ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଲକ୍ଷ୍ମୀଧର ନାୟକ
ଗୋପୀନାଥ ମହାନ୍ତି
ନୀଳକଣ୍ଠ ଦାସ
ରମେଶ ଚନ୍ଦ୍ର ଦାସ
କମଳା ଶତପଥି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କଳିଙ୍ଗ ଶିଳ୍ପୀ
 |- ରାଜକିଶୋର ରାୟ
 
 
ତା: ମେ ୨୫, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ତେବେ ତମେ କହୁଛ ନେତ୍ର ଯୁଗଳରେ ନୀଳପଦ୍ମର ଠାଣି ଦେବ ?
‘ଆଜ୍ଞା, ମଣିମା୤’
‘କର୍ଣ୍ଣଭୂଷା ପାଇଁ କିଛି ଅଳଙ୍କାର ଦେଇପାର ?’
‘ତା ବି ଦେବି୤’
‘ଆଚ୍ଛା, ଅଙ୍ଗୁଷ୍ଠିର ନଖ ପ୍ରାନ୍ତରେ ଗୋରୋଚନାର ବିନ୍ଦୁ କମନୀୟ ହେବ କି ?’
‘ଗୋରୋଚନାର ବିନ୍ଦୁ ଭାଲପଟରେ ଆଙ୍କିଲେ ସୁନ୍ଦର ହେବ; କିନ୍ତୁ ସ୍ବର୍ଣ୍ଣ ପ୍ରତିମାର ଲଲାଟରେ ଗୋରୋଚନା ଚିତା ଅସ୍ପଷ୍ଟ ରହିଯିବ, ବରଂ ଲଲାଟରେ ସିନ୍ଦୂର ଗାରେ ଦେବି୤’
‘ହୁଁ – ଭ୍ରୂଯୁଗଳର ଭଙ୍ଗୀ ଯେପରି ଭୀତବିହ୍ବଳ ନହୁଏ; ତା ପାଇଁ ଦୃଷ୍ଟି ଦେବ୤’
‘ଦେବି, ମଣିମା୤’
‘ଆଚ୍ଛା, ନାଭିବିନ୍ଦୁର କେତେ ତଳକୁ ଝିନବାସର ବେହରଣ ଦେବ ?’
‘ନାଭିବିନ୍ଦୁ ଓ କଟୀବନ୍ଧ ମଧ୍ୟରେ ଯେତିକି ସ୍ଥାନ ମୁଁ ରେଖାଙ୍କିତ କରିବି, ତା’ର ଏକ ତୃତୀୟାଂଶ ପରିମିତ ସ୍ଥାନ ଊର୍ଦ୍ଧ୍ବକୁ ରଖି ମୁଁ ବେହରଣ ବସାଇବି୤ ଆପଣ ସେ ବିଷୟରେ ନିଶ୍ଚିତ ଥାନ୍ତୁ୤’
‘ଦେଖ ମହାରଣା, ମୋର ଚିନ୍ତାଧାରା ଆଉ ତୁମ ଚିନ୍ତାଧାରା ସମାନ ହେବ ତ ?’
‘ମଣିମା, ଶିଳ୍ପୀକୁ ତା’ ବାଟରେ ଯିବାପାଇଁ ଛାଡ଼ି ଦିଅନ୍ତୁ, ଦେଖିବେ ଫଳ କ’ଣ ହେଉଛି୤’
‘କୁହ, ଅନ୍ୟ କେଉଁ ବିବରଣର ପ୍ରୟୋଜନ ଅଛି ?’
‘ମୂର୍ତ୍ତିଟି ନିର୍ଭୁଲ ହେବା ପାଇଁ ଏ ଅଧମ ଶିଳ୍ପୀ ମଣିମାଙ୍କର ଚରଣ ତଳେ ଶରଣ ଭିକ୍ଷା କରେ୤ କୁହନ୍ତୁ, ବିନ୍ଧ୍ୟାକୁ ମୃତା ବା ଜୀବିତା ଭାବରେ ରୂପ ଦେବି ? ଅର୍ଥାତ୍‌ ପ୍ରତିମାକୁ ଦେଖିଲେ ହିଁ ମନେହେବ ମୂର୍ତ୍ତି ଜୀବନ୍ୟାସରେ ଅଛି-ଜଡ଼ ନୁହେଁ୤’
‘ମହାରଣା, ତାହା ତୁମେ କରିପାର ?’

‘ଦେବ, କଳିଙ୍ଗର କାରିଗର ପାଖେ ଏ ଯେ ବଡ଼ ତୁଚ୍ଛ ପରିପାଟି ! ପୁଣି ଏ ତ ଆମ ବାପଅଜାଙ୍କର ବ୍ୟବସାୟ୤’
‘ଶ୍ରୀଧର ! ମୁଁ ତାହା ବିଶ୍ବାସ କରେ୤ କହିପାର, ବିନ୍ଧ୍ୟାର ତନୁକାନ୍ତିକୁ କି ରଙ୍ଗରେ ତୁଳି ଦେବ ?’
‘ସ୍ବର୍ଣ୍ଣଆଭା ହିଁ ତ ହରିଦ୍ରା ଗୌର୤’
‘ନା ମହାରଣା, ସେ ଯେ ଶ୍ୟାମାଙ୍ଗୀ ଥିଲା୤’
‘ଓହୋ ! ତାହେଲେ ସ୍ବର୍ଣ୍ଣପିଣ୍ଡ ପରିବର୍ତ୍ତେ କୃଷ୍ଣଶିଳା ହିଁ ଏ ସ୍ଥାନରେ ବେଶୀ ପ୍ରୟୋଜନ, ମହାରାଜ !’
‘କୃଷ୍ଣଶିଳା ? ନା ଶ୍ରୀଧର, ସାମାନ୍ୟ ଶିଳାଖଣ୍ଡ ଉପରେ ବିନ୍ଧ୍ୟାର ବନ୍ଧୁରତ୍ବ ଆଣିବ ସିନା, ପ୍ରଭାମୟ ତ କରିପାରିବ ନାହିଁ୤’
‘ମଣିମା, ଏଇକ୍ଷଣି ଯେ, କହିଲେ ସେ ଥିଲେ ଶ୍ୟାମାଙ୍ଗୀ ବୋଲି କିନ୍ତୁ ସ୍ବର୍ଣ୍ଣପିଣ୍ଡରେ ଘନବର୍ଣ୍ଣ ଫୁଟାଇବା ଅସାଧ୍ୟ ନହେଲେ ବି ସମୟସାପେକ୍ଷ୤’

‘ଦେଖ, ସମୟ ବିଷୟ ଭାବ ନାହିଁ୤ ଅନନ୍ତକାଳ ବହିଗଲେ ବି ଦୁଃଖର କାରଣ କିଛି ନାହିଁ୤’
‘କିନ୍ତୁ, ମହାରାଜ….’
‘କ’ଣ କୁହ ଶ୍ରୀଧର୤’
‘ଆପଣଙ୍କୁ କଷ୍ଟ ହୋଇପାରେ, ଯଦି ଏତେ ସମୟ….’
‘ଓଃ, ହବିଷାନ୍ନ କଥା କହୁଛ ? ସେ ତ ବିଧି-’
‘ହଁ, ସେ ବିଧି୤ ଅର୍ଥାତ୍‌ ଆପଣ ଉଦ୍ୟାନ ସମୀପ ତୁଳସୀ ବୃକ୍ଷ ଚଉତରା ଉପରେ ଏକ ବଂଶଦଣ୍ଡ ପ୍ରୋଥିତ କରାଇ ପ୍ରତି ରାତ୍ର ଅର୍ଦ୍ଧଯାମରେ ଗୋଟିଏ ତାମ୍ର ପେଟିକା ଭିତରେ ଦୀପାଳୀଟିଏ ତଥି ଉପରେ ଜଳାଇ ନମସ୍କାର ନ କରିବା ପର୍ଯ୍ୟନ୍ତ ଜଳ ସ୍ପର୍ଶ କରିପାରିବେ ନାହିଁ୤ ଏହା ଶାସନ ଶିଳ୍ପଗ୍ରନ୍ଥରେ ଲିପିବଦ୍ଧ ରହିଅଛି୤ ମୁଁ ସେଇ ଶାସନର ଶିଷ୍ୟ ଓ ସେବକ ମାତ୍ର୤’
‘ତଥାସ୍ତୁ୤’

ବିନ୍ଦୁ ସରୋବର ସ୍ବଚ୍ଛ ନୀର ଆସ୍ତରଣ ଉପରେ ଉଛୁଳି ପଡୁଛି ଅଷ୍ଟମୀର ସୂର୍ଯ୍ୟ୤ ବିନ୍ଦୁ ବିନ୍ଦୁ ହୋଇ ସୌରକଣା ଜଳ ପ୍ରବାହରେ ତ୍ରିରଙ୍ଗ ସୃଷ୍ଟି କରୁଛି୤ ଶ୍ରୀଧର ମହାରଣା ସ୍ନାନ ସାରି ତୁଳସୀ ବେଦୀ ପ୍ରଦକ୍ଷିଣ କରି ଓଁକାର ତୋଳି ନମସ୍କାର କଲେ- ‘ଜବାକୁସୁମ ସଂକାଶ କାଶ୍ୟପେୟଂ ମହାଦ୍ୟୁତିଂ -’
ଅଦୂରରେ ଜଣେ ଗୈରିକବସନା ଯୋଗିନୀ ଆଚମନ କରୁକରୁ ସ୍ତୋତ୍ରର ମନ୍ତ୍ରୋଚ୍ଚାରଣ ଶୁଣିସାରି ଟିକିଏ ଅନ୍ତରାଳକୁ ଯାଇ ପଚାରିଲେ- ‘ଆପଣ କାହା ସ୍ତୋତ୍ର ଧ୍ୟାନ କରୁଛନ୍ତି ?
‘କାହିଁକି ମା, ଏ ଯେ ସୂର୍ଯ୍ୟ ସ୍ତୋତ୍ର !’
‘ସୂର୍ଯ୍ୟ ସ୍ତୋତ୍ର? ଶୁଣିଛି, କଳିଙ୍ଗ ଶିଳ୍ପ ସାରା ଭାରତରେ ପ୍ରତିଷ୍ଠା ପାଇଛି୤ କୋଣାର୍କ ପରା ସୂର୍ଯ୍ୟଦେବଙ୍କର ମନ୍ଦିର ?’
‘ହଁ ମା, ପଚାରିପାରେ, କି ଅଭିପ୍ରାୟରେ ଆପଣ ତୀର୍ଥାଟନ କରୁଛନ୍ତି ? ଦେଖିଲେ ଜଣାଯାଏ, ଆପଣ ଜଣେ ବିଦୁଷୀ୤’
‘ତୀର୍ଥାଟନର ଅଭିପ୍ରାୟ ? କଳିଙ୍ଗର ପ୍ରତି ଶିଳାଖଣ୍ଡ କି ମୁକ୍ତି ବାଣୀ ଜଗତକୁ ଶୁଣାଏ, ସେଇ କଥା ଶୁଣିବା ପାଇଁ ମୁଁ କଳିଙ୍ଗର ଦ୍ବାରରେ ଭିକ୍ଷାର୍ଥିନୀ୤’
ଶ୍ରୀଧର ମହାରଣାଙ୍କ ରକ୍ତୋଜ୍ଜ୍ବଳ ମୁଖ ଆହୁରି ଦୀପ୍ତିମୟ ଦେଖାଗଲା୤ ସେ ପୁଣି କୌତୂହଳୀ ହୋଇ ଯୋଗିନୀ ପ୍ରତି ଉନ୍ନୁଖ ହୋଇ ରହିଲେ୤
‘ମା, ଏଠାରେ ବିଶ୍ରାମ କରିବାର ସମସ୍ତ ସୁବିଧା ପାଇଛନ୍ତି, ନା ମୁଁ କିଛି ସାହାଯ୍ୟ କରିପାରେ ?’
‘ଭଦ୍ର, କହିଛି ପରା, କଳିଙ୍ଗର ପ୍ରତି ବୃକ୍ଷ, ପ୍ରତି ଲତା ଅନ୍ତରାଳରେ ବିମୋହନ ବିଶ୍ରାମ ସ୍ଥାନ ଅଛି, ମୁଁ ପ୍ରକୃତିର ପୂଜାରିଣୀ, ତେଣୁ ଖଣ୍ଡଗିରିର ନିର୍ଜନ ଗୁମ୍ଫାରେ ମୁଁ କିଛିଦିନ ପାଇଁ ଅବସ୍ଥାନ କରୁଛି୤’
ଗୋଟି ଗୋଟି ହୋଇ ସ୍ନାନ ଶେଷ କରି ଲୋକେ ବାହାରି ଆସୁଥାନ୍ତି୤ ଯୋଗିନୀ ମଧ୍ୟ କମଣ୍ଡଳୁଟି ଧରି ବାଟ ଛାଡ଼ି ଛିଡ଼ାହେଲେ୤ ‘ମା, ଗୁହା ନିକଟରେ ପହଞ୍ଚାଇ ଦେଇପାରେ, ଯଦି ଅନୁମତି ଦିଅନ୍ତି୤’ ଶ୍ରୀଧରଙ୍କ ସ୍ବର ମିନତିପୂର୍ଣ୍ଣ୤
‘ଆସ ତେବେ’ କହି ଯୋଗିନୀ ଜନତା ମଧ୍ୟରେ ଲୀନ ହୋଇଗଲେ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଜକିଶୋର ରାୟ
ରାଜକିଶୋର ରାୟ
ଜଣେ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ରାଜକିଶୋର ରାୟ(୧୯୧୪-୧୯୯୮) ଓଡ଼ିଆ ସାହିତ୍ୟରେ ସୁପରିଚିତ, ସୁପଠିତ ଓ ସୁପ୍ରିୟଲେଖକ୤ ତାଙ୍କ ରଚିତ ପ୍ରତ୍ୟେକ କ୍ଷୁଦ୍ରଗଳ୍ପର ବିଷୟବସ୍ତୁ ସାମାଜିକ ଘଟଣାବଳୀ ଉପରେ ପର୍ଯ୍ୟବେଶିତ ଥିଲେ ହେଁ ପ୍ରତ୍ୟେକଟି ଲେଖା ଅନ୍ୟଠାରୁ ସ୍ବତନ୍ତ୍ର୤ ଗଳ୍ପର ବିଷୟବସ୍ତୁ ନିର୍ବାଚନରେ, ତାହାର ଆରମ୍ଭ ଓ ଶେଷରେ ଉତ୍କଣ୍ଠା, ବାସ୍ତବତା,ଆକସ୍ମିକତାର ପରିବେଷଣ କୌଶଳ ବିଚାରରୁ ପୁଣି ସମସ୍ୟା ଉପସ୍ଥାପନ କରି ତାହାର ସମାଧାନକୁ ପାଠକଙ୍କ ହାତରେ ଛାଡ଼ି ଦେଇଥିବା ସିଦ୍ଧାନ୍ତ ପାଇଁ ଗାଳ୍ପିକ ଶ୍ରୀ ରାୟ ବେଶ୍ ପରିଚିତ୤... [ କ୍ରମେ ସବିଶେଷ ]
ରାଜକିଶୋର ରାୟଙ୍କ ଅନ୍ୟାନ୍ୟ ଲେଖା →