ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଆଶିଷ କୁମାର କର
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ଗୋପାଳ ଚନ୍ଦ୍ର ପ୍ରହରାଜ
ଅନନ୍ତ ପଟ୍ଟନାୟକ
ବିଷ୍ଣୁପ୍ରିୟା ମହାପାତ୍ର
କନକଲତା ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଘାସ
 |- ରାଜକିଶୋର ପଟ୍ଟନାୟକ
 
 
ତା: ଜାନୁଆରୀ ୨୯, ୨୦୧୩  
 

କୁଆଁର ପୁନେଇଁ ତିଆସି ଦିନ- ଦୁଇ ଘଡ଼ି ଅନ୍ଧାର୤

ଏକୁଟିଆ କଟକ ମଙ୍ଗଳବାଗ ଫାଣ୍ଡିରୁ ଚାଲି ଚାଲି ଆସୁଥିଲି୤ ରାସ୍ତା ସେତେ ଚହଳ ନ ଥିଲା୤ ଦଣ୍ଡେ ପହରେ ଛାଡ଼ି ଗୋଟିଏ ଯୋଡ଼ିଏ ମଣିଷ କି ସାଇକେଲ୤ ଖଣ୍ଡେ ଦୂର ଗଲା ପରେ ଗୋଟିଏ ଦୋ’ଛକି ପାଖରେ ପିଲାଟିଏ ଠିଆ ହୋଇ ରହିଥିବାର ଦେଖିଲି୤ ଖଣ୍ଡେ ଛୋଟ ଲୁଗା ଆଉ ଖଣ୍ଡେ ଧୂଳିଆ ଗେଞ୍ଜି୤ ପିଲାଟିର ଉଚ୍ଚ ଅଢ଼େଇ ହାତ ଯାଏ ହେବ୤

ମୋ ଆସିବା ପରେ ସେ ବି ଚାଲିବା ପାଇଁ ଆରମ୍ଭ କଲା୤ ଦୁଇ ହାତ ହଲେଇ ହଲେଇ ଚାଲୁଥାଏ୤ ଶୀତ ଦିନ-ସକାଳେ ରୁମ ଟାଙ୍କି ଉଠୁଥିଲେ ଯେମିତି ଲୋକ ଦୁଇ ଡେଣା ଖୁବ୍‌ ଜୋରରେ ହଲେଇ ହଲେଇ ଚାଲେ୤ ପିଲାଟିର ଖୋଜଗୁଡ଼ିକ ଛୋଟ୤ ସେଥିପାଇଁ ମଝିରେ ମଝିରେ ଧାଇଁଲା ପରି ଚାଲୁଥାଏ୤ ଯେ କୌଣସି ପ୍ରକାରରେ ଲାଗି ଲାଗି ରହିବା ପାଇଁ ତାହାର ଚେଷ୍ଟା୤

ଟକଳାର ପାଟିକୁ ଭୁଜାଭୁଜି ଦି’ଟା ସବୁବେଳେ ଦରକାର ହେଲା ପରି ପଦେ କ’ଣ ଗପିବା ପାଇଁ ତାହାକୁ ପଚାରିଲି; ‘‘କିରେ ପିଲା କୁଆଡ଼େ ଯାଇଥିଲୁ ?’’

‘‘ଆଉ ଯିବି କୁଆଡ଼େ ?’’ ସାହସ ପାଇ ସେ ଉତ୍କଣ୍ଠିତ ଗଳାରେ କହିଲା, ‘‘ଆଗରେ ନିମସାଇ ଯାଏ ମୁଁ ଯିବି- ତମେ କ’ଣ ଏଇଠି ରହିବ ?’’

ଭାରି ବ୍ୟସ୍ତ ତାହାର ମନର ଭାବ ଆଉ ତୁଣ୍ଡର ସ୍ବର୤ କହିଲି, ‘‘ଡର ମାଡୁଛି ?’’

ଅନ୍ଧାର ଭିତରେ ଏହି ଡର କଥା ଶୁଣି ସେ ଚମକିପଡ଼ିଲା ପରି ହୋଇ ମୋ ପାଖକୁ ଘୁଞ୍ଚିଆସିଲା ୤ ‘‘ହଁ, ଡର ମାଡ଼ୁଛି ୤’’ ତାହାର ଛୋଟିଆ ଛୋଟିଆ ଆଖି ଦୁଇଟି ଡରରେ ନରମି ଯାଇଥାଏ୤

ତାହାକୁ ସାହାସ ଦେବା ପାଇଁ ତାହା ଆଡ଼କୁ ହାତଟି ବଢ଼େଇ ଦେଲି୤ ଡରରୁ ନିଜକୁ ରକ୍ଷା କରିବା ପାଇଁ ସେ ହାତଟି ଧରି ଚାଲିଲା-ତଥାପି ଶଙ୍କି ଶଙ୍କି ହେଉଥାଏ୤ ଦମ୍ଭ ଦେବା ପାଇଁ କହିଲି, ‘‘ତୋର ଘର ଏଇଠି କଟକରେ୤ ତେବେ ବି ତୋର ଡର !’’

ଭାରି ତ୍ରସ୍ତ ଗଳାରେ କହିଲା, ‘ବାବୁ, ଜାଣ ନାହିଁ ? ଏଇ ଯେଉଁ ପଠାଣ କବର ରହିଲା, ସେଠି କିଏ ଗୋଟାଏ ଅଛି଼-ଢେଲାମାରେ୤ ତାହାର ପିଠି ଥାପୁଡ଼ାଇ କହିଲି, ‘ନାହିଁ, ମୁଁ ଆସେ ଆଉ ଯାଏ, କେବେ କିଛି ଦେଖି ନାହିଁ ତ !’

ସେ ପ୍ରତିବାଦ କରି କହିଲା, ‘ନାହିଁ ବାବୁ, ସାନ ପିଲାଙ୍କୁ ମାରେ୤ ଥରେ ମୁଁ ଆସୁଥିଲି-ମୋ ଗୋଡ଼ରେ ଗୋଟିଏ ଢେଲା ବାଜିଲା୤ ସେହି ଦିନୁଁ ମୁଁ ଆଉ ଏକା ଆସେ ନାହିଁ୤ କିଏ ଆସୁଥିଲେ ତାହାରି ସାଙ୍ଗରେ ଚାଲି ଚାଲି ମୁଁ ସେହି କବରଟା ଟପିଯାଏ୤’

ଦେଖିଲି ତାହାରି ମନରୁ ଡରକୁ ବାହାର କରିହେବ ନାହିଁ୤ କୁସଂସ୍କାର ଲୋକର ରକ୍ତ ସାଙ୍ଗରେ ମିଶି ରହିଲା ପରି ଡର ତାହାରି ମନରେ ଆସ୍ଥାନ ଜମେଇ ରହିଗଲାଣି୤ ପିଠି ଥାପୁଡ଼ାଇକରି ପଚାରିଲି, ‘ତୋର ନାଁ ?’

‘ମୋ ନା ଲିଙ୍ଗା, ତମେ ଆମ ବାଆକୁ ଚିହ୍ନିଥିବ-ଯୋଗୀ ମହାରଣା୤’

ମୋର ମୁହଁରେ ଯେତିକି ଆଶ୍ଚର୍ଯ୍ୟ ହେବାର ଚିହ୍ନ ଦିଶୁଥିଲା, ତାହାର ମନରେ ଠିକ୍‌ ସେତିକି ଉକୁଟି ଉଠିଥିଲା୤ ସେ ପୁଣି ଆରମ୍ଭ କଲା, ‘ଆମ ବାଆ ଛାନ୍ଦରେ ସରସ୤ ସେ କିଛି କାମ ଦାମ କରେ ନାହିଁ୤ ସବୁବେଳେ ସେଇଥିରେ ଲାଗିଥାଏ୤ ବନା ପହିଲିମାନ ତାହାକୁ ଡକାଏ୤ ଆମ ବାଆକୁ କେହି ଛାନ୍ଦରେ ପାରନ୍ତି ନାହିଁ୤ ସେ କପ୍‌ ଆଣିଛି୤’

ପଚାରିଲି, ‘କିରେ, ବାଆ ତୋର ଦିନକୁ କେତେ ମଜୁରୀ ପାଏ ?’

ଲିଙ୍ଗା କହିଲା, ‘ହେଁ, ମଜୁରୀ ! ସେ ମୋଟେ କାମକୁ ଯାଏ ନାହିଁ, ମୁଁ ପରା ଛ’ମାସ ହେଲାଣି କାମ ଶିଖୁଛି୤ ଏହି ପନ୍ଦର ଦିନ ହେବ ଦିନକୁ ସାତ ପଇସା ମୂଲ ପାଉଛି୤ ବାଆ ମୋଟେ କାମକୁ ଗଲା ନାହିଁ୤ ଏ ସାଲ ଘର ଛପର ହୋଇ ନଥିଲା ଯେ, କାନ୍ଥ ସବୁ ପଡ଼ିଯାଇଛି୤’

ଦେଖିଲି, ସେ ବି ଜଣେ କବି୤ ବଢ଼େଇ ଘରେ ଯେ କବି କି ଶିଳ୍ପୀ ନ ଥିବେ, ଏହି ଧାରଣା ଦୂର ହେଲା୤ ଆଉ ବି ଜାଣିଲି ଏହି ଅଭାବଗ୍ରସ୍ତ ପରିବାରଟି ଯୋଗୀ ମହାରଣାର ଖିଆଲରେ ଚାପି ହୋଇ ରୁନ୍ଧି ହୋଇଯିବ୤ ପ୍ରତି କବି-ସେ ବଡ଼ ଘରେ ଥାଉ, କି ଗରିବ ଘରେ ଥାଉ, ଏହି ଖିଆଲ ପଛରେ ଅଣନିଶ୍ବାସୀ ହୋଇ ଧାଉଁଥାଏ୤ ମୁଁ କହିଲି, ‘‘କପ୍‌ଗୁଡ଼ାକ ରଖିଛି କାହିଁକି ? ବିକି ଦଉ ନାହିଁ ?’’

ଲିଙ୍ଗା କହିଲା, ପହିଲିମାନ ଗାଳିଦେବ୤ ସେଗୁଡ଼ାକ ରଖିବାପାଇଁ ଦେଇଛି, ହେଲେ ଗୋଟାଏ ଚିଜ ତ ? ସେଗୁଡ଼ାକ ଚାନ୍ଦି-କେତେ ପଇସା ହୋଇଥିବ !

ତାହାରି କଥାରେ ଭୋଳ ଥିଲା ପରି କହିଲା, ‘ସେଗୁଡ଼ା ଏବେ ପେଟରା ଭିତରେ ରଖିଛୁଁ୤ ପଦାରେ ଥିଲା ଯେ, ଉଇ ଲାଗି ତାହାର ବଇଠି ସବୁ ଖାଇଗଲେ- ବାଆ ଆମର ପୁଣି ବଇଠି ତିଆରି କରିଛି ନୂଆ କରି୤’

ଏହିସବୁ କଥା-ପ୍ରତିକଥା ତାହାର ଦାରିଦ୍ୟ୍ର ଆଉ ମନର ସରଳତା ଷୋଳ ଅଣାରେ ଦେଖାଉଥିଲେ୤ ପଚାରିଲି, ‘ଆଜି କେତେବେଳେ ଖାଇଥିଲୁ ?’

କହିଲା- ‘ସକାଳେ ତୋରାଣି ପିଇ ଯାଇଥିଲି, ଆଉ କିଛି ଖାଇନାହିଁ୤ ଘରେ ଗଲେ- ଆଜି କ’ଣ ଥିବ କି ନ ଥିବ କେଜାଣି ?’

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଜକିଶୋର ପଟ୍ଟନାୟକ
ଉପନ୍ୟାସକାର ହିସାବରେ ପ୍ରସିଦ୍ଧି ଲାଭ କରିଥିବା ରାଜକିଶୋର ପଟ୍ଟନାୟକ (୧୯୧୬-୧୯୯୭)ଙ୍କର ଗଳ୍ପ କ୍ଷେତ୍ରରେ ସ୍ବାତନ୍ୟ୍ତ୍ର ବେଶ୍‌ ପରିସ୍ଫୁଟ୤ ଜୀବନର ବିବିଧ ରୂପକୁ ରୂପାୟନ କରିବା କ୍ଷେତ୍ରରେ ତାଙ୍କ ଗଳ୍ପ ଗୁଡ଼ିକର ଭୂମିକା ବିଶେଷ ସ୍ମରଣୀୟ୤ ସେ ସୃଷ୍ଟିର ପ୍ରାଚୁର୍ଯ୍ୟ ଭିତରେ ସୂଚନା ଦେବା ଅପେକ୍ଷା ଇଙ୍ଗିତକୁ ଅଧିକ ପସନ୍ଦ କରନ୍ତି, ଯାହାକି ବହୁ ସମୟରେ ପାଠକଙ୍କ ନିକଟରେ ସୁମିଷ୍ଟ ହୋଇପଡ଼େ୤ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ଶ୍ରୀ ପଟ୍ଟନାୟକ ମୁଖ୍ୟତଃ ଗଳ୍ପ ଓ ଉପନ୍ୟାସମାନ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. rasmi parida, Odisha Bhubaneshwar |  ଫେବୃଆରୀ ୨୧, ୨୦୧୩ - ୨:୨୯ ପୂର୍ବାହ୍ନ

    Chamatkar Galpa

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤