ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କ୍ଷମତା ସଙ୍ଗେ ଭେଟ
 |- ଚୌଧୁରୀ ହେମକାନ୍ତ ମିଶ୍ର
 
 
ତା: ଏପ୍ରିଲ୍ ୧୬, ୨୦୧୯  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଫଗୁବାବୁ ଯେ ଦିନେ କ୍ଷମତାବାନ୍‌ ହୋଇଯିବେ ତାହା କେହି କେବେ ଅନୁମାନ କରି ନ ଥିବ। ଇତିହାସ ଏହିପରି କାହାକୁ ଉପରକୁ ଉଠାଏ, କାହାକୁ ବା ଅତଳାନ୍ତ ଖାତକୁ ଠେଲି ଫୋପାଡ଼ିଦିଏ। ହଠାତ୍‌ କେଉଁ ଏକ ଅଖ୍ୟାତ ଅଞ୍ଚଳରୁ ଠିଆ ହୋଇ ସେ ନିର୍ବାଚିତ ହେଲେ ଏବଂ ଦଳ ଭିତରେ ଷଣ୍ଢା ଷଣ୍ଢା ନେତାଙ୍କ କନ୍ଦଳ ହେତୁ ତାଙ୍କ କପାଳରେ ଶିକା ଛିଣ୍ଡିଗଲା। ଫଳରେ ‘ମିଡିଅମ୍‌ ଧୋତି ଆଉ ଇସ୍ତ୍ରିକରା ଅଧା କାମିଜ୍‌ର’ (ରମାକାନ୍ତ ରଥଙ୍କ ଲଣ୍ଡନ ଶୀର୍ଷକ କବିତା ଦ୍ରଷ୍ଟବ୍ୟ) ସେହି ଅତି ସାଧାରଣ ବ୍ୟକ୍ତିଙ୍କ ଉପରେ ଆଜି ମାଳମାଳ କୃପାପ୍ରାର୍ଥୀ କରଯୋଡ଼ି ଛିଡ଼ା ହୋଇଛନ୍ତି।

ତାଙ୍କ ସଙ୍ଗେ ଅଚାନକ ଅନ୍ୟ ଏକ ସହରରେ ଭେଟ ହୋଇଗଲା ଯେଉଁଠି ସେ କିଛି ଗୋଟାଏ ଉଦ୍‌ଘାଟନ କରିବାକୁ ଆସିଥିଲେ। ଇଏ ବି ବଡ଼ପଣର ଗୋଟିଏ ବଡ଼ ଲକ୍ଷଣ ଜାଣିବ, କାରଣ ଖୁବ୍‌ ବଡ଼ ନ ହେଲେ କେହି ଉଦ୍‌ଘାଟନ କରିବାକୁ ଡକା ହୋଇ ଆସନ୍ତି ନାହିଁ। ମୋର ବି ସେଠାରେ ଉପସ୍ଥିତ ହେବାର ନ ଥିଲା। ସେ ଗୋଟାଏ ଯୋଗ।

ସଭାରେ ସେ ଗୋଟିଏ ସଂକ୍ଷିପ୍ତ ଭାଷଣ ଦେଇ ତତ୍‌ପରେ କତୁରୀ ସାହାଯ୍ୟରେ ଗୋଟିଏ ନାଲିଫିତା କାଟିଥିଲେ। ଆଜିକାଲି ସଂକ୍ଷିପ୍ତ ଭାଷଣ ବେଶି ଶୁଣିବାକୁ ମିଳେ ନାହିଁ। ତେଣୁ କରତାଳି ଦ୍ୱାରା ଗୃହଟି ଅଚିରେ ମୁଖରିତ ହୋଇଥିଲା। ସଭାଗୃହ ବାହାରେ ମୁଁ ଯାହାଙ୍କ ସଙ୍ଗେ ଫେରିବାର ଥିଲା, ତାଙ୍କ ଲାଗି ଅପେକ୍ଷା କରୁଥିଲି, ଏତିକି ବେଳେ ବାଇଶଜଣ ଗୋଡ଼ାଣିଆଙ୍କ ସମେତ ଫଗୁବାବୁ ବଡ଼ ଦରଜା ଦେଇ ବାହାରି ଆସୁଥିଲେ। ମୋତେ ଦେଖି ସେ ଖାଲି କହିଲେ, ‘ଆରେ ଆରେ!’ ଏବଂ ମୋ ହାତକୁ ମୁଠାଇ ଧରିଲେ। ମୁଁ ମଧ୍ୟ ତାଙ୍କ ସଙ୍ଗରେ ସେହି ଜନପ୍ରବାହରେ ସାମିଲ୍ ହୋଇଗଲି।

କ୍ଷମତା ଯେ ଫଗୁବାବୁଙ୍କର ମୁଣ୍ଡ ବିଗାଡ଼ି ଦେଇ ନାହିଁ, ଏଯାକେ ନିଜର ପରିଚିତିମାନଙ୍କୁ ସେ ଚିହ୍ନି ପାରୁଛନ୍ତି, ପଦେ ଦୁଃଖସୁଖ ବି ହେଉଛନ୍ତି, ଏତିକି ଦେଖି ମୁଁ ମୁଗ୍ଧ ହୋଇଗଲି। କ୍ଷମତାସଂପନ୍ନ ଲୋକଙ୍କ ଭିତରେ ଏସବୁ ମାନବିକ ଗୁଣ ଆଜିକାଲି କୋଉଠି ଦେଖିବାକୁ ମିଳୁଛି? ତାଙ୍କର ସରକାରୀ ବାହନରେ ଆରୋହଣ କରୁ କରୁ ଫଗୁବାବୁ ମୋତେ ବାରମ୍ବାର କହିଲାଗିଲେ, ମୁଁ ଯେପରି ସମୟ କରି ତାଙ୍କର ରାଜଧାନୀର ବସାକୁ ଆସେ ଓ ତାଙ୍କ ସାଙ୍ଗେ ଦି’ପଦ ଗପସପ ହୁଏ। ମୋ ସଙ୍ଗେ ଫଗୁବାବୁଙ୍କର ସେମିତି କିଛି ଅନ୍ତରଙ୍ଗତା ନ ଥିଲା, ଏଣେ ମୁଁ ମଧ୍ୟ ଏମିତି କିଛି ଧର୍ତ୍ତବ୍ୟ ମନୁଷ୍ୟ ନୁହେଁ, ତାହା ସତ୍ତ୍ୱେ ସେ ମୋତେ ଏତେ ସ୍ନେହରେ ଆମନ୍ତ୍ରଣ କରିଥିଲେ, ଏତେ ସୁନ୍ଦର ବ୍ୟବହାର କରିଥିଲେ, ଏହା ଦେଖି ମୁଁ କିଣି ହୋଇଯାଇଥିଲି।

ତାଙ୍କର ମୋ ସଙ୍ଗେ ସୁମିଷ୍ଟ ବ୍ୟବହାର ଦେଖି ତାଙ୍କର ପାଖଲୋକ ମଧ୍ୟ ମୋତେ ସାର୍‌ ସାର୍‌ ଡାକିଲେ। ମୋର କେହି କେହି ସହକର୍ମୀ ମଧ୍ୟ ଦୂରରୁ ଏହି ଆଲୌକିକ ଦୃଶ୍ୟଟି ଦେଖୁଥିଲେ। ପରେ ତାଙ୍କଠାରୁ ଶୁଣିଲି, ମୁଁ କୁଆଡ଼େ ଗୋଟେ ‘ଛୁପେ ରୁସ୍ତମ୍‌’। ସଦାବେଳେ ମୋ ସଙ୍ଗେ ଫାଇଲୀୟ ଖଗଡ଼ା ଲଗାଉଥିବା ମୋର ଅଳ୍ପ କନିଷ୍ଠ ସହକର୍ମୀ ମୁଠୁସ୍ୱାମୀ ମୋତେ ଶୁଣାଇ ଶୁଣାଇ କହୁଥିବାର ଶୁଣାଗଲା, ରାଜନୀତିକ ପୃଷ୍ଠପୋଷକତା ହିଁ ମୋର ସକଳ ଔଦ୍ଧତ୍ୟର ମୁଳସୂତ୍ର।

ଏହି ଘଟଣର ଦୁଇମାସ ପରେ ମୋତେ ଫଗୁବାବୁଙ୍କ ସହରକୁ ଯିବାର ସୁଯୋଗ ମିଳିଗଲା। ମୁଁ ତାଙ୍କ ପାଖକୁ ଯିବାକୁ ଢେର୍‌ ଇତସ୍ତତଃ ହେଲି। ଶେଷରେ ତାଙ୍କର ସେହି ଅମାୟିକ ଓ ସସ୍ନେହ ବ୍ୟବହାର ତଥା ମଦୀୟ ଦପ୍ତରର କେତେକ ଅବିଚାର କଥା ସ୍ମରଣ କରି ତାଙ୍କର ବଙ୍ଗଳା ଆଡ଼କୁ ଚାଲିଲି। ମୋର ଯେଉଁ ଆତ୍ମୀୟ ମୋ ପାଖକୁ ଦେଖା କରିବାକୁ ଆସିଥିଲେ, ସେ ମୋର ଗନ୍ତବ୍ୟସ୍ଥଳ କଥା ଶୁଣି ବେଶ୍‌ ଆଖିଦୃଶିଆ ଭାବେ ପ୍ରଭାବିତ ଜଣାଗଲେ। ଯେବେ ମୁଁ ସୁଯୋଗ ପାଏ, ତାଙ୍କର ପୁଅଟି ବିଜ୍ଞାନରେ ଯୋଗ୍ୟତା ହାସଲ କରି ବେକାର ବସିରହିଛି, ସେ କଥାଟି ଯେପରି ଫଗୁବାବୁଙ୍କ କାନରେ ପକାଇଦିଏ, ସେହି ପ୍ରତିଶ୍ରୁତି ଦେଲି। ମୋର ଆତ୍ମୀୟ ଆକଟ କରି କହିଲେ, ଖାଲି ହାତରେ ବଡ଼ ବଡ଼ ଲୋକଙ୍କ ସାଙ୍ଗରେ ଦେଖା କରିବା ଠିକ୍‌ ନୁହେଁ ଏବଂ ସେ ତତ୍‌କ୍ଷଣାତ୍‌ ଅଧକିଲୋ ଛେନାପୋଡ଼ ବନ୍ଧାଇ ଗୋଟିଏ ଭୋଗେଇରେ ମୋ ହାତରେ ଧରାଇଦେଲେ। ସେ କହିଲେ, ଫଗୁବାବୁଙ୍କୁ ନିଜ ହାତରେ ଯେପରି ମୁଁ ମିଠାଟା ଦିଏ, କିଏ କେତେ ଚିଜ ଦେଇଥାନ୍ତି, ସେଇ ଗଦା ଭିତରୁ ମୁଁ କ’ଣ ଦେଲି, ସେଇଟା ଆଖିରେ ପଡ଼ିବ ନାହିଁ।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଚୌଧୁରୀ ହେମକାନ୍ତ ମିଶ୍ର
ଡକ୍ଟର ଚୌଧୁରୀ ହେମକାନ୍ତ ମିଶ୍ର (୧୯୨୫ -୨୦୦୫) ନିଜର ବିପୁଳ ସୃଷ୍ଟି ସମ୍ପଦ ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ସୁଶୋଭିତ କରିଛନ୍ତି। ସେ ନିଜସ୍ୱ ବ୍ୟଙ୍ଗଧାରା ପ୍ରବର୍ତ୍ତନ କରିବା ସହ ବୌଦ୍ଧିକ ହାସ୍ୟକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ତାଙ୍କ ଦ୍ୱାରା ରଚିତ ଗଳ୍ପ ଗ୍ରନ୍ଥ ମଧ୍ୟରେ ‘ଭଲ୍ଲୁକର ପୂରାପ୍ୟାଣ୍ଟ ଓ ଅନ୍ୟାନ୍ୟ ମଜା ଗପ’, ‘ତେରେଛା ଗପ’, ‘ଅଘଟଣ’, ‘କୁରୁଳିଆ ଗଳ୍ପ’ ଓ ‘ହେମକାନ୍ତ ହସଗୋଲା’ ଅଦି ଅନ୍ୟତମ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤