ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଦୟାନିଧି ମିଶ୍ର
ସନ୍ୟାସୀ ନାୟକ
ରବି ଶତପଥୀ
ବରେନ୍ଦ୍ର କୃଷ୍ଣ ଧଳ
ବିଦ୍ୟୁତପ୍ରଭା ଦେବୀ
ଶକ୍ତି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କ୍ଷଣିକା
 |- କାହ୍ନୁଚରଣ ମହାନ୍ତି
 
 
ତା: ମାର୍ଚ୍ଚ୍ ୩୦, ୨୦୧୩  
 

ସୂର୍ଯ୍ୟ ଉଠି ନଥା’ନ୍ତି୤ ପୂର୍ବ ଦିଗ ଉଜ୍ଜ୍ବଳ ଦିଶିଲାଣି୤ ଖରାଦିନ୤ ମଟର ବସ୍‌ କଟକ ଷ୍ଟେସନ୍‌ ଛାଡ଼ିଲା୤ ଛୁଟିଲା ପୂର୍ବମୁହାଁ ହୋଇ ଜୟପୁର ରାହାମା୤ ମୋର ସେଇଆଡ଼େ କାମ ଥାଏ୤

ବସ୍‌ରେ ପଚିଶି ଜଣଙ୍କ ପାଇଁ ବସିବାର ସ୍ଥାନ, କିନ୍ତୁ ସେଦିନ ଲୋକ ଭିଡ଼ ହେତୁ ଆହୁରି ଦୁଇ ତିନିଜଣ ଅଧିକା ବସିଥାନ୍ତି୤ ଛାତ ଉପରେ ସାଇକେଲ ଓ ଅନ୍ୟାନ୍ୟ ଜିନିଷପତ୍ର ଯାହା ତ ଅଛି, ତା’ଛଡ଼ା ଭିତରେ ମଧ୍ୟ ଜିନିଷପତ୍ର ଖୁନ୍ଦା ହୋଇଛି୤ ଗୋଡ଼ ରଖିବାକୁ ସ୍ଥାନ ନାହିଁ୤

ଆଉ ଦଶଜଣଙ୍କ ପରି ମୁଁ ମଧ୍ୟ ଜଣେ ସାଧାରଣ ଯାତ୍ରୀ୤ ବଡ଼ ବ୍ୟସ୍ତ ହୋଇ ପଡ଼ୁଥାଏ, କେତେବେଳେ ଆମର ଏ ଦୁଃଖ ଯିବ୤

ବସ୍‌ ଛୁଟିଛି୤ ଦୁଇପାଖର ଦୁଇଧାଡ଼ି ଗଛ ସତେ କି ଗତିଶୀଳ ହୋଇ ପଡ଼ିଛନ୍ତି୤ ଦୁଇ ପାଖର ଦିଗହଜା ବିଲ ହତଶ୍ରୀ ଦେଖାଯାଉଛି୤ ମନ କିପରି ତିକ୍ତ ହୋଇ ଉଠିଲାଣି୤ ପାଖର ଲୋକଟି ଘନ ଘନ ବିଡ଼ି ଟାଣୁଛି ଓ ଧୂଆଁ ଛାଡ଼ୁଛି ସମସ୍ତଙ୍କ ମଝିରେ୤ ଆଗର ଲୋକଟି ତା’ର ଘାଗଡ଼ା କଣ୍ଠରେ ଗୋଟିଏ ଅଶ୍ଳୀଳ ସଙ୍ଗୀତର ପଦକୁ ଆବୃତ୍ତି କରୁଛି୤ ଆଉ, ମନେ ମନେ କେଡ଼େ ଆନନ୍ଦ ଅନୁଭବ କରୁଛି୤ ସେ ପାଖରେ ସେ କଲିକତିଆ ବନ୍ଧୁଟି, ଅନର୍ଗଳ ବକ୍ତୃତା ଦେବାରେ ବ୍ୟସ୍ତ୤ ଦାନ୍ତରେ ସୁନାଖିଲ, ହାତରେ ଗୋଟିଏ ପୁରୁଣା ରିଷ୍ଟ୍‌ୱାଚ୍‌୤ ବେଳେବେଳେ ପକେଟ୍‌ରୁ ଛୋଟ ପାନିଆଁଟି କାଢ଼ି ମୁଣ୍ଡ ସାଉଁଳି ନେଉଛି୤ ଆର ପାଖକୁ ବସିଛି ଯେଉଁ ବୁଢ଼ାଟି, ମୁଣ୍ଡରେ ଚୁଟି, କାନରେ ନୋଳି, ଘୁମେଇ ପଡ଼ୁଛି ପାଖ ସିଲ୍କ ପଞ୍ଜାବିପିନ୍ଧା ବାବୁଟି ଉପରେ୤ ଚୁଟି ଝିଙ୍କା, କହୁଣି ଗେବା ଓ ଗାଳି ଖାଇ ମଧ୍ୟ ବୁଢ଼ାର ନିଦ ଭାଙ୍ଗୁନ ନାହିଁ୤ ଏମିତି-

ବସ୍‌ ଛୁଟିଛି୤ ସୂର୍ଯ୍ୟ ଉଠିଲେ ଦୂର ବରଗଛ ଗହଳି ଭିତରୁ୤ କେହି ଚାହିଁଲେ ନାହିଁ ତାଙ୍କ ଆଡ଼କୁ୤ ଥରଟିଏ ଚାହିଁ ମୁଁ ମଧ୍ୟ ଆଖି ଫେରାଇଲି୤ ମୋର ବନ୍ଧୁମାନଙ୍କର କ୍ରିୟାକଳାପ ଲକ୍ଷ୍ୟ କରି ତା’ରି ଭିତରେ ମନ ହଜାଇଦେବାକୁ ଚେଷ୍ଟା କଲି୤

ହଠାତ୍‌ ବସ୍‌ ବନ୍ଦ ହୋଇଗଲା୤ ଡ୍ରାଇଭର ଯେତେ ଚେଷ୍ଟା କଲା ଚଳାଇବାକୁ, ହେଲାନାହିଁ୤ ହତାଶ ହୋଇ କହିଲା, ଆପଣମାନେ ଟିକିଏ ଓହ୍ଲାନ୍ତୁ, ମୁଁ ଦେଖେ୤

ବିରକ୍ତ ଲାଗିଲା୤ ହେଲେ ଉପାୟ ନାହିଁ୤ ବସ୍‌ ଯଦି ଠିକ୍‌ ନହୁଏ, କେଜାଣି କେତେ ସମୟ ବାଟରେ ପଡ଼ି ରହିବାକୁ ହେବ୤ ହେ ଭଗବାନ୍‌୤ କି ଦୁର୍ଯ୍ୟୋଗ ଆଜି୤
ସମସ୍ତେ ଓହ୍ଲାଇଲେ୤

ରାସ୍ତା କର ଝଙ୍କାଳିଆ ବରଗଛ ତଳେ ବସିଲି୤ ରାସ୍ତା ପାଖରୁ କିଛି ଦୂର ଛାଡ଼ି ବିଲ ମଝିରେ ଛୋଟ ପୋଖରୀଟିଏ୤ ଦଳ ଭିଡ଼ି ରହିଛି୤ ପୋଖରୀ ହୁଡ଼ାରୁ ବଙ୍କେଇ ବଙ୍କେଇ ଚଲା ବାଟଟିଏ ପଡ଼ିଛି ପାଖ ଗାଁ ଆଡ଼କୁ୤ ମୋର ଆଖି ସେହି ବାଟ ଉପରେ ଲାଗି ରହିଲା୤

ସକାଳର ସୁନେଲି କିରଣ ପଡ଼ୁଥିଲା ତା’ର ସୁନ୍ଦର ପୂରିଲା ପୂରିଲା ମୁହଁ ଉପରେ୤ ଅମଳିନ ସଦ୍ୟଫୁଟା ପଦ୍ମଫୁଲଟି ଯେପରି ଧୀର ମନ୍ଥର ଗତିରେ ଚାଲି ଚାଲି ଆସୁଛି୤ ଲୀଳାୟିତ ଗତି, ନାଲି ରଙ୍ଗୀନ୍‌ ଲୁଗାର ଓଢ଼ଣା କପାଳର ଅଧେ ଘୋଡ଼ାଇ ରଖିଛି୤ ଝୁମୁ ଝୁମୁ ବାଜୁଥିଲା ନୂପୁର୤ ସଙ୍ଗରେ ତା’ର ଆଉ ଜଣେ ଝିଅ୤

ଦୃଷ୍ଟି ମୋର ଟାଣି ହୋଇଗଲା୤ ସତେ କେଡ଼େ ସୁନ୍ଦର ! କବିତାର ମୂର୍ଚ୍ଛନା ଉଠିଲା ଛାତିରେ୤ କାହାର ପ୍ରେୟସୀ ? କିଏ ସେ ଭାଗ୍ୟବାନ୍‌ ! ମନ ଉଚ୍ଛନ୍ନ ହେଲା ଜାଣିବାକୁ୤ କାହାକୁ ପଚାରିବି ? ସଂସ୍କୃତି ଚେଇଁ ଉଠିଲା ମନରେ୤ ପର ଦାରେସୁ ମାତୃବତ୍‌୤ ଆଖି ଫେରାଇଲି୤ ପକେଟ୍‌ରୁ ଖବରକାଗଜ କାଢ଼ି ପଢ଼ିବାକୁ ଚେଷ୍ଟା କଲି୤ ଆଖି ଆଗରେ ଅକ୍ଷରଗୁଡ଼ାକ କେବଳ ଗତି କରିଗଲା, କିଛି ବୁଝିଲି ନାହିଁ୤ ମନଭିତରୁ ଇଙ୍ଗିତ ଦେଲା କିଏ, ଫେରି ଚାହାଁ୤ ଲାଜ ମାଡ଼ିଲା ନିଜକୁ୤ ମୋର ଅପରିଚିତା ବନ୍ଧୁମାନଙ୍କ ଆଡ଼କୁ ଥରେ ଚାହିଁଲି୤ କେତେଜଣ ବସ୍‌ ମରାମତି କରିବାରେ ବ୍ୟସ୍ତ୤ ଆଉ କେତେଜଣ ବାଁଆରେଇ ହୋଇ ବରଗଛ ଆଡ଼କୁ ମୋହିଛନ୍ତି୤

କଣେଁଇ ଚାହିଁଲି ପୋଖରୀଆଡ଼କୁ୤ ପୋଖରୀର ଶେଷ ପାହାଚରେ ବସିଚି ସେହି ଅପରିଚିତା୤ ଗୋଡ଼ ଦିଓଟି ପାଣି ଭିତରକୁ ଲମ୍ବାଇ ଦେଇଛି୤ ମୁଣ୍ଡରେ ଆଉ ଲୁଗା ନାହିଁ୤ ଖଣ୍ଡେ ଗାମୁଛାରେ ଫୁଙ୍ଗୁଳା ହାତକୁ ଘଷି ପରିଷ୍କାର କରୁଛି୤ ତା’ର ସଙ୍ଗରେ ଆସିଥିବା ଝିଅଟି, ଯୌବନ ଯାହାର ପାଖେଇ ଆସିଲାଣି, ଚଳ ଚଳ କରି ପାଣି ପକାଉଛି ତା’ ଉପରକୁ୤ ହସି ହସି ପାଣିକୁଆ ପରି ମୁଣ୍ଡ ବୁଡ଼ାଇ ଓଦା ସରସର ହୋଇ ଉଠୁଛି ଉପରକୁ୤ କହୁଛି, ଆସୁନ ନୂଆଊ’ ଉଛୁର ହେବ ଯେ- ହାତ ଧରି ଟାଣୁଛି ପାଣି ଭିତରକୁ୤

ଠଓ ପାଖୁଡ଼ାରେ ଚମକି ଉଠୁଚି ହସ୤ ରହ ମ, ଏ ଗାଡ଼ିଟି ଯାଉ, ମିଣିପଗୁରା ପରା୤ କଥା ଅଧା କରି ତେରଛା ଚାହିଁଲା୤ ମୁହୂର୍ତ୍ତେ ଆଖି ଦୁଇଟିର ଭୀତିଜଡ଼ିତ କୌତୂହଳ ଚାହାଣି ମୋର ମୋହଗ୍ରସ୍ତ ପିପାସାକୁଳ ଆଖିରେ ମିଶିଲା୤ ମନେ ହେଲା ଯେପରି ସେ ଦୃଷ୍ଟି ମୋର ଅନ୍ତର ଭେଦ କରିଛି୤ ସେ ଦୃଷ୍ଟି ଆନତ କଲା୤

ତା’ର ସଙ୍ଗୀ କହିଲା, ଆସ ମ, ମିଣିପଗୁରା କଅଣ ତମକୁ ଅନେଇ ବସିଛନ୍ତି କି ?

ଷୋଡ଼ଶୀ ଓହ୍ଲାଇଲା ପାଣି ଭିତରକୁ୤

ସେହି କଲିକତିଆ ବାବୁଟି- ଦାନ୍ତରେ ଯାହାର ସୁନାଖିଲି, ପାଖକୁ ଆସି କହିଲା, ବାବୁ କ’ଣ ଖବର ? ଟିକିଏ ପାଟି କରି ପଢ଼ିବେ ନାହିଁ ? ସେ ମୋ ଆଗରେ ବସିଲା୤ ନିଜକୁ କିପରି ଅପରାଧୀ ମନେକଲି୤ ପୋଖରୀ ଆଡ଼କୁ ଆଉଥରେ ଚାହିଁବାକୁ ଇଚ୍ଛା ହେଉଥିଲେ ମଧ୍ୟ ଭଦ୍ରତା ଖାତିରରେ ଖବର କାଗଜ ପଢ଼ିବାକୁ ଲାଗିଲି… ‘କଟକରେ ଭୀଷଣ ଘର ପୋଡ଼ି-’

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କାହ୍ନୁଚରଣ ମହାନ୍ତି
କାହ୍ନୁଚରଣ ମହାନ୍ତି
କାହ୍ନୁଚରଣ ମହାନ୍ତିଙ୍କୁ(୧୯୦୬-୧୯୯୪) ଓଡ଼ିଆ ଉପନ୍ୟାସ ସାହିତ୍ୟର ଜନକ ବୋଲି ବିଚାର କରାଯାଏ୤ ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରୁ ସେ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ଲେଖା ଆରମ୍ଭ କରି ୮୦ ଦଶକର ଶେଷ ପର୍ଯ୍ୟନ୍ତ ଲେଖନୀ ଚାଳନା ଜାରି ରଖିଥିଲେ୤ ତାଙ୍କର ଅନେକ ଲେଖା ମୁଖ୍ୟତଃ ସେତେବେଳର ଉପକୂଳ ଓଡ଼ିଶାର ମଧ୍ୟବିତ୍ତ ପରିବାରର ସାମାଜିକ ଜୀବନ ଉପରେ ଆଧାରିତ୤ ବୋଧହୁଏ ସେ ହେଉଛନ୍ତି ଏକମାତ୍ର ସାହିତ୍ୟିକ ଯାହାଙ୍କ ଲେଖାଗୁଡ଼ିକୁ ନେଇ ସର୍ବାଧିକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି୤ ସେ ତାଙ୍କ ସମୟର ଜଣେ ପରିଚିତ ଏବଂ... [ କ୍ରମେ ସବିଶେଷ ]
କାହ୍ନୁଚରଣ ମହାନ୍ତିଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. rasmi parida |  ଏପ୍ରିଲ୍ ୨୮, ୨୦୧୩ - ୨:୧୩ ପୂର୍ବାହ୍ନ

    bhala laagilaa aapananlara e udyama jaha dwara ame ete puruna gapa bi padhiparuchchu.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤