ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରବି ଶତପଥୀ
ତ୍ରିନାଥ ସିଂହ
କିଶୋରୀ ଚରଣ ଦାସ
ସ୍ବଭାବ କବି ଗଙ୍ଗାଧର ମେହେର
ନନ୍ଦ କିଶୋର ବଳ
ଡ.ହରେକୃଷ୍ଣ ମହତାବ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଡିମିରି ଫୁଲ
 |- ଅଖିଳମୋହନ ପଟ୍ଟନାୟକ
 
 
ତା: ଅଗଷ୍ଟ୍ ୧୭, ୨୦୧୨  
 

ମୁଁ ମୂକ ହୋଇ ବସିରହିଛି କେବଳ୤ ଗୋଲକଧନ୍ଦା ଜଟିଳରୁ ଜଟିଳତର ହୋଇ ଚାଲିଚି୤ ବାହାରର ବର୍ଷା ନ କମିଲେ ମୋର ଏ ପରିସ୍ଥିତିରୁ ମୁକ୍ତି ପାଇବା ଯେ ଅସମ୍ଭବ ସେ କଥା ମୁଁ ଅନୁମାନ କରିସାରିଲେଣି୤ ଭଦ୍ରମହିଳା କହିଚାଲିଛନ୍ତି- ମଞ୍ଜୁ ତ ଜାଣେ ଯେ ସେ ଏଇ ଆସନ୍ତା ଡିସେମ୍ବରରେ ବିଲାତ ଚାଲିଯିବ୤ ତା’ର ବାପା ପ୍ରାୟ ସବୁ ଠିକ୍‌ କରିସାରିଲେଣି୤ ତା’ ପରେ ପୁଣି ଯେ କେବେ ଦେଖାହେବ ସେ କଥା କିଏ ଜାଣେ ? ପିଲାଦିନେ ପାଖରେ ମଞ୍ଜୁ ଥିଲା, ତମେ ଥିଲ, ଭାରି ଭଲ ଲାଗୁଥିଲା୤ କିନ୍ତୁ ପାଠ ପଢ଼ିବାକୁ ଯାଇ ଏତେଟା ନିଜର ଲୋକମାନଙ୍କଠାରୁ ଦୂରେଇଯିବା ଠିକ୍‌ ନୁହେଁ୤ ଭଦ୍ରମହିଳାଙ୍କ କଣ୍ଠ ସ୍ବର ଓ ଦୃଷ୍ଟି କଠିନ ହୋଇ ଉଠିଲା- ‘ମୁଁ ମଞ୍ଜୁର ଟଙ୍କା ବନ୍ଦ କରିଦେଇ ତାକୁ ଯେକୌଣସି ମୁହୂର୍ତ୍ତରେ ଆସିବାକୁ ବାଧ୍ୟ କରିପାରନ୍ତି, କିନ୍ତୁ ସଞ୍ଜୟ, ମା’ ହେଇ ତା’ କରାଯାଏନା୤ ବର୍ଷାର ବେଗ ସାମାନ୍ୟ କମିଚି୤ କୋର୍ଣ୍ଣିସ୍‌ରେ ଲାଗି ରହିଥିବା ଟୋପାଟୋପା ପାଣି ଟପ୍ଟପ୍‌ ହୋଇ ତଳକୁ ପଡ଼ିବାର ଶବ୍ଦ ସ୍ପଷ୍ଟ ଶୁଣିହେଉଛି୤ ମୁଁ ଘଣ୍ଟାକୁ ବାରମ୍ବାର ଦେଖି ଉଠିବାର ସୂଚନା ଦେଲି ଓ କହିଲି ଯେ ମୋର ଜଣେ ବନ୍ଧୁଙ୍କ ସହିତ ଆପଏଣ୍ଟମେଣ୍ଟ ଥିବାରୁ ମୁଁ ଶୀଘ୍ର ଚାଲିଯିବାକୁ ବାଧ୍ୟ ହେଉଛି୤ ଆସିଲା ବେଳେ ଭଦ୍ରମହିଳା ମୋର ଠିକଣା ବାବଦରେ ପ୍ରଶ୍ନ କଲେ ଓ ମୁଁ କହିଲି, ମୁଁ ଏଇ ମୋଡ଼ ଉପରେ ଟି’ ଭ୍ୟୁ ହୋଟେଲରେ ୨୪ ନମ୍ବର ରୁମ୍‌ରେ ଆସି ଓହ୍ଲେଇଛି୤ ଭଦ୍ରମହିଳା ବୋଧହୁଏ ଆଉ କ’ଣ କହିବାକୁ ଯାଉଥିଲେ, କିନ୍ତୁ ମୁଁ ସେତେବେଳକୁ ପାହାଚ ତଳକୁ ଓହ୍ଲେଇ ସାରିଥିଲି୤ ଭଦ୍ରମହିଳା ପୁଣିଥରେ ବାଧା ଦେଲେ୤ ନା’ ତମେ ଏଇ ବର୍ଷା ପାଣିରେ ଚାଲିକରି ଯିବ ନାହିଁ ସଞ୍ଜୟ୤ ତାଙ୍କର କଣ୍ଠରେ ଆଦେଶର ସ୍ବର ବ୍ୟଞ୍ଜନା- ଗାଡ଼ିରେ ବସ୤ ସୋଫର ତମକୁ ନେଇ ଛାଡ଼ିଦେଇ ଆସିବ ଆଉ ତା’ଛଡ଼ା ସେ ତମ ହୋଟେଲ୍‌ ଟା ମଧ୍ୟ ଦେଖି ଆସିବ୤

ଅଗତ୍ୟା ଗାଡ଼ିରେ ବସିଲି ଏବଂ ଗାଡ଼ିରେ ଯେତେ ସମୟ ବସିଥିଲି ଭଦ୍ରମହିଳା କିମ୍ବା ତାଙ୍କର ପରିବାର ବିଷୟରେ ମୋର ସମସ୍ତ କୌତୂହଳ ଅତି କଷ୍ଟରେ ଦମନ କରିଥିଲି୤ ତା’ ଆରଦିନ ହୋଟେଲର ବେହେରା ସକାଳୁ ଆସି ଚା’ର ସରଞ୍ଜାମ ମୋର ଖଟ ପାଖରେ ରଖିଦେଇ ଯାଇଛି ଏବଂ ଠିକ୍ ଏତିକିବେଳ ଶୁଣିଲି ଜଣେ ଭଦ୍ରଲୋକ କବାଟରେ ଠକ୍ଠକ୍‌ କରି ସୂଚନା ଦେଉଛନ୍ତି, ମୁଁ ଭିତରକୁ ଆସିପାରେ ? ନିଜର ପରିଧେୟ ସାମାନ୍ୟ ସଂଯତ କରିନେଇ କହିଲି, ଅସନ୍ତୁ୤ ଘର ଭିତରକୁ ପଶି ଆସିଲେ ଜଣେ ପୌଢ଼ ଭଦ୍ରଲୋକ୤ ଦେଖିଦେଇ ମନେ ହେବ ଯେପରି କୌଣସି ଦାରୁଣ ଦୁଃଖର ଅଘାତରେ ତାଙ୍କର ବୟସ ଅଯଥା ଆଗେଇଯାଇଚି ଅନେକ ବର୍ଷ୤ ଦେହର ଧୋତି ପଞ୍ଜାବୀ ଓ ହାତର ବାଡ଼ି ଏକ ସୁସ୍ପଷ୍ଟ ଆଭିଜାତ୍ୟର ସୂଚନା ଦିଏ୤ ଭଦ୍ରଲୋକ ମୋଟା ଲେନ୍ସର ଚଷମାଟାକୁ କାଢ଼ିଆଣି ରୁମାଲରେ ଥରେ ଦୁଇଥର ପୋଛି ନେଇ ପୁଣି ଥରେ ଆଖିରେ ଦେଲେ ଓ ଚଉକି ଉପରେ ବାଡ଼ିଟିକୁ ଆଉଜେଇ ଦେଇ ଆଉଥରେ ଭଲଭାବେ ଦେଖିନେଲେ ମତେ୤ ମୁଁ ତାଙ୍କୁ ଚଉକିରେ ବସିବା ଲାଗି ଇଙ୍ଗିତ ଦେଲି୤ ଚଉକିରେ ବସୁବସୁ ଭଦ୍ରଲୋକ କହିଲେ, ‘ମୁଁ ଠିକ୍ ଜାଣିଥିଲି ଯେ, ମୋର ସ୍ତ୍ରୀ ଏକ ମସ୍ତ ଭୁଲ୍‌ କରୁଛନ୍ତି୤ ହଁ ତମେ କାଲି ସନ୍ଧ୍ୟାରେ ଯେଉଁ ବଙ୍ଗଳାରେ ବର୍ଷାବେଳେ ଆଶ୍ରୟ ନେଇଥିଲ ସେଟା ମୋର ଘର ଓ ସେ ମୋର ସ୍ତ୍ରୀ୤ ଆଜି ସକାଳେ ସେ ମୋତେ ପ୍ରାୟ ଜୋର୍‌ କରି ପଠେଇଲେ୤ ସେ ସ୍ଥିର ନିଶ୍ଚିତ ଯେ ତମେ ହେଉଛ ସଞ୍ଜୟ୤ ମୁଁ କ୍ଷମା ମାଗିବାର ଭଙ୍ଗୀରେ କହିଲି, ଦେଖନ୍ତୁ ମୋ ନାଁ ଅଶୋକ୤ ମୁଁ କାଲି ସନ୍ଧ୍ୟାର ପରିସ୍ଥିତି ପାଇଁ ସତରେ ଲଜ୍ଜିତ୤ କିନ୍ତୁ କେଜାଣି କାହିଁକି ଆପଣଙ୍କ ସ୍ତ୍ରୀଙ୍କ ସ୍ନେହର ଆତିଶଯ୍ୟରେ ମୁଁ ମୁହଁ ଖୋଲିପାରିଲି ନାହିଁ ଯେ ମୁଁ ସଞ୍ଜୟ ନୁହେଁ୤

ଭଦ୍ରଲୋକ କହିଲେ, ମୁଁ ମାନୁଚି ସଞ୍ଜୟର ଗଠନ ସହିତ ତମର ଅନେକ ଆଶ୍ଚର୍ଯ୍ୟ ସାମଞ୍ଜସ୍ୟ ଅଛି୤ ଖୁବ୍‌ ନିରୀକ୍ଷଣ କରି ଦେଖିଲେ ହୁଏତ ଜାଣି ହବ, ତମେ ସଞ୍ଜୟ ନୁହଁ୤ ତେବେ ଏଥିରେ ତମର କ୍ଷମା ମାଗିବା ବା ଲଜ୍ଜିତ ହେବା କୌଣସି କାରଣ ନାହିଁ ଅଶୋକ, ଏଟା ନିୟତିର ଏକ ନିଷ୍ଠୁର ପରିହାସ୤ ଦିନେ ମୋର ଝିଅ ମଞ୍ଜୁଶ୍ରୀ ସହିତ ସଞ୍ଜୟର ବିବାହ ପ୍ରାୟ ସ୍ଥିର ହୋଇଯାଇଥିଲା୤ କିନ୍ତୁ ତା’ ତ ସମ୍ଭବ ହେଲାନାହିଁ୤ ଭଦ୍ରଲୋକଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା ଓ ସେ ସ୍ଥିର ଚକ୍ଷୁରେ ଟି-ପୟ ର ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁକୁ ଚାହିଁ ବସି ରହିଲେ୤ ମୁଁ ୟା ଭିତରେ କପେ ଚା ତିଆରି କରି ଭଦ୍ରଲୋକଙ୍କ ଆଡ଼କୁ ଆଗେଇଦେଲି୤ ଠିକ୍ ପୂର୍ବପରି ଅନ୍ୟମନସ୍କ ଭାବରେ ଚା’କପ୍କୁ ଓଠ ପାଖକୁ ନଉନଉ ସେ କହିଲେ, ସେ କଥା ତମକୁ କହି ଲାଭ ନାହିଁ୤ ତେବେ ଅନେକ ଦିନପରେ ମୁଁ ମୋର ସ୍ତ୍ରୀଙ୍କୁ କାଲି ରାତିରେ ପ୍ରକୃତରେ ଖୁସି ହବାର ଦେଖିଲି୤ ସେ ତମକୁ ଦେଖି ଭାବୁଛନ୍ତି ତାଙ୍କର ଏକମାତ୍ର ସ୍ବପ୍ନ ସାର୍ଥକ ହେବାକୁ ଯାଉଚି୤ ମୁଁ ତାଙ୍କର ଭୁଲ ଭାଙ୍ଗି ଦେବାକୁ ଚାହେଁନା୤ ଏକ ନିରାପରାଧ ଭ୍ରମ ବିନିମୟରେ ଯଦି ସେ ତାଙ୍କର ଅବଶିଷ୍ଟ ଜୀବନ ଆନନ୍ଦରେ କଟାଇ ପାରନ୍ତି ତାହା ହେଲେ ତା ଠାରୁ ଆଉ ଅଧିକା କ’ଣ ହୋଇପାରେ ! ସେ ଯେପରି ସମସ୍ତ କଥା କେବଳ ମନେମନେ ନିଜକୁ ହିଁ କହୁଥିଲେ୤ ଆଖିରୁ ମୋଟା ଲେନ୍ସର ଚଷମାଟା କାଢ଼ିନେଇ ରୁମାଲରେ ଆଖି ପୋଛୁ ପୋଛୁ ସେ ପୁଣି ଆରମ୍ଭ କଲେ ତମେ ବୟସରେ ମୋ ପୁଅ ପରି ତମକୁ ମୁଁ ଅଶୋକ ବୋଲି, ନା ଭୁଲ କହିଲି ତମକୁ ମୁଁ ସଞ୍ଜୟ ବୋଲି ହିଁ ଡାକିବି୤ କୌଣସି ଅସତର୍କ ମୁହୂର୍ତ୍ତରେ ଧରା ପଡ଼ିଯାଇ ମୁଁ ମୋ ସ୍ତ୍ରୀଙ୍କର ମଧୁର ଭ୍ରମ ଭାଙ୍ଗିବାକୁ ଚାହେଁନା୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଖିଳମୋହନ ପଟ୍ଟନାୟକ
ଅଖିଳମୋହନ ପଟ୍ଟନାୟକ
ଓଡ଼ିଆ କଥା ସାହିତ୍ୟ ଜଗତର ଜଣେ ନିଆରା କଥାକାର ଥିଲେ ଅଖିଳମୋହନ ପଟ୍ଟନାୟକ୤ ୧୯୨୭ ମସିହା ଡିସେମ୍ବର ୧୮ ତାରିଖରେ ଖୋର୍ଦ୍ଧାରେ ଜନ୍ମିତ ଅଖିଳମୋହନ ଥିଲେ ବୃତ୍ତିରେ ଆଇନଜୀବି ଆଉ ପ୍ରବୃତ୍ତିରେ ବିଦଗ୍ଧ ସାହିତ୍ୟ ଶିଳ୍ପୀ୤ ୧୯୮୧ ମସିହାରେ ତାଙ୍କର କ୍ଷୁଦ୍ରଗଳ୍ପ ସଞ୍ଚୟନ “ଓ ଅନ୍ଧଗଳି” ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ୤ ୧୯୮୨ ମସିହା ନଭେମ୍ବର ୨୯ ତାରିଖ ଦିନ ଏହି ମହାନ କଥାଶିଳ୍ପୀଙ୍କର ପରଲୋକପ୍ରାପ୍ତି ଘଟିଥିଲା୤
ଅଖିଳମୋହନ ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ସରୋଜ ସାହୁ |  ଅଗଷ୍ଟ୍ ୧୮, ୨୦୧୨ - ୭:୧୧ ପୂର୍ବାହ୍ନ

    ଅଖିଳମୋହନ ପଟ୍ଟନାୟକଙ୍କ ଲେଖା ପଢିବାର ସୁଯୋଗ ପାଇଥିବାରୁ ଆପଣଙ୍କୁ ଧନ୍ୟବାଦ ୤

  • ୨. dilipkumar acharya |  ନଭେମ୍ବର୍ ୨୩, ୨୦୧୨ - ୨:୦୦ ପୂର୍ବାହ୍ନ

    ଅଖିଳମୋହନ ପଟ୍ଟନାୟକଙ୍କ ଲେଖା ପଢିବାର ସୁଯୋଗ ପାଇଥିବାରୁ ଆପଣଙ୍କୁ ଧନ୍ୟବାଦ ୤

  • ୩. ଘନଶ୍ୟାମ ସାହୁ, ଓଡ଼ିଶା |  ଜୁନ୍ ୧୯, ୨୦୧୮ - ୧୧:୨୧ ଅପରାହ୍ନ

    ଏଇ ଗଳ୍ପ ସ୍କୁଲ ସମୟରେ ପଢ଼ିଥିଲି ।ଭାରି ଭଲ ଗଳ୍ପ। ଇଣ୍ଟରନେଟରେ ପୁଣି ପଢିଥିବାରୁ ଖୁସି ଲାଗିଲା।ମୋ ଜୀବନରେ ବି ଏମିତି ଘଟଣା ଘଟିଛି। ଧନ୍ୟବାଦ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤