ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗୁରୁ ଘଣ୍ଟାଳ
 |- ସୁନୀଲ ମିଶ୍ର
 
 
ତା: ଏପ୍ରିଲ୍ ୨୭, ୨୦୧୩  
 

ନିହାତି ଏ ଗାଁଟାକୁ ନ ଛାଡ଼ିଲେ ନୁହେଁ୤ ଚାରିଆଡ଼ୁ ଯେମିତି କେଞ୍ଚାକେଞ୍ଚି ଚାଲିଛି, ଶେଷରେ ଏ ପ୍ରାଣଟା ବି ଯିବ୤ ନ ହେଲେ ଏ ଗାଁ ଲୋକେ ତଣ୍ଟି ଚିପି, ଦଉଡ଼ିରେ ଝୁଲାଇ, ବୋଲିବେ ଆତ୍ମହତ୍ୟା କଲା ବୋଲି୤ ଗାଁ ଯାକ ଗୋବିନ୍ଦା ପଛରେ ଲାଗିଲେଣି୤ କଥା କଅଣନା ଗାଁର ଆମ୍ବଗଛ ମୂଳରେ ପାଣସାହିର ଯୁବା କନ୍ୟା ‘ଟୁଲ’ଟା ସବୁ ଯୁବାଙ୍କ ମନଲୋଭା ହେଲାଣି୤ ତା‘ର ଉନ୍ମତ ଦେହଟା ସବୁକୁ ଆଖିକି କଣ୍ଟା ଗେଞ୍ଜୁଛି୤ କଥା ହେଲାବେଳେ ଜାତିଟାକୁ ଗାନ୍ଧିବାବାଙ୍କ ତଳରେ ଥୋଇ, ଟୁଲଦେବୀ ସାଙ୍ଗରେ ଦି’ପଦ କଥା ନ ହେଲେ ଭାତ ଜୀର୍ଣ୍ଣ ହେଉନି୤ ଗୋବିନ୍ଦାକୁ କିନ୍ତୁ ଟୁଲଦେଈ ଦେଖିପାରେ, ଆଉ ଏତକ ଦୋଷ ଗୋବିନ୍ଦାର୤ ଗୋବିନ୍ଦାର ଘରରେ କେହି ନାହିଁ୤ ବାପା ମା’, ଭାଇ ବିରାଦର ସବୁ ଯମ ଦୟାରେ ଘର ବାହୁଡ଼ା ହେଲେଣି୤ ଖାଲି ଗୋବିନ୍ଦା ବଞ୍ଚିଛି୤ କିନ୍ତୁ ଗାଁ ଲୋକେ, ଅଡ଼ି ବସିଲେଣି୤ ‘ଗୋବିନ୍ଦା, ସାବଧାନ ନ ହେଲେ ତୋର ଚଉଦ ପୁରୁଷ ନରକକୁ ଯିବେ’୤ ଗୋବିନ୍ଦା ଆଉ ସହି ପାରିଲାନି, ଗାଁର ମାୟା ଛାଡ଼ି, ଟୁଲର ମମତା ଛାଡ଼ି ସେ ପଳାଇଲା ଗାଁ’ରୁ୤ ଗାଁ ଛାଡ଼ିଲେ ଗୋବିନ୍ଦାର ଗତି କେଉଁଆଡ଼େ ସେ କଥା ସ୍ବୟଂ ଗୋବିନ୍ଦ ନ ଜାଣନ୍ତି୤ ଗୋବିନ୍ଦାର ଏଇ ନୂଆ ହୋଇ ଗଜା ଧରୁଥିବା ନଉ (ଲଭ୍‌)ଟା ଏମିତି ଅକାଳରେ ମରିବ, ସେକଥା ଗୋବିନ୍ଦା ବି ଭାବି ନ ଥିଲା୤ ଗୋବିନ୍ଦା ବୋଇଲା ମନରେ ସହରକୁ ଯିବି, କାମ କରିବି୤ କିନ୍ତୁ ସହରତ ଆଉ ବେଶ୍ୟାଳୟ ହୋଇନାହିଁ ଯେ, ଯିଏ ଯୁଆଡ଼ୁ ଆସିବ ଠାଆଁ ଦେବ୤ ମୁଣ୍ଡଗୁଞ୍ଜିବା ପାଇଁ ଆଉ ସହରରେ ବାରଣ୍ଡାଟେ ବି ନାଇଁ, ମ୍ୟୁନିସିପାଲିଟି ସବୁ ଭାଙ୍ଗି ଚୁର୍‌ମାର୍‌ କରିଦେଲାଣି୤ ଯେଉଁଠି ବାରଣ୍ଡାଟେ ଅଛି, ନାଳପାଣି ସେଇଠି ଜମୁଛି୤ ଆଉ ଚାକିରି, ବେ, ମୋ ଗୁରାତ ବାରଦୁଆର ତେର ପିଣ୍ଡା ହୋଇ ମୁହଁରେ ତିରଣ ଧରି ମେଁ ମେଁ ହେଉଛନ୍ତି୤ ଆଉ ଗୋବିନ୍ଦା, ସି ବେଣ୍ଟ ବିବର୍ଜିତା୤
ଶେଷରେ ଗୋବିନ୍ଦା ବୋଇଲା ‘ନାଁ, ସେ ନଉ (ଲଭ୍‌) ପାଇଁ ଯୋଗୀ ହେବ୤’

ଯୋଗୀ ?
‘ଯୋଗୀ ଭୋଗୀ କା ନିଶାନ୍‌
ଆଖିମେ ଜାନ୍‌ ଆଉ ଆର’ ମେ ପଇଚାନ୍‌’
ଯୋଗୀ ହୋଇଗଲା ଗୋବିନ୍ଦା୤ ମନରେ ରାଧାକୃଷ୍ଣ ଲୀଳାଖେଳା ଗାଏ କିନ୍ତୁ ମନ ବୋଲେ ‘ରାଧାଟା ଟୁଲ କେବେ’ ?
ଜିଭ କାମୁଡ଼େ ଗୋବିନ୍ଦା୤

ତୋର ଚାପ ଥିଲା ଗୋବିନ୍ଦା ଚନ୍ଦ୍ରରେ ଛିଡ଼ା ପଲଙ୍କରେ ଗଲା୤

କେନ୍ଦରା ବୋଲା ଗୀତ ଗାଇ ପେଟ ପୋଷେ୤ ଆଉ ଆଜି ତ’ ଏହି ପଲ୍ଲୀସୁର, ବେତାରରେ ଶୁଭିଲାଣି୤
ଗୋବିନ୍ଦା ବୋଇଲା ସେ ଯୋଗୀ ହେବ୤ କିନ୍ତୁ ଦୀକ୍ଷା ନ ହେଲେ ସେ ଯୋଗୀ ହେବ କେମିତି ? ଏଇଟା ଅଡ଼ୁଆ୤ କିନ୍ତୁ ଗୋବିନ୍ଦା ବୋଇଲା ମନରେ ‘ଟୁଲକୁ ଦେଖି ଅଧା ହସ ହସିବା ବେଳେ କେହି ନଥିଲେ ଗୁରୁ’, ତେଣୁ ଯୋଗୀ ହେବ ସିଏ, ଗାଁ ମଶାଣିକୁ ଗଲା ଦିହସାରା ଖାର ବୋଳି ହେଲା ଆଉ କାଉ କା’ କରିବା ଆଗରୁ, ଗୋବିନ୍ଦା ଗାଁରୁ ପଳାଇଲା୤ କିନ୍ତୁ ଯିବ କାହିଁ୤ ଯୋଗୀ ହୋଇ ସହରକୁ ଯାଇ ହୁଏନା କାରଣ ସେଇଠି ‘ସ୍ବାମୀ ଶ୍ରୀ’ ଗୁରା ହାଉ ଯାଉ୤ ତେଣୁ ସବ୍‌ ସେ ଭଲା ଗାଁ୤ ସକାଳୁ ସଞ୍ଜ ଯାଏ ସେ ଚାଲିଲା, କେତେ ଧୋବ ଧାଉଳିଆ ବିଲ ଓ ଘର ଡେଇଁ, ମାଛ ଚାଷ ପାଟ ଡେଇଁ, ଜାପାନୀ ଚାଷ ବିଲ ଡେଇଁ, ଗୋବିନ୍ଦା ଧାଇଁଲା୤

ଠିକ୍‌ ବେଳବୁଡ଼କୁ ସେ ପହଞ୍ଚିଲା ଗୋଟିଏ ଗାଁରେ ଯେଉଁଠି ଘଣ୍ଟା ବାଜୁଛି, ଶଙ୍ଖ ବାଜୁଛି, ଧୂପ ଧୂଆଁର, ଗନ୍ଧ ବିଛୁରୁଛି୤ ଗୋବିନ୍ଦା ବୋଇଲା ଏ ମନ୍ଦିରକୁ ଯିବି କି ? କିଏ ବୋଇଲା ଯୋଗୀ କି, ଶ୍ରୀକୃଷ୍ଣଙ୍କର କି ମହାଦେବଙ୍କର, ଆଉ ଏତକ କଥା ଗୋବିନ୍ଦାକୁ ମାଲୁମ୍‌ ନାଇଁ, ‘ପେଟ ଜଳିଲାଣି, ଭୋକ ?’ ଆଉ ଏତକ ଗାଁ ଗାଁ ପଥରେ ଯାଉ ଯାଉ ଶୁଖୁଆ ପୋଡ଼ାର ଗନ୍ଧ ଆସୁଛି୤ ଗୋବିନ୍ଦାର ପେଟର ଦ୍ବନ୍ଦ୍ବମାନେ ଯୋଗୀ ହେଲେ, ଶୁଙ୍ଘି ହେବ ସିନା ଖାଇହେବ ନାହିଁ, ଜୟ ଗୁରୁ ଘଣ୍ଟାଲ୍‌, ଜୟ ଗୁରୁ ଘଣ୍ଟାଲ୍‌ ୤

କେଜାଣେ ଏଇ ଘଣ୍ଟାଳ ଗୁରୁଟା କିଏ, ପାଟିରୁ ବାହାରି ପଡ଼ିଲାଣି ଯେତେବେଳେ ସେତେବେଳେ ଏ ପାଟି ଆଉ, ହରିକି ଗୋବିନ୍ଦ ବୋଲିବ ନାଇଁ୤

‘ଜୟ ଗୁରୁ ଘଣ୍ଟାଲ୍‌’

ଗାଁ ଲୋକେ ଶୁଣିଲେ ଏଇ ଗୁରୁ ଗୁରୁ ଧ୍ବନି, କିନ୍ତୁ କାହାର କିସ ଯାଏ, ଏ ଯେଉଁ ଆମେରିକାନ୍‌ ରାଇସ୍‌ ଯୁଗ ଯେତେବଳେ, ଅତିଥି ଯେ ଦେବତା ଏକଥା ଆଉ କେଉଁ ଗୃହସ୍ଥ ଭାବେ୤

‘ଜୟ ଗୁରୁ ଘଣ୍ଟାଲ୍‌’
ଗୋବିନ୍ଦା ଦେଖିଲା ‘ତ’୤ ତା’ କଥା ଆଉ କାହା କାନରେ ବାଜୁନି, ଶେଷରେ ଯାଇ ପ୍ରବେଶିଲା ମନ୍ଦିରରେ୤ ମନ୍ଦିରର ସେବାୟତ ସେତେବେଳେ କବାଟ କିଳି ପଳାଇବା ପାଇଁ ଉଦ୍ୟତ, କଥା କ’ଣ କି, ଟିକିଏ ହେଲେ ସେ ଗାଁ ଛୁଏ, ଭୋଗ, ପ୍ରସାଦ ବୋଲି ଧାଇଁବେ ମନ୍ଦିରକୁ କିନ୍ତୁ ଠାକୁର ଜାଣନ୍ତି ବିନା ପର୍‌ମିଟ୍‌ରେ ଚିନି ମିଳୁନି, ଖଇ ପାଇଁ ଗାଁରେ ଧାନ ନାଇଁ, ଖାଲି ତୁଳସୀ ପତର ଆହାର କରି ଠାକୁରେ ପେଟରେ ଓଦାକନା ଦେଇ ଶୋଇଛନ୍ତି୤ ସକାଳର ଗୋଡ଼ିମିଶା, ହଳଦୀ ଜର ଜର ବଗଡ଼ାଭାତ ଖାଇ ଠାକୁରେ ବୋଲୁଛନ୍ତି୤ ‘ଠାକୁରଙ୍କ କଅଣ ଅବସର ନେବାର ବୟଷ ବୋଲି କିଛି ନାଇଁ୤ଏଇ ଦଦରା ମନ୍ଦିରରେ ବସିଛୁ ତ ବସିଛୁ୤ ଛପନ ଭୋଗ ଖିଆ ପୁରୀ ମହାପ୍ରଭୁ କି, ଭୁବନେଶ୍ବରୀଆ ଭୋଳାଙ୍କ ପରି ମୋଟ ହୋଇପାରୁନି୤ ନିହାତି ପୁଞ୍ଜିବାଦ ପ୍ରଥା ହେଲେ ଠାକୁରଙ୍କ ବୁକୁ ଫାଟେ ମୁଖ ଖୋଲେନା୤

‘ଜୟ ଗୁରୁ ଘଣ୍ଟାଲ୍‌’
ଶୁଭିଲା ଏତକ ସେବାୟତଙ୍କ କାନରେ୤ ସେବାୟତେ ହାତର ପ୍ରଦୀପଟାକୁ ଲିଭାଇ ଦେଇ ତରତରିଆ ହୋଇ ମନ୍ଦିରରୁ ଖସି ପଳାଇବେ୤ କଥା କଅଣ କି, ମନ୍ଦିରର ଗୋଟିଏ ପ୍ରଥା ଅଛି, ଅତିଥି ଅଭ୍ୟାଗତ ଆସିଲେ, ଦି’ମୁଠା ତାଙ୍କୁ ଦେବା ପାଇଁ୤
ଦୀର୍ଘନିଃଶ୍ବାସ ଛାଡ଼ିଲେ ଗୋବିନ୍ଦା ଆଉ ସେଇ ଅନ୍ଧାରରେ ବସି ଗୋବିନ୍ଦା ଆବୃତ୍ତି କଲେ କେତେଗୁରା ଭଜନ୤
‘ନା ମାଙ୍ଗେ ସୋନା ଚାନ୍ଦି
ମାଙ୍ଗେ ଦର୍ଶନ ତେରୀ,
ତେରେ ଦ୍ବାରେ ଖଡ଼ା ଏକ ଯୋଗୀ’

ପେଟ ମାରୁଛି କୁହାଟ, ସବୁ ଭକ୍ତି ବାହାରି ଆସୁଛି ଆଖି ଆଡ଼ୁ୤ ବେଳ ଗଡ଼ୁଛି ତଥାପି ଭକତଙ୍କ ଦେଖା ନାହିଁ୤ ଗୋବିନ୍ଦାର ଦୋଷ ନାହିଁ, ସେ ବି ପିଲାଦିନେ ଦେଖିଥିଲା ଗାଁକୁ ଜଟିଆ ମୁଣ୍ଡା ଆସିଲେ, ଦୁଧ ଦହି କୁଢ଼ କୁଢ଼ ଜମା ହୋଇଯାଏ, ବାଳ ବିଧବାଏ ବି ମୁଖ ସାଗି ଜମା ହୁଅନ୍ତି, ଜଟିଆ ମୁଣ୍ଡାର କିଛି ଅଭାବ ରହେନାହିଁ୤ ବୁଦ୍ଧିଥିଲେ, ବାପ ପୁଅ ଅନିନ୍ଦ୍ର ବେଳେ ମୁଗୁରାକୁ ଉଠାଇ ଆଣିଲେ, ରାତି ଦି’ଟାରେ, ଧୂନି ଭିତରେ ଦି ଚାରିଟା ଗଡ଼ିଶା କି ଚେଙ୍ଗ ପୋଡ଼ିଦେଇ ସକାଳର ସହିମିଶା ପଖାଳର ମଣୋହି ଚଳେ୤ କିନ୍ତୁ ଏ ଅଲକ୍ଷଣା କଥା କାହିଁକି, କିଏ ଆସୁ ନାହାନ୍ତି୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁନୀଲ ମିଶ୍ର
ସୁନୀଲ ମିଶ୍ର(୧୯୨୫-୧୯୮୬ ) ଓଡ଼ିଆ ହାସ୍ୟ-ବ୍ୟଙ୍ଗ ସାହିତ୍ୟ ଇତିହାସରେ ଜଣେ ସ୍ମରଣୀୟ ଲେଖକ। ଜୀବନର ଅନୁଭବକୁ ହାସ୍ୟରସାତ୍ମକ ଶୈଳୀରେ ଉପସ୍ଥାପନା କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ। ଜଣେ ବିଖ୍ୟାତ ହାସ୍ୟ ସାମାଜିକ ବ୍ୟଙ୍ଗ ଲେଖକ ଭାବେ ସେ ମଧ୍ୟ ସମ୍ବାଦିକତା ଏବଂ ନାଟକ କ୍ଷେତ୍ରରେ ଜଣାଶୁଣା ଥିଲେ। ହାସ୍ୟ ପତ୍ରିକା ‘ଜନ ସମୀକ୍ଷା’ ର ସେ ପ୍ରତିଷ୍ଟତା ସମ୍ପାଦକ ଥିଲେ। ନାଟ୍ୟକାର ହିସାବରେ ‘ମାଣିକ୍ୟ ମୁଣ୍ଡା’ ,‘ନୃସିଂହ ନାଥ’ ଏବଂ ‘ଆକବର ରାୟ’ ଭଳି କାଳଜୟୀ ନାଟକ ରଚନା କରିଥିଲେ ସୁନୀଲ ମିଶ୍ର।... [ କ୍ରମେ ସବିଶେଷ ]
ସୁନୀଲ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. kamakshya jena,KALAKAR,Angul, ANGUL |  ମେ ୩, ୨୦୧୩ - ୮:୫୦ ଅପରାହ୍ନ

    BEAUTIFUL STORY FOR WE BLIND PEOPLE WHO ONLY FOLLOW THE BLIND FAITH BUT DONOT REALIZE THE ORIGINALITY

  • ୨. ଦୁଷ୍ମନ୍ତ କୁମାର ଜେନା |  ମେ ୪, ୨୦୧୩ - ୧୨:୪୮ ପୂର୍ବାହ୍ନ

    ଧୁଳିଆ ବାବା ପଢିଥିଲି. ନୂଆ କଥା ନାହିଁ. ଲୋକଙ୍କ ପଇସାରେ ନେତା, ବେପାରି ହରିନାମ କରୁଥିଲା ବେଳେ ପାଠୁଆ ବାବୁ ମାନେ ଲୋକ ସେବକ ବଦଳରେ ଶାସକ ହେଇଚାଲିବା ବେଳେ, ମଣିଷଟିଏ ଯୌବନ ର ଭୋକ ସମାଳି ନପାରି, ମନ ପସନ୍ଦ ର କନିଆ କରିଛି. ସଂସାର କରିବାକୁ ହିମତ୍ ଦେଖେଇଛି, ସାଧୁ ହେଇଛି. ଅସାଧୁ ଗହଣରେ. ବହୁତ ଲୋକଙ୍କ ର ସାହସ ନଥାଏ ନିଜର ବିବେକ ରେ ଚାଲିବାକୁ. ଗୋବିନ୍ଦା ଗୋବିନ୍ଦ ଧାମରେ.

  • ୩. ଦିଲୀପ କୁମାର ବିଶ୍ଵାଳ, ଭୁବନେଶ୍ବର । ଓଡିଶା  |  ମାର୍ଚ୍ଚ୍ ୫, ୨୦୧୫ - ୩:୦୫ ପୂର୍ବାହ୍ନ

    ମୁଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖା ବଇଦେଶବିଳାସ ପଢିବାକୁ ଚାହୁଁଛି୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤