ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଆଶିଷ କୁମାର କର
ଗନ୍ତାୟତ ଶିବପ୍ରସାଦ
ରାଜକିଶୋର ରାୟ
ତ୍ରିନାଥ ସିଂହ
ତରୁଣକାନ୍ତି ମିଶ୍ର
ଶୈଳେନ୍ଦ୍ର କୁମାର ଜେନା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦେବୀ
 |- ଶ୍ରଦ୍ଧାକର ସୂପକାର
 
 
ତା: ଅକ୍ଟୋବର୍ ୨୬, ୨୦୧୩  
 

ମଦନ ଯେତେବେଳେ ଧୀରେ ଧୀରେ ଆଖି ଖୋଲି ଯନ୍ତ୍ରଣାରେ ଦୀର୍ଘ ‘ଉଃ’ ଶବ୍ଦ କଲା, ସେ ଜାଣିପାରିଲା ନାହିଁ ସେ କେଉଁଠି ଅଛି୤ ଡେବିରି ଆଣ୍ଠୁ ତଳକୁ ଗୋଡ଼ରେ ତା’ର ଜଳନ୍ତା ନିଆଁ ରଖାଗଲା ପରି ଦାରୁଣ ଯନ୍ତ୍ରଣା ବୋଧ ହେଉଥାଏ୤ ମୁଣ୍ଡ ପର୍ବତ ପ୍ରମାଣ ବୋଝ ଲାଗୁଥାଏ୤ ଅଜଣା ଔଷଧ ତୀବ୍ର ଗନ୍ଧ ତାକୁ ଅନୁଭୂତ ହେଉଥାଏ୤ ଅର୍ଧଚେତନ ଅବସ୍ଥାରେ ଭାବୁଥାଏ କେଉଁଠି ଅଛି ସେ? ଆଖିପତା ଖୁବ୍‌ ଭାରି ଲାଗୁଥାଏ୤ କାହିଁକି ଏତେ ଯନ୍ତ୍ରଣା? ଅସ୍ଫୁଟ, ଧୀର ଆର୍ତ୍ତନାଦ ତା’ର କଣ୍ଠରୁ ବାହାରିଲା ବେଳେ ତା’ର ମନେହେଲା ପାଟି କରିବାର ଶକ୍ତି ମଧ୍ୟ ତା’ର ନାହିଁ୤ ସେ ନିଜର ଯନ୍ତ୍ରଣାକୁ ଯେପରି ଉଚ୍ଚ ସ୍ବରରେ ପ୍ରକାଶ କରିବାକୁ ଚାହୁଁଥିଲା, ସେହିପରି ବିକଟ ସ୍ବରରେ ଆର୍ତ୍ତନାଦ ତା’ର ପାଟିରୁ ଶୁଣାଯାଉଥିଲା, ‘ଓଃ ମରିଗଲି’ ବୋଲି କହି ସେ ମୁହଁ ବିକୃତ କରି ପାଟି ବନ୍ଦ କଲା୤ ‘‘ମୁଁ କେଉଁଠି?’’ ଏହି କଥା ସେ କହିବାକୁ ଚାହୁଁଥିଲା୤ କିନ୍ତୁ ମୁଣ୍ଡ ଭିତରେ ବୋଝ ପରି ଲାଗୁଥିବାରୁ ସେ କଥାରେ ତାହା ପ୍ରକାଶ କରିପାରୁ ନ ଥାଏ୤

ମନେହେଲା ତା’ର ହାତକୁ କିଏ ଧରି ଉଠାଉଛି୤ ମଦନ ପୁଣିଥରେ ଆଖି ଖୋଲିଲା୤ ଚୁଡ଼ିର ଝଣଝଣ ଶବ୍ଦ ତା’ର କାନରେ ଆସି ପଶିଲା୤ ନାରୀ କଣ୍ଠର କୋହ ତାକୁ ଶୁଣାଗଲା ଗୋଟିଏ ପ୍ରଶ୍ନ- ‘‘କେନ୍ତା (କେମିତି) ଲାଗୁଛେ?’’ ସେ ଚିହ୍ନିବାକୁ ଚେଷ୍ଟା କଲା୤ ସାମ୍‌ନାରେ ନାରୀ ମୂର୍ତ୍ତି୤ ‘‘କିଏ?’’ ବୋଲି ପଚାରିଲା ମଦନ୤ ଓଃ, ଏ ଯେ ସୀତା୤ ତା’ର ନିଜର ସ୍ତ୍ରୀ୤ ‘‘ମୁଁ ହିଁ ସୀତା’’ ବୋଲି ଉତ୍ତର ହେଲା, ଆଉ ତା’ ସଙ୍ଗେ ଶୁଣାଗଲା ଅସ୍ଫୁଟ ରୋଦନ୤
ସେ ଦେଖିଲା ତା’ର ହାତ ହାତରେ ଧରି ସୀତା କାନ୍ଦୁଛି, ଡରି ଡରି, କାଳେ ପାଟିକରି କାନ୍ଦିଲେ କେହି ଗାଳି ଦେବେ୤ ଆଉ ପାଖରେ ତା’ର ଖଟିଆକୁ ଧରି ଠିଆ ହୋଇଛି ବାବୁ- ଦେଢ଼ ବର୍ଷର ପୁଅ, ଅମର୤
‘‘ମୁଇଁ କେନେ (କେଉଁଠି) ଅଛେଁ ?’’ ବୋଲି ପଚାରିଲା ମଦନ୤
‘‘ଇଟା (ଏଇଟା) ବୁର୍ଲା ଆସ୍‌ପାତାଲ୤’’ ସୀତା କହିଲା୤
ମଦନ ବାସ୍ତବ ଜଗତକୁ ଫେରି ଆସୁଥାଏ୤ ଉପରେ ପଙ୍ଖା ବୁଲୁଥାଏ ଓ ବିଜୁଳିବତି ଜଳୁଥାଏ୤ ତା’ରି ପରି କେତେ ରୋଗୀ ତା’ର ବାମ, ଡାହାଣ ଦୁଇଆଡ଼େ ଖଟରେ ପଡ଼ି ଯନ୍ତ୍ରଣାରେ ଆର୍ତ୍ତନାଦ କରୁଛନ୍ତି୤

‘‘ଓଃ ଶୋଷ୤’’ କ୍ଷୀଣ କଣ୍ଠରେ କହିଲା ମଦନ୤ ସୀତା ଉଠିଗଲା ପାଣି ପାଇଁ୤ କିଛି ସମୟ ପରେ ଜଣେ ନର୍ସ ଫିଡ଼ିଂ କପ୍‌ରେ ପାଣି ଟିକିଏ ଆଣି ପିଇବାକୁ ଦେଇ ପଚାରିଲା, ‘‘କିମିତି ଲାଗୁଛି?’’
‘‘ଓଃ, ମରିଗଲି’’ ବୋଲି କହିଲା ମଦନ୤
‘‘କେନ୍ତା (କେମିତି) ହେବା ଗୋ ?’’ ବୋଲି କହି ନର୍ସ ଆଡ଼କୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁଲା ସୀତା୤ ଆଖିରୁ ତା’ର ଝରିପଡ଼ୁଥାଏ ଲୁହ୤ ‘‘କିଛି ନାଇଁ ହୁଏ୤ କିଛି ଚିନ୍ତା ନାଇଁ କର୤ ତୁମର ଭାଗ୍ୟ ଭଲ୤ ଆଉ ଡରବାର୍‌ (ଡରିବାର) କିଛି ନାଇଁ୤’’ ଆଶ୍ବାସନାର ବାଣୀ ଶୁଣାଇଲା ନର୍ସ୤

ମଦନ ଦେଖିଲା ଦୁଇ ଗୋଡ଼ରେ, ମୁଣ୍ଡରେ ତା’ର ପଟି ବନ୍ଧା ହୋଇଛି୤ ହଲ୍‌ଚଲ୍‌ ହେବାର ମଧ୍ୟ ଉପାୟ ନାହିଁ୤ ଯନ୍ତ୍ରଣାରେ ଗୋଡ଼ ଦୁଇଟି ପୋଡ଼ିଯାଉଛି୤ ଛଟପଟ ହେବାକୁ ମନ କହୁଛି୤ କିନ୍ତୁ ଗୋଡ଼ ଦୁଇଟି ଅବଶ ଓ ନିର୍ଜୀବ୤

ଗୋଟିଏ ଭୟାନକ କଥା ତା’ର ମନେପଡ଼ିଲା୤ ସେ ଯାଇଥିଲା କାମକୁ୤ ହୀରାକୁଦ ବନ୍ଧରେ ପର୍ବତ ପ୍ରମାଣ ଉଚ୍ଚ ଶିଡ଼ି ଉପରେ ଉଠିଥିଲା ସେ କୁଲିମାନଙ୍କର କାମ ଦେଖିବାକୁ୤ କାନରେ ତା’ର ଭାସି ଆସିଥିଲା ଦକ୍ଷିଣୀ ରେଜା କୁଲିମାନଙ୍କର ନିରର୍ଥକ ଓ ଶ୍ରୁତିକଟୁ ଐକ୍ୟତାନ ସଙ୍ଗୀତ୤ ମନେପଡ଼ିଲା ତା’ର ଗୋଟିଏ ଆକସ୍ମିକ ଚିତ୍କାର, ଦୌଡ଼ାଦୌଡ଼ି୤ ଆଉ ହଠାତ୍‌ ଶିଡ଼ି ଭାଙ୍ଗି କଟ୍‌କଟ୍‌ ଶବ୍ଦ ହେବାରୁ ଓ ବହୁତଗୁଡ଼ିଏ ରେଜା କୁଲିଙ୍କ ସଙ୍ଗେ ସେ ନିଜେ ମଧ୍ୟ ପଡ଼ିଯାଉ ଥିବାର ମନେପଡ଼ିଲା୤ ତଳେ, ବହୁତ ପଥର ଓ ବାଲିରେ ନିଜେ ପଡ଼ୁଥିବାର ଦେଖି ସେ ଚିତ୍କାର କରି ଉଠିଥିଲା ଓ ସେଇଠି ତା’ର ଚେତା ହଜିଯାଇଥିଲା୤ ସେଇ ମୁହୂର୍ତ୍ତକ ମଧ୍ୟରେ ତା’ର ସବୁ ଶେଷ ହୋଇଯିବ ବୋଲି ଭାବୁଥିଲା୤ ମାତ୍ର ଏବେ ସୁଦ୍ଧା ସେ ବଞ୍ଚିଛି୤

‘ବଞ୍ଚିଛି ? ସତେ ?’ ସନ୍ଦେହରେ ସେ ପୁଣି ହାତ ବଢ଼ାଇଲା ସୀତାର ହାତ ଆଡ଼କୁ୤ ସୀତାର ହାତରେ ହାତ ଦେଇ ଦେଖିଲା, କେଡ଼େ ଦୁର୍ବଳ; କେଡ଼େ ପାତଳ ହାତଟି୤ ହାତରେ ତିନିପଟ ଝଲକି ଚୁଡ଼ି୤ ପୁଅର ମୁଣ୍ଡରେ ହାତ ବୁଲାଇଲା୤ କଅଁଳିଆ ରୁଖାଶୁଖା ବାଳ୤ ଆଖି ଦୁଇଟି ତା’ର ଲୁହରେ ଭରି ଉଠିଲା୤ ସୀତା ତା’ର ଗାଳରେ ବହିଯାଉଥିବା ଲୁହଧାର ଦୁଇଟି ପୋଛିଦେଲା୤
‘‘କାଣା (କ’ଣ) ବଲୁଛ?’’ ପଚାରିଲା ସୀତା୤

ମଦନର ମୁଣ୍ଡ ଭିତରେ ଯେପରି କିଏ ହାତୁଡ଼ିରେ ପିଟୁଛି୤ ସେ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁଥିଲା; କିନ୍ତୁ ଯନ୍ତ୍ରଣାରେ ପୁଣି ଓଃ ଶବ୍ଦ କରି ଆଖି ବୁଜିଲା୤ ସୀତାର ହାତଟିକୁ ଚିପି ଧରିଲା୤

‘‘ମୁଁ ଯଦି ମରିଯାଏଁ ?’’ ମନେ ମନେ ଭାବୁଥାଏ ମଦନ୤ ଆଉ ଭାବିପାରେ ନାହିଁ୤ ହୀରାକୁଦରେ କାମ କରୁଥିଲାବେଳେ ଶୂନ୍ୟରେ ଖସିପଡ଼ିଥିଲା ପରି ପୁଣି ତା’ର ମନରେ ଗୋଟିଏ ଆତଙ୍କ ହେଲା୤ ଯନ୍ତ୍ରଣାରେ ତା’ର ମୁହଁଟା ଖୁବ୍‌ ବିକୃତ ହୋଇଗଲା୤ ତାକୁ ଶୁଣାଗଲା, ସୀତା ହଠାତ୍‌ ପାଟିକରି କାନ୍ଦି ପକାଉଛି୤ ସେ ନିଦେଇଲା ପରି ଅଚେତ୍‌ ହୋଇଗଲା୤
ସେପ୍ଟେମ୍ବର ୧୯ ତାରିଖ ଦୁଇପ୍ରହର୤ ବୁର୍ଲା ହାସ୍‌ପାତାଳରେ ମାଧ୍ୟାହ୍ନ ବିଶ୍ରାମରୁ ଆଖିଖୋଲି ଦେଖିଲା ମଦନ୤ ତା’ର ଜୀବନ ଓ ମୃତ୍ୟୁର ସଂଗ୍ରାମରେ ଜୟୀ ହୋଇଛି ଜୀବନ୤ କିନ୍ତୁ ଏ ଜୟ ପାଇଁ ତାକୁ ବହୁତ ମୂଲ୍ୟ ଦେବାକୁ ପଡ଼ିଛି୤ ରକ୍ଷାହେଲା ତା’ର ମୁଣ୍ଡର ବେଦନା ଆଉ ନାହିଁ୤ ମୁଣ୍ଡର ପଟି ଖୋଲା ହେଲାଣି୤ ଡାହାଣ ଗୋଡ଼ଟି ପ୍ଲାଷ୍ଟର୍‌ରେ ବନ୍ଧା ହୋଇଥିଲେ ମଧ୍ୟ ବେଦନା ବାରଅଣା କମିଗଲାଣି୤ କିନ୍ତୁ ବାଆଁ ଗୋଡ଼ର ଆଣ୍ଠୁ ତଳକୁ ବାକି ଅଂଶ ପୂରାପୂରି କାଟି ଦିଆଯାଇଛି୤ ବାଁ ଜଙ୍ଘରେ ଇଞ୍ଜେକ୍‌ସନ୍‌ ଦେବା ସତ୍ତ୍ବେ ଏବେ ସୁଦ୍ଧା ଭୀଷଣ ବେଦନା ଜଣାପଡ଼ୁଛି୤ ଜୀବନକୁ ରକ୍ଷା କରିବା ପାଇଁ ଗୋଟିଏ ଗୋଡ଼ର ମାୟା ଛାଡ଼ିବାକୁ ପଡ଼ିଛି ତାକୁ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶ୍ରଦ୍ଧାକର ସୂପକାର
ଏକାଧାରରେ ଶ୍ରଦ୍ଧାକର ସୂପକାର(୧୯୧୪-୧୯୯୩)ଜଣେ ସାହିତ୍ୟିକ, ଶିକ୍ଷାବୀତ୍‌, ଆଇନ୍‌ଜ୍ଞ, ରାଜନେତା ଓ ସମାଜସେବୀ ଥିଲେ୤ ଜଣେ ମେଧାବୀ ଛାତ୍ରଭାବେ ପିଲାଟିଦିନରୁ ପରିଚିତ ଶ୍ରୀ ସୂପକାର ସାମ୍ବାଦିକଭାବେ ମଧ୍ୟ କିଛିକାଳ କାର୍ଯ୍ୟ କରିବା ସହିତ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଓ ସାମାଜିକ ବ୍ୟବସ୍ଥାକୁ ନେଇ ଅନେକ ରଚନା ଲେଖିଯାଇଛନ୍ତି୤ ତାଙ୍କର ଗଳ୍ପଗ୍ରନ୍ଥ ମଧ୍ୟରେ ‘ବିଷକନ୍ୟା’, ‘ଜୁଆର ଭଟ୍ଟା’ ଓ ‘ଗଳ୍ପାଞ୍ଜଳି’ ଆଦି ଆନ୍ୟତମ୤ ସେହିପରି ତାଙ୍କ ରଚିତ ଜୀବନୀ ପୁସ୍ତକ ମଧ୍ୟରେ ‘ ଅମର ଜୀବନ’, ଭ୍ରମଣ କାହାଣୀ ମଧ୍ୟରେ ‘ତୀର୍ଥ ପଥେ’... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. rasmi |  ମାର୍ଚ୍ଚ୍ ୧୯, ୨୦୧୫ - ୯:୧୯ ଅପରାହ୍ନ

    ବହୁତ ସୁଂଦର ଗଳ୍ପ…

  • ୨. ମାନସ, ଦଶପଲ୍ଲା |  ଜୁନ୍ ୭, ୨୦୧୫ - ୫:୨୬ ପୂର୍ବାହ୍ନ

    ଏହି ବିଷୟକୁ ପଢିଲା ପରେ ଭଲ ଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤