ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବେଦନା ନାଶକ
 |- ପୁଲିନ୍ ବିହାରୀ ରାୟ
 
 
ତା: ଏପ୍ରିଲ୍ ୨୦, ୨୦୧୯  
 

ଘରେ ଶାଶୂବୁଢ଼ୀ, ପୁଅ ଆଉ ବୋହୂ, ଘର ଗୋଟାକର କାମରୁ ଗୁରାଏ ଗୁରାଏ କାମ ବୋହୂ କରେ, ଅଳ୍ପ କାମ ଶାଶୂବୁଢ଼ୀ କରେ। ଶାଶୂବୁଢ଼ୀର ହାତ କାମ ବନ୍ଦ ହେଲେ, ମୁହଁ କାମ କରେ, ଅର୍ଥାତ୍‌ ବକରବକର ହେଉଥାଏ, ପାଟି ବନ୍ଦ ହୁଏନା।

ପୁଅ ବଜାରରେ ଥାଏ, ତା’ର ପାନ ଦୋକାନ, ଲୁଚା ଚୋରାରେ ଦେଶୀ ମଦ ବିକ୍ରି କରେ। ପୁଅ କିଛି ଘରକଥା ବୁଝେ ନାହିଁ, ଘରକୁ ଆସିଲେ ଖାଏ, ପିଏ, ଚାଲିଯାଏ। ରାତି ହେଲେ ଘରକୁ ଆସେ।

ଦିନେ ପୁଅ ଦିଗମ୍ବର ପାନ ଦୋକାନରେ ବସି, ପାନ ବିକୁଛି। ହଠାତ୍‌ ଜଣେ ଲୋକ ଆସି ଖବର ଦେଲା-ଦୌଡ଼ିଯା ତୋର ମା’ର କ’ଣ ହୋଇଛି, ସାହି ମାଇପିଏ ଘରେ ପଶି କାନ୍ଦୁଛନ୍ତି।

ଦିଗା ଦୋକାନ ଛାଡ଼ି ଘରକୁ ଦୌଡ଼ିଲା, ଘରେ ଯାଇ ଦେଖେ, ମା ବୁଢ଼ୀ ପଡ଼ିଯାଇଛି। କିଏ କହୁଛି- ବାଁ ହାତଟି ଭାଙ୍ଗିଯାଇଛି, କିଏ କହୁଛି-ନା ହାତ ଭାଙ୍ଗି ନାହିଁ, ଜଖମ ହେଇଯାଇଛି…।

ବୁଢ଼ୀକୁ ପଡ଼ିବା ଜାଗାରୁ ଟେକି ଆଣି ଗୋଟାଏ ଜାଗାରେ ବସେଇଛନ୍ତି, ବୁଢ଼ୀ ନିଜର ମନ୍ଦଭାଗ୍ୟ, ପୁଅ, ବୋହୂର ତା’ ପ୍ରତି ଅବହେଳା, ତା’ ବାପଘରେ ସେ କେମିତି ସୁଖରେ ଥିଲା, ଶାଶୂଘରକୁ ଆସିଲା ଦିନୁ, ତା’ ବୋହୂ ଅମଳରୁ ଆଜିଯାଏ, ସେ କେତେ କଷ୍ଟ କଲାଣି, ଆଉ କଷ୍ଟ ସହିପାରୁନି। ଏଣିକି ମାଟିରେ କେମିତି ମିଶିବ, ମିଶିଲେ ସେ କେମିତି ଶାନ୍ତି ପାଇବ ଇତ୍ୟାଦି ଇତ୍ୟାଦି କରି ନାତିଦୀର୍ଘ ସ୍ୱରରେ ବାହୁନୁଛି।

ସାହି ମାଇପେ ବୁଢ଼ୀର ବାହୁନାକୁ ସମର୍ଥନ ଜଣେଇ କିଏ ବୁଝଉଛି, କିଏ ସାନ୍ତ୍ୱନା ଦଉଛି, କିଏ ଔଷଧି ବତଉଛି, କିଏ ଔଷଧି ଯୋଗାଡ଼ କରୁଛି। ସମସ୍ତଙ୍କ ମୁହଁରେ ବୁଢ଼ୀ ପ୍ରତି ସହାନୁଭୂତି ସୂଚକ ସେହି ଗୋଟାଏ କଥା-ଆହା! ବୁଢ଼ୀ ମଣିଷ, ଖୁବ୍‌ ଜୋର୍‌ରେ ବାଜିଯାଇଛି। ବୁଢ଼ୀ ଶରୀରରେ ଆଉ କ’ଣ ବଳ ଅଛି… ?

ଆଉ କେତେକଙ୍କ ମୁହଁରେ ସେହି ଗୋଟାଏ କଥା- କ’ଣ ହେଲା ? ବୁଢ଼ୀ କେମିତି ପଡ଼ିଗଲା, କୋଉଠି ବାଜିଛି ? ଭାରି କଷ୍ଟ ହେଉଥିବ, ବୃଦ୍ଧ ଶରୀର….

ସିନେମାର ଫାଷ୍ଟ ସୋ’ର ଦର୍ଶକଦଳ ବାହାରି ଗଲା ପରେ, ସେକେଣ୍ଡ ସୋ’ର ଦର୍ଶକଦଳ ପ୍ରବେଶ କଲା ପରି, ଦଳେ ଯାଇ ପୁଣି ନୁଆ ଦଳେ ଦେଖଣାହାରି ପ୍ରବେଶ କଲା ପରେ, ସେଇ ଗୋଟାଏ ଧରଣର ପ୍ରଶ୍ନ। ତା’ର ସେମିତି ଗୋଟାଏ ଧରଣର ଉତ୍ତର- ଦାସେ ଆଇଲେ ମୂଳରୁ ଗା’….

ବୁଢ଼ୀକୁ ଡାକ୍ତରଖାନାକୁ ନିଆ ହେଲା ନାହିଁ, ଡାକ୍ତରଙ୍କୁ ଡକା ହେଲା ନାହିଁ। ସାହି ମାଇପଙ୍କର ପ୍ରେସ୍‌କ୍ରିପ୍‌ସନ୍‌ମତେ କେତେକ ଗାଉଁଲି ଔଷଧି ବୁଢ଼ୀ ହାତରେ ବନ୍ଧା ହେଲା, ବୁଢ଼ୀ ବିଛଣା ଧଇଲେ। ବୁଢ଼ୀକୁ କେନ୍ଦ୍ର କରି, ଆଉଁଶା, ଘଷା ଗପ, ସାହି ମାଇପଙ୍କର ଗୋଟାଏ ଆଲୋଚନା ଚକ୍ର ବସିଲା।

ଗାଁ ନିକଟରେ ସରକାରୀ ଡାକ୍ତରଖାନା। ଡାକ୍ତର ଥା’ନ୍ତି ସାହି ମଝିରେ, ଘରଭଡ଼ା ନେଇ। ସରକାରୀ ଘର ତାଙ୍କୁ ମିଳି ନ ଥିବାରୁ ଡାକ୍ତର ଭଡ଼ା ଘରେ ଥା’ନ୍ତି। ଏକା, କତିରେ କେହି ନାହିଁ, ଦିନେ ସକାଳୁ ଦାଣ୍ଡ ଆଡ଼ୁ କରୁଣ କଣ୍ଠରେ ଶୁଣାଗଲା-ଆଉ ବଞ୍ଚିବି ନାହିଁଲୋ, ମୋ ପ୍ରାଣ କି କଲବଲ ହେଉଛି ଲୋ, ମୋତେ କି ଦଶା ପଇଲା ଲୋ….?

କାନ୍ଦଣାର ଶବ୍ଦ ସଙ୍ଗେସଙ୍ଗେ ମୃଦୁ ପଦଧ୍ୱନି, ତା’ ପରେପରେ ଡାକ୍ତରବାବୁଙ୍କ ଶୋଇବା ଘର ସାମ୍ନାରେ ଠେଙ୍ଗାଟିଏ ହାତରେ ଧରି, ଗୋଟିଏ ବୁଢ଼ୀ ଆସି ଉଭା ହେଲେ, ବୁଢ଼ୀର ବାଁ ହାତର ପାପୁଲିଟି ଫୁଲିଛି, ସେଥିରେ ପୁଣି କନା ଖଣ୍ଡେ ବନ୍ଧା ହୋଇଛି।

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପୁଲିନ୍ ବିହାରୀ ରାୟ
ଡାକ୍ତର ପୁଲିନ ବିହାରୀ ରାୟ (୧୯୦୭ - ୧୯୮୦) ଜଣେ କଥାକାର ଭାବରେ ପରିଚିତ ଥିଲେ। ତାଙ୍କର ଭାବ ଓ ଶୈଳୀରେ ବ୍ୟଙ୍ଗ ଏକ ପ୍ରମୁଖ ଉପାଦାନ ଥିଲା। ତାଙ୍କ ରଚିତ ଗଳ୍ପଗ୍ରନ୍ଥ ମଧ୍ୟରେ ‘ଛାୟାପଥ’, ‘ବେଲିଆ’, ‘ଅରମା’ ଓ ‘ନବଜିଆ’ ଅନ୍ୟତମ। ପେଶାରେ ଜଣେ ଡାକ୍ତର ହୋଇ ସୁଦ୍ଧା ଶ୍ରୀ ରାୟ ଜଣେ ବ୍ୟଙ୍ଗ ବା ହାସ୍ୟରସ କଥାକାରଭାବେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଥିଲେ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤