ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କ୍ଷମତା ସଙ୍ଗେ ଭେଟ
 |- ଚୌଧୁରୀ ହେମକାନ୍ତ ମିଶ୍ର
 
 
ତା: ଏପ୍ରିଲ୍ ୧୬, ୨୦୧୯  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଆମ ଗାଁର ଭଜିଆ ଗୁଡ଼ିଆ କୁଆଡ଼େ ତା’ ଜୋଇଁର ଟ୍ରାନ୍ସଫର୍‌ ରୋକାଇବାକୁ ଦୁଇଟା କିଲିକିଆ ଛେନା ପୋଡ଼ପିଠା ତିଆରି କରି ସମ୍ପୃକ୍ତ ବିଭାଗର କୌଣସି ବଡ଼ ଅଫିସରଙ୍କୁ ଦେଇଥିଲା। ତେଣୁ ମିଠାର ଆଦର ସବୁଠାରେ ଅଛି ବୋଲି ଏକ ବଦ୍ଧମୂଳ ଧାରଣା ସମସ୍ତଙ୍କର ଅଛି। ତଥାପି ସୁଦାମାଙ୍କର ଖୁଦ ଚାଉଳ ଭଳି ଭୋଗେଇଟି ଧରି ଫଗୁବାବୁଙ୍କ ବଙ୍ଗଳାରେ ଓହ୍ଲାଇବା ବେଳକୁ ଲାଜ ଯେ ଲାଗୁ ନ ଥିଲା ତାହା ନୁହେଁ।

ବିରାଟ ହତା। କେଉଁପଟେ ଦର୍ଶନାର୍ଥୀମାନେ ଯାଆନ୍ତି ପଚାରି ପଚାରି ଗୋଟିଏ ପ୍ରବେଶଦ୍ୱାର ପାଇଗଲି। ସେଠାରେ ଗୋଟିଏ ପୁରୁଣା ଟେବୁଲ୍‌ ସାମ୍ନାରେ ଟେଲିଫୋନ୍‌ ଧରି ତାଙ୍କର ବ୍ୟକ୍ତିଗତ ସହାୟକ ମହୋଦୟ ବସିଥିଲେ। ସେ ଲୋକମାନଙ୍କୁ କାଗଜରେ କ’ଣ ଲେଖାଉଥାନ୍ତି ଆଉ ସେମାନଙ୍କୁ ଆଉ ଗୋଟିଏ ଘର ଭିତରକୁ ପଠାଉଥାନ୍ତି। ସକାଳ ଆଠଟା ବାଜିଯାଇଥିଲା, କିନ୍ତୁ ବହୁତ ଭିଡ଼ ହୋଇଥାଏ। ଜଣାଗଲା, ଫଗୁବାବୁ ବାଥ୍‌ରୁମ୍‌ରେ ଅଛନ୍ତି। ମୋତେ ଗୋଡ଼ଠାରୁ ମୁଣ୍ଡ ଦିପଟା ଅନାଇନେଇ ସହାୟକ ବାବୁ ଖଣ୍ଡିଏ କାଗଜ ବଢ଼ାଇଦେଲେ। ତହିଁରେ ମୁଁ ନାମ ଲେଖିଲି, କିନ୍ତୁ ‘ଉଦ୍ଦେଶ୍ୟ’ ସ୍ଥାନରେ କିଛି ଲେଖିବାକୁ ନ ଥିଲା। ମୋର ଇତସ୍ତତଃ କରୁଥିବା ଭାବ ଦେଖି ସହାୟକ କହିଲେ ‘ବ୍ୟକ୍ତିଗତ ସାକ୍ଷାତ୍‌କାର’ ଲେଖିବାକୁ।

ଆର ଘରଟିରେ ନାନା ରକମର ଲୋକ ବସିଥାନ୍ତି। ତିଳାର୍ଦ୍ଧ ଧାରଣର ସ୍ଥାନ ନାହିଁ। ଜଣେ ତରୁଣୀ ବଡ଼ ବ୍ୟସ୍ତ ଭାବରେ ଗୋଟିଏ ଦରଖାସ୍ତ ଲେଖୁଥାନ୍ତି, ସମ୍ଭବତଃ ତାଙ୍କର ସ୍ୱାମୀଙ୍କ ବଦଳି ସମ୍ବନ୍ଧରେ। ପଞ୍ଝାଏ ମଫସଲିଆ ଲୋକ ତାଙ୍କୁ ଅଣିଥିବା ମାମଲତକାରଙ୍କଠାରୁ କ’ଣ କ’ଣ କଥା କହିବେ, ତାହାର ଅଭ୍ୟାସ କରୁଥାନ୍ତି। ସେ ଘରର ଆରପଟେ ଗୋଟିଏ ଦରଜା ସାମ୍ନାରେ ଜଣେ ଚପ୍ରାସୀ ଗୋଟିଏ ଟୁଲ୍‌ ଉପରେ ବସି ଢୁଳାଉଥାଏ, ତାହାର ହୁକୁମ ହେଲେ ଲୋକେ ଆରପଟକୁ ଯିବେ। ଜଣେ ଖଦଡ଼ ପିନ୍ଧା ହୃଷ୍ଟପୁଷ୍ଟ ବ୍ୟକ୍ତି ତା’ର କନରେ କ’ଣ କହୁଥାନ୍ତି। କାହାରି ହାତରେ ଛେନା ପୋଡ଼ପିଠା ନାହିଁ, କେବଳ ମୋହରି ପାଖରେ ମାଛି ଭଣଭଣ ହେଉଛନ୍ତି ବୋଧକରି ମୁଁ ପଦାକୁ ଚାଲିଆସିଲି। ସହାୟକ ବାବୁ ଆଉ ଜଣକୁ ବୁଝାଉଥିଲେ, ଆଜି ଅନ୍ୟ ଏକ ସହରକୁ ଯିବାକୁ ଥିବାରୁ ଫଗୁବାବୁଙ୍କ ଭେଟ ମିଳିବ ନାହିଁ। ତଥାପି ସେ ଚେଷ୍ଟା କରି ଦେଖିପାରନ୍ତି। ଆଉ ଜଣେ ଖୁବ୍‌ କାକୁସ୍ଥ ହୋଇ କହିଲେ, ଆଜି ଗାଡ଼ି ଧରିବାକୁ ଅଛି, ଦୁଇମିନିଟ୍‌ରୁ ବେଶି ଲାଗିବ ନାହିଁ, ଖାଲି ପଦେ କଥା କହି ସେ ବାହାରିଯିବେ। ସହାୟକ ବାବୁ କହିଲେ ଫଗୁବାବୁ ବାଥରୁମ୍‌ରୁ ବାହାରି ନାହାଁନ୍ତି, ସେ ନିରୁପାୟ। ମୋର ଏକାନ୍ତ ଅନୁରୋଧ ଯୋଗୁଁ ମୋର ଉପସ୍ଥିତି ମଧ୍ୟ ଫୋନ୍‌ ଯୋଗେ ଜଣାଇ ଦିଆଗଲା।

ଘଣ୍ଟାଏ ବିତିଗଲାଣି। ନିଶ୍ଚୟ ଫଗୁବାବୁଙ୍କ କୋଷ୍ଠବଦ୍ଧତା ରହିଛି। ଭେଟ ହେଲେ ତ୍ରିଫଳା ଚୂର୍ଣ୍ଣ ଖାଇବାକୁ ପରାମର୍ଶ ଦେବି ସ୍ଥିର କଲି। ସମସ୍ତଙ୍କୁ କିଛି କିଛି ସୁବଚନ କହିବା ମୋର ବଦ୍‌ଖୋଇ। ଏତିକିବେଳେ ବଜର୍‌ ବାଜିଲା ଓ ଫଗୁବାବୁ ଦୂର ସହରର କୌଣସି କଲେକ୍‌ଟରଙ୍କ ସଙ୍ଗେ କଥା ହେବାକୁ ଚାହିଁଲେ। ତାଙ୍କର ବାଥ୍‌ରୁମ୍‌ ମଧ୍ୟରେ ଟେଲିଫୋନ୍‌ ଆଦିର ବ୍ୟବସ୍ଥା ଥିବ। ଏହିପରି ଆମ୍ଭେମାନେ ଏକବିଂଶ ଶତାବ୍ଦୀକୁ ଚାଲିଯିବାକୁ ପ୍ରସ୍ତୁତ ହେଉଛୁ ଜାଣି ଉଲ୍ଲସିତ ହେଲି।

ଅଧଘଣ୍ଟା ମଧ୍ୟରେ ଗୋଟିଏ ଗାଡ଼ି ଆସି ପହଞ୍ଚିଲା। ବ୍ୟସ୍ତ ଭାବରେ ତହିଁରୁ ଦୁଇ ଚାରିଜଣ ବାହାରି ଆସିଲେ। ଫଗୁବାବୁଙ୍କ ବାହନଟି ଆସି ସେହି ଗାଡ଼ି ପଛରେ ଠିଆହେଲା। ଭିତରୁ ଭିଡ଼ ଠେଲି, ଚତୁର୍ଦ୍ଦିଗରେ ପ୍ରତି ନମସ୍କାର ଓ ଚିହ୍ନା ଚିହ୍ନା ହାସ୍ୟ ବିତରଣ କରୁ କରୁ ଫଗୁବାବୁ ତାଙ୍କ ବାହନରେ ଆରୋହଣ କଲେ। ମୁଁ ସହାୟକ ବାବୁଙ୍କୁ ନେହୁରା ହୋଇ ବାରମ୍ବାର ଅନୁରୋଧ କଲି, ସେ ମୋତେ ଫଗୁବାବୁଙ୍କ ଗାଡ଼ିପାଖକୁ ଯିବାକୁ ଅନୁମତି ଦେବା ସଙ୍ଗେସଙ୍ଗେ ତାଙ୍କୁ ଦଣ୍ଡେ ରହିଯିବାକୁ ଇଙ୍ଗିତ କରନ୍ତୁ, ମୁଁ କେବଳ ଭୋଗେଇଟି ତାଙ୍କୁ ଦେଇଦିଏ। ସେ ହାତେ ଲମ୍ବର ଜିଭ କାଢ଼ି ଏହା କିପରି ଅସମ୍ଭବ, ତାହା ଜଣାଇଲେ। ଫଗୁବାବୁଙ୍କ ବାହନଟି ଚାଲିଗଲା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଫାଟକ ବାହାରକୁ ଆସିଲି।

ଏହି ଗଳ୍ପଟି ଅନେକ ବର୍ଷ ପୂର୍ବେ ଲେଖାଯାଇଥିଲେ ମଧ୍ୟ ଏହାର ପ୍ରାସଙ୍ଗିକତା ସାମ୍ପ୍ରତିକ ସମୟରେ ରହିଛି।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଚୌଧୁରୀ ହେମକାନ୍ତ ମିଶ୍ର
ଡକ୍ଟର ଚୌଧୁରୀ ହେମକାନ୍ତ ମିଶ୍ର (୧୯୨୫ -୨୦୦୫) ନିଜର ବିପୁଳ ସୃଷ୍ଟି ସମ୍ପଦ ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ସୁଶୋଭିତ କରିଛନ୍ତି। ସେ ନିଜସ୍ୱ ବ୍ୟଙ୍ଗଧାରା ପ୍ରବର୍ତ୍ତନ କରିବା ସହ ବୌଦ୍ଧିକ ହାସ୍ୟକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ତାଙ୍କ ଦ୍ୱାରା ରଚିତ ଗଳ୍ପ ଗ୍ରନ୍ଥ ମଧ୍ୟରେ ‘ଭଲ୍ଲୁକର ପୂରାପ୍ୟାଣ୍ଟ ଓ ଅନ୍ୟାନ୍ୟ ମଜା ଗପ’, ‘ତେରେଛା ଗପ’, ‘ଅଘଟଣ’, ‘କୁରୁଳିଆ ଗଳ୍ପ’ ଓ ‘ହେମକାନ୍ତ ହସଗୋଲା’ ଅଦି ଅନ୍ୟତମ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤