ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗୁରୁ ଘଣ୍ଟାଳ
 |- ସୁନୀଲ ମିଶ୍ର
 
 
ତା: ଏପ୍ରିଲ୍ ୨୭, ୨୦୧୩  
 

‘ଜୟ ଗୁରୁ ଘଣ୍ଟାଲ୍‌’
ତେଲି ସାଉଏ ବୋଇଲେ ‘ହଉ ଲାଭ ହେଉ, ତମର ଚିକ୍‌କଣ, ଆଉ ମୋର ମୁଣ୍ଡ’୤
ନାରଦ ସାଉଏ ବୋଇଲେ ‘କଥା ରହିଲା’୤
ତେଲି ସାଉଏ ବୋଇଲେ ‘ବ୍ୟବସାୟଟା ସବୁଦିନ ବ୍ୟବସାୟ’୤
ଗାଁ ଟାଉଟର ନାରଦ ସାଉଏ ‘ଗାଁକୁ ଗାଁ ଖବର ପଠାଇଲେ, ଗାଁ ମୁକୁନ୍ଦପୁରରେ ସାଧୁଟେ ଆସିଛନ୍ତି ହିମାଳୟରୁ ସେ ଅନ୍ତରଯାମୀ, କିଛି କୁହନ୍ତିନି ନୀରବ ବାବା, ଯାହାର ଯାହା ଅଳି ଅଛି ଆସି ପୂଜା ଫୁଲ, ପାଦ ଜଳ ନିଅ’୤

ଆଉ ଏକଥା ଯିମିତି ଖଣ୍ଡ ମଣ୍ଡଳରେ ବ୍ୟାପିଛି, ପିମ୍ପୁଡ଼ି ଧାଡ଼ି ପରି ଛୁଟି ଆସିଲେ ମଣିଷ୤ ବାଞ୍ଝ ମାଇକିନିଆ, ପେଟ ବିଥିଆ ମଣିଷ, ଅନ୍ଧ, ବୃଦ୍ଧ, କାଲ ବୃଦ୍ଧା. ଏମିତି କେତେ, କିଏ ନେଉଛି ଫୁଲ ପ୍ରସାଦ, କିଏ ନେଉଛି ପାଦର ଜଳ୤ ନାରଦ ସାଉଏ ପାଖରେ ବସି ଯୋଗୀଙ୍କ ପାଦ ସେବା କରି ଚାଲିଛନ୍ତି୤ ଆଉ ବେଳେ ବେଳେ ବୋଲୁଛନ୍ତି ‘ବାବା ଏ ନିରଖ ପ୍ରାଣୀଙ୍କୁ ବଞ୍ଚାଅ, ଏମାନେ ଅବୋଧ, ଏମାନେ କଅଣ କରୁଛନ୍ତି ଏମାନେ ଜାଣନ୍ତି ନାହିଁ’୤
‘ଜୟ ଗୁରୁ ଘଣ୍ଟାଲ୍‌’

ପଇସା, ନଡ଼ିଆ, ଧୋତି, ଶାଢ଼ୀ ଆଦି କୁଢ଼ କୁଢ଼ ଜମା ହେଲାଣି, ସକାଳୁ ଜମା ହୁଏ, ସନ୍ଧ୍ୟାରେ ତେଲି ସାଉ ଘରେ ପହଞ୍ଚେ, ସକାଳୁ ପୁଣି ବିକ୍ରୀ ହୁଏ୤

ଭଗତ ଅସମ୍ଭାଳ୤ ଖୁଦ୍‌ ଗୋବିନ୍ଦା ଗାଁର ମଣିଷେ ବି ଆସିଲେଣି, ଚିହ୍ନି ପାରୁନାହାନ୍ତି ଗୋବିନ୍ଦାକୁ୤ କିଏ ଦୁଧରେ ଗୋବିନ୍ଦାକୁ ଗାଧେଇଲାଣି ତ କିଏ ଚରଣରେ ପଞ୍ଚାମୃତ ଛୁଆଇଁ ଦେଲାଣି୤ କିଏ ମୁହଁରେ ପେଡ଼ା ଜାକି ଦେଲାଣି ତ କିଏ ଜିଲିପି ‘ଯୋଗୀଙ୍କ ଉଚ୍ଛିଷ୍ଟ ଅମୃତ ସମାନ’୤
‘ଜୟ ଗୁରୁ ଘଣ୍ଟାଲ୍‌’
ସନ୍ଧ୍ୟା ରତ ରତ ବେଳେ ଦି’ଟା ନୂଆ କିଣା ହୋଇଥିବା ଗାଡ଼ି ବି ପହଞ୍ଚିଲାଣି୤ ଗାଡ଼ିର ମାଲିକ ପଚାରୁଛନ୍ତି ‘ଯୋଗୀ ହେ ! ପାଞ୍ଚ ବରଷ ମନ୍ତ୍ରଣା ଦେଇ ପାରିବି କି? ମଝିରୁ ଯିବି’, କେହି ଆସି ଏମିତି ପଚାରୁଛି ‘ମୁଁ ଦିଲ୍ଲୀରୁ କଟକକୁ ଆସିପାରିବି ତ’ ?

ଏ ବଡ଼ ସମସ୍ୟା ଯୋଗୀ ଆଜ୍ଞା ପାଇଛନ୍ତି୤ ‘ସବୁ ହିଁ କରିବେ, ଆଉ ମୁଣ୍ଡ ଏମିତିକି ହଲାଇବେ ଯେ, ତାହା ହିଁ ବି ହେଉଥିବ, ନା ବି ହେଉଥିବ’୤ ତେଲି ସାଉର ଘରେ ଆଉ ଜାଗା ନାଇଁ୤ ତେଣେ ଗାଁ ଟାଉଟର ନାରଦ ବୋଲା ବୋଲି କଲେଣି ‘ଶଳା, ମନ୍ତ୍ରୀଙ୍କ ପଛେ ଗୋଡ଼ାଇ ଲାଭ ନାଇଁ୤ ଏ ବ୍ୟବସାୟ ଅତି ଭଲ’୤

‘ଜୟ ଗୁରୁ ଘଣ୍ଟାଲ୍‌’

ଦିନେ ସନ୍ଧ୍ୟାରେ, ଟାଉଟର ନାରଦ ସାଉଏ ବୋଇଲେ ‘ଗୁରୁଜୀ ଏଥର ଏ ଆସ୍ଥାନ ଉଠାଅ୤’
ଗୋବିନ୍ଦ ବୋଇଲା ‘‘ଜୟ ଗୁରୁ ଘଣ୍ଟାଲ୍‌’’
ଟାଉଟରେ ବୋଇଲେ ‘ଆଜି ସନ୍ଧ୍ୟାରେ ତମେ ପଳାଅ୤’

ସତକୁ ସତ ସେଦିନ ଗୋବିନ୍ଦା ପଳାଇଲା୤
ଆଉ ତା’ ବସିବା ସ୍ଥାନରେ ଗୋଟାଏ ମଣିଷ ଡେଙ୍ଗା ଆକାରରେ ଗୋଟିଏ ମାଟି ସମାଧି ତିଆରି ହୋଇ ତା ଉପରେ ଗୋଟିଏ ସାଲୁକନା ପକା ହୋଇଛି୤
ଆଉ ତା’ଉପରେ ଗୋଟିଏ ଦୀପ ଜଳୁଛି୤
ଆରଦିନ ଗାଁରେ ପ୍ରଘଟ ହେଲା ‘ଯୋଗୀ ସମାଧି ନେଇଛନ୍ତି୤’
ସତକୁ ସତ ଗାଁ ଲୋକେ ମାଟି ଢିପକୁ ଦେଖି ସେଇ ଅନୁମାନ କଲେ୤ ଲୋକେ ଆସନ୍ତି, ଯାଆନ୍ତି, ମାଟି ଢିପକୁ ଓଳଗି ହୁଅନ୍ତି, ତମ୍ବା ମୁଦ୍ରା ଦେଇଯାଆନ୍ତି୤
ଗାଁ ଟାଉଟର ଆଉ କିଛି ନ କରି ଏଇ ମାଟି ସମାଧିକୁ ଜଗି ରହିଲେ, ଆଜି ଜନ୍ମଦିନ, ଆଜି ସମାଧି ସମ୍ବତ୍ସର, ଆଜି ଯୋଗୀଙ୍କ ଅନ୍ନ ତ୍ୟାଗ ଦିବସ ଇତ୍ୟାଦି ତିଥିଗୁରା ପାଳନ କରି ଚାନ୍ଦା ମାଗି ବସିଗଲେଣି୤ ଭୋଟ ବେଳେ, ଏଇଠି ଗୋଟିଏ ମନ୍ଦିର ହେବା ପାଇଁ ଅଳି ହେଲାଣି୤ ଖୁଦ୍‌ ମନ୍ତ୍ରୀ ଆସି ମନ୍ଦିର ଦ୍ବାର, ଆଚାଣ୍ଡାଳ ବ୍ରାହ୍ମଣଙ୍କ ପାଇଁ ଖୋଲି ଦେଲେଣି୤ କିଏ ଏଇ ଗୁରୁ ଘଣ୍ଟାଲ୍‌ଙ୍କ ବରଷ ପାଇଁ ଭୋଗ ଲାଗିବା ପାଇଁ ଜମିଜମା ଖଞ୍ଜିଦେଲାଣି୤

ଜୟ ଗୁରୁ ଘଣ୍ଟାଲ୍‌

ଆଜି ଶହେ ବତିଶ ମୌଜାର ଆଦି ଦେବତା ଆଉ ସେବାୟତ ଶ୍ରୀ ନାରଦ ସାଉ୤
ଖୁଦ୍‌ ଗୋବିନ୍ଦା ଯେଉଁଦିନ ଟୁଲଦେଈକୁ ଧରି ପଳାଇଲା, ସେଦିନ ସେ ଏ ମନ୍ଦିରରେ ଆସି ମାଳ ବଦଳ କରି ବାହା ହୋଇ ପଡ଼ିଲା ଟୁଲଦେଈକୁ୤

ଦି’ଜଣକୁ ଆଶୀର୍ବାଦ ଦେଲେ ନାରଦ ସାଉ, ଦକ୍ଷିଣା ଦି’ ଟଙ୍କାରୁ, ନୂଆ ପଇସାଟେ ବି ଛାଡ଼ ଦେଲେନି୤ ଠାକୁର ଦେବତାଙ୍କ ମନ ଊଣା କରିବା ଉଚିତ୍‌ ନୁହେଁ, ଗୁରୁ ଏ ଯାଏ ସମାଧିରେ ଥାଇ ଶୁଣୁଛନ୍ତି୤

ଗୋବିନ୍ଦା ଆଉ କହିବ କଅଣ ଦି’ଟଙ୍କା ଧରାଇଦେଲା ଟାଉଟରଙ୍କ ହାତରେ୤
ଟୁଲ ଆଉ ଗୋବିନ୍ଦା ଚାଲିଗଲେ୤ ଗଲାବେଳେ ଖାଲି ଶୁଭୁଥାଏ, ‘ଜୟ ଗୁରୁ ଘଣ୍ଟାଲ୍‌ ! ତମେ ହିଁ ଭରସା’୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁନୀଲ ମିଶ୍ର
ସୁନୀଲ ମିଶ୍ର(୧୯୨୫-୧୯୮୬ ) ଓଡ଼ିଆ ହାସ୍ୟ-ବ୍ୟଙ୍ଗ ସାହିତ୍ୟ ଇତିହାସରେ ଜଣେ ସ୍ମରଣୀୟ ଲେଖକ। ଜୀବନର ଅନୁଭବକୁ ହାସ୍ୟରସାତ୍ମକ ଶୈଳୀରେ ଉପସ୍ଥାପନା କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ। ଜଣେ ବିଖ୍ୟାତ ହାସ୍ୟ ସାମାଜିକ ବ୍ୟଙ୍ଗ ଲେଖକ ଭାବେ ସେ ମଧ୍ୟ ସମ୍ବାଦିକତା ଏବଂ ନାଟକ କ୍ଷେତ୍ରରେ ଜଣାଶୁଣା ଥିଲେ। ହାସ୍ୟ ପତ୍ରିକା ‘ଜନ ସମୀକ୍ଷା’ ର ସେ ପ୍ରତିଷ୍ଟତା ସମ୍ପାଦକ ଥିଲେ। ନାଟ୍ୟକାର ହିସାବରେ ‘ମାଣିକ୍ୟ ମୁଣ୍ଡା’ ,‘ନୃସିଂହ ନାଥ’ ଏବଂ ‘ଆକବର ରାୟ’ ଭଳି କାଳଜୟୀ ନାଟକ ରଚନା କରିଥିଲେ ସୁନୀଲ ମିଶ୍ର।... [ କ୍ରମେ ସବିଶେଷ ]
ସୁନୀଲ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. kamakshya jena,KALAKAR,Angul, ANGUL |  ମେ ୩, ୨୦୧୩ - ୮:୫୦ ଅପରାହ୍ନ

    BEAUTIFUL STORY FOR WE BLIND PEOPLE WHO ONLY FOLLOW THE BLIND FAITH BUT DONOT REALIZE THE ORIGINALITY

  • ୨. ଦୁଷ୍ମନ୍ତ କୁମାର ଜେନା |  ମେ ୪, ୨୦୧୩ - ୧୨:୪୮ ପୂର୍ବାହ୍ନ

    ଧୁଳିଆ ବାବା ପଢିଥିଲି. ନୂଆ କଥା ନାହିଁ. ଲୋକଙ୍କ ପଇସାରେ ନେତା, ବେପାରି ହରିନାମ କରୁଥିଲା ବେଳେ ପାଠୁଆ ବାବୁ ମାନେ ଲୋକ ସେବକ ବଦଳରେ ଶାସକ ହେଇଚାଲିବା ବେଳେ, ମଣିଷଟିଏ ଯୌବନ ର ଭୋକ ସମାଳି ନପାରି, ମନ ପସନ୍ଦ ର କନିଆ କରିଛି. ସଂସାର କରିବାକୁ ହିମତ୍ ଦେଖେଇଛି, ସାଧୁ ହେଇଛି. ଅସାଧୁ ଗହଣରେ. ବହୁତ ଲୋକଙ୍କ ର ସାହସ ନଥାଏ ନିଜର ବିବେକ ରେ ଚାଲିବାକୁ. ଗୋବିନ୍ଦା ଗୋବିନ୍ଦ ଧାମରେ.

  • ୩. ଦିଲୀପ କୁମାର ବିଶ୍ଵାଳ, ଭୁବନେଶ୍ବର । ଓଡିଶା  |  ମାର୍ଚ୍ଚ୍ ୫, ୨୦୧୫ - ୩:୦୫ ପୂର୍ବାହ୍ନ

    ମୁଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖା ବଇଦେଶବିଳାସ ପଢିବାକୁ ଚାହୁଁଛି୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤