ନବ ପ୍ରତିଭା

କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା
ସ୍ଵତନ୍ତ୍ର ଉତ୍କଳର ସ୍ମୃତି ଗାଥା
|- ପ୍ରବୋଧ ଚନ୍ଦ୍ର ମୁଦ୍ରା, ସାଙ୍କୁଡ଼ା , ଗଞ୍ଜାମ
କାଲାମ
|- ଅରୁଣ କୁମାର ତ୍ରିପାଠୀ, ହାଇଦ୍ରାବାଦ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ତରୁଣକାନ୍ତି ମିଶ୍ର
ରାଜକିଶୋର ରାୟ
ସହଦେବ ସାହୁ
ଗୋପୀନାଥ ମହାନ୍ତି
ନିତ୍ୟାନନ୍ଦ ମହାପାତ୍ର
ଚନ୍ଦ୍ରଶେଖର ରଥ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କଳାଧନର ବିଷଚକ୍ର
 |- ମହାପାତ୍ର ନୀଳମଣି ସାହୁ
 
 
ତା: ଡିସେମ୍ବର୍ ୬, ୨୦୧୬  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଏକଥା ସତ ଯେ, ପୂର୍ବକାଳ ଅପେକ୍ଷା ବର୍ତ୍ତମାନ ଧନ ଉପାର୍ଜନ ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଇପାରିଛି। ସରକାରମାନେ ଧନସମ୍ପଦ ଜନ୍ମ କରିପାରିବେ ନାହିଁ କିମ୍ବା ଜୋର୍‌ ଜବରଦସ୍ତି କରି କାହାକୁ ଧନୀ ମଧ୍ୟ କରିଦେଇପାରିବେ ନାହିଁ। ଦାରିଦ୍ର୍ୟର ସୀମାରେଖା ତଳେ ଥିବା ଦରିଦ୍ରମାନଙ୍କୁ ସରକାର ହାତ ଧରି ତା’ ଉପରକୁ ଟାଣି ଆଣି ପାରିବେ ନାହିଁ। ଦେଶରେ ଯେତେ ଧନସମ୍ପଦ ଅଛି-ସେସବୁକୁ ଯଦି ଗୋଟିଏ ସରକାର ସମସ୍ତଙ୍କୁ ସମାନଭାବେ ବାଣ୍ଟିଦିଏ ତେବେ ସୁଦ୍ଧା ଦେଶରୁ ଗରିବୀ କେବେ ହଟିବ ନାହିଁ। ଗରିବ ଲୋକଙ୍କ ସଂଖ୍ୟା କେବେବି ମୂଳପୋଛ ହେବ ନାହିଁ। ସରକାର କେବଳ ସମସ୍ତଙ୍କ ଉପାର୍ଜନ ପାଇଁ ସୁଯୋଗ ସୃଷ୍ଟି କରିବେ। ଧନବାନ୍‌ ହେବାକୁ ହେଲେ ଜଣକୁ ଅର୍ଜନ, ଉତ୍ପାଦନ, ସଞ୍ଚୟ ଓ ସରବରାହ ଏ ସମସ୍ତ କରିବାକୁ ହୁଏ। ଏଥିପାଇଁ ଶରୀରର ଶକ୍ତି ଓ ବୁଦ୍ଧିର ଶକ୍ତି ଖର୍ଚ୍ଚ କରିବାକୁ ହୁଏ। ଧନ ଉପାର୍ଜନର ଯୋଉସବୁ ସୁଯୋଗ ରହିଛି-ସେଇ ସୁଯୋଗଗୁଡ଼ିକର ସଦ୍‌ବ୍ୟବହାର କରିବାକୁ ହୁଏ। ଯେଉଁମାନେ ଆଜି କୃଷି, ବାଣିଜ୍ୟ, ଶିଳ୍ପ ଆଦି କ୍ଷେତ୍ରରେ ଧନବାନ୍‌ ହୋଇଛନ୍ତି ଏବଂ ତା’ ଫଳରେ ଶହ ଶହ ଲୋକଙ୍କ ପାଇଁ ଦାନାକନା ଉତ୍ପାଦନର କ୍ଷେତ୍ର ସୃଷ୍ଟି କରିଛନ୍ତି-ସେମାନେ ନିଶ୍ଚିତଭାବେ ଆମ ସମସ୍ତଙ୍କର ପ୍ରଶଂସାର ପାତ୍ର। ଜଣେ ଜଣେ ମହାଉଦ୍‌ଯୋଗୀ ପ୍ରତିଭାବାନ୍‌ ଶିଳ୍ପପତିଙ୍କ ଯୋଗୁଁ ଆମର ଜାତୀୟ ସମ୍ପଦ ବୃଦ୍ଧି ପାଇଛି ଏବଂ ସେମାନେ କଳକାରଖାନା ଖୋଲିଥିବାରୁ ଓ ବାଣିଜ୍ୟକ୍ଷେତ୍ର ଖୋଲିଥିବାରୁ ହଜାର ହଜାର ଲୋକ ସେଠାରେ କାର୍ଯ୍ୟ କରି ନିଜର ଦାରିଦ୍ର୍ୟ ଅପନୋଦନ କରିପାରୁଛନ୍ତି। ଦେଶର ବଣିକ ଓ ଶିଳ୍ପପତିମାନେ ମଧ୍ୟ ଆଜି ବହୁ ସର୍ବସାଧାରଣ କାର୍ଯ୍ୟରେ ବିପୁଳ ପରିମାଣରେ ଆର୍ଥିକ ସାହାଯ୍ୟ କରିଥାନ୍ତି। ଖାଲି ସେତିକି ନୁହେଁ-ଗଣତନ୍ତ୍ର ଶାସନରେ ଯେଉଁ ଭୋଟ ରାଜନୀତି ଚାଲିଛି-ସେଥିରେ ମଧ୍ୟ ଆମର ରାଜନୀତିକ ନେତାମାନେ ଏହିସବୁ ଧନବାନ୍‌ ଶିଳ୍ପପତି ଓ ବଣିକମାନଙ୍କଠାରୁ ନିର୍ବାଚନରେ ଲଢ଼ିବା ପାଇଁ ପ୍ରଚୁର ଅର୍ଥ-ଚାନ୍ଦା ଆଦାୟ କରନ୍ତି। ଦେଶର ଏପରି କୌଣସି ଦଳ ନାହିଁ ବା ଏପରି କେହି ରାଜନେତା ନାହାନ୍ତି-ଯେଉଁମାନେ କି ନିର୍ବାଚନରେ ଲଢ଼ିବା ପାଇଁ ଏମାନଙ୍କଠାରୁ ବିପୁଳ ଅର୍ଥ ଚାନ୍ଦା ଗ୍ରହଣ ନ କରନ୍ତି। ବର୍ତ୍ତମାନ ତ ଏହା ଏକ ବିଷଚକ୍ରରେ ପରିଣତ ହେଲାଣି। ଦେଶରେ ଯେଉଁ ପ୍ରକାର ଅସାଧୁତା, ଅନୀତି ଓ ଅନ୍ୟାୟ ବର୍ତ୍ତମାନ ଖୁବ୍‌ ବଢ଼ିଯାଇଛି ବୋଲି କୁହାଯାଉଛି-ତା’ ର ମୂଳ କାରଣ ତ ଏଇଠି ରହିଛି। ଯେତେଦିନ ପର୍ଯ୍ୟନ୍ତ ଏହି ପ୍ରକାର ଗଣତନ୍ତ୍ର ଥିବ ଓ ଏହିପ୍ରକାର ନିର୍ବାଚନ ପଦ୍ଧତି ରହିଥିବ; ସେତେଦିନ ପର୍ଯ୍ୟନ୍ତ ଦେଶ ଏହି ବିଷ-ଚକ୍ର ଭିତରୁ ମୁକୁଳିପାରିବ ନାହିଁ। କ୍ଷମତା ରାଜନୀତିରେ ମାତିଥିବା ନେତାମାନେ ଓ ଦେଶର ବେପାରୀ ଶିଳ୍ପପତିମାନେ-ବର୍ତ୍ତମାନ ଉଭୟେ ଏହି ଗୋଟିଏ ବିଷ-ଚକ୍ର ଭିତରେ ହାତ ଧରାଧରି ହୋଇ ପଡ଼ିଛନ୍ତି ସେଥିରୁ ଆଉ କେହି କାହାକୁ ମୁକୁଳାଇ ପାରିବେ ନାହିଁ। ସେପରି ପରିସ୍ଥିତି ମଧ୍ୟ ଆଉ ବର୍ତ୍ତମାନ ନାହିଁ।

ଏହା ବର୍ତ୍ତମାନ ଏପରି ଏକ ଦୁରବସ୍ଥାକୁ ଆସିଗଲାଣି ଯେ, ଦେଶର ସୁସ୍ଥ ଓ ସାଧାରଣ ଅର୍ଥନୀତି ମଧ୍ୟ ଭୁଶୁଡ଼ି ପଡ଼ିଲାଣି। ଦେଶରେ ବର୍ତ୍ତମାନ ରାଷ୍ଟ୍ରୀୟ ଧନ ଅପେକ୍ଷା କଳାଧନର ପରିମାଣ ଯଥେଷ୍ଟ ବଢ଼ିଯାଇଛି ଓ ଏହି କଳାଧନ ହିଁ ବର୍ତ୍ତମାନ ଆମର ଅର୍ଥନୀତି ଓ ରାଜନୀତିକୁ ନିୟନ୍ତ୍ରଣ କରୁଛି। ଶେଷ କଥା ହେଲା- ଏହା ଆମର ସାମାଜିକ ବ୍ୟବସ୍ଥା ଓ ରାଜନୀତିକୁ ନିୟନ୍ତ୍ରଣ କରୁଛି। ଏହାଫଳରେ ଆମର ସାମାଜିକ ଓ ବ୍ୟକ୍ତିଗତ ନୈତିକତା ଛାଏଁ ଛାଏଁ ଚୁଲିକି ଗଲାଣି। ଅବସ୍ଥା ଏପରି ହେଲାଣି ଯେ, ସାଧାରଣ ଲୋକଟିଏ ମଧ୍ୟ ଅଧିକ ଧନୀ ହେବା ଲାଗି ତା’ ନିଜ କ୍ଷେତ୍ରରେ କଳା-ଧନ ଉପାର୍ଜନ କରିବାରେ ଅଧିକ ତତ୍ପର ହୋଇପଡ଼ିଛି। ସମସ୍ତଙ୍କର ଗୋଟିଏ ବଦ୍ଧମୂଳ ଧାରଣା ହୋଇଗଲାଣି ଯେ, ସତ୍‌ ଉପାୟରେ ଧନ-ଅର୍ଜନ କରି କେହି ଧନୀ ହୋଇପାରିବ ନାହିଁ। ଏପରିକି ସାଧାରଣ ସୁଖ ସ୍ୱଚ୍ଛନ୍ଦରେ ମଧ୍ୟ ଆଜିକାଲି ବଜାରରେ ଚଳି ହେବ ନାହିଁ-ବଞ୍ଚି ହେବ ନାହିଁ। ତେଣୁ ଆଜିକାଲି ଚାକିରିଠାରୁ ଆରମ୍ଭ କରି ବଣିଜ ପର୍ଯ୍ୟନ୍ତ ସର୍ବତ୍ର ସମସ୍ତେ ଯେକୌଣସି ଉପାୟରେ କଳାଧନ ଉପାର୍ଜନ କରିବାରେ ଲାଗିପଡ଼ିଛନ୍ତି।

ଏବଂ ବିଚିତ୍ର କଥା ଏହି ଯେ, ସବୁ ସରକାର କଳାବେପାରୀଙ୍କୁ ଜବତ କରିବାକୁ ଖୁବ୍‌ ଚେଷ୍ଟା ଚଲେଇଥାନ୍ତି। କିନ୍ତୁ ସେହି ସରକାରର ପ୍ରତ୍ୟେକ ନେତା ନିର୍ବାଚନ ଯୁଦ୍ଧରେ ଜୟଲାଭ କରିବା ପାଇଁ ଭୋଟବେଳେ ଏଇ କଳାଧନର ସାହାଯ୍ୟ ନେଇଥାନ୍ତି। କଳାଧନର ସାହାଯ୍ୟରେ କ୍ଷମତାକୁ ଆସି କଳାଧନ ରୋଜଗାର କରୁଥିବା ଅସାଧୁ ଅସାମାଜିକ ଲୋକଙ୍କୁ ଜବତ୍‌ କରିବାକୁ ବସିବା ଏକ ହାସ୍ୟକର ବ୍ୟାପାର। ଏହା ଅସମ୍ଭବ ନୁହେଁ କି? ଦେଶ ସ୍ୱାଧୀନ ହେଲା ପରଠାରୁ ସ୍ୱାଧୀନ ସରକାରମାନେ ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ଦରିଦ୍ର ଲୋକଙ୍କ ପାଇଁ ଧନ-ଉପାର୍ଜନର ବହୁ ଧନ୍ଦା ସୃଷ୍ଟି କରିଛନ୍ତି। କିନ୍ତୁ ସେ ସବୁ ଧନ୍ଦା କରି କେହି ଧନୀ ହୋଇପାରିବ ନାହିଁ। ଧନୀ ହେବା ପାଇଁ ବା ରାତାରାତି ଧନୀ ହେବା ପାଇଁ ଦେଶରେ ଅନ୍ୟସବୁ ଧନ୍ଦା ସୃଷ୍ଟି ହୋଇଯାଇଛି।

ସ୍ୱର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ଦ୍ୱାରା ବେଶ୍‌ କିଛି ବର୍ଷ ପୂର୍ବେ ଲିଖିତ ଏହି ପ୍ରବନ୍ଧଟିର ଗୁରୁତ୍ୱ ଆଜି ମଧ୍ୟ ରହିଥିବାରୁ ତାଙ୍କ ଜନ୍ମ ମାସରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀପୂର୍ବକ ଏହି ପ୍ରବନ୍ଧଟି ପ୍ରକାଶିତ।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମହାପାତ୍ର ନୀଳମଣି ସାହୁ
ମହାପାତ୍ର ନୀଳମଣି ସାହୁ
ମହାପାତ୍ର ନୀଳମଣି ସାହୁ (୧୯୨୬-୨୦୧୬) ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଣେ ପ୍ରବୀଣ ସାରସ୍ବତ ସାଧକ। ସେ ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ରମ୍ୟରଚନା, ଫିଚର, ଶିଶୁ ସାହିତ୍ୟ, ଅନୁବାଦ ଆଦି ସବୁ ବିଭାଗରେ ନିଜର ସିଦ୍ଧହସ୍ତତା ପ୍ରମାଣିତ କରିଛନ୍ତି। ତାଙ୍କର ଅମର କୃତି ଲାଗି ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପରୁସ୍କାର ଓ ଭାରତୀୟ ଭାଷା ପରିଷଦ ପକ୍ଷରୁ କୋଣାର୍କ ପୁରସ୍କାର ସମେତ ବହୁ ପୁରସ୍କାର ଓ ସମ୍ମାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛିନ୍ତି। ବିଂଶ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤