ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଫନି ମହାନ୍ତି
ରମେଶ ଚନ୍ଦ୍ର ଦାସ
ନୀଳମଣି ବିଦ୍ୟାରତ୍ନ
ଅକ୍ଷୟ ମହାନ୍ତି
ବାମାଚରଣ ମିତ୍ର
କନକଲତା ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଡକେଇତି
 |- ଫତୁରାନନ୍ଦ
 
 
ତା: ସେପ୍ଟେମ୍ବର୍ ୧୫, ୨୦୧୨  
 

ପଧାନ ଘରର ପୁରିଉଠିଥିବା ଶିରୀ ଦେଖି ଆଖପାଖରେ ଲୋକମାନେ ଅଥୟ ହୋଇପଡ଼ିଲେ୤ ସମସ୍ତଙ୍କ ମୁହଁରେ ଖାଲି ହାଇ ହାଇ୤ କାହାର ଛାତି କରତି ନ ହେଉଛି, ଏମିତି ଜଣେ ପାଇବନି୤ ଚାରି ପାଞ୍ଚଜଣ ଏକାଠି ହେଲେ ଉଠିଲା ତା‘ରି କଥା୤ ଦିନେ କହୁ କହୁ ଶଙ୍କରା କହିଲା, ‘ଲକ୍ଷ୍ମୀ ପଶିଲାବେଳେ ଏମିତି ପେଲି ପଶନ୍ତି୤ କୋଉ ଶିରା ଦେଇ ନଡ଼ିଆରେ ପାଣି ପଶୁଛି କିଏ ଜାଣେ ? ସେମିତି ପଧାନ ଘରେ କୋଉବାଟେ ଲକ୍ଷ୍ମୀ ପଶୁଛନ୍ତି କିଏ କହିବ ?’ ଏହା ଶୁଣି ବନା କହିଲା, ମୁଁ କହିବି, ଗୋଟିଏ ବାଟ ନୁହେଁ, ଯେତେ ବାଟ ଅଛି ସବୁ କହିବି୤ କାନ୍‌ତରାଟି, କେନ୍ଦୁପତ୍ର ଠିକାଦାରି, କଳା ବେପାର, ମହାଜନି ଆଦି ଏତେ ବାଟ୤ ସବୁ ବାଟରେ ଲକ୍ଷ୍ମୀ ଧଇଁସଇଁ ହୋଇ ପଶୁଛନ୍ତି୤ ବେଲୁନ ପରି ତା’ଘରଟା ଫୁଲିବାରେ ଲାଗିଛି୤ ଜଣେ କହିଲା ‘ବେଶି ଫୁଲିଲେ ଠୋଃ ହୋଇଯିବ୤’ ବନା କହିଲା, ‘ରାମ୍‌ବୋଲ-ଫାଟିବାର କିଛି ଲକ୍ଷଣ ଦିଶୁନାହିଁ୤ ଆମ ପିଲାଏ ଅବା ତା ଠୋଃ କୁ ଦେଖିବେ୤ ଏକ୍ଷଣି ତାର ଫୁଲିବାର ସମୟ୤’ ଆଉ ଜଣେ କହିଲା, ‘ସେ ବ୍ରହ୍ମଶୋଷା ପଧାନ ଗଇଁଠା ପାଉଁଶ ପରି ଚାରିଆଡ଼ର ସମସ୍ତଙ୍କୁ ଶୋଷି ସିଠା କରିଦେଲାଣି୤’ ଶଙ୍କରା କହିଲା, ‘ସେ କଅଣ ଖାଲି ଗଇଁଠା ପାଉଁଶ, ସେ ଗୋଟାଏ ଲକ୍ଷ୍ମୀ ଯନ୍ତା୤ ଲକ୍ଷ୍ମୀ ତା’ ଘରକୁ ପଶିଯାଆନ୍ତି, କିନ୍ତୁ ବାହାରିବା ଦେଖିଛ ?’ ସମସ୍ତେ ଏକାବେଳକେ କହି ଉଠିଲେ, ‘ଆରେ ଯା ଯା କାଣିକଉଡ଼ିଟାଏ ତ ବାହାରିବ ନାହିଁ୤ ପଇସା ତ ଦୂରର କଥା୤ ଆଉ ବି ତା’ ପଇସା ହଉଛି ଗୋବର ଲେଣ୍ଡା; ଅକସ୍ମାତ ଯେଉଁଠି ପଡ଼ିବ, ସେଠୁ ମାଟି ନେଇ ଉଠିବ୤’

କେତେଜଣ ଅତି ଅସହଣି ଟୋକା କହିଲେ, ‘ଶଳାର ଘରେ ଡକେଇତ ପୂରେଇଦେବା୤’ ଡକେଇତଙ୍କୁ ଖୋଜି ପାଇବା ବଡ଼ କଷ୍ଟକର ବୋଲି ମତ ପ୍ରକାଶ ପାଇବାରୁ ଜଣେ ମୁରୁକିହସା ଦେଇ କହିଲା- ‘ଡକେଇତଙ୍କୁ ପାଇବା ସିନା ପୁଲିସ ପକ୍ଷରେ କଷ୍ଟ୤ ଟିକିଏ ଇସାରା ଦେଲାମାତ୍ରେ ଦଶ, ପଚିଶ ଯେତେ ଚାହିଁବ ସେତେ ଆସି ହାଜର ହେବେ୤’ ସମସ୍ତେ ଠିକ୍‌ କଲେ ପଧାନ ଘରେ ଡକେଇତ ପୂରାଇବେ୤ ଖୋଜି ବସିଲେ ସବୁ କଥାକୁ ଯୁକ୍ତି ମିଳିଯାଏ୤ ଏମାନଙ୍କର ଯୁକ୍ତି ହେଲା, ଯେହେତୁ ପଧାନ ସମସ୍ତଙ୍କୁ ଶୋଷି ନିଜର ଢୋଲ ବଢ଼େଇଛି ସମସ୍ତେ ତା’ ଘରେ ଡକେଇତ ପୂରେଇ ତାକୁ ଶୋଷିବେ୤ ଯେସାକୁ ତେସା ନ ହେଲେ ଏ ଦୁନିଆରୁ ନପାରିଲା ଲୋକେ ପୋଛି ହୋଇଯିବେ୤ କଥାଟା ପକ୍‌କା ହୋଇଗଲା୤ ଡକେଇତଙ୍କୁ ନିମିତା କରିବାର ଭାର ଜଣକୁ ଦିଆଗଲା୤

ବନା ଯେତେବେଳେ ଜାଣିଲା ସତକୁ ସତ ଡକେଇତି ବ୍ୟବସ୍ଥା ହେଉଛି ସେ କାନରେ ହାତ ଦେଲା୤ ସମସ୍ତଙ୍କୁ ଡାକି କହିଲା, ’ଆରେ ଏ କି କଥା, ସମସ୍ତଙ୍କ ମୁଣ୍ଡ ବିଗିଡ଼ି ଗଲାଣି ନା କଅଣ ମ ? ଏମିତିଆ ମୂର୍ଖାମି ତ ମୁଁ କୋଉଠି ଦେଖିନି୤ କଅଣ ତୁମ ମୁଣ୍ଡରେ ପଶିଛି ମୁଁ ବୁଝିପାରୁନି୤’ ଜଣେ କହିଲା, ‘ଫେର୍‌ ବୁଝେଇବାକୁ ପଡ଼ିବ ? ସବୁ ବାଟରେ ଆମକୁ ଶୋଷି ସେ ଗଣ୍ଡି ବଢ଼େଇଛି୤ ଆମେ ତାକୁ ଯଦି କୋଉ ବାଟରେ ଶୋଷି ପାରିଲୁ ତେବେ କି ମୁସ୍କିଲ ହୋଇଗଲା-’ ‘ସେ ଯେମିତି ଚାଲାଖିରେ ଶୋଷୁଛି ତମେ ସେମିତି ଚାଲାଖି କରି ଶୋଷୁନ-’ ‘ଶଳାଠୁ ତ ପଇସାଟାଏ ବି ନେଇ ହେଲାନାହିଁ୤ ସବୁ ଉପାୟରେ ବିଫଳ ହେବାରୁ ସିନା ଏ ବାଟ ଧରିଲୁ୤’ ‘ଖବରଦାର୍‌ ଏ ବାଟ ଠିକ୍‌ ନୁହେଁ୤ ଠିକ୍‌ ବାଟ ମୋତେ ଜଣା୤ ତମର ଖାଲି ଶୋଷିବା ଯଦି ଲୋଡ଼ା ତେବେ ମୋ ବାଟରେ ଚାଲ୤ ଟିକିଏ ଖାଲି ସମୟ ଦରକାର୤ ଦେଖିବ ସେ ଛାଏଁ ଛାଏଁ ଆସି ତୁମମାନଙ୍କୁ ତା’ ଦେହରେ ଥଣ୍ଟ ଲଗାଇ ଶୋଷିବା ଲାଗି କାକୁତିମିନତି ହେବ୤ ଏଇଟା ସୁବିଧା ହେବ ନା ଡକାଏତି ସୁବିଧା ହେବ ? ସେଥିରେ ପୁଲିସ୍‌ ବନ୍ଧୁକ, ଘୋଷରା, ମକଦ୍ଦମା, ତା’ ପରକୁ ଓଲଟି ଓକିଲ ଶୋଷା୤ ଶୋଷିବାକୁ ଯାଇ ଓଲଟି ଶୋଷିତ ହେବ୤’ ସମସ୍ତେ ଗୁଣୁଗୁଣେଇ ଉଠିଲେ- ଏଗୁଡ଼ାକ ଖାଲି ମନଗଢ଼ା କଥା୤ ବରଜୁ ପଧାନ ଏଡ଼େ ଓଲୁ ନୁହେଁ୤

ଜାଣିଥାଅ ବନା ବି ଓଲୁ ନୁହେଁ୤ ପଧାନକୁ ସତର ଘଣାରେ ପାଣି ପିଆଇଲାବାଲା ମୁଁ୤ ମୋତେ ଦୁଇଟି ମାସ ସମୟ ଦିଅ୤ ଯଦି କିଛି ଫଳ ନ ହୁଏ ତେବେ ତୁମ ଦେଖିଲା କାମ ତୁମେ କରିବ୤ ଆଉ ଦେଖ, ମୋ କଥା ଅନୁସାରେ ସମସ୍ତେ ଚଳିବ୤ ମୋତେ ସର୍ଦ୍ଦାର ବୋଲି ଭାବିବ୤ ବେଶି ନାହିଁ ମୋଟେ ଦୁଇଟା ମାସ, ସ୍ୟାଡ଼କୁ ପଚାରିଲେ ପଚାରିବ, ନ ପଚାରିଲେ ନାହିଁ୤

ଏମିତିଆ କଥାରେ କିଏ ବା ରାଜି ନ ହେବ୤ ପୁଲିସ, ବନ୍ଧୁକ, ଓକିଲ, କଥା ଶୁଣି କେତେଜଣ ଘାବରେଇ ଯାଇଥିଲେ୤ ସେମାନେ ବି ଟିକିଏ ନିଃଶ୍ବାସ ମାରିଲେ୤ ସର୍ବସମ୍ମତିକ୍ରମେ ପ୍ରସ୍ତାବଟି ଗୃହୀତ ହୋଇଗଲା୤ ବନମାଳୀ ବରଜୁ ପଧାନଙ୍କର କାନକୁହା ସାଜିଲେ୤

ମନ୍ତ୍ରୀ ହେବାରେ ଯେ, ଏତେ ଲାଭ ପଧାନେ ଭାବିପାରି ନ ଥିଲେ; ବନା ତାଙ୍କ ଆଖି ଝଲସେଇ ଦେଲା୤ ତା’ଦ୍ବାରା ପ୍ରସ୍ତୁତ ଆୟବ୍ୟୟ ତାଲିକା ଦେଖି ପଧାନେ ଏକାବେଳକେ ଭୋଳ୤ ପ୍ରଥମେ ମାତ୍ର ଚାରିଅଣା ଖର୍ଚ୍ଚ୤ ଗୋଟିଏ କଂଗ୍ରେସ ମେମ୍ବର ହେବାକୁ ପଡ଼ିବ୤ ଜିଲ୍ଲା ଓ ପ୍ରାଦେଶିକ ମେମ୍ବରଙ୍କ ମୁହଁ ଚିକଣେଇବାରେ ହଜାରେ ଦୁଇହଜାର ଯିବ୤ ଟିକଟ ପାଇବାର ଗୁଞ୍ଜାଗୁଞ୍ଜି ରେ ଦି’ ହଜାର, ଭୋଟ ଲଢ଼େଇରେ ଅତି କମ୍‌ରେ ଦଶହଜାର, ଗାଏମୋଟ ଚଉଦ ବା ପନ୍ଦର ହଜାର ଖର୍ଚ୍ଚ୤ ମନ୍ତ୍ରୀ ହେବା ପରେ ଗୋଟାଏ ଗୋଟାଏ ଥୋପରେ ୩୦/୪୦ ହଜାରରୁ କମ୍‌ ମିଳିବ ନାହିଁ୤ ତା’ ଉପରେ ପୁଣି ଦରମା ୫ ବର୍ଷକୁ ମୋଟାମୋଟି ଦେଢ଼ ଲକ୍ଷ୤ ତା’ ଉପରକୁ ପୁଣି ଗସ୍ତଖର୍ଚ୍ଚ ଅଛି୤ ପଧାନଙ୍କ ଆଖି ଖୋସି ହୋଇଗଲା୤ ସେ ବନାକୁ ଜକଟି ମକଟି ଧରିଲା୤ ତଳିଆ ଆଡ଼ୁ ଦିହ ଉଲୁସି ଉଠିଲା୤ ଅତି ବିଶ୍ବାସରେ ବନାକୁ ପଚାରିଲା- ‘ଆଛା ମୁଁ ତ ପାଠଶାଠ ସେମିତି କିଛି ପଢ଼ିନି୤’ ବନା ଖେଁ ଖେଁ ହୋଇ ବହେ ହସିସାରିବା ପରେ କହିଲା, ‘ସେଥିପାଇଁ ତ ପାଠ ବିଲ୍‌କୁଲ୍‌ ଦରକାର ନାହିଁ୤ ସବୁକାମ ସେକ୍ରେଟାରୀ, କିରାନିମାନେ କରିଦେବେ୤ ତୁମେ ଖାଲି ମଞ୍ଜୁର କରି ଲେଖି ଦସ୍ତଖତ୍‌ ମାରିପାରିବନି ?’

‘ହଁ ହଁ, ତା’ ପାରିବି୤ ଇଂରେଜୀରେ ବି ଦସ୍ତଖତ୍‌ କରିଦେଇ ପାରିବି୤’
‘ଏଁ ତମେ ୟା’ ଭିତରେ ଇଂରେଜୀରେ ଦସ୍ତଖତ୍‌ କରି ଶିଖିଲଣି ?’
‘ହଁ ହଁ, ଚେକ୍‌ ଫେକ୍‌ରେ ବହୁତ ଦସ୍ତଖତ୍‌ ଦେବାକୁ ପଡ଼ିଲା୤ ବହୁତ ପରିଶ୍ରମ କରି ସେଇଟା ଶିଖିନେଲି୤ ସେତିକି ନୁହେଁ, ଚାରିଣିଆ ଉଆର୍ଡ଼୍‌-ବୁକ୍‌ଟା ଘୋଷି ମୁଖସ୍ଥ କରିଦେଇଛି୤’
‘ତେବେ ତ କି କିସ୍ତୀମାତ୍‌୤ ଆଉ ଚିନ୍ତାନାହିଁ ! ସେଠି ଖାଲି ଟଙ୍କା କାରବାର୤ ହିସାବ କିତାବରେ ତୁମକୁ କେହି ବଳିଯିବେ ନାହିଁ୤’
‘ସେଥିରେ ପୁଣି ମୋତେ କିଏ ପାରିବ ? କେତେ ଇନ୍‌କମ୍‌ ଟିକସ ଅଫିସର, କେତେ ସେଲ୍‌ ଟିକସ ଅଫିସରଙ୍କୁ ଭୁଆଁ ବୁଲେଇ ଦେଇଛି୤ ପୁଅମାନେ ସମସ୍ତେ କାନମୁଣ୍ଡା ଆଉଁସି ଫେରିଯାଇଛନ୍ତି୤

‘ବାସ୍‌ ବାସ୍‌, ଆଉ କିଛି ଚିନ୍ତା ନାହିଁ୤ ଆଉ ଦେଖ ମୁଁ କାମରେ ଲାଗିଲି୤ ତୁମେ ତ ଜାଣ ବେପାରରେ କେମିତି ଟଙ୍କା ଲଗାଇବାକୁ ହୁଏ୤ ବଖତ ବେଳକୁ ଗାଞ୍ଜିଆ ଚିପିଲେ ଚଳିବ ନାହିଁ୤ ଚାଲିଲି ମୁଁ କଂଗ୍ରେସ ଅଫିସ୤’ ତାଡ଼ାଏ ବାଘୁଆ ନୋଟ୍‌ ତା’ ହାତରେ ଗୁଞ୍ଜିଦେଇ ପଧାନ ତାକୁ ବିଦାୟ ଦେଲା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଫତୁରାନନ୍ଦ
ଫତୁରାନନ୍ଦ
ଓଡ଼ିଆ କଥା ସାହିତ୍ୟରେ ଜଣେ ବଳିଷ୍ଠ ଏବଂ ଶାଣିତ ବ୍ୟଙ୍ଗ ସାହିତ୍ୟିକ ଭାବେ ଫତୁରାନନ୍ଦ ପରିଚିତ୤ ନିଜର ପ୍ରକୃତ ନାମ ରାମଚନ୍ଦ୍ର ମିଶ୍ରକୁ ପରିବର୍ତ୍ତନ କରି ଫତୁରାନନ୍ଦ ନାଁରେ ପରିଚିତ ହେବା ପରେ ନିରୁତା ବ୍ୟଙ୍ଗ ରଚନା ପାଇଁ ସେ ବେଶ୍ ପାଠକୀୟ ସ୍ବୀକୃତି ହାସଲ କରିଥିଲେ୤ ତାଙ୍କର ରଚନା ମଧ୍ୟରେ “ନାକଟା ଚିତ୍ରକର”, “ସାହିତ୍ୟଚାଷ”, “ଫମାଲୋଚନା”, “ଅମୃତ ବେହିଆ” ଆଦି ଅନ୍ୟତମ୤ ଫତୁରାନନ୍ଦଙ୍କ “ମୋ ଫୁଟା ଡଙ୍ଗାର କାହାଣୀ” ନାମକ ଆତ୍ମଜୀବନୀ ସମକାଳୀନ ସାମ୍ପ୍ରତିକ ବ୍ୟଙ୍ଗ ରଚନାରେ ଏକ ଅନବଦ୍ୟ ସୃଷ୍ଟି୤... [ କ୍ରମେ ସବିଶେଷ ]
ଫତୁରାନନ୍ଦଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ସର୍ବେସ୍ୱର୍ ଜେନା |  ଫେବୃଆରୀ ୨୭, ୨୦୧୮ - ୪:୪୦ ପୂର୍ବାହ୍ନ

    ବହୁତ୍ ସୁନ୍ଦର୍ ଏବଙ୍ଗ ଅତି ବୁଦ୍ଧିମାନ୍

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤