ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୩୧ Back to Vote Screen

ଲେଖକ ଓ ଲେଖିକା

ଶୈଳେନ୍ଦ୍ର କୁମାର ଜେନା
ରଜତ କୁମାର ମିଶ୍ର
ଡକ୍ଟର ମାୟାଧର ମାନସିଂହ
ଗୋପୀନାଥ ମହାନ୍ତି
ସୀତାକାନ୍ତ ମହାପାତ୍ର
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚୋରାବାଲି
 |- ରାମ ପ୍ରସାଦ ସିଂହ
 
 
ତା: ଅକ୍ଟୋବର୍ ୧୭, ୨୦୧୫  
 

‘ଖାଲି ଦୁଃଖ , ଦୁଃଖ । ଖାଲି ଭୋକିଲା ପେଟ, ଛିଣ୍ଡା ଲୁଗା। ଏମିତି ଲୁହବୁହା କଥା ଶୁଣି ଶୁଣି ହାଲିଆ ଲାଗିଲାଣି। ’
‘ତେବେ ?’
‘ତେବେ-? ଦୁନିଆରେ କ’ଣ ଆମୋଦ ଆହ୍ଲାଦ ନାହିଁ ? ହସ ଖେଳ ନାହିଁ ?
ମଉଜ ମଜଲିସ୍‌ ନାହିଁ ? ’
‘ଅଛି ।’
‘ତେବେ ସେହି ଗପ କହୁନା! ଖାଲି ଦୁଃଖୀ ରଙ୍କୀଙ୍କ କଥା ?’
‘ କହିବି- କିନ୍ତୁ ତୁମେ ବୁଝି ପାରିବ ନାହିଁ।’
‘ଅର୍ଥାତ୍‌ ?’
‘ଅର୍ଥାତ୍‌ ଯେଉଁମାନଙ୍କ ଆମୋଦ ଆହ୍ଲାଦ, ହସ-ଖେଳ, ମଉଜ-ମଜ୍‌ଲିସ୍‌ ଭିତରେ ତୁମେ ବଢ଼ି ଆସିଛ, ତାକୁ ତୁମେ ବୁଝି ପାରିବ; କିନ୍ତୁ ସେ ଆମୋଦ ଯେ କେତେ ଅସହାୟ ଛାତିରକ୍ତରେ ତିଆରି, ସେ ହସ ପଛରେ ଯେ କେତେ ଶହ ଦୁଃଖୀତ ତତଲା ଲୁହ ଜମିରହିଛି, ସେ ମଜ୍‌ଲିସ୍‌ ଯେ କେତେ ଜୀଅନ୍ତା ମଣିଷର ଚର୍ବି ଭଳି ଆଲୋକିତ ହୁଏ, ତାହା ତୁମେ ବୁଝିପାର ନା। ସେଥିପାଇଁ ତୁମେ ସୁଖୀ। ଆଉ ମୁଁ – ମୋ ଆଖିରେ ପଡ଼େ ବଡ଼ଲୋକର ଆମୋଦ ପ୍ରମୋଦ ପଛରେ ମନୁଷ୍ୟତାର ମହାଶ୍ମଶାନର ଦୃଶ୍ୟ। ତାରି ଭିତରେ ନାଚୁଥାଆନ୍ତି ବୁଭୁକ୍ଷିତର ପ୍ରେତ ସହିତ ଆର୍ତ୍ତର ହାହାକାର। କଥା ଫୁଟେ ନା, ସରସୀ-ମୁହଁରୁ କଥା ଫୁଟେ ନା’

‘ ଆଉ ଏ ତୁମର ଗରିବମାନେ- ତାଙ୍କର କଅଣ ହସଖୁସି ନାହିଁ ? ସେ କଥା କହୁ ନା ?

‘କହିବି କିନ୍ତୁ ତୁମେ ବୁଝି ପାରିବ ନାହିଁ। ତାଙ୍କ ହସକୁ ତୁମେ ଘୃଣାଚକ୍ଷୁରେ ଦେଖ। ତାଙ୍କ ମଉଜ ତ ତମର ତାଛଲ୍ୟର ବିଷୟ। ନୁଖୁରା ମୁଣ୍ଡ , ଦେହରେ ମଳି ବସି ଫାଟିଯାଇଛି, ଦେହରେ ଛିଣ୍ଡା ଲୁଗା, ହାତରେ ପଟେ ଲେଖାଏଁ ଭଙ୍ଗା କାଚ- ବୟସ ତାର ଧର ସତର ବର୍ଷ। ଆଉ ଜଣେ ମଣିଷ-ପୁରୁଷ, ତେଇଶି ବର୍ଷ ପୂର୍ବେ ତାର ଜନ୍ମ। ଖାଦ୍ୟ ଅଭାବରେ ଛାତିର ହାଡ଼, ହାତର ଶିରା ଦେଖା ଦେଉଛି। ଖଣ୍ଡେ ଛିଣ୍ଡା କନାଦ୍ୱାରା ନଗ୍ନତା ଆବରଣ କରିଛି। ଏ ଦୁହିଁଙ୍କୁ ତୁମେ ଯୁବତୀଯୁବକ କହିବ ? ନା ଆଚ୍ଛା, ଆଉ ଗୋଟାଏ କଥା ମନେ କର। ଚୈତ୍ରମାସର ଦିପହର ଖରା ଚଡ଼କ ମାରୁଛି। ଦୁହେଁ ଚାରିଆଡ଼ୁ ଆସି ବାଟ ପାଖରେ ଗୋଟାଏ ବରଗଛମୂଳେ ଆଶ୍ରୟ ନେଲେ। ଦୁହିଁଙ୍କ ପେଟରେ କାଲି ଦିପହରୁ ଦାନା ମୁଠାଏ ପଡ଼ିନାହିଁ। ବସନ୍ତର ସ୍ପର୍ଶ ଲାଗି ବରଗଛର ପତ୍ର ଝଡ଼ିଯାଇଛି। ଫୁଟିଆସୁଛି କଅଁଳ ପତ୍ର। ତେଣୁ ଏମାନେ ବସିଛନ୍ତି ସେ ଗଛଛାଇରେ ନୁହେଁ- ଡାଳଛାଇରେ। ପୁରୁଷଟି କହିଲା-ସୁଲି କୁଆଡ଼େ ଯାଇଥିଲୁ ?

ସ୍ତ୍ରୀଟି ହାତ ଠାରି କହିଳା- ସେ ଗାଆଁ ଆଡ଼େ।
ପୁରୁଷଟି କହିଲା- କିଛି ମିଳିଲା ?
ସ୍ତ୍ରୀଟି କହିଲା-ଦି’ପୋଷ ଖଣ୍ଡେ ।
ପୁରୁଷ କହିଲା-ପଟ୍ଟନାୟକଙ୍କ ସ୍ତ୍ରୀକୁ ଦେଖିଛୁ ?
ସ୍ତ୍ରୀ – ହଁ ।
ପୁରୁଷ – କେମିତି ?
ସ୍ତ୍ରୀ-ସିମିତି ନୁହେଁ ତ, ଜୀଅନ୍ତା ଧାନଓଳିଆ। ସତେ ଯେମିତି ହାତୀ ! ତୁ ଦେଖିଛୁ ପରା- କିମିତି ସେ କହିଲୁ ?
ପୁରୁଷ-ପଟ୍ଟନାୟଙ୍କ ସ୍ତ୍ରୀର ଆକାର ସତେ ଯେମମିତି ତିନି ଶହ ବର୍ଷ ତଳର ସେ ଗଛଟାର ଗଣ୍ଡି।
ଦୁହେଁ ହସିପକାଇଲେ ଦୁହିଁଙ୍କୁ ଚାହିଁ। ଉଦାହରଣାଟା ଏଇଠି ଥାଉ। ଏଥିରେ କଅଣ ଖୁସି କଥା ନାହିଁ ? ପୁରା ପେଟରେ ହସିବା, ଖୁସି ହେବା ସହଜ; କିନ୍ତୁ ଭୋକିଲା ପେଟ ଯେଉଁ ହସକୁ ଦବାଇଦେଇ ପାରିଲା ନାହିଁ, ସାଧାରଣ ହସଖୁସିଠାରୁ ତାହା କେତେ ଶକ୍ତିଶାଳୀ, କେତେ ଉଚ୍ଚରେ ଅବସ୍ଥିତ, ଏ କଥା ତୁମେ ବୁଝି ପାରିବ ନାହିଁ।

ସରସୀ କିଛି କହିଲା ନାହିଁ: ମନେ ମନେ କ୍ଷୁବ୍ଧ ହେଲା।

ରବିବାରିଆ ଦିପ୍ରହର। ବସି ବସି ଗଳ୍ପ ହେଉଥିଲା ସରସୀଙ୍କ ଘରେ। ସେ ମୋଠୁଁ ଗଳ୍ପ ଶୁଣିବାକୁ ଭଲ ପାଏ। ସେ ତାର ସମାଲୋଚନା କରେ, ସେଥିପାଇଁ ତା ମତ ଅନୁସାରେ ଗଳ୍ପ ଶୁଣିବା ପାଇଁ ତାର ଦାବି। ବଡ଼ ଲୋକର ବୈଠକଖାନା ଭିତରେ ପ୍ରକୃତରେ ଦୁଃଖୀର ହା-ହାକାର ବଡ଼ ବେଖାପ ଜିନିଷ। ବୈଠକଖାନା ଦୁଆରବନ୍ଧ ଆରପାଖରେ ଦୁଃଖୀର ସ୍ଥାନ, ଦୁଃଖର ଛବି ମଧ୍ୟ। ସେଥିପାଇଁ ସରସୀ ପକ୍ଷରେ ମଦିର ଜ୍ୟୋତ୍ସ୍ନା, ଉଚ୍ଛନ୍ନ ମଳୟ ଗୋଲାପୀ ଅଞ୍ଚଳ ପଛେ ପଛେ ହାଲୁକା ପ୍ରେମର ଗୋଟାଏ ବିକୃତ ସମାବେଶ, ସତ୍ୟର ନିରାଡମ୍ବର ସରଳ ମୂର୍ତ୍ତିଠାରୁ ଆଦରଣୀୟ। ଦୁନିଆର ଶତକଡ଼ା ଅନେଶୋତ ଭାଗଟା ପ୍ରତି ଆଖି ବୁଜିଦେଇ ଅବଶିଷ୍ଟ ଗୋଟାକାର ଅପ୍ରାକୃତିକ ଅସ୍ତିତ୍ୱକୁ ଉପଭୋଗ କରିବାକୁ ସର୍ବଦା ଅଭ୍ୟସ୍ତ। ତେଣୁ ସେମାନଙ୍କ ରୁଚିରେ ବୈକୃତ୍ୟ ଉପସ୍ଥିତ ହେବା ହିଁ ସ୍ୱାଭାବିକ।

ମୃଣାଳିନୀ ଦେଖିଲା ଆଜିର ରବିବାରିଆ ଦିପ୍ରହରଟା ମାଟି ହେବାକୁ ବସିଛି। ପକ୍‌କା ଓକିଲର ପକ୍‌କା ଗୃହିଣୀ ସେ। କଥାର ଗତି ଫେରାଇଦେବା ପାଇଁ କହିଲା, ଆପଣଙ୍କ ନିଜର କଅଣ କିଛି ଅନୁଭୂତି ନାହିଁ ? ସେ କଥା କହୁ ନାହାଁନ୍ତି। ’

କହିଲି, ‘ହୁଏତ ଅଛି । ଜୀବନର ଖାତାକୁ କୌନସି ଦିନ ଓଲଟାଇ ଦେଖିନାହିଁ- ଦେଖିବାର ଆବଶ୍ୟକତା ପଡ଼ିନାହିଁ। ମୋ ପକ୍ଷରେ ବର୍ତ୍ତମାନ ଗୋଟାଏ ନିଷ୍ଠୁର ସତ୍ୟ। ତାକୁ ସମ୍ଭାଳିବା କଷ୍ଟକର- କାରଣ ଅନାଗତ ସହିତ ତାର ସମ୍ପର୍କ ଅତି ଘନିଷ୍ଠ। ବିରାଟ ବର୍ତ୍ତମାନ ଓ ବିରାଟତର ଭବିଷ୍ୟତ ହିଁ ମୋର ଚିନ୍ତାଧାରାର କ୍ରୀଡ଼ାକ୍ଷେତ୍ର। ଅତୀତର ଇତିହାସ-ପେଡ଼ି ଘାଣ୍ଟି ଦେଖିବାର ଅବସର ହୋଇନାହିଁ। କିନ୍ତୁ ଅତୀତର ଗୋଟାଏ ଘଟଣା ବେଳେ ବେଳେ ଛାତି ଭିତରେ ଗଭୀର ରେଖାପାତ କରିଯାଏ। ସେଇ କଥାଟି ଆଜି କହୁଛି। ’

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାମ ପ୍ରସାଦ ସିଂହ
ରାମ ପ୍ରସାଦ ସିଂହ( ୧୯୦୪-୧୯୮୫) ଓଡ଼ିଆ ସାହିତ୍ୟର ଜଣେ ସୁପ୍ରଶିଦ୍ଧ କଥାକାର। ସେ ଜଣେ ମାର୍କସବାଦୀ ଚିନ୍ତାଧାରାର କଥାକାର ଓ ଔପନ୍ୟାସିକ ଥିଲେ। ତାଙ୍କ ଗଳ୍ପରେ ଶୋଷକ ଓ ଶୋଷିତର ତିକ୍ତ ସମ୍ପର୍କ ଏକ ପ୍ରମୁଖ ବିଶେଷତ୍ୱ। ତାଙ୍କର ଗଳ୍ପ ସଙ୍କଳନ ମଧ୍ୟରେ ‘ଛାତିର ରକ୍ତ’, ‘ଶେଷ ରାତି’, ‘କଲ୍ଲୋଳ’, ‘ଘାସିପଡ଼ାର ମାୟା’, ‘ଟିକସ ମଉସା’, ‘ଚୋରାବାଲି’ ଏବଂ ଉନନ୍ୟାସ ମଧ୍ୟରେ ‘ଅଗ୍ନିପଥେ’, ‘ଛିନ୍ନମସ୍ତା’, ‘ପ୍ରତିହିଂସା’ ଆଦି ଅନ୍ୟତମ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤