ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୩୧ Back to Vote Screen

ଲେଖକ ଓ ଲେଖିକା

ମନମୋହନ ମିଶ୍ର
ନନ୍ଦ କିଶୋର ବଳ
ରମାକାନ୍ତ ରଥ
ରଜତ କୁମାର ମିଶ୍ର
ଅନନ୍ତ ପଟ୍ଟନାୟକ
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କଙ୍କାଳର ସ୍ମୃତିଲିପି
 |- କୁଞ୍ଜବିହାରୀ ଦାଶ
 
 
ତା: ନଭେମ୍ବର୍ ୧୪, ୨୦୧୫  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ପଦ୍ମପଲାଶ-ଲୋଚନ….ଅର୍ଦ୍ଧେନ୍ଦୁଲଲାଟ…ଚନ୍ଦ୍ରମୁଖ….ଜବାଧର….ଗୋଲାପଗଣ୍ଡ….ମୃଣାଳବାହୁ……ଚମ୍ପକାଙ୍ଗୁଳି- ଜୀବନ୍ତ ଓ ଯୌବନକୁ ଘେନି ତ କାବ୍ୟ। ଏ ତ ଗୋଟାଏ କଙ୍କାଳ-ଉଲଗ୍ନ…ନିରଳଙ୍କାର; କାହାର ଗେଲବସର ପୁତ୍ର ଥିଲା ସେ। କାହାର ଅଲିଅଳି କନ୍ୟା ? କାହାର ପ୍ରିୟାପତ୍ନୀ ? ତ୍ୟାଗନିଷ୍ଠ ତରୁଣ ନା ସୁରୂପସୀ ତରୁଣୀ ? ନାଗରିକ ନା ଗ୍ରାମୀଣ ? ମୁଲିଆ ନା ମଜଦୁର ? କୃଷକ ନା କବି ? ସୁଶିକ୍ଷିତ ନା ଗଣ୍ଡମୂର୍ଖ? ବିଦଗ୍ଧ ନା ବାବଦୁକ ? ନର୍ତ୍ତକୀ, ଅଭିନେତ୍ରୀ ନା ସୁଗାୟିକା ? ଗ୍ରାମ ଯାତ୍ରାରେ ରଜା ହୋଇ ବାହାରୁଥିଲା ନା ରଙ୍ଗିଆ ଦୁଆରୀ ? ଏ ଘଟ ପାଟୁଆ ନା ଦଣ୍ଡନାଟୁଆ ? ଟାଉଟର ମକଦ୍ଦମାଖୋର ନା ନିତାନ୍ତ ସରଳ, ଉଦାସୀ, ସାଧାରଣରେ ଅତି ସାଧାରଣ ? ବହୁକୁଟୁମ୍ବୀ ଦୁଃଖୀ ନା ଧନୀ, ନିରପତ୍ୟ ? କିଏ ସେ ? ଚିହ୍ନିବାର କିଛି ବି ଉପାୟ ନାହିଁ …. ?

କଙ୍କାଳ ସେ; ସେଇ ତା’ର ପରିଚୟ-ରୂପହୀନ ନିର୍ଗୁଣ ସେ ! …. ସତ୍‌କି ଅସତ୍‌ ଥିଲା, ଜ୍ଞାନୀ କି ଗୌରବାନ୍‌ ଥିଲା, ପରକୁ ଆପଣାର କରି ଜୀବନ ବିତାଇଥିଲା କି ସ୍ୱାର୍ଥ ଚିନ୍ତାରେ ପରମାର୍ଥ ବିସ୍କୃତ ହୋଇଥିଲା, ଜାଣିବାର କିଛି ହେଲେ ବାଟ ନାହିଁ। କେତେ ଜମିଜମାର ମାଲିକ ଥିଲା ସେ ? କାହାର ଜମିଦାର, ମହାଜନ, କାହାର ଖାତକ ? ମର୍ତ୍ତ୍ୟମଣ୍ଡଳରେ କେଉଁଠି ତା’ର ବାସସ୍ଥାନ ଥିଲା ? କୁଟୀରରେ ନା ସୌଧରେ ? ତରୁତୃଣଭରା କାକଳିଝଂକୃତ ପଲ୍ଲୀରେ ନ ଯାନବାହାନ ଗର୍ଜିତ ନଗରରେ ? କାହାର ଅଭିଭାବକ, ଗୁରୁ ବା ଦିଶାରୀ ଥିଲା ସେ ? କାହାର ମହାପ୍ରସାଦ ବନ୍ଧୁ, ଜ୍ଞାତିକୁଟୁମ୍ବ, ସମୁଦି ବା ଶଶୁର ? ଶଳା ବା ସୋଦର ! ନାମହୀନ, ସଂଜ୍ଞାହୀନ, ଗୋତ୍ରହୀନ। ମୃତ୍ୟୁ ତାର ମାନବିକ ପରିଚୟକୁ ନିଶ୍ଚିହ୍ନ କରି ଦେଇଛି। ପୃଥିବୀର ଡୋରି ଛିଣ୍ଡିଛି; ନବଜନ୍ମରେ ନୂତନ ସମ୍ପର୍କ ଗଢ଼ି ଉଠିନାହିଁ। ପ୍ରେତ ତା’ର–ନିଃସଙ୍ଗ, ମ୍ରିୟମାଣ-ଘୂରି ବୁଲୁଛି ମଶାଣିରୁ ମଶାଣି- ଘରୁ କେଦାର, ଯେଉଁଠି ତା’ର ଆକର୍ଷଣୀୟ କିଛି ଥିଲା। ଦେହ ଲୋପ ପାଇଛି; ବାସନା ପୂରି ନଥିଲା ତା’ର , ସେଇ ତାକୁ ବୁଲାଉଛି ହୁଏତ।

ଅଳ୍ପଦିନ ତଳେ ହୁଏତ ତା’ର ଶୁଦ୍ଧିକ୍ରିୟା ହୋଇଥିବ। ଦୁଆରେ ଘଟ ବସିଥିବ, ତୁଠକୁ କେତେ କିଏ ଖୋଜାଲୋଡ଼ା ହୋଇ ଆସିଥିବେ। ଗାଁ ମୁଣ୍ଡରେ ପୁଅ ବେଳିକିଆ ଦେଇ ଆସିଥିବ। ପାଗହାଣ୍ଡି ସେଇଠି ଜଳଜଳା ହାଣ୍ଡି ପାଲଟିଥିବ। ଜ୍ଞାତିକୁଟୁମ୍ବ ପିତାଭାତ ଖାଇଥିବେ।
‘ଘର ଘରଣୀ ଦେହ କିଳାଉଥିବ
ଘେନି ଜ୍ଞାତିକୁଟୁମ୍ବ ଶୁଦ୍ଧ ହୋଇବ । ’

କଥା ସତ ଫଳିଥିବ । କାନ୍ଥ ଚାଳ ବାଡ଼େଇ ତାକୁ ତଡ଼ିଥିବେ । ଧାର ଉଧାରେ ସରୁ ବା ମରୁ, ବ୍ରାହ୍ମଣ ଭୋଜନ ବା ଭାଇଭାତ ଦାବକୁ ପଡ଼ିଥିବ! ବନ୍ଧୁ କୁଟୁମ୍ବଙ୍କୁ, ପୁରୋହିତଙ୍କୁ ନୂଆଲୁଗା ପିନ୍ଧେଇବାକୁ ହୋଇଥିବ । ବନ୍ଧୁବାନ୍ଧବଙ୍କ ଘରୁ ଭାରଥୋର ଲମ୍ବିଥିବ-ଅଙ୍ଗାଏ ବସା ଦହି, ଅଙ୍ଗାଏ କଞ୍ଚାଚୁଡ଼ା, ଅଙ୍ଗାଏ ହୁଡ଼ୁମ୍ବ, ଅଙ୍ଗାଏ ଚୁଡ଼ାପୁଆ ବା ଛାଚିଖଇ, ଭାରେ ଦୁଧ, ଭାରେ ପାଚିଲା କଦଳୀ, ଭାରେ ମହାପ୍ରସାଦ କିମ୍ବା ଭାରେ ଗଜବନ୍ତଳ ଓ ଖୁମ୍ବଆଳୁ।

ମହାଜନମାନେ ମହାପ୍ରସାଦ ପାଇ ବିଦାକି ନେଇ ଲମ୍ବ ହୋଇ ଶୋଇଥିବା ପୁତ୍ର ମୁଣ୍ଡରେ ପଦରଜ ଝାଡ଼ି କଲ୍ୟାଣ କରି ଯାଇଥିବେ। ଧାର ଧାର ଲୁହ ଭିତରେ ଭିତରେ ଅଦେହୀ ସେ, ଟୋପାଟିଏ ଲୁହ ଢାଳି ନ ପାରି ବିଦାୟ ନେଇଥିବ । ରାଇ ଶୀତଳାଇ ପୁଅ ତା’ର ଅସ୍ଥିକୁ ଘଡ଼ିରେ ପୁରାଇ ପୋତି ଦେଇଥିବ। ପରେ ଗଙ୍ଗାରେ ପକାଇବାଲାଗି ।

ବିଲରେ ବୁଲି ବୁଲି ପୁଅ ସାଙ୍ଗେ ଭେଟଣା ହେବ। ତୋଟା ବାଡ଼ିରେ ରହିଲେ ପିଲାଏ ଡରିବେ; ଏ ବିଲବାଡ଼ି ତା’ର କେଡ଼େ ପ୍ରିୟ ଥିଲା। ଆଜି ତା’ର କିଛି କରିବାର ନାହିଁ, ହିଡ଼ରେ ଭୁଷା ପଡ଼ିଲେ କିମ୍ବା ଭାଙ୍ଗି ପାଣି ବୋହିଗଲେ ସେ କେବଳ ଜଳଜଳ ଚାହିଁଥିବ, ଧୋଇ ମରୁଡ଼ି ହେଲେ କି ବତାସରେ ପଲା ଉଡ଼ିଗଲେ ସେ ବ୍ୟସ୍ତବିକଳ ହେଉଥିବ, ଘରେ କୋରଖ ପଶିଲେ କି ଡକେଇତି ହେଲେ ସେ କଲବଲ, ଛଟପଟ ହେଉଥିବ; କିନ୍ତୁ ତା’ର କରିବା ଲାଗି କିଛି ନଥିବ- ଅଦେହୀ ସେ-ଗୃହହୀନ-ବନ୍ଧୁ କୁଟୁମ୍ବହୀନ, ଶ୍ରାଦ୍ଧରେ ତା’ର ପ୍ରାପ୍ୟ ମୁଠାଏ ପିଣ୍ଡ । ବଡ଼ବଡ଼ିଆ ଡକା ଦିନ ଟିକିଏ ଆଲୁଅ। ଅନ୍ଧାରରେ ଆସି ସେ ଆଲୁଅରେ ପ୍ରେତଲୋକକୁ ଫେରି ଯାଇଥିବ। ଗୟାରେ ଶେଷ ପିଣ୍ଡଦାନ ପରେ ସେ ହୋଇଥିବା ବିସ୍ମୃତ। ଜୀବନରୁ ମୃତ୍ୟୁ, ପ୍ରେତଲୋକରୁ ଜୀବନ, ଲୋକ ବହୁତ ଦୂରେଇ ଯାଇଥିବ। ଜୀବନ ସହିତ ତା’ର ଲୁଚକାଳି ଖେଳ ଏହିପରି ଶେଷ ହୋଇଥିବ।

ଏବେ ଗୋଟାଏ ଯନ୍ତ୍ର ସେ, ଅଦ୍ୟାବଧି ଦୁଶ୍ଚିନ୍ତା ଜଞ୍ଜାଳହୀନ ପୂତ ନିର୍ମଳ ଗୋଟାଏ ଛାଞ୍ଚ, ଛିନ୍ନବିଛିନ୍ନ, ଇତସ୍ତତଃ ନିକ୍ଷିପ୍ତ ଆସ୍ଥିକୁ ହୁଏତ ସଂଲଗ୍ନ କରାହୋଇଛି; ପ୍ରଫେସର୍‌ ଶିକ୍ଷା ଦେଇଛନ୍ତି-କେଉଁଠି କେଉଁ ଅସ୍ଥି, କେଉଁ ଶିରାପ୍ରଶିରାର ଅସ୍ତିତ୍ୱ, କେଉଁଠି କେଉଁ ରୋଗ ହୁଏ କିପରି ବ୍ୟାପେ, କେଉଁଠି କିପରି ଅସ୍ତ୍ରୋପଚାର କରିବାକୁ ହୁଏ। ମୃତ୍ୟୁ ଜୀବନକୁ ଦେଇଛି ଏଇ ଦକ୍ଷିଣା, ଅଭିଜ୍ଞତାରୁ ଶିଖାଇବ, ଅନୁଭୂତିରୁ ମର୍ମଜ୍ଞାନ ଦେବ, ଚିକିତ୍ସା ଓ ଅସ୍ତ୍ରୋପଚାରର ରିହରସାଲ ହେବ ଏଠି ! ମୃତ୍ୟୁ ଅପ୍ରୟୋଜନୀୟ ନୁହେଁ, ଜୀବନ୍ତ ଜୀବନର ପରିପୂରକ ସେ; ଭୂମିକା। ଜୀବନର ସମୀକ୍ଷା ଲାଗି ପ୍ରେକ୍ଷାଗାରର ପରୀକ୍ଷିତ ଦ୍ରବ୍ୟ ପରି ମୃତ୍ୟୁର ଆତ୍ମଦାନ ଏକାନ୍ତ ମହନୀୟ। ମୃତ୍ୟୁ ଜୀବନର ବୈତାଳିକ, ସଂହାର ସୃଷ୍ଟିର ସଂବାହକ, ପ୍ରଳୟସର୍ଜନର ଆବାହକ।

ଦିନେ କୁଟୁମ୍ବ ପୋଷଣରେ ତା’ର ପ୍ରୟୋଜନୀୟ ଭୂମିକା ଥିଲା, କିନ୍ତୁ ସାମାଜିକ ବା ସାଂସ୍କୃତିକ କାର୍ଯ୍ୟରେ ଥିଲା ସେ, ନିତାନ୍ତ ଅଦରକାରୀ। ଏବେ ତା’ ବିନା ଆନାଟମି ବା ଫିଜିଓଲଜି ଶିକ୍ଷାଦାନ ଅସମ୍ଭବ। ପ୍ରଫେସରଙ୍କ ହାତବାରିସି ସେ, ଛାତ୍ରମାନଙ୍କର ପରୀକ୍ଷାର୍ଣ୍ଣବର କର୍ଣ୍ଣଧାର।

ସେତେବେଳେ ଡାକ୍ତରଖାନାରେ ଏଇ କଙ୍କାଳଟାକୁ ଦେଖି କେତେ କ’ଣ ଭାବି ଯାଉଥିଲା- ଏହାର ମୁଖ ନାହିଁ, କିନ୍ତୁ ଏତେ ମୁଖର କିପରି ସେ ? ଚକ୍ଷୁହୀନ; କିନ୍ତୁ ମୋର ଅନ୍ତରକୁ ନିରେଖି କିପରି ଦେଖୁଛି ସେ ? ନିରିନ୍ଦ୍ରିୟ; କିନ୍ତୁ ମୋର ମନର ଭାବନାକୁ ସତେ ଯେପରି ପଢ଼ିପାରୁଛି ସେ !

ଭାବୁ ଭାବୁ କେତେବେଳେ ମୋତେ ଛାଇନିଦ ଲାଗିଆସିଲା ଜାଣେ ନାହିଁ । ସ୍ୱପ୍ନରେ ମନ ବ୍ୟାଥାତୁର ହୋଇ ଉଠିଥିଲାବେଳେ ସେଇ କଙ୍କାଳ ଯେପରି କି ମୋତେ ପଚାରିଲା-ଚିହ୍ନିପାରୁ ନାହାଁନ୍ତି ? ….. ମୋ ଠାରେ ଜୀବନର କି ସଙ୍କେତ ଅଛି ଯେ ଆପଣ ଚିହ୍ନିବେ ? …. ନାମହୀନ….ଧାମହୀନ….ଆକୃତିହୀନ….ମୋ ପଛରେ ସବୁ କାହାଣୀ ସାଙ୍ଗସାଥୀ ଭୁଲି ଯାଇଛନ୍ତି, ମୋ ଆଗର ସବୁ ସ୍ୱପ୍ନ କଳ୍ପନା ଅପସରି ଯାଇଛି।

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କୁଞ୍ଜବିହାରୀ ଦାଶ
ଡକ୍ଟର କୁଞ୍ଜବିହାରୀ ଦାଶ(୧୯୧୪-୧୯୯୬) ଆଧୁନିକ ସାହିତ୍ୟରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ। ସେ ଏକାଧାରରେ ଜଣେ ସଙ୍କଳକ, କବି , ଗାଳ୍ପିକ ଓ ସମାଲୋଚକ। କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସହିତ ଏକାଧିକ ପୁରସ୍କାର ଓ ସମ୍ମାନ ପାଇଥିବା ଶ୍ରୀ ଦାଶ ଜଣେ ଲୋକ ସାହିତ୍ୟିକ ଭାବେ ପରିଚିତ ଥିଲେ। ‘ଛିନ୍ନମସ୍ତା’, ‘ପ୍ରଭାତୀ’, ‘କଳକଲ୍ଲୋଳ’, ‘ନବମାଳିକା’, ‘ଅପରାହ୍ନର କେତୋଟି ସ୍ୱର’ ଆଦି ତାଙ୍କ ରଚିତ କବିତା ସଙ୍କଳନ ଓ ‘କଥାଟିଏ କହୁଁ’, ‘ଲୋକଗଳ୍ପ ସଞ୍ଚୟନ’, ‘ଲୋକଗଳ୍ପ ସଙ୍କଳନ’ ଆଦି ଗଳ୍ପ... [ କ୍ରମେ ସବିଶେଷ ]
କୁଞ୍ଜବିହାରୀ ଦାଶଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤