ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦେବଲୋକରେ ପରୀକ୍ଷା ପାଲା
 |- ହରେକୃଷ୍ଣ ଦାସ
 
 
ତା: ମେ ୧, ୨୦୧୯  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଦେବଲୋକରେ ଅଫିସରମାନେ ନୂଆ ନୂଆ ଆଇନ୍‌କାନୁନ୍‌ ବିଷୟରେ କିଛି ଖବର ରଖିଲେ ନାହିଁ। ସେହି ମାନ୍‌ଧାତା ଅମଳର ଆଇନ୍‌କୁ ଧରି ଦେଶ ଶାସନ କଲେ। ଫଳରେ ଦେବଲୋକରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ହେଲାନାହିଁ।

ଏକଥା ଅନୁଭବ କଲା ପରେ-ରାଷ୍ଟ୍ରପତି ବିଷ୍ଣୁ ଉପାୟ ଚିନ୍ତା କଲେ। ଗଣେଶ ତାଙ୍କୁ ପରାମର୍ଶ ଦେଇ କହିଲେ-“ ଅଫିସରମାନଙ୍କର ଆଇନ-ଜ୍ଞାନ ପରୀକ୍ଷା କରିବା ପାଇଁ, ଥରେ ବିଭାଗୀୟ ପରୀକ୍ଷା ହେଉ। ପରୀକ୍ଷାରେ ଯେଉଁମାନେ ଶତକଡ଼ା ଷାଠିଏ ନମ୍ବରରୁ କମ୍‌ ରଖିବେ, ସେମାନଙ୍କୁ ଚାକିରିରୁ ବାହାର କରିଦିଆଯାଉ।”

ଏକଥା ରାଷ୍ଟ୍ରପତିଙ୍କ ମନପସନ୍ଦ ହେଲା। ସେ ସଙ୍ଗେ ସଙ୍ଗେ ପରୀକ୍ଷାର ଦିନବାର ସ୍ଥିର କରି ଇସ୍ତାହାର ପ୍ରକାଶ କଲେ।

ପରୀକ୍ଷା ଦେବା କଥା ଶୁଣୁଶୁଣୁ ଅଫିସରମାନଙ୍କର ପିଚା ପରାସ ହେଲା। ଅବକାରୀ କମିଶନର ମହାଦେବ କହିଲେ-“ ମୁଁ ସିଲେକ୍‌ସନ୍‌ ଗ୍ରେଡ୍‌ ପାଇସାରିଲିଣି। ମୋର କେତେ କାମ କରିବାକୁ ଅଛି। କେଉଁଠି ଗଞ୍ଜେଇ ଚାରା ଲଗାଯିବ, କେଉଁ ଶିଳରେ କେତେ ମସଲା ଦେଇ ଭାଙ୍ଗ ବାଟିଲେ, ଠିକ୍‌ ନିଶା ଧରିବ, କେଉଁ ଡିଜାଇନ୍‌ରେ ଚିଲମ ତିଆରି ହେଲେ ଧୂଆଁ ଠିକ୍‌ ବାହାରିବ, ଏସବୁ ଗବେଷଣା କରିବାକୁ ମୋର ବେଳ ଅଣ୍ଟୁ ନାହିଁ। ମୁଁ ପୁଣି ପରୀକ୍ଷା ଦେବି କେତେବେଳେ ? କମାଣ୍ଡର-ଇନ୍-ଚିଫ୍‌ କାର୍ତ୍ତିକେୟ ରାଗିଉଠିଲେ-ଶାଲା ଗଣେଶ, ମୋ ଭାଇ ହେଲେ କ’ଣ ହେବ ? ପରମ ଖୋସାମଦିଆ। ଏସବୁ ତାରି କାଣ୍ଡ। ତାକୁ ସୁବିଧା ପାଇଲେ ଅନ୍ଧାରିଆ ଉତ୍ତମ-ମଧ୍ୟମ ଦେବି।”

ପୁଲିସ କମିଶନର ଚିତ୍ରସେନ କହିଲେ- “ ଦେଖ୍‌ ଲେଙ୍ଗେ-ଶାଲା ଥନ୍ତଲପେଟାକୁ-ବାଟରେ ପାଇଲେ ତା’ ନାଁରେ ପାଞ୍ଚ ଆଇନ୍‌ କେସ୍‌ ଠୁଙ୍କି ଦେବି। ନହେଲେ ଚୋର ପଠେଇ ତା’ଘରେ କଳାକନା ବୁଲେଇ ଦେବି।”

ଟ୍ରେଜେରି ଅଫିସର କୁବେର ଧମକ ଦେଲେ-ଏହି ମାସରୁ ଗଣେଶାର ଦରମା ବନ୍ଦ କରିଦେବି। ତା’ର ଯେତେ ଗସ୍ତ ଖର୍ଚ୍ଚା ବିଲ୍‌ ଟ୍ରେଜେରିରେ ପଡ଼ିରହିଛି, ସେ ସବୁକୁ ନର୍ଦ୍ଦମାରେ ଫିଙ୍ଗିଦେବି। ଜେଲ୍‌ଖାନା ସମୂହର ଡାଇରେକ୍ଟର ଯମରାଜ କହିଲେ-“ ମୁଁ ଧର୍ମରାଜ। ମୋ ହେଡ୍‌କିରାନି ଚିତ୍ରଗୁପ୍ତ ଯାହା ଲେଖିଦିଏ, ମୁଁ ସେଥିରେ ଆଖିବୁଜି ସନ୍ତକ କରେ। ମୋର ପରୀକ୍ଷା ଦେବା କି ଦରକାର ?

ଚିଫ୍‌ ଫାୟାର ଅଫିସର ଅଗ୍ନିଦେବ କହିଲେ-“ମୁଁ ପୋଡ଼ିବା ଜାଳିବା କାମ ଜାଣେ। କଲମ ସହିତ ପରୀକ୍ଷା ଖାତା ଜାଳିଦେବି।”

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଶ୍ୱିନୀ କୁମାର କହିଲେ- “ ଧନ୍ୱନ୍ତରୀଠାରୁ ଆରମ୍ଭ କରି ଚରକ ଶୁଶ୍ରୁତ ମୋ’ଠାରୁ ଡାକ୍ତରୀ ପାଠ ଶିଖିଛନ୍ତି । ମୋ ପାଇଁ ଗୋଟିଏ କି ପରୀକ୍ଷା ଦରକାର ? ”

ଏହା ପରେ ଚିଫ୍‌ ଇଞ୍ଜିନିୟର(ସିଭିଲ୍‌) ବିଶ୍ୱକର୍ମା ଓ ଚିଫ୍‌ ଇଞ୍ଜିନିୟର(ଟେକ୍‌ନିକାଲ୍‌) ମୟଦୈତ୍ୟ, ଜଳସମ୍ପଦ ନିର୍ଦ୍ଦେଶକ ‘ବରୁଣଦେବ’ ଆକାଶପଥ ଓ ପରିବହନ ନିର୍ଦ୍ଦେଶକ ‘ମରୁତ’ ପ୍ରଭୃତି ଅଫିସରମାନେ ପରୀକ୍ଷା ଦେବାକୁ ନାପସନ୍ଦ କଲେ ଓ ପ୍ରତିବାଦ କଲେ। ଶେଷରେ ମୁଖ୍ୟ ଶାସନ ସଚିବ ଇନ୍ଦ୍ରଦେବ କହିଲେ-‘ମୋ ପକ୍ଷରେ ପରିକ୍ଷା ହଲରେ ବସିବା ଲଜ୍ଜାକର ବ୍ୟାପାର।”

xxx ପରୀକ୍ଷା ପାଇଁ ବେଦବ୍ରହ୍ମାଙ୍କୁ କୁଳପତି ରୂପେ ବଛାଗଲା। ସେ ପରୀକ୍ଷାର ସିଲାବସ୍‌ ସ୍ଥିର କଲେ। ଦେବୀ ସରସ୍ୱତୀ, ଦେବଗୁରୁ ବୃହସ୍ପତି, ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ପ୍ରଭୃତି ପ୍ରଶ୍ନପତ୍ର ତିଆରି କରିବାର ଦାୟିତ୍ୱ ନେଲେ। ଧ୍ରୁବଲୋକରୁ ଧ୍ରୁବଙ୍କୁ ଅଣାଯାଇ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ କରାଗଲା।”

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ହରେକୃଷ୍ଣ ଦାସ
ହରେକୃଷ୍ଣ ଦାସ(୧୯୩୭-୨୦୦୫) ପୁରୀ ସହରରେ ଜନ୍ମ ହୋଇଥିଲେ। ହାସ୍ୟ ଓ ବ୍ୟଙ୍ଗ ସାହିତ୍ୟର ଲେଖକଭାବେ ସେ ଅନେକ ଗଳ୍ପ ଲେଖି ପାଠକୀୟ ଆଦୃତି ଲାଭ କରିଥିଲେ। ତାଙ୍କ ରଚିତ ଗଳ୍ପ ଗ୍ରନ୍ଥ ମଧ୍ୟରେ ‘ଅଥ ମାଇଚ୍ୟା ସମ୍ଭବ’ ଓ ‘ଉଦୁରୁଦୁମା ତାଳଗୋଟମା’ ଅନ୍ୟତମ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤