ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଡକ୍ଟର ମାୟାଧର ମାନସିଂହ
ବ୍ରହ୍ମାନନ୍ଦ ପଣ୍ଡା
କୃଷ୍ଣଚନ୍ଦ୍ର ତ୍ରିପାଠୀ
ଗନ୍ତାୟତ ଶିବପ୍ରସାଦ
ଦୀପକ ମିଶ୍ର
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗାଁ ମଜଲିସ୍‌
 |- ଡ.ହରେକୃଷ୍ଣ ମହତାବ
 
 
ତା: ମେ ୪, ୨୦୧୮  
 

ଜାତୀୟ ସଂହତି :
ଗତ କେକେମାସ ହେଲା, ଏ ମଜଲିସ୍‌ ବନ୍ଦ ବନ୍ଦ ଥିଲା। କାରଣ ଏ ମଜଲିସ୍‌ରେ ଯାହା ଲୋକେ ଅଙ୍ଗେ ନିଭାଉଛନ୍ତି, ତାହାହିଁ ଆଲୋଚନା କରାହୁଏ। ତେଣୁ ଲୋକେ କଅଣ ଭାବୁଛନ୍ତି, ଅବସ୍ଥାର ପରିବର୍ତ୍ତନ କିପରି ସାଧାରଣଙ୍କ ମନରେ କାର୍ଯ୍ୟ କରୁଛି ତାକୁ ଜାଣିବା ଆବଶ୍ୟକ। ସେତକ ନ କରିପାରିଥିବାରୁ ଖାଲି ଗୁଡ଼ାଏ ବହିପଢ଼ା କଥା ଚର୍ଚ୍ଚାକରି ଲାଭ ନାହିଁ ବୋଲି କିଛିକାଳ ଆଲୋଚନା ବନ୍ଦ ଥିଲା। ଇତିମଧ୍ୟରେ ଓଡ଼ିଶା ସାରା ସବୁ ଶ୍ରେଣୀର ଲୋକଙ୍କ ସହ ମିଶି ଲୋକଙ୍କ ମନ ବୁଝିବାର ସୁଯୋଗ ମିଳିଥିଲା। ଏହାପରେ ଏ ମଜଲିସ୍‌ ଚାଲିବ। ‘ପ୍ରଜାତନ୍ତ୍ର’ର ବିଭିନ୍ନ ବିଭାଗ ସହିତ ଏହି ‘ଗାଁ ଜମଲିସ୍‌’ ବିଭାଗଟି ଆଗ୍ରହ ସହକାରେ ବହୁ ବ୍ୟକ୍ତି ସର୍ବତ୍ର ଆଲୋଚନା କଲେ। ଏହା ଏ ଲେଖକ ପକ୍ଷରେ ଆନନ୍ଦ ଓ ଉତ୍ସାହର ବିଷୟ। ଆଜିର ଆଲୋଚ୍ୟ ବିଷୟ ହେଉଛି ଜାତୀୟ ସଂହତି। କଥାଟି ଶୁଣିବାକୁ ବଡ଼ ; ମାତ୍ର ଏହା ଏକ ପ୍ରତ୍ୟେକ ଗୃହସ୍ଥର ପ୍ରତିଦିନ ଅଙ୍ଗେ ନିଭାଇବା ବିଷୟ। ପାଞ୍ଚଭାଇ ତିନିଭାଇ ମିଶି ଏକା ରୋଷେଇରେ ଏକ ପରିବାର ହୋଇ ରହିଲେ, ଘରର ଯେ କର୍ତ୍ତା ସେ ସମସ୍ତଙ୍କ ମନ ନେଇ ଘର ଚଳାଏ। ପାତରଅନ୍ତର କରାହେଲା ବୋଲି ଟିକିଏ ସନ୍ଦେହ ଜାତହେଲେ ଘର ଭାଙ୍ଗିଯାଏ। ସଂହତି ଦରକାର କରେ ପାତରଅନ୍ତର ହେଉଛି ବୋଲି ସନ୍ଦେହ ସୃଷ୍ଟି କରିବାକୁ ନଦେବା। ସେଥିପାଇଁ ସାବଧାନ ରହିବା ଏକାନ୍ତ ଆବଶ୍ୟକ।

ସମୟ ଥିଲା ଯେତେବେଳେ ଯେଉଁଠି ଶାସନକେନ୍ଦ୍ର ସେଇଠିକି ସମସ୍ତେ ଦୌଡ଼ୁଥିଲେ, ସେଇଠି ସବୁ ଲୋକଦେଖାଣିଆ କାମ ହେଉଥିଲା। ସେଇଥିରେ ସବୁ ଅଞ୍ଚଳର ଲୋକ ଗର୍ବ ମଧ୍ୟ ଅନୁଭବ କରୁଥିଲେ। ଓଡ଼ିଶା କହିଲେ କଟକ ବା ‌ଭୁବନେଶ୍ୱର, ବଙ୍ଗପ୍ରଦେଶ କହିଲେ କଲିକତା, ମହାରାଷ୍ଟ୍ର କହିଲେ ବମ୍ବେ, ଭାରତ କହିଲେ ଦିଲ୍ଲୀ ଏହିପରି ବୁଝାଉଥିଲା। କିନ୍ତୁ କ୍ରମେ ଶାସନ ବିସ୍ତାର ଲାଭ କରିବା ସଙ୍ଗେ ସଙ୍ଗେ ଶିକ୍ଷାର ବିସ୍ତାର, ଲୋକଙ୍କ ସ୍ୱାଧିକାର ସମ୍ବନ୍ଧରେ ଜ୍ଞାନବୃଦ୍ଧି, ଏସବୁ ହେବା ଫଳରେ କେବଳ ରାଜଧାନୀ ନୁହେଁ, ପ୍ରତ୍ୟେକ ଅଞ୍ଚଳର ଗୁରୁତ୍ୱ, ସେ ଅଞ୍ଚଳବାସୀଙ୍କ ମନରେ କାର୍ଯ୍ୟ କରୁଛି। ଦେଶର ଗର୍ବ, ପ୍ରଦେଶର ଗର୍ବ କହିଲେ ପ୍ରତ୍ୟେକ ଅଞ୍ଚଳର ଲୋକ ନିଜ ଅଞ୍ଚଳକୁ ଆଖିରେ ରଖି ତା’ର ବିଚାର କରୁଛନ୍ତି। ଏଣୁ ଅଞ୍ଚଳ ଅଞ୍ଚଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିଚାଲିଛି। ଏହା ଆନନ୍ଦର ବିଷୟ। ଏତଦ୍ଦ୍ୱାରା ଦେଶର ସମୁହ ଉନ୍ନତି ସାଧିତ ହେବ। କିନ୍ତୁ ଏହାକୁ ଶାସନ ସଦାସର୍ବଦା ଦୃଷ୍ଟିରେ ରଖିବାକୁ ହେବ। କେତୋଟି ଉଦାହରଣ ଦେଲେ ଓଡ଼ିଶାର କଥା ସହଜରେ ବୁଝିହେବ।

ଇଂଲଣ୍ଡରେ ସବୁକିଛି ରାଜଧାନୀ ଲଣ୍ଡନର ଆଖେପାଖେ ହେଉଥିଲା। କିନ୍ତୁ ସେ ରାଷ୍ଟ୍ରଟିର ତିନୋଟି ନିର୍ଦ୍ଦିଷ୍ଟ ଅଞ୍ଚଳ ଇଂଲଣ୍ଡ, ସ୍କଟ୍‌ଲାଣ୍ଡ ଓ ଉଏଲ୍‌ସ। ସବୁ ଉନ୍ନତି ଇଂଲଣ୍ଡରେ ହେଉଛି ଅନ୍ୟତ୍ର ହେଉନାହିଁ ବୋଲି ସ୍କଟ୍‌ଲାଣ୍ଡ ଓ ଉଏଲ୍‌ସରେ ଆନ୍ଦୋଳନ ହେବାରୁ ସେସବୁ ଅଞ୍ଚଳର ବିକାଶ ପାଇଁ ଇଂଲଣ୍ଡ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି ଗତ କେତେବର୍ଷ ହେଲା କାର୍ଯ୍ୟ ଆରମ୍ଭ କରିଛନ୍ତି। ରୁଷିଆରେ ପ୍ରତ୍ୟେକ ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନାମାନ ଚାଲିଛି। ସେପରି ଆମେରିକାରେ। ଭାରତରେ ସେହିପରି ଆଞ୍ଚଳିକ ବିକାଶ ପାଇଁ ଦାବି ଚାଲିଛି। ପଶ୍ଚିମବଙ୍ଗରେ କଲିକତା ବିରୋଧରେ ଜିଲ୍ଲାମାନଙ୍କ ଆପର୍ତ୍ତି ହେବାରୁ, ସେଠା ସରକାର ପ୍ରତ୍ୟେକ ଜିଲ୍ଲାରେ ବୁଲି ବୁଲି କେବିନେଟ୍‌ ମିଟିଂ କରଛନ୍ତି ଓ ସରକାର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପବିକାଶ କରାଯିବାର ଘୋଷଣା କରାହୋଇଛି। ସେହିପରି ମହାରାଷ୍ଟ୍ର, ଗୁଜରାଟ ପ୍ରଭୃତି ପ୍ରଦେଶମାନଙ୍କରେ। ଦିଲ୍ଲୀ ବିରୋଧରେ ପ୍ରଦେଶମାନଙ୍କର ଅଭିଯୋଗ ହେବାରୁ ଦିଲ୍ଲୀ ଆଞ୍ଚଳିକ ବିକାଶ ଦିଗରେ ଦୃଷ୍ଟି ଦେଇଛି।

ଏତିକି ଜାଣିଲା ପରେ ଓଡ଼ିଶା କଥା ବୁଝିବା ସହଜ ହେବ। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ବର୍ତ୍ତମାନ କଲେଜ ଓ ପ୍ରତ୍ୟେକ ଅଞ୍ଚଳରେ ଶିକ୍ଷିତ ଶ୍ରେଣୀ ବାହାରିଲେଣି। ତୁଣୁ ପ୍ରତ୍ୟେକ ଜିଲ୍ଲାରେ ଉନ୍ନତିମୁଳକ କାର୍ଯ୍ୟ ହେବାପାଇଁ ଦାବି ହେବା ସ୍ୱାଭାବିକ। ମୁଖ୍ୟତଃ ଓଡ଼ିଶା ତିନୋଟି ଅଞ୍ଚଳରେ ବିଭକ୍ତ-ଉପକୂଳ, ପଶ୍ଚିମ ଓ ଦକ୍ଷିଣ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ବିଭିନ୍ନ ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ମିଶି ଓଡ଼ିଶା ପ୍ରଦେଶ ଗଠିତ ହୋଇଛି। ଏଣୁ ଆଞ୍ଚଳିକ ଭାବ ଯେ ଆଜି ସୃଷ୍ଟି ହୋଇଛି ବା କେହି ତାକୁ ସୃଷ୍ଟି କରୁଛି ତାହା ନୁହେଁ।

ଖ୍ରୀ : ୧୯୨୮ରେ ସମ୍ବଲପୁର ବାସୀମାନଙ୍କ ପକ୍ଷରୁ ଗାନ୍ଧିଜୀଙ୍କଠାରେ ଆପତ୍ତି କରାହେଲା ଯେ, କଟକବାଲା ତାଙ୍କର ଗସ୍ତକୁ ଉପକୂଳରେ ସୀମାବଦ୍ଧ କରି ରଖୁଛନ୍ତି। ସମ୍ବଲପୁର ଆଡ଼େ ଦେଇନାହାନ୍ତି। ସେଥିପାଇଁ ଗାନ୍ଧିଜୀ ଡିସେମ୍ବର ମାସରେ ଦିନକ ପାଇଁ କଲିକତା ଯିବା ବାଟରେ ସମ୍ବଲପୁର ଆସିଲେ। ସେଠାରେ ମ୍ୟୁନିସିପାଲିଟି ଓ ସାଧାରଣଙ୍କ ପକ୍ଷରୁ ଯେଉଁ ମାନପତ୍ର ଦିଆହୋଇଥିଲା, ସେଥିରେ ଅଭିଯୋଗ କରାହୋଇଥିଲା ଯେ, ତତ୍‌କାଳୀନ ଶାସନ ସମ୍ବଲପୁରକୁ ଖେଳଣା ପରି ବ୍ୟବହାର କରୁଛି। ସେତେବେଳେ ଇଂରେଜ ଶାସନ ଓ ବିହାର-ଓଡ଼ିଶା ପ୍ରଦେଶ। ପୁଣି ଖ୍ରୀ : ୧୯୩୬ରେ ଗଞ୍ଜାମ ପ୍ରଭୃତି ଅଞ୍ଚଳ ମିଶିବା ପରେ ଦକ୍ଷିଣ ଓଡ଼ିଶା ଉତ୍ତର ଓଡ଼ିଶାରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହେଲା। ଗଡ଼ଜାତଗୁଡ଼ିକ ମିଶିବା ପରେ ଅଞ୍ଚଳଗୁଡ଼ିକର ଆକାର ବଦଳିଗଲେ ମଧ୍ୟ ମୁଖ୍ୟତଃ ସେହି ପୂର୍ବପରି ତିନୋଟି ଅଞ୍ଚଳ ହୋଇ ରହିଛି। ଶାସନ ପକ୍ଷରୁ ଯେକୌଣସି କାର୍ଯ୍ୟାନୁଷ୍ଠାନ ହେବ, ଏପରିକି କମିଟି ଗଠନଠାରୁ ଆରମ୍ଭ କରି କେବିନେଟ ଗଠନ ପର୍ଯ୍ୟନ୍ତ ସବୁଥିରେ ତିନୋଟି ଅଞ୍ଚଳକୁ ଆଖିଆଗରେ ନରଖିଲେ, ପାତରଅନ୍ତର କରାହେଉଛି ବୋଲି ଅଭିଯୋଗ ହେବ ହିଁ ହେବ। ପ୍ରତ୍ୟେକ ଅଞ୍ଚଳ ବା ଏପରିକି ପ୍ରତ୍ୟେକ ଜିଲ୍ଲାକୁ ନିଜର ବୋଲି ମନେକରି ଚଳିବା, ଚଳାଇବା ନିତାନ୍ତ ଆବଶ୍ୟକ। ଦେଶର ଓ ପ୍ରଦେଶର ସଂଘତି ପାଇଁ ଏହା ଅନିବାର୍ଯ୍ୟ।

ବାଛିନେବାକୁ ହେବ :
ରାଜା ବା ଶାସକର ଚାରିପାଖରେ ଉପକାର ପାଉଥିବା ଏକ ଶ୍ରେଣୀ ସୃଷ୍ଟି ହୋଇଯାଆନ୍ତି। ଏ ଶ୍ରେଣୀ ଭିତରେ ପରସ୍ପର ଶତ୍ରୁତା, ବିବାଦ ଇତ୍ୟାଦି ଥାଏ। ଏସବୁର ମୀମାଂସା ସେହି ରାଜା ବା ଶାସକ ମାଧ୍ୟମରେ ହୋଇଥାଏ। ଏହି ଉପକୃତ ଶ୍ରେଣୀ ବାହାରେ ଉପକାର ପାଉନଥିବା ଏକ ବିଶାଳ ଜନସମୁଦ୍ର ପଡ଼ିଥାଏ। ସେମାନଙ୍କ ଭିତରୁ ଯେ ଟିକିଏ ବେଶି ବୁଦ୍ଧିମାନ୍‌ ଓ ଶିକ୍ଷିତ ସେ ଉପକୃତ ଶ୍ରେଣୀ ଭିତରେ ପ୍ରବେଶ କରିବାକୁ ଚେଷ୍ଟାକରେ। ଅନେକ ମଧ୍ୟ ପ୍ରବେଶ କରିଯାଆନ୍ତି। କିନ୍ତୁ ପ୍ରବେଶ କରିସାରିଲା ପରେ ସେମାନେ ଆଉ ସେ ଜନସମୁଦ୍ର ଆଡ଼କୁ ଦୃଷ୍ଟି ଦିଅନ୍ତି ନାହିଁ। ଯେତେବେଳେ କୌଣସି ସମୟରେ ଶାସନରେ ବା ସମାଜରେ ପରିବର୍ତ୍ତନ ଘଟିଛି, ସେତେବେଳେ ତାହା ସାଧିତ ହୋଇଛି ଅନୁପକୃତ ଅବହେଳିତ ଶ୍ରେଣୀର ଅସନ୍ତୋଷରୁ ଜନ୍ମିଥିବା ନେତୃତ୍ୱ ଦ୍ୱାରା। ଯଦି ସେ ଅସନ୍ତୋଷ ପ୍ରତି ଦୃଷ୍ଟି ନଦେଇ ଉପକୃତ ଶ୍ରେଣୀ ନିଜେ ସବୁ ଭୋଗ କରିବେ, ଏପ୍ରକାର ଚେଷ୍ଟା ଛାଡ଼ି ନିଜେ ଚଳିବେ ଓ ଅନ୍ୟମାନେ ମଧ୍ୟ ଚଳିବେ ଏପରି ଆଚରଣ ନକରନ୍ତି, ତେବେ ଅଲକ୍ଷିତ ଭାବରେ ଜନତା ମଧ୍ୟରେ ଅସନ୍ତୋଷ କାର୍ଯ୍ୟ କରି କରି ହଠାତ୍‌ ଏକ ବିସ୍ଫୋରଣ ଘଟାଏ। ତାକୁ ଇତିହାସରେ ବିଦ୍ରୋହ ବା ବିପ୍ଳବ ବୋଲି କୁହାଯାଏ। ଯେଉଁ ଦେଶରେ ଯେଉଁ ସମୟରେ ବିପ୍ଳବ ଘଟିଛି, ତା’ର ଇତିହାସ ଅଧ୍ୟୟନ କଲେ ଉପରୋକ୍ତ ସିଦ୍ଧାନ୍ତରେ ବୁଦ୍ଧିମାନ୍‌ ଲୋକେ ନିଶ୍ଚିତ ଭାବରେ ପହୁଞ୍ଚିବେ।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡ.ହରେକୃଷ୍ଣ ମହତାବ
ଡ.ହରେକୃଷ୍ଣ ମହତାବ
ଏକାଧାରରେ ଜଣେ ରାଜନେତା, ନୂତନ ଓଡ଼ିଶାର ନିର୍ମାତା, ସାମ୍ବାଦିକ, ସାହିତ୍ୟିକ ଆଦି ଭାବେ ଡ.ହରେକୃଷ୍ଣ ମହତାବ ଓଡ଼ିଆ ସାହିତ୍ୟରେ ଏକ ପ୍ରତିଷ୍ଠିତ ନାମ। ଜଣେ ପ୍ରାବନ୍ଧିକ, ଔପନ୍ୟାସିକ ତଥା ଗାଳ୍ପିକ ଭାବେ ତାଙ୍କର ଅନେକ ସଙ୍କଳନ ପ୍ରକାଶିତ ହୋଇ ଅଜସ୍ର ପାଠକୀୟ ଆଦୃତି ଲାଭ କରିଛି। ତାଙ୍କ ଦ୍ୱାରା ସ୍ଥାପିତ ଦୈନିକ ସମ୍ପାଦପତ୍ର ‘ପ୍ରଜାତନ୍ତ୍ର’ ସହିତ ଏକାଧିକ ପତ୍ରିକା ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲା। ଓଡ଼ିଶାରେ ସାହିତ୍ୟର ପ୍ରଚାର, ପ୍ରସାର ଓ ଆଲୋଚନା ନିମନ୍ତେ ସେ ଆରମ୍ଭ କରିଥିବା ‘ବିଷୁବ... [ କ୍ରମେ ସବିଶେଷ ]
ଡ.ହରେକୃଷ୍ଣ ମହତାବଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤