ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଡ.ହରେକୃଷ୍ଣ ମହତାବ
ଅମିୟବାଳା ପଟ୍ଟନାୟକ
ଡକ୍ଟର ମାୟାଧର ମାନସିଂହ
ଦୟାନିଧି ମିଶ୍ର
ଅଚ୍ୟୁତାନନ୍ଦ କର
ଗୋପୀନାଥ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଡିମିରି ଫୁଲ
 |- ଅଖିଳମୋହନ ପଟ୍ଟନାୟକ
 
 
ତା: ଅଗଷ୍ଟ୍ ୧୭, ୨୦୧୨  
 

ଭଦ୍ର ମହିଳା ମୋତେ ପ୍ରଥମରୁ ହିଁ ସଞ୍ଜୟ ବୋଲି ଧରିନେଇଥିଲେ ମୋର ସେଥିରେ ପ୍ରତିବାଦ କରିବାକୁ ମଧ୍ୟ ସାହାସ ନଥିଲା୤
ଘଟଣାଟା ପ୍ରଥମରୁ କୁହେ୤

ମୁଁ ଆଲ୍ଲାହାବାଦ୍ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର୤ ପୂଜାଛୁଟିରେ ବୁଲି ଯାଇଥିଲି ଗୌହାଟି୤ ସେଇଟା ବୋଧହୁଏ ସହରର ଏକ ଆଭିଜାତ୍ୟ ସମ୍ପନ୍ନ ପଡ଼ା ହେବ୤ କାରଣ ପ୍ରାୟ ଏକ ପ୍ରକାରର ସୁନ୍ଦର ଘରସବୁ ଧାଡ଼ିବାନ୍ଧି ରାସ୍ତାରେ ଠିଆ ହୋଇଛନ୍ତି୤ ଏ ନୂଆ ଘରଗୁଡ଼ିକ ଯେ ଆଧୁନିକ ରୁଚିସମ୍ପନ୍ନ ଏଥିରେ କୌଣସି ସନ୍ଦେହ ନାହିଁ୤ କିନ୍ତୁ ବେଳେବେଳେ ଏମାନଙ୍କର ଏକ ପ୍ରକାର ଗଠନ ପ୍ରଣାଳୀ ଦର୍ଶକ ମନରେ କ୍ଲାନ୍ତି ଆଣିଦିଏ୤ ମନେ ହୁଏ ଏମାନେ ଯେମିତି ରାତାରାତି ବଜାରରେ ବିକ୍ରୀ ହେଥିବା କୌଣସି ପ୍ରାସାଦଶୈଳୀ ବହି ଭିତରୁ ଓହ୍ଲେଇଆସି ଏଇ ରାସ୍ତା କଡ଼ରେ ସ୍ଥାବର ହୋଇଯାଇଛନ୍ତି୤ ଘର କହିଲେ ଯେଉଁ ସ୍ବତନ୍ତ୍ର କଥାଟା ମନକୁ ଆସେ ତାହା ଯେପରି ଏଇ ଅତିକାୟ ପ୍ରାସାଦଗୁଡ଼ିକରେ ଏକାନ୍ତ ଅଭାବ୤ ସେ ଘରର ଅଧିବାସୀମାନଙ୍କ ସହିତ ମୋର ପରିଚୟ ନଥିବା କଥା୤ ତେବେ ଘର କଥାଟା ମୋଟେ ମୁଖ୍ୟ କଥା ନୁହଁ୤ ମୁଁ ମୋର ମୂଳ କଥାକୁ ଫେରିଆସେ୤ ମୁଁ ରହୁଥାଏ ଏଇ ପଡ଼ାର ଗୋଟିଏ ହୋଟେଲ୍‌ରେ୤ ଏକ ପ୍ରାୟଆସନ୍ନ ସନ୍ଧ୍ୟାରେ ମୁଁ ପାଦ ଗଣି ଗଣି ସେଇ ରାସ୍ତାରେ ହୋଟେଲକୁ ଫେରୁଛି୤ ଅକସ୍ମାତ ଆକାଶର ଉତ୍ତର କୋଣରୁ ମେଘ ଘୋଟିଆସିଲା ଓ ପ୍ରବଳ ବେଗରେ ପବନ ବହିବାରୁ ମନେହେଲା ଆଉ ଅଳ୍ପ ବାଟ ମଧ୍ୟ ଅଗ୍ରସର ହେବା ସମ୍ଭବ ନୁହଁ୤ ଅଗତ୍ୟା ରାସ୍ତା କଡ଼ର ନିକଟତମ ଘରଆଡ଼କୁ ଆଶ୍ରୟ ପାଇଁ ମୁଁ ପ୍ରାୟ ଦୌଡ଼ିବାକୁ ଆରମ୍ଭ କଲି୤

ସାଧାରଣ ସମୟ ହୋଇଥିଲେ ଫାଟକ ଖୋଲିବା ଆଗରୁ ଦରୱାନ ବା ଆଲ୍‌ସେସିଆନ କୁକୁରଜନିତ ଯେଉଁ ସ୍ବାଭାବିକ ସଙ୍କୋଚ ବା ଭୟ ଆସିଥାନ୍ତା, ଆସନ୍ନ ବର୍ଷାର ବୃହତ୍ତର ଆଶଙ୍କାରେ ସେ ସମସ୍ତ କଥା ମୁହୂର୍ତ୍ତକ ପାଇଁ ମଧ୍ୟ ମନକୁ ଆସିଲା ନାହିଁ୤ ଫାଟକ ଖୋଲି, ସମ୍ପୂର୍ଣ୍ଣ ଓଦା ହୋଇଯିବା ପୂର୍ବରୁ ଘରର ବାରଣ୍ଡା ଉପରକୁ ଉଠିଯାଇ ସାମାନ୍ୟ ଆଶ୍ବସ୍ତି ଅନୁଭବ କଲି୤ ଘରର ବାରଣ୍ଡାଟି ଏକ ଲୋଭନୀୟ ରୁଚିରେ ସଜାଯାଇଛି୤ ମସୃଣ ପ୍ରଶସ୍ତ ମୋଜାଇକ୍‌ର ମେଜିଆ ଉପରେ ଚାରିଖଣ୍ଡ ବେତବୁଣା ବାସ୍କେଟ ଚଉକି୤ କାନ୍ଥରେ ପାଲିସ୍‌ କରା ଶାଗୁଆନ କାଠର ନାମଫଳକ ତଳକୁ ଛୋଟ ଗୋଟିଏ ଚିଠି ବାକ୍ସ୤ ଦକ୍ଷିଣ ପଟର ସିମିଟ୍ଜାଲି ଉପରେ ଘଞ୍ଚ ରାଧାତମାଳ ଲଟେଇ ପଡ଼ିଚି୤ କିଛି ପୋର୍ସିଲେନ୍‌ର କୁଣ୍ଡରେ ଛୋଟଛୋଟ କେତୋଟି ଦୁଷ୍ପ୍ରାପ୍ୟ କାକ୍ଟସ୍‌୤ ବାହାରେ ବର୍ଷାର ତାଣ୍ଡବ ଚାଲିଛି ଅବିରାମ ଓ ମଝିରେ ମଝିରେ ବିଜୁଳି ଆକାଶକୁ ଦୁଇ ଭାଗ କରୁଛି୤ କିନ୍ତୁ ଆଶ୍ଚର୍ଯ୍ୟ ! ଏତେ ବଡ଼ ଘରଟାରେ କେହି ଲୋକ ଥିଲା ପରି ମନେ ହେଉନାହିଁ୤ ଏଇ ପରିସ୍ଥିତିରେ ରେଡ଼ିଓ ବା କାଚ ବାସନର ଶବ୍ଦ ଶୁଣାଯିବା ସଙ୍ଗତ ନହେଲେ ମଧ୍ୟ ଘରର କବାଟ ଓ ଝରକା ବନ୍ଦ କରାଯିବା ପାଇଁ ତତ୍ପରତା ଦେଖାଯିବା ଉଚିତ୍୤ କିନ୍ତୁ କିଛି ହେଲେ ଶବ୍ଦ ତ ଶୁଣିବାକୁ ମିଳୁନି୤ ଉତ୍ତାଳ ପବନରେ ସଦର ଦର୍ଜାର ଝୀନ ପର୍ଦ୍ଦାକନା ଗୋଡ଼ ହାତ ଲମ୍ବେଇ ଚିତ୍ହୋଇ ଆନନ୍ଦରେ ଉଡ଼ୁଚି ଏବଂ ତା’ ଭିତରେ ଦେଇ ଦେଖି ହଉଚି ଯେ ଡ୍ରଇଂରୁମ୍‌ର କିଛି ପତ୍ରପତ୍ରିକା ମଧ୍ୟ ଘର ଭିତରେ ଉଡ଼ିବୁଲୁଛନ୍ତି୤ ଯେକେହି ଲୋକ ଶବ୍ଦ ଶୁଣି ମନେକରନ୍ତା ସେ ଘର ଭିତରେ ଯେପରି ଅନେକଗୁଡ଼ିଏ ପାରା ବାହାରକୁ ବାହାରିବାର ନିଷ୍ଫଳ ଚେଷ୍ଟାରେ ଡେଣା ପିଟୁଛନ୍ତି୤ ନାଚଖାନାର ଆଡ୍ଡାରୁ ଶୁଣାଯାଉଥିବା ବିଭିନ୍ନ ଯନ୍ତ୍ରସଙ୍ଗୀତର ଉଚ୍ଛୃଙ୍ଖଳ ଐକ୍ୟତାନ ପରି ବର୍ଷା ଝରିଚାଲିଛି୤ ଦୂରର ଲାଇଟ୍‌ପୋଷ୍ଟ ପାଖରେ ସ୍ପଷ୍ଟ ଦେଖିହଉଛି କେମିତି ଗୋଟିଏ ଗୋଟିଏ ଜଳବିନ୍ଦୁ ତଳର ପାଣି ଉପରେ ବର୍ଷାର ଉଜ୍ଜ୍ବଳଫଳକ ପରି ବିଦ୍ଧ ହୋଇ ମୁହୂର୍ତ୍ତରେ ରୂପାର ଗୁଣ୍ଡ ବିଛୁରିତ ହୋଇ ପଡ଼ୁଛନ୍ତି୤

ଖୁବ୍‌ ଦ୍ରୂତଗତିରେ ଗୋଟାଏ ଅତିଦୀର୍ଘ କୃଷ୍ଣକାୟ ଗାଡ଼ି ପୋର୍ଟିକୋ ତଳକୁ ପଶି ଆସି ବ୍ରେକ୍‌ ଦେଲା୤ ଗାଡ଼ି ପୋର୍ଟିକୋ ତଳେ ନିଶ୍ଚଳ ହୋଯିବା ପରେ ମଧ୍ୟ ତା’ ସାମ୍ନାର ଉଜ୍ଜ୍ବଳ ଆଲୁଅ ଦୁଇଟା ତଥାପି ଜଳୁଥିଲା ଓ ସେଇ ଆଲୁଅ ମୋ ଉପରେ ପଡ଼ି ମୋର ସମସ୍ତ ବ୍ୟକ୍ତିତ୍ବକୁ ଲାଞ୍ଛିତ କରୁଥିଲା ପ୍ରତି ମୁହୂର୍ତ୍ତରେ୤ ମୋର ମନେ ହେଲା ମୁଁ ଯେପରି ଜଙ୍ଗଲରେ ପଥଭ୍ରଷ୍ଟ ହୋଇଥିବା ସେଇ କଟୁଆଳ ପୁତ୍ର ଯିଏ ଏକ ନିଶ୍ଚିତ ଆଶ୍ରୟର ସନ୍ଧାନରେ ପ୍ରତାରିତ ହୋଇ ଦୈତ୍ୟର ଗୁମ୍ଫାରେ ଆଶ୍ରୟ ନେଇଛି୤ ଆଲୁଅ ଲିଭିଗଲା ଓ ଅନ୍ଧକାର ମୁଖ ବ୍ୟାଦାନ କରି ସମଗ୍ର ପରିବେଶଟିକୁ ମୁହୂର୍ତ୍ତକ ମଧ୍ୟରେ ଗିଳି ନେଲା୤ ଗାଡ଼ି ଭିତରୁ ଗୋଟିଏ ଉତ୍କଣ୍ଠିତା ନାରୀକଣ୍ଠ ବେଶ ଜୋରରେ କହି ଉଠିଲା- ଆରେ ! ତମେ ସଞ୍ଜୟ ଏବଂ ତା’ପରେ ଯେଉଁ ନାରୀ ଗାଡ଼ିରୁ ଓହ୍ଲେଇ ଆସି ଏକ ମଧୁର ଉଷ୍ଣ ଆକର୍ଷଣରେ ମତେ ଘର ଭିତରକୁ ନେଇଗଲେ, ତାଙ୍କୁ ମୁଁ ଆଲୁଅରେ ପ୍ରଥମଥର ପାଇଁ ଦେଖିଲି୤ ଭଦ୍ର ମହିଳାଙ୍କର ବୟସ ପ୍ରାୟ ଚାଳିଶ ପାଖାପାଖି କିନ୍ତୁ ତାଙ୍କର ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଅତୁଟ ରଖିବାକୁ ଯେ ସେ ଖୁବ୍‌ ଯତ୍ନବାନ ଏଥିରେ ସନ୍ଦେହର ଅବକାଶ ନାହିଁ୤ ଆଲୋକରେ ଆମେ ଦୁହେଁ ପରସ୍ପରକୁ ଚାହିଁରହିଚୁ ଅଥଚ କାହାମୁହଁରେ କଥା ନାହିଁ୤ କିନ୍ତୁ ସେ ଯେ ମତେ ସଞ୍ଚୟ ବୋଲି ଭାବି ଭୁଲ କରୁଛନ୍ତି ଏଇକଥାଟା ମୁଁ କେମିତି କହିବି ? ସେହି କଥା ହିଁ ମୁଁ ଚିନ୍ତା କରୁଚି ମନେମନେ ଏବଂ ଠିକ୍ ଏଇ ମସୟରେ ମୋ କଥାକୁ ଅପେକ୍ଷା ନରଖି ଆରମ୍ଭ କଲେ ଭଦ୍ରମହିଳା- ‘ତମେ ଏତେ ଟିକିଏ ବି ବଦଳି ନାହିଁ ସଞ୍ଜୟ୤ ସେବେ ତମକୁ ଯେମିତି ଦେଖିଥିଲି ତମେ ଠିକ୍‌ ସେମିତି ଅଛ… ତାପରେ ପୂଝାରୀକୁ ଡାକି କଫି ପାଇଁ ବରାଦ ଦିଆଗଲା- ମୁଁ ଠିକ୍‌ ମନେ ରଖିଚି, ତମେ ଚା’ ଖାଅ ନାହିଁ୤ ବାପା, ମା’ମାନେ ପିଲାମାନଙ୍କ କଥା ସବୁ ଠିକ୍ଠିକ୍‌ ମନେ ରଖନ୍ତି୤ କିନ୍ତୁ ତମେ କହିଲ ଦେଖି ସଞ୍ଜୟ ମୁଁ ଚା’ରେ କେତେ ଚାମଚ ଚିନି ଖାଏ ?

ଏକ ନିଶ୍ଚିତ ଭୁଲ ଉତ୍ତର ଦେବା ଅପେକ୍ଷା ନୀରବ ରହିବା ଉଚିତ୍‌ ମନେ କଲି୤ କିନ୍ତୁ ଏଇ ଅଳ୍ପ ସମୟ ଭିତରେ ଭଦ୍ରମହିଳାଙ୍କର ଆଖି ଦୁଇଟାକୁ ଏକ ସୁଦୂରପ୍ରସାରୀ ଉଦାସୀନତା ଗ୍ରାସ କରି ବସିଚି୤ ସେ କାଉଚ୍‌ ଉପରେ ସାମାନ୍ୟ ଆଉଜିପଡ଼ି କହିଲେ, ମୁଁ ଜାଣେ ସଞ୍ଜୟ ତମର ବୟସରେ ଆମମାନଙ୍କ କଥା ମନେ ରଖିବା ଖୁବ୍ ସ୍ବାଭାବିକ ନୁହେଁ, କିନ୍ତୁ ଏହି ମଞ୍ଜୁ କଥା ଦେଖ, ସେ ଏମିତି କ’ଣ ବା ରିସର୍ଚ୍ଚ କରୁଛି୤ ଏଇ ଚାରି ପାଞ୍ଚ ବର୍ଷ ଭିତରେ ଥରେ ଆସି ଆମମାନଙ୍କୁ ଦେଖିଯିବାକୁ ତା’ର କ’ଣ ସମୟ ହେଉନାହିଁ ? ଏଇ ତମେ ତ ଆସିଲ ! ତା’ର ବାପା ମତେ କହୁଥିଲେ, ସେ ତା’ ପାଇଁ ପ୍ଲେନ୍ଟିକେଟ ପଠେଇ ଦେଇଛନ୍ତି୤ କିନ୍ତୁ କାଇଁ ଛୁଟି ତ ଆରମ୍ଭ ହୋଇ ସରିବାକୁ ବସିଲା- ଆସିଲା ନାହିଁ ତ ?

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଖିଳମୋହନ ପଟ୍ଟନାୟକ
ଅଖିଳମୋହନ ପଟ୍ଟନାୟକ
ଓଡ଼ିଆ କଥା ସାହିତ୍ୟ ଜଗତର ଜଣେ ନିଆରା କଥାକାର ଥିଲେ ଅଖିଳମୋହନ ପଟ୍ଟନାୟକ୤ ୧୯୨୭ ମସିହା ଡିସେମ୍ବର ୧୮ ତାରିଖରେ ଖୋର୍ଦ୍ଧାରେ ଜନ୍ମିତ ଅଖିଳମୋହନ ଥିଲେ ବୃତ୍ତିରେ ଆଇନଜୀବି ଆଉ ପ୍ରବୃତ୍ତିରେ ବିଦଗ୍ଧ ସାହିତ୍ୟ ଶିଳ୍ପୀ୤ ୧୯୮୧ ମସିହାରେ ତାଙ୍କର କ୍ଷୁଦ୍ରଗଳ୍ପ ସଞ୍ଚୟନ “ଓ ଅନ୍ଧଗଳି” ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ୤ ୧୯୮୨ ମସିହା ନଭେମ୍ବର ୨୯ ତାରିଖ ଦିନ ଏହି ମହାନ କଥାଶିଳ୍ପୀଙ୍କର ପରଲୋକପ୍ରାପ୍ତି ଘଟିଥିଲା୤
ଅଖିଳମୋହନ ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ସରୋଜ ସାହୁ |  ଅଗଷ୍ଟ୍ ୧୮, ୨୦୧୨ - ୭:୧୧ ପୂର୍ବାହ୍ନ

    ଅଖିଳମୋହନ ପଟ୍ଟନାୟକଙ୍କ ଲେଖା ପଢିବାର ସୁଯୋଗ ପାଇଥିବାରୁ ଆପଣଙ୍କୁ ଧନ୍ୟବାଦ ୤

  • ୨. dilipkumar acharya |  ନଭେମ୍ବର୍ ୨୩, ୨୦୧୨ - ୨:୦୦ ପୂର୍ବାହ୍ନ

    ଅଖିଳମୋହନ ପଟ୍ଟନାୟକଙ୍କ ଲେଖା ପଢିବାର ସୁଯୋଗ ପାଇଥିବାରୁ ଆପଣଙ୍କୁ ଧନ୍ୟବାଦ ୤

  • ୩. ଘନଶ୍ୟାମ ସାହୁ, ଓଡ଼ିଶା |  ଜୁନ୍ ୧୯, ୨୦୧୮ - ୧୧:୨୧ ଅପରାହ୍ନ

    ଏଇ ଗଳ୍ପ ସ୍କୁଲ ସମୟରେ ପଢ଼ିଥିଲି ।ଭାରି ଭଲ ଗଳ୍ପ। ଇଣ୍ଟରନେଟରେ ପୁଣି ପଢିଥିବାରୁ ଖୁସି ଲାଗିଲା।ମୋ ଜୀବନରେ ବି ଏମିତି ଘଟଣା ଘଟିଛି। ଧନ୍ୟବାଦ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤