ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୩୧

ଲେଖକ ଓ ଲେଖିକା

ସେନାପତି ପ୍ରଦ୍ୟୁମ୍ନ କେଶରୀ
ବାମାଚରଣ ମିତ୍ର
କନକଲତା ସାହୁ
ଚନ୍ଦ୍ରଶେଖର ରଥ
ଅଚ୍ୟୁତାନନ୍ଦ କର
ସଦାନନ୍ଦ ତ୍ରିପାଠୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କନ୍ୟାରତ୍ନ
 |- ଗନ୍ତାୟତ ଶିବପ୍ରସାଦ
 
 
ତା: ସେପ୍ଟେମ୍ବର୍ ୨୪, ୨୦୧୫  
 

‘ପୁଅକୁ ପକା, ଝିଅ ଥିଲେ ମୋର ଷାଠିଏ ଟଙ୍କା’- ଏ ପ୍ରବାଦଟି ଆମ୍ଭେ ପିଲାବେଳେ ଗାଁର ଜଣେ ଦି’ ଜଣ ମାଉସୀ ସ୍ଥାନୀୟା ଭଦ୍ରମହିଳା କହିବାର ଶୁଣିଥିଲୁ। ଏହା କହିବାବେଳେ ସେମାନଙ୍କ ମୁହଁର ପ୍ରସନ୍ନତା ଏବେ ବି ମନେପଡ଼ୁଛି। ଅବଶ୍ୟ ସେତେବେଳେ ଏ ପ୍ରକାରର ଢଗଢମାଳି ଭିତରକୁ ଯାଇ ତନ୍ନ ତନ୍ନ କରି ପରୀକ୍ଷା କରିବା ଏବଂ ତା’ର ଅର୍ଥ ଓ ପ୍ରଭାବ ବୁଝିବା ଭଳି ମଗଜ ଆମ୍ଭର ନଥିଲା ବୋଲି ଏବେ କହିବାରେ କିଛି ସଙ୍କୋଚ ନାହିଁ। ପରେ ଯେତେବେଳେ ମଗଜରେ ମସଲା ଜାତୀୟ ପଦାର୍ଥ କିଛି ପରିମାଣରେ ପଶିଲା ସେତେବେଳେ ଏହି ଢଗଟିର ଅର୍ଥ ବୁଝିବାକୁ ଚେଷ୍ଟା କରନ୍ତେ ଜଣାପଡ଼ିଲା ଯେ, ପୁଅଠାରୁ ଝିଅକୁ ଅଧିକ ଗୁରୁତ୍ୱ ଦିଆଯାଇ ଏହା ବୋଲାଯାଇଥାଏ। ସାଧାରଣତଃ ପୁଅପିଲାମାନେ ପ୍ୟାଣ୍ଟସାର୍ଟ ପିନ୍ଧିବା ପାଇଁ ଜନ୍ମଗତ ଲାଇସେନ୍ସ ପାଇଥିବାର ଗର୍ବରେ ଉତଫୁଲ୍ଲ ହୋଇ ଏପରି ଅନେକ କାଣ୍ଡ ଘଟାଇଥାନ୍ତି, ଯଦ୍ୱାରାକି ସେମାନେ ଅନାୟାସେ ଅଭିଭାବକଙ୍କର ଜ୍ୱଳନ୍ତ ଦୃଷ୍ଟିର ଶିକାର ହୋଇଥାନ୍ତି। ଅନ୍ୟ ଦିଗରେ ଝିଅପିଲାମାନେ ସ୍ୱାଭାବତଃ ଶାନ୍ତ ଓ ସମୟତକ ମସଲା ବାଟିବା, ବାହାରେ ଗୋବରପାଣି ଦେବା, ସାନ ଭାଇଭଉଣୀମାନଙ୍କୁ ଖେଳାଇବା, ଇତ୍ୟାଦି କର୍ମରେ ବୋଉମାନଙ୍କୁ ଅକୁଣ୍ଠ ସାହାଯ୍ୟ କରିବାରେ ବିତାଉଥିବାରୁ ସେମାନଙ୍କୁ ଯତ୍‌କିଞ୍ଚିତ୍‌ ଉତ୍ସାହିତ କରିବାର ମହତ ଉଦ୍ଦେଶ୍ୟରେ ହିଁ ତଥା-ଉପକୃତା ବୋଉମାନେ ଏ ଧରଣର ଢଗମାନ ବୋଲିଥାନ୍ତି।

ଯେଉଁ କାଳରେ ଏ ପ୍ରବାଦ ସୃଷ୍ଟି ହୋଇଥିଲା, ସେ କାଳରେ ଷାଠିଏ ଟଙ୍କା ବୋଇଲେ ବହୁତ କିଛି ବୁଝାଉଥିଲା। ତେଣୁ ଏତେ ପରିମାଣର ଧନ ସହିତ ତୁଳନା କରି ଝିଅକୁ ପରିବାରରେ ଉଚ୍ଚ ମର୍ଯ୍ୟାଦା ଦିଆଯାଉଥିଲା। ବର୍ତ୍ତମାନ ଯୁଗରେ କିନ୍ତୁ ଏହା ଓଲଟା। ଅବଶ୍ୟ କେହି ବାପାବୋଉ ଆଜିକାଲି ଏ ଢଗଟି ଆଉ ବୋଲୁନାହାଁନ୍ତି। ବରଂ କନ୍ୟାଦାୟରେ ସନ୍ତୁଳିତ ହେଉଥିବା ଜଣେ କନ୍ୟାପିତା କହିବାର ଶୁଣାଯାଇଥିଲା ‘ଝିଅକୁ ପକା, ଝିଅଥିଲେ ଖର୍ଚ୍ଚ ଷାଠିଏ ହଜାର ଟଙ୍କା’। ସେ ଜଣେ ମାଷ୍ଟ୍ରିଆ ଲୋକ ହୋଇଥିବାରୁ, ଜଣେ ଶିକ୍ଷାକର୍ମୀ କିମ୍ବା ଅତିବେଶିରେ ପ୍ରାଥମିକ ଶିକ୍ଷଟିଏକୁ ଜୋଇଁ କରିବାର ଆଶା ରଖିଥିବାରୁ ଜୋଇଁର ଦାମ୍‌ ଷାଠିଏ ହଜାର ଟଙ୍କା ବୋଲି ଆନ୍ଦାଜ କରିଥିଲେ।

ଟିକିଏ ଉଚ୍ଚ ମଧ୍ୟବିତ୍ତ ପରିବାରରେ ଯେଉଁଠି ‘ପେଟେ ଭୋକ ମୁହେଁ ଲାଜ ଥାଏ, ସେଇଠି ଝିଅଟିଏ ବାହାହେଲେ ଷାଠିଏ ହଜାରରୁ ଅଧିକ ଖର୍ଚ୍ଚ ଅବଶ୍ୟ ହୁଏ। ପୁଣି ଠିକ୍‌ ସମୟରେ ଠିକଣା ପାତ୍ରକୁ ଝିଅଟି ବାହା ହୋଇପାରିବ ବୋଲି ଭରସା ନ ଥାଏ। ଏଥିପାଇଁ କେତେ ଗ୍ରାମ, ଜନପଦ ତଥା ସହରାଦି ଭ୍ରମଣ ପୂର୍ବକ ପକେଟ୍‌ରୁ କିଛି ରାଶି ଖର୍ଚ୍ଚ କରିବାକୁ ହୁଏ। ଅତଃ ଇଦାନିଂ ଝିଅ ପ୍ରତି ଯେତିକି ସାମାଜିକ ଦରଦ ପୂର୍ବରୁ ଥିଲା, ବହୁଧା କମିଯାଇଛି। ଏ ସମ୍ପର୍କରେ ବହୁତ କିଛି ପ୍ରବନ୍ଧ, ନିବନ୍ଧ, ଆଲୋଚନା ଓ ସମାଲୋଚନା ଖବରକାଗଜ ଓ ପତ୍ରପତ୍ରିକାଦିରୁ ପାଠ କରି ଆମ୍ଭର ଭାବାନ୍ତର ଜାତ ହେଲା। ଝିଅମାନଙ୍କ ପ୍ରତି ହେଉଥିବା ହତାଦର ଓ ଅନାଦର ସମ୍ପର୍କରେ ଜାଣି ଆମ୍ଭ ହୃଦୟ କନ୍ଦରରେ ଅସରପାଟିଏ ପଶିଯାଇ ଖୁଜୁରୁ ବୁଜୁରୁ ହେବା ଭଳି ଲାଗିଲା। ତେଣୁ ବହୁ ସମୟ ଭାବିବା ପରେ ଆମ୍ଭେ ଏହା ଲେଖୁଅଛୁ କି ଝିଅମାନଙ୍କ ପ୍ରତି ଏପରି ଭାବ ପୋଷଣ କରିବା ଆଦୌ ଠିକ୍‌ ହେଉନାହିଁ।

ଝିଅଟିକୁ ଯେତେ ହତାଦର କରନ୍ତୁ ପଛକେ ତା’ସହିତ ଏପରି କେତେକ ଉପମା ସଂଶ୍ଳିଷ୍ଟ ଯେ, ସେଗୁଡ଼ିକ ଏବେ ବି ବ୍ୟବହୃତ ହେଉଛି। ଝିଅଟିକୁ ବୋଲାଯାଏ ‘କନ୍ୟାରତ୍ନ’ ଓ ‘ସୁନାନାକୀ’। ପୁଅକୁ ଅତିବେଶୀରେ ବୋଉମାନେ ‘ମୋ ଧନରେ’ କହିଥାନ୍ତି। କିନ୍ତୁ ଝିଅକୁ ରତ୍ନ ବୋଲିଥାନ୍ତି। ଫରକ୍ କେତେ ଦେଖନ୍ତୁ। ପୁଅପିଲାମାନେ ଚାକିରି କରିବାଯାଏ ବାପାମାଆଙ୍କ କେବଳ ଅର୍ଥଶ୍ରାଦ୍ଧ କରିଥାନ୍ତି। ଛୋଟବେଳେ ସ୍କୁଲ୍‌ରେ ଓ ଘରେ ଦୁଷ୍ଟାମି କରନ୍ତି। ହାଇସ୍କୁଲ୍‌ରେ ପଢିବାବେଳେ ଅସମ୍ଭାଳ ହୁଅନ୍ତି ଏବଂ କଲେଜ୍‌ ପଢିବାବେଳେ ପାଠ ଅପେକ୍ଷା ଶାଠ ବହୁତ ଅଭ୍ୟାସ କରନ୍ତି। ଏହି ଶାଠ ମିଶା ପାଠ ସରିଯିବା ପରେ ଚାକିରି କରିବାଯାଏ ଦାଢି ଛାଡନ୍ତି, ପାନଦୋକାନ ନିକଟରେ ଠିଆହୋଇ ଗୁଲିଗପ ଜମାନ୍ତି। ଘରୁ ସବୁବେଳେ ମୁକ୍ତି ପାଇବାର ସୁଯୋଗ ଉଣ୍ଡୁଥାନ୍ତି। ଦୈବାତ୍‌ ବାପାଙ୍କ ସହ ଦେଖା ହୋଇଗଲେ ଗାରଡେଇ କରି ଚାହାନ୍ତି ଓ ବୋଉଠାରୁ ନେହୁରା ହୋଇ ପଇସା ନେଇ ଉଡ଼ାନ୍ତି। ଫଳତଃ ବାପାଙ୍କ ରକ୍ତଚାପ ବଢ଼େ ଓ ପଚାଶ ଛୁଇଁବା ପୁର୍ବରୁ ସମସ୍ତ କେଶ ଧଳା ହୋଇ ସାରିଥାଏ।

କିନ୍ତୁ ପରିବାରରେ ଝିଅଟିର କଥା ଅଲଗା। ପଢ଼ାପଢ଼ି ସହ ବୌଉଙ୍କୁ ଦୈନନ୍ଦିନ କାର୍ଯ୍ୟରେ ସାହାଯ୍ୟ କରିଥାଏ। ଝିଅଟିର ବୟଷ ବଢିବା ସହ ବୋଉମାନଙ୍କ କାମ କମି କମି ଯାଉଥାଏ। ଫଳତଃ ଘରେ ଯଦି ବଢ଼ିଲା ଝିଅଟେ ଅଛି, ତେବେ ସ୍ଥଳ ବିଶେଷରେ ଚାକରାଣୀ ଆଉ ରଖିବାକୁ ପଡ଼େନାହିଁ। ଅଧିକାଂଶ କାର୍ଯ୍ୟ ଝିଅମାନଙ୍କ ମୁଣ୍ଡରେ ଲଦିଦେଇ ବୋଉମାନେ ପଡ଼ିଶା ଘରର ସ୍ତ୍ରୀ ସଙ୍ଗରେ ‘ହଇହେ କୁନାବୋଉ…..ଆଜି ଟୁନା ବାପା କହୁଥିଲେ କି…., ଜାତୀୟ ବାର୍ତ୍ତାଳାପରେ ସମୟ ବିତାଇବାକୁ ଭୁଲି ନ ଥାନ୍ତି। ଅତଃ ଝିଅମାନେ ସେମାନଙ୍କ ପାଇଁ ଯାହା ଖର୍ଚ୍ଚ ହୁଏ ତା’ର ବହୁ ଅଂଶ କାମକରି ଶୁଝିଦିଅନ୍ତି। ଏହା ହେଲା ଝିଅମାନଙ୍କଠାରୁ ଲବ୍‌ଧ ସୁବିଧାର ଅର୍ଥନୈତିକ ଦିଗ। ବାହାହୋଇ ଯିବାପରେ ବି ଝିଅଟିଏ ବାପାବୋଉଙ୍କ ପ୍ରତି ଭକ୍ତି ଓ ପ୍ରେମ ଅତୁଟ ରଖିଥାଏ। ଶାଶୁ ଘରେ ‘ମୋ ବୋଉ ଏମିତି କରେ….ମୋ ବାପା ସେମିତି କହନ୍ତି….’ ଇତ୍ୟାଦି କହି ଫି କଥାରେ ବାପାବୋଉଙ୍କୁ ସ୍ମରଣ କରିବା ଏବଂ ସ୍ୱାମୀ ନିକଟରେ ରାଜଭୋଗ ପାଇ ଚଳୁଥିଲେ ହେଁ, ବାପର କୁଡ଼ିଆ ଘରକୁ ଆସିଲେ ସ୍ୱର୍ଗସୁଖ ଅନୁଭବ କରୁଥିବା ଏହାର ଜ୍ୱଳନ୍ତ ଉଦାହରଣ।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗନ୍ତାୟତ ଶିବପ୍ରସାଦ
ଗନ୍ତାୟତ ଶିବପ୍ରସାଦ
ଓଡ଼ିଆ ସାହିତ୍ୟରେ ଯେଉଁ କେତେକ ସାହିତ୍ୟିକ ନିଜ ଜୀବନକାଳର ଅଳ୍ପଦିନ ବଞ୍ଚିରହି ନିଜର ଲେଖାପାଇଁ ଅଜଶ୍ର ପାଠକୀୟ ଶ୍ରଦ୍ଧା ପାଇଛନ୍ତି, ସେମାନଙ୍କ ମଧ୍ୟରେ ଗନ୍ତାୟତ ଶିବପ୍ରସାଦ(୧୯୬୯-୨୦୧୦) ଅନ୍ୟତମ। ଅନେକ ଘାତ ପ୍ରତିଘାତ ମଧ୍ୟରେ ବଞ୍ଚିଥିବା ଶିବପ୍ରସାଦ ନିଜର ଶାଣିତ ବ୍ୟଙ୍ଗ ଓ ରମ୍ୟରଚନା ମାଧ୍ୟମରେ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଯାଇଛନ୍ତି। ଅନେକ ପ୍ରତିଷ୍ଠିତ ଓ ପରିଚିତ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ଏବଂ ବ୍ୟଙ୍ଗଶ୍ରୀ ଓ ରସରାଜ ଆଦି ଉପାଧିପ୍ରାପ୍ତ ଶିବପ୍ରସାଦଙ୍କ ସମସ୍ତ ଲେଖା ବିଭିନ୍ନ ବର୍ଗର... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤