ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ରାଧାନାଥ ରାୟ
ଉତ୍କଳମଣି ଗୋପବନ୍ଧୁ ଦାସ
ତ୍ରିନାଥ ସିଂହ
ରମେଶ ଚନ୍ଦ୍ର ଦାସ
ବାମାଚରଣ ମିତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦେବୀ
 |- ଶ୍ରଦ୍ଧାକର ସୂପକାର
 
 
ତା: ଅକ୍ଟୋବର୍ ୨୬, ୨୦୧୩  
 

ହସ୍ପିଟାଲ୍‌ ନିଃଶବ୍ଦ ପ୍ରାୟ୤ ରୋଗୀମାନଙ୍କ ମଧ୍ୟରୁ କିଏ ଶୋଇ ଘୁଙ୍ଗୁଡ଼ି ମାରୁଛି ତ କିଏ ଛାତରେ ଝୁଲୁଥିବା ବିଜୁଳି ପଙ୍ଖାକୁ ଶୂନ୍ୟ ଦୃଷ୍ଟିରେ ଚାହିଁଛି୤ ହସ୍ପିଟାଲ୍‌ର ଚାରିଆଡ଼େ ଆଖି ବୁଲାଇ ଆଣିଲା ମଦନ୤ ତାହାରି ପରି କେତେ ହତଭାଗ୍ୟ ରୋଗୀ ଯନ୍ତ୍ରଣାମୟ ଜୀବନରେ ଟିକିଏ ସ୍ବସ୍ତିର ନିଦ ଭୋଗୁଛନ୍ତି୤ କେହି କେହି ହୁଏତ ସୁଖର ସ୍ବପ୍ନ ଦେଖୁଥିବେ୤ ତା’ର ଡାହାଣ ପାଖ ଖଟରେ ଶୋଇ ଘୁଙ୍ଗୁଡ଼ି ମାରୁଛି ରାମଚନ୍ଦ୍ରନ୍‌୤ ତାହାରି ପରି ଜଣେ ସୁପର୍‌ଭାଇଜର୍‌୤ ଭଙ୍ଗା ଭଙ୍ଗା ହିନ୍ଦୀରେ କେତେଥର ସୁଦୂର ତାମିଲ ଦେଶରେ ଥିବା ନିଜର ସ୍ତ୍ରୀ ଛନ୍ଦ୍ରାମ୍ମାର କଥା କହୁଛି୤ ଏବେ ହୁଏତ ରାମଚନ୍ଦ୍ରନ୍‌ ସ୍ବପ୍ନରେ ମାନ୍ଦ୍ରାଜ ପାଖରେ କେଉଁ ପଲ୍ଲୀରେ ସ୍ତ୍ରୀ ପାଖକୁ ଯାଇଥିବ୤ ମଦନ ଦେଖିଲା ତା’ର ଖଟ ପାଖରେ ତଳେ ଗୋଟିଏ ମସିଣାରେ ଶୋଇପଡ଼ିଛନ୍ତି, ସୀତା ଓ ପୁଅ ଅମର୤ ଜାଲିଚଟୁ ପରି ବସନ୍ତଚିହ୍ନ ଭରା ସୀତାର ମୁହଁଟି ନିଦରେ ଉଜ୍ଜ୍ବଳ ଓ ଚିତ୍ତାକର୍ଷକ ଦେଖାଯାଉଛି୤ ଗାଲରେ ଏବେ ସୁଦ୍ଧା ଲୁହଧାର ଶୁଖିଥିବାର ଚିହ୍ନ ଦେଖାଯାଉଛି୤ ତା’ର ଉନ୍ନତ ଛାତି ପାଖରେ ମୁହଁ ଗୁଞ୍ଜି ମଦନ ଆଡ଼କୁ ପଛକରି ଶୋଇଛି ଅମର୤ ସୀତା ପିନ୍ଧିଥିବା ଶସ୍ତା ସମ୍ବଲପୁରୀ ଶାଢ଼ୀଟି ଗୋଟିଏ ଦୁଇଟି ଜାଗାରେ ଚିରିଗଲାଣି୤ ଦେହଟି ପ୍ରାୟ ନିରାଭରଣ ପାଦ ଆଙ୍ଗୁଠିରେ ଝୁଣ୍ଟିଆ ଛଡ଼ା୤ ମଦନର ମନରେ କରୁଣା ଓ କାମନା ଏକ ସଙ୍ଗରେ ଜାତ ହେଲା୤ ଅତୀତର କେତେ ସ୍ମୃତି ଆଜି ତା’ର ପୁରୁଷକାରକୁ ଧିକ୍କାର କଲା୤

ତା’ର ମନେପଡ଼ିଲା ପ୍ରାୟ ଦୁଇବର୍ଷ ତଳର କଥା, ଯେତେବେଳେ କି ସୀତା ବସନ୍ତ ରୋଗରେ ପୀଡ଼ିତ ହୋଇ ପଡ଼ିଲା୤ ସେହିଦିନୁ ଆରମ୍ଭ ହେଲା ସୀତାର ଦୁର୍ଭାଗ୍ୟର ଦିନ୤ ସୀତାର ରୋଗ ସମୟରେ ସେ ବରାବର ତା’ଠାରୁ ଦୂରରେ ରହିଥିଲା ଏବଂ ତା’ର ଦେହ ଓ ମୁହଁର ବିକୃତି ଯୋଗୁଁ ସୀତକୁ ଘୃଣା ଚକ୍ଷୁରେ ଦେଖିବାକୁ ଆରମ୍ଭ କଲା୤ ସେତେବେଳେ ମଦନ ଜାଣିଥିଲା ସୀତା ଆହୁରି ଭବିଷ୍ୟତରେ ତା’ର ଭାବି ସନ୍ତାନର ମାତା ହେବ୤ ତଥାପି ସେ ତାକୁ ଅବଜ୍ଞା ଓ ତିରସ୍କାର କରିବାକୁ ଆରମ୍ଭ କରିଥିଲା ସେଇଦିନରୁ୤ ସେଇଦିନରୁ ତା’ର ପତ୍ନୀପ୍ରେମ କମିଗଲା୤ ସେଇଦିନଠାରୁ ଆରୋଗ୍ୟ ହେଲା ପରେ ସୁଦ୍ଧା ସୀତା କେତେ ତିରସ୍କାର, କେତେ ଅପମାନ ନିରବରେ ସହିବାକୁ ବାଧ୍ୟ ହେଲା୤ ‘ହଁ, ଜାଲିଚଟୁ ମୁହିଁ’ ବୋଲି ତିକ୍ତ ସମ୍ଭାଷଣ ସେହିଦିନଠାରୁ ଶୁଣି ସୀତା ବ୍ୟଥିତା ହୋଇଥିଲା୤ ସେ ସମୟରେ ବସନ୍ତ ରୋଗ ଯଦି ସୀତାକୁ ନ ହୋଇ ମଦନକୁ ହୋଇଥା’ନ୍ତା ତେବେ ସୀତା ହୁଏତ କେତେ ଆଦର ସହିତ ତାକୁ ସେବା ଶୁଶ୍ରୂଷା କରିଥା’ନ୍ତା୤ ଏମିତି ସବୁବେଳେ ଛାଇ ପରି ହୁଏତ ତାକୁ ଜଗିଥା’ନ୍ତା୤ କିନ୍ତୁ ସୀତା ସେ ସମୟରେ ନିଜର ଦୁର୍ଭାଗ୍ୟ ଯୋଗୁଁ ମଦନଠାରୁ କେତେ ଅନାଦର ପାଇଛି୤

ତା’ପରେ ମଦନର ମନେପଡ଼ିଲା, ସୀତା ଆରୋଗ୍ୟ ଲାଭ କଲା ପରେ କେତେ ଦୁର୍ବଳ ହୋଇପଡ଼ିଥିଲା, କେତେ ଅସହାୟ ହୋଇପଡ଼ିଥିଲା୤ ଆଉ ସେହି ଦୁର୍ବଳ, ଅସହାୟ ଅବସ୍ଥାରେ କିପରି ମଦନ ତାକୁ ଘରୁ ତଡ଼ି ଦେଇଥିଲା କହିଲେ ଚଳେ୤ ମନେପଡ଼ିଲା, ସେହି ସମୟର ଗୋଟିଏ ରାତିର କଥା ଯେତେବେଳେ ମଦନ ତାକୁ କହିଥିଲା, ‘‘ତୋର ଦିହ ତ ଇନେ (ଏଠାରେ) ବଡ଼ା ଅସୁଖ୍ ହେଉଛେ୤ କିଛିଦିନ, ବାପଘରେ ଯାଇ ରହିଆସ୍‌ ତୁ (ଆସନ୍ତୁ) ବଏଲେ (ବୋଇଲେ) ଭଲ ହେତା (ହୁଅନ୍ତା)୤ ହାୱାପାନି ବଦଲି ହେଲେ ତୋର୍ ଦିହ ଭଲ୍ ହୋଇଯିବା୤’’

ସେତେବେଳେ ସୀତା କହିଥିଲା, ‘‘ମୁହିଁ ବାପ୍ ଘର୍‌କେ ଗଲେ ତୁମ୍‌କେ ରାନ୍ଧିବାଢ଼ି ପରଷିବା କିଏ? ତୁମର କେତେ ଅସୁବିଧା ହେବା?’’

ମଦନ କହିଥିଲା, ‘‘କିଛି ଅସୁବିଧା ନାଇଁ ହୁଏ୤ ଘରେ ମାଆ ଅଛନ୍୤ ତୁଇ ଯାଆ, ମାଆଘରେ ଚାର୍ ଛ ମାସ୍‌ ରହିକରି ଆସ୍‌ବୁ୤ ସେନ୍‌କେ ଗଲେ ଏତେ ଦହଶତ୍‌ (ପରିଶ୍ରମ) ହେବାକେ ନାଇଁ ପଡ଼େ, ଆଉ ତୋର୍‌ ଦିହି ଭି ଭଲ୍‌ ହୋଇଯିବା୤’’

ସୀତା ଅଭିମାନ ସ୍ବରରେ କହିଥିଲା, ‘‘କଥା ଅଛେ ‘ନୂଆଁ ନୂଆଁ ସୀତା କଏଁ ତା, ଜୁହ୍ନା ହେଲେ ପିତା’’, ନୂଆଁ ହେଇ କରି ଯେତେବେଳେ ତୁମର୍‌ ଘର୍‌କେ ଆସିଥିଲି, ସେତେବେଳେ କେତେ ଆଦର୍‌ କେତେ ଗେଲ୍‌ କରୁଥିଲ୤ ଏଭେ ସୀତାକେ ବନ୍‌ବାସ୍‌ ପଠାବାକେ ମନ୍‌ ହେଉଛେ ତୁମର୍‌?’’

‘‘ବାପ୍‌ ଘର୍‌ଟା କାଣା ବନ୍‌ବାସ୍‌ ? ତୁମର୍‌ ବିନା ଯାହିଁ ଗଲେ ମୋର୍‌ ଲେଖେଁ (ମୋ ପକ୍ଷରେ) ବନ୍‌ବାସ୍‌; ହଉ, ସୀତା-ଠାକୁରାଣୀ ସେତେବେଳେ ବନ୍‌ବାସ୍‌ ଗଲେ, ସେ ତ ବାପ୍‌ ଘରକେ ଯାଇଥିଲେ୤’’

ସୀତାର ଅନିଚ୍ଛା ସତ୍ତ୍ବେ କିପରି ମଦନ ତାକୁ ବାପଘରକୁ ପଠାଇ ଦେଇଥିଲା, ଆଜି ସେହିକଥା ଶତ ଶତ ବୃଶ୍ଚିକ ଦଂଶନର ଜ୍ବାଳା ପରି ତା’ର ମର୍ମେ ମର୍ମେ ଜ୍ବାଳା ଲଗାଇ ଦେଉଥାଏ, ପୁଅଜନ୍ମ ହେଲା ପରେ ମଧ୍ୟ ସେ ଆଉ ଶ୍ବଶୁର ଘରକୁ ଯାଇନାହିଁ ପୁଅକୁ ଦେଖିବାକୁ୤ ଏଠି ହାସ୍‌ପାତାଳ୍‌ରେ ଜନ୍ମର ଦେଢ଼ବର୍ଷ ପରେ ସେ ପୁଅର ମୁହଁ ପ୍ରଥମ କରି ଦେଖିଛି୤ ଅଥଚ ଶିଶୁର କେଉଁ ଅପରାଧ ? ସୀତାର କେତେ ମିନତିଭରା ଚିଠି ପାଇଛି ସେ ପୁଅକୁ ଦେଖି ଯିବାକୁ, ପୁଅ ଓ ସୀତାଙ୍କୁ ବୁର୍ଲାକୁ ଫେରାଇ ଆଣି ନିଜ ପାଖରେ ରଖିବାକୁ; କିନ୍ତୁ ସେ ଶ୍ବଶୁର ଘରକୁ ଯିବା ତ ଦୂରର କଥା, ସୀତା ଚିଠିର କୌଣସି ଜବାବ ସୁଦ୍ଧା ଦେଇ ନାହିଁ୤ ସୀତାର କେଉଁ ଅପରାଧ ଯୋଗୁଁ ସେ ଏପରି ଅମାନୁଷିକ ବ୍ୟବହାର କରିଛି? ଭାର୍ଯ୍ୟା ପ୍ରତି ସ୍ବାମୀର ଯେଉଁ କର୍ତ୍ତବ୍ୟ, ପ୍ରେମ, ଅଦର କରିବା ଦୂରେ ଥାଉ ପ୍ରାଥମିକ କର୍ତ୍ତବ୍ୟ ଭରଣପୋଷଣ କରିବା ଦୂରେ ଥାଉ, ମୁହଁ ଚାହିଁବାକୁ ସୁଦ୍ଧା ସେ କୁଣ୍ଠାବୋଧ କରିଛି୤ କେଉଁ କାରଣରୁ? ବସନ୍ତ ରୋଗରେ ସୀତାର ମୁହଁର ସୌନ୍ଦର୍ଯ୍ୟ କମି ଯିବାଟା କ’ଣ ତା’ ପକ୍ଷରେ ଗୁରୁତର ଅପରାଧ? ଏହି ପ୍ରଶ୍ନ ଆଜି ମଦନର ବିବେକ ମଦନକୁ ପଚାରୁଥିଲା୤

ମଦନ ସୀତାର ମୁହଁକୁ ନିର୍ନିମେଷ ଦୃଷ୍ଟିରେ ଚାହିଁଥାଏ୤ ଦିନଥିଲା ଯେତେବେଳେ ଏହି ମୁହଁ ତାକୁ ପ୍ରଲୁବ୍ଧ, ପିପାସାର୍ତ୍ତ କରୁଥିଲା୤ ଆଜି ସୁଦ୍ଧା ସେହି ଗୋଲ, ଡଉଲ ମୁହଁ, ସେହି ଧାର ନାକ, ସେହି ଛୋଟ କପାଳ ଅତୀତର ସୁନେଲି ଦିନମାନଙ୍କୁ ମନେ ପକାଇ ଦେଉଛି୤ ପ୍ରସାଧନ ଅଭାବରୁ ମୁଣ୍ଡର ବାଳ ଅଯତ୍ନ ବିନ୍ୟସ୍ତ କପାଳରେ ସିନ୍ଦୂର ଟିକା ଅନୁଜ୍ଜ୍ବଳ ହେଲେ ମଧ୍ୟ, ଆଜି ବହୁ ଦିନର ବ୍ୟବଧାନ ଓ ବିରହ ପରେ ସୀତା ମୁହଁ, ଦେହ ଯେପରି ଅଜ୍ଞାତରେ ମଦନକୁ ଆକର୍ଷଣ କରୁଛି୤ ସମୁଦ୍ର ବେଳାର ନିୟମିତ ମୃଦୁ ଆଲୋଡ଼ନ ପରି ସୁଷୁପ୍ତା ସୀତାର ନିୟମିତ ନିଃଶ୍ବାସ ପ୍ରଶ୍ବାସ ତା’ର ମୁହଁ ଦେହରେ ଏକ ଅନବଦ୍ୟ ତାଳଭରା ବିଧୂନନ ଜଗାଇ ମଦନକୁ ଭାଷାହୀନ ପ୍ରେମ ସମ୍ଭାଷଣ ପରି ଜଣାଯାଉଥାଏ୤ ମଦନର ଆଖି ଦୁଇଟିର ରସାୟନ ଶକ୍ତି ଯେପରି ସୀତା ପ୍ରତି ଗଲା ଦୁଇ ବର୍ଷର ଘୃଣା ଓ ଉପେକ୍ଷାକୁ ହଠାତ୍‌ କରୁଣା ଓ ବାସନାରେ ପରିଣତ କରିଛି୤ ମଦନ ଚାହୁଁଥିଲା ତା’ର ଯଦି ଶକ୍ତି ଥାଆନ୍ତା ତେବେ ସେ ଏହିକ୍ଷଣି ରୋଗଶଯ୍ୟାରୁ ଉଠି, ସୀତାକୁ ଓ ଅମରକୁ ନିଦରୁ ଉଠାଇ, ବାସ୍ତବତା ଓ ଦୁଃଖଭରା ଜନଗହଳି ହାସ୍‌ପାତାଳ୍‌ଠାରୁ ବହୁ ଦୂରକୁ କଳ୍ପନାର ଜହ୍ନରାତିଭରା ବସନ୍ତ ରାତିକୁ, ନନ୍ଦନକାନନକୁ ନେଇଯା’ନ୍ତା୤ କିନ୍ତୁ ଆଜି ସେ ଅସହାୟ, ଅକର୍ମଣ୍ୟ, ଚଳଶକ୍ତିରହିତ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶ୍ରଦ୍ଧାକର ସୂପକାର
ଏକାଧାରରେ ଶ୍ରଦ୍ଧାକର ସୂପକାର(୧୯୧୪-୧୯୯୩)ଜଣେ ସାହିତ୍ୟିକ, ଶିକ୍ଷାବୀତ୍‌, ଆଇନ୍‌ଜ୍ଞ, ରାଜନେତା ଓ ସମାଜସେବୀ ଥିଲେ୤ ଜଣେ ମେଧାବୀ ଛାତ୍ରଭାବେ ପିଲାଟିଦିନରୁ ପରିଚିତ ଶ୍ରୀ ସୂପକାର ସାମ୍ବାଦିକଭାବେ ମଧ୍ୟ କିଛିକାଳ କାର୍ଯ୍ୟ କରିବା ସହିତ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଓ ସାମାଜିକ ବ୍ୟବସ୍ଥାକୁ ନେଇ ଅନେକ ରଚନା ଲେଖିଯାଇଛନ୍ତି୤ ତାଙ୍କର ଗଳ୍ପଗ୍ରନ୍ଥ ମଧ୍ୟରେ ‘ବିଷକନ୍ୟା’, ‘ଜୁଆର ଭଟ୍ଟା’ ଓ ‘ଗଳ୍ପାଞ୍ଜଳି’ ଆଦି ଆନ୍ୟତମ୤ ସେହିପରି ତାଙ୍କ ରଚିତ ଜୀବନୀ ପୁସ୍ତକ ମଧ୍ୟରେ ‘ ଅମର ଜୀବନ’, ଭ୍ରମଣ କାହାଣୀ ମଧ୍ୟରେ ‘ତୀର୍ଥ ପଥେ’... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. rasmi |  ମାର୍ଚ୍ଚ୍ ୧୯, ୨୦୧୫ - ୯:୧୯ ଅପରାହ୍ନ

    ବହୁତ ସୁଂଦର ଗଳ୍ପ…

  • ୨. ମାନସ, ଦଶପଲ୍ଲା |  ଜୁନ୍ ୭, ୨୦୧୫ - ୫:୨୬ ପୂର୍ବାହ୍ନ

    ଏହି ବିଷୟକୁ ପଢିଲା ପରେ ଭଲ ଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤