ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଗୋପୀନାଥ ମହାନ୍ତି
ଗନ୍ତାୟତ ଶିବପ୍ରସାଦ
ତରୁଣକାନ୍ତି ମିଶ୍ର
କିଶୋରୀ ଚରଣ ଦାସ
ଡକ୍ଟର ମାୟାଧର ମାନସିଂହ
ଜୟନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଏବେ ମଧ୍ୟ ବଞ୍ଚିଛି
 |- ଗୋଦାବରୀଶ ମହାପାତ୍ର
 
 
ତା: ସେପ୍ଟେମ୍ବର୍ ୩୦, ୨୦୧୩  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ବେଣୁଧର କ’ଣ କରିବ କିଛି ଠିକ୍‌ କରିପାରିଲା ନାହିଁ୤
ଯେତେବେଳେ ଗାଁ ଯାକ ବାହାରନ୍ତି ସାହାଯ୍ୟ କେନ୍ଦ୍ରକୁ ସାହାଯ୍ୟ ପାଇଁ, ବେଣୁଧର ପିଣ୍ଡାରେ ତୁନି ହୋଇ ଠିଆହୁଏ୤ ଭାବେ, ଏତେ ଲୋକ ଯାଉଛନ୍ତି, ସମସ୍ତଙ୍କ ଆଗରେ ମୁଁ ହାତ ପତେଇ ଠିଆହୋଇ ମାଗିବାଟା ସୁନ୍ଦର ହେବ ନାହିଁ୤

ଯେଉଁଦିନ କେହି ଯାଆନ୍ତି ନାହିଁ, ସେଦିନ ବେଣୁଧର କାନ୍ଥରେ ଲଟକାଇଥିବା ଚିରା କାମିଜ୍‌ଟାକୁ ଦେହରେ ଗଳାଇଦେଇ ସେ ବଡ଼ ବରଗଛ ଦାଣ୍ଡକୁ ବାହାରିପଡ଼େ୤ ଦାଣ୍ଡ ଡେଇଁ, ବିଲ ପଡ଼ିଆ ଡେଇଁ ଯେତେବେଳେ ସେ ବଡ଼ ବରଗଛ ମୂଳେ ପହଞ୍ଚେ, ଟିକିଏ ବସିପଡ଼େ୤ ଶ୍ୟାମଳ ପତ୍ରଗହଳ ତଳେ ଶୀତଳ ପବନ ଟିକିଏ ପାଇ ସେ ଆଖି ବୁଜି ଅନେକ ଭାବେ୤ ଭାବେ-ସେ ଯିବ, କେନ୍ଦ୍ର ଦୁଆରେ ଠିଆ ହେବ୤ କିପରି ଠିଆ ହେବ? ହାତ ଯୋଡ଼ିବ ନା ହାତ ଦୁଇଟା ପାଖକୁ ଝୁଲାଇ ରଖିବ? ମୁଣ୍ଡ ଟିକିଏ ନୁଆଁଇବ ନା ମୁଣ୍ଡକୁ ବୀର ପରି ସିଧା ରଖି ଠିଆହେବ? ହସିବ ନା ଦୁଃଖରେ ମୁହଁ ଶୁଖାଇ ଚାହିଁବ? କ’ଣ କରିବ କିଛି ସେ ସ୍ଥିର କରିପାରେ ନାହିଁ୤ ବିଚାରେ, ସେଠି ଯେ ଥିବେ, ସେ ଯେବେ ଚିହ୍ନା ଲୋକ ହୋଇଥିବେ, ତେବେ କ’ଣ କରିବାକୁ ହେବ?

ବସି ବସି, ବିଚାରି ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠେ, ତା’ର ଭାବନା ଶେଷ ହୁଏ ନାହିଁ୤ ସେହି ଜନଶୂନ୍ୟ ବିଲମାଳ ଭିତରେ ଗଛଡ଼ାଳରେ ଦୁଇଟା ଗୁଣ୍ଡୁଚି ମୂଷା ଚେଁ ଚେଁ ଶବ୍ଦ କରି ଏ ଡାଳରୁ ସେ ଡାଳକୁ ଧାଆଁନ୍ତି କିମ୍ବା କୁଆ କୋଇଲି ରାବି ଉଠନ୍ତି, ସେ ଆଣ୍ଠୁ ଉପରୁ ମୁଣ୍ଡ ଉଠାଇ ଆଖି ଫିଟାଏ କିନ୍ତୁ ଦେଖେ ସେହି ନିତିଦିନର ସଂସାର ତାହାରି ଆଗରେ୤

ଦୂରର ମରୀଚିକା ପାଣି ପରି ଭାସିଯାଏ୤ ତା’ର ଆଶା ଠିକ୍‌ ସେହିପରି ଦୂରକୁ ବହିଯାଏ୤ ମୁହଁ ବୁଲେଇ ଦେଖେ, ଦୂରେ ଗଛ ଗହଳରେ ସିରେଇ ଗାଁ୤ ସେହିଠାରେ ଗୋଟାଏ ଚାଳ ଉପରେ ଗୋଟାଏ ଜାତୀୟ ପତାକା୤ ତାହାରି ତଳେ ସ୍ବେଚ୍ଛା ସେବକ, ଦେଶସେବକ, ମାତୃପୂଜକ, ଜନନାୟକ, ଦରିଦ୍ର-ସାଥୀ-ଯେ କେହି ଚାଉଳ ଧରି ବାଣ୍ଟିବାକୁ ବସିଥିବେ ବୋଲି ମନେକରେ୤ ଅନ୍ୟଆଡ଼େ ମୁହଁ ବୁଲେଇ ଦେଖେ, ସେହିପରି ଗୁଡ଼ାଏ ଗଛ ଗହଳରେ ବାଗଲପଡ଼ା୤ ତାହାରି ଭିତରେ ଗୋଟିଏ ଛୋଟ ଚାଳଘର, ସେହି ଚାଳଘର ଭିତରେ କେତୋଟି ପ୍ରାଣୀ, କାହା ପେଟରେ ଅନ୍ନ ନାହିଁ କି କାହା ମୁହଁରେ ହସ ନାହିଁ୤ ଦିନେ ନୁହେଁ, ଦୁଇଦିନ ନୁହେଁ, ପାଞ୍ଚ ଦିନ ହେଲା ସେହି କୁଡ଼ିଆ ତଳେ ଚୁଲି ଜଳି ନାହିଁ, ସେ ଭିତରେ ଅଇଁଠା ପଡ଼ିନାହିଁ୤ ଏ କଥା ଭାବିଲାବେଳେ ସେ ପୁଣି ଆଖି ବୁଜିଯାଏ୤ ମାତ୍ର ନିଜ ଭିତରେ ସେ ଦେଖେ ଆଉ ଗୋଟିଏ ଜଗତ୤ କି ସୁନ୍ଦର, କି ଜୀବନମୟ ଜଗତ ସେ! ସେ ଭିତରେ ବେଣୁଧର ବୋଲି ସତର ବର୍ଷର ଯୁବକ କେତେ ଖେଳିଲା, କେତେ ହସି ହସେଇଲା, କେତେ ନାଚି ନଚେଇଲା୤ ସେ ଗଲା ଘର ଛାଡ଼ି ପାଠ ପଢ଼ିବାକୁ ଯେଉଁଠାରେ ଦେବତା ମଣିଷର ସାକ୍ଷୀ, ସେହିଠାରେ ସେ ପାଠ ପଢ଼ିଲା୤ ପାଠ ପଢ଼ି ସେ ଭାବିଲା- ସେ ଜାଗିବ, ଦେଶକୁ ଜଗାଇବ୤

ବେଣୁଧର ଆଖି ଫିଟେଇଲା୤ ସେ ଦେଖିଲା, ପୁଣି ସେହି ଆଖି ଆଗରେ ପୁରୁଣା ସଂସାର୤ ସେହି ଭଙ୍ଗାରୁଜା ସଂସାର ଭିତରେ ତା’ର ପାଠପଢ଼ା କାଳରେ ଶେଷ ହୋଇଛି; ସେହି ନିରସ ସଂସାର ଭିତରେ ତା’ର ଆଶାର ଝରଣା ଶୁଖି ଆସିଛି, ପ୍ରାଣର ରସ ମରିଯାଇଛି୤ ସେ ଆସିଛି ଭିକ ମାଗି କେତୋଟି ପ୍ରାଣୀଙ୍କୁ ପୋଷିବ ବୋଲି୤

ବେଣୁଧର ପାରିଲା ନାହିଁ୤ ବରଗଛ ମୂଳେ ଠିଆ ହୋଇ ମୁହଁ ବୁଲେଇଲା ଗାଁ ଆଡ଼କୁ୤ ଭାବିଲା, ‘‘ନାଁ, ମୁଁ ଏପରି ଭାବରେ ଯାଇ ଭିକ ମାଗିବାଟା ସୁନ୍ଦର ହେବ ନାହିଁ୤ କେହି ଯେତେବେଳେ ଯାଉନାହାଁନ୍ତି, ମୁଁ ଏକାକୀ ଗଲେ ସେମାନେ ମନେକରିବେ କ’ଣ ? ବରଂ ଗହଳି ଭିତରେ ପଶି କାନି ପତେଇ ମାଗିଦେଲେ ଚଳିପାରେ୤’’

ତଥାପି ବେଣୁଧର କ’ଣ କରିବ ବୁଝିପାରିଲା ନାହିଁ୤ ଦିନେ ଗଲା, ଦୁଇ ଦିନ ଗଲା, ଚାରି ଦିନ ଗଲା୤ ଆଠ ଦିନ ଗଲା୤ ଦିନ ସତେ ଅବା ପାଣି ପରି ବହିଗଲା୤ ସେ ଦେଖିଲା, ସେଇ ସୁଅରେ ତା’ ନିଜ ଗାଁର ଶହ ଶହ ମହାପ୍ରାଣୀ ଭାସି ଭାସି, ପେଟ ଦେଖାଇ, କଙ୍କାଳ ଦେଖାଇ, କାନି ଦେଖାଇ ଯାଇ ଲାଗୁଛନ୍ତି ସରେଇ ଗାଁର ଚାଉଳବଣ୍ଟା କେନ୍ଦ୍ର ଦୁଆରେ୤ ଯାହା ପାଉଛନ୍ତି ମୁଠାଏ, ତାହା ଶିଝେଇ ଖାଇବାକୁ ଦରକାର ପଡ଼ୁନାହିଁ୤ ଖରାବେଳେ ତଳତାତି ଓ ଉପରତାତି ଭିତରେ ମଝିରେ ଯେ ପେଟ ଚାଖଣ୍ଡକ ତାତି ଉଠୁଛି, ତାହା ସେମାନେ ସମ୍ଭାଳି ନପାରି ମୁଠା ମୁଠା ଚାଉଳ ବ୍ୟାକୁଳ ଭାବରେ ପାଟିରେ ଭର୍ତ୍ତି କରୁଛନ୍ତି୤

ବେଣୁଧର ଘରକୁ ଫେରିଆସିଲା୤ ଏପରି ଦିନେ ନୁହେଁ, ଦଶ ଦିନ ଯାଇ ଦଶ ଦିନ ଫେରିଲା୤ ସବୁ କଥାର ସୀମା ଅଛି; ମାତ୍ର ବେଣୁଧରର କଥା ସୀମା ପାର ହୋଇଗଲା୤ ଘରେ ଯେତେବେଳେ ଖୁଦକଣିକାଏ ସୁଦ୍ଧା ନାହିଁ, ସେତେବେଳେ କି ସୀମା ଭିତରେ ରହିହୁଏ ? ଶେଷରେ ଦିନେ ସେ କେନ୍ଦ୍ରରେ ଯାଇ ହାଜର ହେଲା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋଦାବରୀଶ ମହାପାତ୍ର
ଗୋଦାବରୀଶ ମହାପାତ୍ର
ଜଣେ ବିଶିଷ୍ଟ ସମାଳୋଚନାମୂଳକ ସାହିତ୍ୟିକ ଭାବେ ସୁପରିଚିତ ସ୍ବର୍ଗତ ଗୋଦାବରିଶ ମହାପାତ୍ର ଓଡ଼ିଆ ସାହିତ୍ୟରେ ଜଣେ ଅଦ୍ବିତୀୟ ସ୍ରଷ୍ଟା୤ ନିଆଁଖୁଣ୍ଟା ନାମକ ପତ୍ରିକା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଥିବା ଶ୍ରୀ ମହାପାତ୍ର ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ ଏବଂ ଶିଶୁ ସାହିତ୍ୟିକ୤ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଶ୍ରୀ ମହାପାତ୍ରଙ୍କ ଅନେକ ଲେଖା ରାଜନୈତିକ ପୃଷ୍ଠଭୂମି ଉପରେ ପର୍ଯ୍ୟବେଶିତ୤ ତାଙ୍କର ପ୍ରକାଶିତ ପୁସ୍ତକ ଗୁଡ଼ିକ ମଧ୍ୟରେ ଉଠକଙ୍କାଳ, ବଙ୍କା ଓ... [ କ୍ରମେ ସବିଶେଷ ]
ଗୋଦାବରୀଶ ମହାପାତ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ରଶ୍ମି |  ଫେବୃଆରୀ ୧୬, ୨୦୧୪ - ୬:୪୪ ପୂର୍ବାହ୍ନ

    ବହୁତ ଭଲ ଲାଗିଲା…

  • ୨. ସଞିତ୍, kakatpur.puri  |  ଫେବୃଆରୀ ୨୩, ୨୦୧୫ - ୮:୫୩ ପୂର୍ବାହ୍ନ

    ସେଇ ଅମର ଆତ୍ମା କୁ ମୋର ଭକ୍ତିପୁତ ଶ୍ରଧାଞଳୀ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤