯୨୪-୨୦୦୪)ଙ୍କ ଲେଖାଗୁଡ଼ିକ ଅଜସ୍ର ପାଠକୀୟ ସ୍ବୀକୃତି ଲାଭ କରିଛି୤ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଶ୍ରୀ ଦାଶ ଲେଖନୀ ଚାଳନା କରିବା ସହିତ ଜଣେ ଅନୁବାଦକ ଭାବେ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲେ୤ ସରଳ ଓ ସାବଲୀଳ ଭାଷା ବ୍ୟବହାର କରୁଥିବା ଶ୍ରୀ ଦାଶଙ୍କର ସମସ୍ତ ଲେଖାରେ ସାଧାରଣ ଲୋକଙ୍କର ଜୀବନଶୈଳୀ ସହିତ ଦୈନନ୍ଦିନ ଜୀବନର ଅନୁଭୁତି ଓ ରୋମାଞ୍ଚ ଭରି ରହିଛି୤ ଓଡ଼ିଶା ସାହିତ୍ୟ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. Priya Ranjan Biswal |  ମେ ୨୯, ୨୦୧୧ - ୧:୨୧ ଅପରାହ୍ନ

    ମୋତେ ଓଡିଆ ପଢିବାକୁ ଭଲଲାଗେ । ଇଣ୍ଟେର୍ନେଟରେ ଓଡିଆ ଗପ ଉପଲବ୍ଧ କରାଇଥିବାରୁ ବହୁତ ଧନ୍ୟବାଦ ।

    ଇତି
    ପ୍ରିୟ ରଞ୍ଜନ ବିଶ୍ବାଳ (ଲିପୁ)

  • ୨. ଡକ୍ଟର ରବିନରୟଣ ମହାରଣା, କଟକ (ଓଡିଶା) |  ଜୁଲାଇ ୨୩, ୨୦୧୩ - ୧୨:୫୩ ଅପରାହ୍ନ

    ଅପ୍ରାନ୍ତ ଓଡିଆରେ ଏତେ ସୁନ୍ଦର ଲେଖି ହେଉଛି ଜାଣି ନଥିଲି୤ ଏବେ ଜଣିଲି୤ ବହୁତ ଧନ୍ୟବାଦ୤ ଏବଂ ତାହା ସାଙ୍ଗକୁ ଓଡିଆର ପତ୍ରିକା ଦେଖି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି୤ ମୁଁ ନିଶ୍ଚିତ ଭାବରେ ଲେଖା ପଠାଇବି୤ ଏହି କୌଶଳ ଆମ ଦେଶ ଓ ଜାତି ପାଇଁ ସବୁ ଠାରୁ ବଡ ଗୌରବ୤ ବନ୍ଦେ ଉତ୍କଳ ଜନନୀ୤

  • ୩. ହିତେଶ ପତି, କୋନ୍ଦ୍ରାପଡା |  ଡିସେମ୍ବର୍ ୨୧, ୨୦୧୪ - ୨:୫୯ ଅପରାହ୍ନ

    ବହୁତ ସୁନ୍ଦର ଲେଖା ପଢି ଖୁସିଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤