ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ରମାକାନ୍ତ ରଥ
ଭାନୁଜୀ ରାଓ
ସୁରେନ୍ଦ୍ର ମହାନ୍ତି
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଭୂପେନ୍‌ ମହାପାତ୍ର
ରଜତ କୁମାର ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଡକେଇତି
 |- ଫତୁରାନନ୍ଦ
 
 
ତା: ସେପ୍ଟେମ୍ବର୍ ୧୫, ୨୦୧୨  
 

ବନାକୁ ସଦଳବଳ କଂଗ୍ରେସ ଅଫିସ୍‌ରେ ଦେଖିବାମାତ୍ରେ ସମ୍ପାଦକ ତଥା ସଭାପତି ଏକାବେଳେକେ ଆନନ୍ଦରେ ଅଥୟ୤ ପ୍ରଶ୍ନ ଉପରେ ପ୍ରଶ୍ନ- ଆଜ୍ଞା କେମିତି ଅଛନ୍ତି, ପିଲାପିଲି ଭଲ ତ୤ ଆମ୍ଭମାନଙ୍କୁ ଭୁଲିଗଲେ କି, ଆପଣଙ୍କ ଥାନାର ହାଲଚାଲ କ’ଣ-ଅନୁରୋଧ ଉପରେ ଅନୁରୋଧ- ଏଠି କିଛିଦିନ ରହନ୍ତୁ୤ କିଛି ଜଳଯୋଗ ନକରାଇ ଛାଡ଼ିବୁ ନାହିଁ୤ ଏଇଟା ଆପଣଙ୍କ ଘର, ଏଇଠି ରହନ୍ତୁ, କାହିଁକି ଆଉ କାହା ଘରକୁ ଯିବେ, ଖିଆପିଆ ବନ୍ଦୋବସ୍ତଟା ଏଇଠି ହେଉ ଇତ୍ୟାଦି୤

ଛଡ଼ିଦାରସହ ପଣ୍ଡାଏ ଯାତ୍ରୀଙ୍କୁ ପାକଳେଇବାଠାରୁ ଏମାନଙ୍କର ପାକଳାପାକଳି ଢେର୍‌ ଢେର୍‌ ବଳିଗଲା୤ ବନା ଓ ତା’ ସଙ୍ଗୀମାନେ ମନେମନେ ଭାବୁଥାନ୍ତି ଆ-ହା-ହା-ହା କେତେ ଦରଦ, ଅଲାଜୁକଙ୍କ ଦରଦ ମୁଣି ଫାଟିଯାଇଛି୤ ବର୍ଷେ ଦି’ ବର୍ଷ ତଳେ ୟାଙ୍କଠି ତେଲ ଲଗେଇ ଲଗେଇ ହାତ ବିନ୍ଧିଲା ପଛେ ଦୃଷ୍ଟି ଟିକଏ ପଡ଼ୁ ନଥିଲା୤ ବେହିଆ, ଥୋବରା ଭାବିଛନ୍ତି ନିର୍ବାଚନ ଦୁଇମାସ ବୋଲି ଆମେ ଜାଣିନୁ୤ ସୀମା ଆନ୍ଦୋଳନ ବେଳର ପୁଲିସ୍‌ ଠେଙ୍ଗୁଣି ଆମେ ଭୁଲିଯାଇଛୁ୤ ବଚ୍ଚା, ତୁମେ ଡାଳେ ଡାଳେ ଗଲେ ଆମେ ପତ୍ରେପତ୍ରେ ଯିବୁ୤ ପାଞ୍ଚବର୍ଷ ଅତ୍ୟାଚାରର ବଦଲା ଏଇ ଦୁଇ ମାସରେ ନେବୁ୤ ମନକଥା ମନରେ କିନ୍ତୁ ବାହାର କଥାଟା ଠିକ୍‌ ଓଲଟା୤

ବହୁ ବୁଝାବୁଝି ପରେ ସୁଦ୍ଧା ସଭାପତି ଟିକିଏ କୁନ୍ଥୁକୁନ୍ଥୁ ହେବାରୁ ବନା ତାଙ୍କୁ କଡ଼ ଘରକୁ ଡାକିନେଇ ସାଫ୍‌ ସାଫ୍‌ କହିଦେଲା- ଦେଖ ପଧାନକୁ ଟିକଟ ନ ଦେଲେ ସେ ସ୍ବାଧୀନ ଭାବରେ ଠିଆ ହେବ୤ ଟଙ୍କା ଦେଇ ଭୋଟ୍‌ କିଣିବା ପାଇଁ ତା’ର ଅକଳନ୍ତି ଟଙ୍କା ଅଛି୤ ତୁମେ ଖୁବ୍‌ ଦେଲେ ଛ’ହଜାର ଦେବ୤ ତୁମେ କିଛି ନଦେଲେ ବି ସେ ଛ’ର ଛଅ ଗୁଣ ଖର୍ଚ୍ଚ କରିପାରିବ୤ ତୁମେ ଟିକଟ ଦିଅ୤ ସେ ଛ’ ହଜାର ଛାଡ଼ିଦେବ୤ ମୋତେ ହଜାରେ ଦେଇ ତୁମେ ପାଞ୍ଚ ହଜାର ବାଣ୍ଟିନେବ୤ ଏତକ ନ କଲେ ଆମେ ସମସ୍ତେ ପଧାନ ପାଇଁ କାମ କରିବୁ୤ ସଭାପତି ଏକାବେଳେକେ ପାଣି ହୋଇଗଲେ୤ ଗଡ଼ ଜୟକରି ବନା ସଦଳବଳ ଫେରିଲା୤

ଭୋଟ୍‌ ଲଢ଼େଇ ଯହୁଁ ଯହୁଁ ଗରମ ହେଉଥାଏ, ପଧାନ ତହୁଁ ତହୁଁ ବନାକୁ ବେଶି ଜକଟି ମକଟି ଧରୁଥାଏ୤ ଏଇ ବନା ଲାଗି ସିନା ତା’ର ଉନ୍ନତି୤ ଆଜି ମୁତଫରକା କର୍ମୀଠାରୁ ଆରମ୍ଭ କର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ତା’ ଘରେ ଅତିଥି୤ ନିତି ତା’ ଘରେ ବାହାଘର ମଉଛବ୤

ବନା ଏକାବେଳେକେ ଦୁଇ ଫାଳ୤ ଗୋଟିଏ ଫାଳ ପଧାନକୁ କହି ଲାଗେ- ଖୋଲ ମୁଣି ଖୋଲ୤ ମନେରଖ ଖାଲି ଦରମା ଦେଢ଼ଲକ୍ଷ, ୟାର ବହୁଗୁଣ ଉପୁରି୤ ଆଉ ଆର ଫାଳଟା ଫୁସ୍‌ଫୁସ୍‌ କରି ଲୋକଙ୍କ କାନରେ କହେ- ମେଘ ବରଷୁଛି ପିଇଯାଅ ପାଣି୤ ମେଘ ତୁମରି ପରି ହ୍ରଦ, ପୋଖରୀ, ଗଡ଼ିଆ, ଟୁବରୁ ପାଣି ଶୋଷି ଶୋଷି ନେଇଥିଲା; ମୁଁ ତାକୁ କାଲୁଆ କରିଛି୤ ସେ ଏବେ ବରଷୁଛି୤ ପାଣି ଯେଉଁଠୁ ଯାଇଥିଲା, ଠିକ୍‌ ସେହିଠାକୁ ଫେରି ଆସିବ୤ ହୁସିଆର ହୋଇ ପିଇଯାଅ୤ କିନ୍ତୁ ଖବରଦାର, ପଇସା ଖାଇ ଇଜ୍ଜତ ବିକନା, ବୁଝି ସମଝି ଭୋଟ ଦିଅ୤ ପଇସା ଲୋଭରେ ଯେମିତି ମା ଭଉଣୀଙ୍କୁ ନ ବିକ୤

ଏ ବେପାରରେ ୪୦ ହଜାର ଟଙ୍କା ଖଟେଇ ସାରିବା ପରେ ପଧାନ ବନାମୁହଁକୁ ଚାହିଁଲା୤ ବନା ଆଶ୍ବାସନା ଦେଇ କହିଲା ଭୟ ନାହିଁ ଭୋଟର ସଂଖ୍ୟା ଯେତେ ଆମର କର୍ମୀ ତା’ର ପାଖାପାଖି୤ ବେପାରରେ ଟଙ୍କା ଲଗାଣ ମୁଁ କଅଣ ତୁମକୁ ଶିଖେଇବି୤ ଲାଭକୁ ମନରେ ରଖି ଟଙ୍କା ଲଗାଅ୤ ଏତେବେଳେ ଟିକିଏ ପଛେଇଲେ ଏ ଚାଳିଶି ହଜାର ପାଣିରେ ପଡ଼ିବ୤ ଖବରଦାର୍‌ ! ପଧାନ ଡରିଯାଇ ଟ୍ରେଜେରି ମେଲା କରିଦେଲା୤ ପାରାଭାଡ଼ି ଖୋଲିଦେଲେ ଯେପରି ପାରାଗୁଡ଼ିକ ଫଡ଼୍‌ଫାଡ଼୍‌ ହୋଇ ପଦାକୁ ଉଡ଼ି ଆସନ୍ତି, ଟ୍ରେଜେରି ଖୋଲା ହୋଇଯିବାରୁ ଅବରୁଦ୍ଧ ନୋଟ୍‌ଗୁଡ଼ାକ ପଡ଼୍‌ଫାଡ଼୍‌ ପଦାକୁ ଉଡ଼ି ଆସିଲେ୤ ବନାଦଳିଆ ଟୋକାମାନେ କରୁଳି ଉଠିଲେ୤

କାଳେ କେହି ବିରୁଦ୍ଧଦଳିଆ ପଧାନ କାନରେ ଫୋଡ଼ିଦେବ ଯେ ସେ ତାକୁ ଭଣ୍ଡେଇ ପଇସା ଲୁଟିବାରେ ଲାଗିଛି, ସେଥିଲାଗି ବନା ଆଗରୁ ସତର୍କ ହୋଇ ପଧାନକୁ ଜଣେଇଦେଲା, ‘ଦେଖ ବିରୁଦ୍ଧବାଲା ଏକାବେଳେକେ ଆଣ୍ଠେଇ ପଡ଼ିଲେଣି୤ ତାଙ୍କର ଭୟ ହେଲାଣି ଯେ ଡ଼ିପୋଜିଟ୍‌ ଟଙ୍କା ବି ଉଡ଼ିଯିବ୤ ସିଧା ବାଟରେ ନ ପାରି ସେମାନେ ବଙ୍କା ବାଟ ଧରିବେ ବୋଲି ମୁଁ ଶୁଣିପାରୁଛି୤ ମୁଁ ତୁମ ଟଙ୍କାଗୁଡ଼ିକ ବିନର୍ବ୍ୟୟ କରିଦେଉଛି ବୋଲି କହି ତୁମକୁ ବିଗିଡ଼େଇ ଦେବାକୁ ବସିଲେଣି୤ କିଏ କେଉଁ ଉଦ୍ଦେଶ୍ୟ ରଖି କଅଣ କହୁଛି ସେଥିପ୍ରତି ଟିକିଏ ହୁସିଆର ରହିବ୤

ଏତିକିବେଳକୁ ଆଉ ଜଣେ ନସର ପସର ହୋଇ ଧାଇଁ ଆସି କହି ପକେଇଲା- ‘କାଲି ଆର ପାଖର ମୁଣ୍ଡିଆମାନେ ମନ୍ତ୍ରଣା କରୁଥିଲେ, କେମିତି ବନାକୁ ପଧାନଠାରୁ ଛଡ଼େଇ ନେବେ୤ ଜଣେ କହିଲା ବନା ବିରୁଦ୍ଧରେ ଗୁଡ଼ାଏ ଲଗେଇଜୁଟେଇ କହିଲେ ତା’ର ନିଶ୍ଚୟ ଅବିଶ୍ବାସ ଜାତ ହେବ୤ ଆଉ ବନା ଯେପରି ଖାଣ୍ଟି ଲୋକ, ସେ ପଧାନର ଟିକିଏ ଅବିଶ୍ବାସ ଦେଖିଲେ ସଙ୍ଗେ ସଙ୍ଗେ ଅଲଗା ହୋଇଯିବ୤ ବନା ଅଲଗା ହେଲେ କାମ ଫତେ୤’

ଶୁଣିଲାମାତ୍ରେ ପଧାନ ବନାକୁ ଜାବୁଡ଼ିଧରି, ମୁରୁକିହସା ଦେଇ କହିଲା- ‘ଓହୋ ! ମୋତେ କେଡ଼େ ଓଲୁ ବୋଲି ବିଚାରିଛନ୍ତି୤ ବନୁକୁ ପୁଣି ମୋଠାରୁ ଛଡ଼େଇ ନେବେ୤ ଦେଖି କାହାର ଦଉଡ଼ କେତେ୤’

ଭୋଟ୍‌ ଦିଆହେବା ଦିନ, ପଧାନ ଛାମୁଡ଼ିଆ ତଳେ ସବୁ ଭୋଟରଦଳ ହାଜର୤ ବିରୁଦ୍ଧଦଳିଆଙ୍କ ଥାନରେ କୁଆ ଉଡ଼ୁଥାଏ୤ ସବୁ ଭୋଟନିଆ ଜାଗାରେ ଏକା କଥା୤ ବନା ସବୁ ଥାନରେ ଶେଷ ଖିଆପିଆର ଧୁମ୍‌ ଲଗେଇ ଦେଇଥାଏ୤ ବେଳେବେଳେ ଜଣ ଜଣକୁ ଆଖିଠାର ମାରି ଫୁସ୍‌ଫୁସ୍‌ କରି କହି ଦେଉଥାଏ ଭଲକରି ଖାଅ, ଖୁଆଅ, ଏଇ ଶେଷଖିଆ୤

ନିର୍ବାଚନ ଫଳ ବାହାରିଲା୤ ପଧାନ ଘର ଶୂନ୍‌ଶାନ ପଡ଼ିଗଲା୤ ପଧାନ ବିଚରା କତରା ଧରିଲା୤ କିନ୍ତୁ ଆଉ ଏକ ଗାଁରେ ଥିବା ଏକ ଘରେ ବନାକୁ ସମ୍ବର୍ଦ୍ଧନା କରିବାକୁ ଦଳେ ଟୋକା ଜମିଥାଆନ୍ତି୤ ବନା ସେମାନଙ୍କୁ କହିଲା- ତୁମେ ଯେଉଁ ଡକେଇତି କରିବ ବୋଲି ବସିଥିଲ ସେଇଟା ଭଲ ନା ଏଇଟା ଭଲ୤ ପଧାନ ଡାକିଡ଼ୁକି ତୁମ ସମସ୍ତଙ୍କୁ ନେଲା, ଡକେଇତି କରିବାକୁ ଟ୍ରେଜେରି ଖୋଲିଦେଲା୤ ଡକେଇତି ସରିବା ପରେ ଦିବ୍ୟ ରାଜାଘର ଖାନା ଦେଇ ବିଦା କଲା୤ ଏଥିରେ ପୁଲିସର ବଡ଼ବୋପା ବି କିଛି କରିପାରିବ ନାହିଁ୤ ସବୁଠାରୁ ବଡ଼ ଭୟ ଥିଲା ଇଜ୍ଜତ୍‌୤ ତାହା ବି ଆମ ଗାଁଆ ଲୋକେ ବଜାଏ ରଖିଛନ୍ତି୤ ପଇସା ଲୋଭରେ ନିଜିନିଜର ମାଇପ ବିକିନାହାନ୍ତି୤

ଆନନ୍ଦର କୋଳାହଳ ଭିତରେ ବନାର କଥାଗୁଡ଼ାକ ଲୁଚିଗଲା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଫତୁରାନନ୍ଦ
ଫତୁରାନନ୍ଦ
ଓଡ଼ିଆ କଥା ସାହିତ୍ୟରେ ଜଣେ ବଳିଷ୍ଠ ଏବଂ ଶାଣିତ ବ୍ୟଙ୍ଗ ସାହିତ୍ୟିକ ଭାବେ ଫତୁରାନନ୍ଦ ପରିଚିତ୤ ନିଜର ପ୍ରକୃତ ନାମ ରାମଚନ୍ଦ୍ର ମିଶ୍ରକୁ ପରିବର୍ତ୍ତନ କରି ଫତୁରାନନ୍ଦ ନାଁରେ ପରିଚିତ ହେବା ପରେ ନିରୁତା ବ୍ୟଙ୍ଗ ରଚନା ପାଇଁ ସେ ବେଶ୍ ପାଠକୀୟ ସ୍ବୀକୃତି ହାସଲ କରିଥିଲେ୤ ତାଙ୍କର ରଚନା ମଧ୍ୟରେ “ନାକଟା ଚିତ୍ରକର”, “ସାହିତ୍ୟଚାଷ”, “ଫମାଲୋଚନା”, “ଅମୃତ ବେହିଆ” ଆଦି ଅନ୍ୟତମ୤ ଫତୁରାନନ୍ଦଙ୍କ “ମୋ ଫୁଟା ଡଙ୍ଗାର କାହାଣୀ” ନାମକ ଆତ୍ମଜୀବନୀ ସମକାଳୀନ ସାମ୍ପ୍ରତିକ ବ୍ୟଙ୍ଗ ରଚନାରେ ଏକ ଅନବଦ୍ୟ ସୃଷ୍ଟି୤... [ କ୍ରମେ ସବିଶେଷ ]
ଫତୁରାନନ୍ଦଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ସର୍ବେସ୍ୱର୍ ଜେନା |  ଫେବୃଆରୀ ୨୭, ୨୦୧୮ - ୪:୪୦ ପୂର୍ବାହ୍ନ

    ବହୁତ୍ ସୁନ୍ଦର୍ ଏବଙ୍ଗ ଅତି ବୁଦ୍ଧିମାନ୍

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤