ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦିଲ୍ଲୀପ ଦାସ
ବିଜୟ ମିଶ୍ର
ଭକ୍ତକବି ମଧୁସୂଦନ ରାଓ
ସନତ୍‌ ରାୟ
ରଜତ କୁମାର ମିଶ୍ର
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚଢ଼େଇ
 |- ଗୋପୀନାଥ ମହାନ୍ତି
 
 
ତା: ଜୁଲାଇ ୨୯, ୨୦୧୩  
 

ବୈଶାଖର ଆରମ୍ଭ୤ ଦିନ ସାଢ଼େ ତିନିଟାବେଳ୤ ଢଳିଲା ଖରା ବି ଜଳୁଛି୤ ସାମ୍ନାରେ ବାଁ’କୁ ଦୋ’ଟି କୃଷ୍ଣଚୂଡ଼ା ଗଛ, ଇଟା ବର୍ଣ୍ଣର ଫୁଲ ଲଦି ହୋଇଛି, ମଝିରେ ମଝିରେ ଅଳ୍ପ ପୁଳିଏ ଗୁଜୁରା ଗୁଜୁରା ପତ୍ର୤ ଡାହାଣକୁ ପ୍ରକାର ପ୍ରକାର ନାଲିଫୁଲରେ ଛାଉଣି ହୋଇ ବୁଗେନ୍‌ଭିଲିଆ ଗଛଗୁଡ଼ିଏ, ଲାଗୁଛି ସେସବୁ ବି ଜଳୁଛି୤ ଶଙ୍କର ମିଶ୍ର ଅନ୍ୟମନସ୍କ ହୋଇ ଚାହିଁ ରହିଥିଲେ, ଅନୁଭବ କରୁଥିଲେ ଯେପରିକି ନିଆଁ ଲାଗିଛି; ସବୁ ଖାଲି ଜଳୁଛି୤ ଓଃ! କି ବିଭୀଷିକା୤

ହଠାତ୍ ମନେପଡ଼ିଗଲା, ସେଇ ଛୋଟ ଚଢ଼େଇଟି କାହିଁ? ତା’ କଥା ମନେପଡ଼ିଲା ମାତ୍ରେ ଖରା ତା’ରି ଉପରେ ସତେ ଯେପରି ଢାଙ୍କି ହୋଇଗଲା୤ ଶୀତଳ ପାତଳ ଛାଇ ସୁଲୁସୁଲିଆ ପବନ ଦେହରେ ବାଜିଲା, ଶୁଭିଲା ପାହାଡ଼ି ଝରଣାରୁ ଦୁଲୁଦୁଲୁ ଶବ୍ଦ, ଉପରେ ଡେଙ୍ଗା ଗଛମାନଙ୍କ ଉପରେ ହାଲୁକା ଶାଗୁଆ ଚାନ୍ଦୁଆରେ କାନ୍ଧି କାନ୍ଧି ନାଲିଫୁଲ ସଜା ହୋଇଛି୤ ସ୍ଥାନେ ସ୍ଥାନେ ଉଜ୍ଜ୍ବଳ ନାଲି ଲତା- ପଳାଶ ଫୁଲର ଦୋଳି ତଳକୁ ଓହଳିଛି, ଆଗରେ ଏପାଖରୁ ସେପାଖ ସେପାଖରୁ ଏପାଖ ହୋଇ ଉଡ଼ି ବୁଲୁଛି ସେଇ ସାନ ଚଢ଼େଇଟି୤ ଥଣ୍ଟଟି ନାଲି, ଦେହଟି ଚିକ୍କଣ ଇନ୍ଦ୍ରନୀଳ ବର୍ଣ୍ଣର, ଉଡ଼ିଲାବେଳେ ଦିଶେ ସେହି କଳାବର୍ଣ୍ଣର ଝଲକ୤ ହଠାତ୍ ଚଢ଼େଇଟି କୁଆଡ଼େ ହଜିଯାଏ, ପୁଣି ଦିଶେ୤ ପୁଣି ହଜେ୤

ଏ ଦିନେ ତା’ର ସେହି ବର୍ଣ୍ଣ୤ ବର୍ଷାଦିନେ ବର୍ଷା ଥମି ଥିଲାବେଳେ ହଠାତ୍ କେଉଁଠି ସେ ହାବୁଡ଼େ, ସେତେବେଳେ ସେ ଉଡ଼ନ୍ତା ଟିକି ଇନ୍ଦ୍ରଧନୁଟିଏ୤ ଦେହଟି ସେହି ବର୍ଣ୍ଣର୤ ଶୀତଦିନେ ଯେତେବେଳେ ଦିନର ଆଲୁଅ ଦିଶୁଥାଏ ମ୍ଳାନ, ସେତେବେଳେ ତା’ଦେହର ବର୍ଣ୍ଣ ଉଜ୍ଜ୍ବଳ ରକ୍ତ-କାଇଁଚ ବର୍ଣ୍ଣ ପରି୤

ଯେତେବେଳେ ସେ ଦିଶେ, ସେତେବେଳେ ଉପୁଜାଏ ତାଙ୍କର କୁତୁହଳ, ବିସ୍ମୟ ଓ ଆନନ୍ଦ୤ ସେ ବସେ ନାହିଁ, ଶବ୍ଦ କରେ ନାହିଁ, ଏପାଖୁ ସେପାଖ ଉଡ଼ିଯାଇ କୁଆଡ଼େ ଅନ୍ତର୍ହିତ ହୋଇଯାଏ୤ କିନ୍ତୁ ସେ ଲୁଚିଗଲା ପରେ ବହୁତ ବେଳଯାକେ ଶଙ୍କର ମିଶ୍ରଙ୍କୁ ଲାଗୁଥାଏ ଯେପରି କି ସେ ଏକ ନୂଆ ଜୀବନରେ ଅଲଗା ପୃଥିବୀରେ ଅଲଗା ଅନୁଭୂତି ଭିତରେ ଅଛନ୍ତି, ଏଠି ତାଙ୍କ ପାଇଁ ସବୁ ଆନନ୍ଦମୟ୤ ସେହି ବିଚିତ୍ର ଅନୁଭୂତି ତାଙ୍କ ଚେତନାକୁ ଆଚ୍ଛନ୍ନ କରି ରହେ କିଛିଦିନ ପର୍ଯ୍ୟନ୍ତ, ସେତେବେଳେ ନିତିଦିନର ଅଭ୍ୟସ୍ତ ଜୀବନ ବିତାଇଲା ବେଳେ ଚାଉଁ ଚାଉଁ ଲାଗୁଥାଏ, ଲାଗୁଥାଏ ଯେ ତାଙ୍କ ଚାରିପାଖେ ଏ ଯେଉଁ ସଂସ୍କାର, ଏଠି ତାଙ୍କର ଯାହା ଯାହା ଇନ୍ଦ୍ରିୟ ଅନୁଭୂତି ୟେ ବାସ୍ତବାନ୤

ଏଠି ସେ ଖାଲି ସ୍ବପ୍ନ ଦେଖୁଛନ୍ତି ଓ ଏସବୁ ମିଛିମିଛିକିଆ ଓ ତାଙ୍କର ଜାଗ୍ରତ ବାସ୍ତବ ଅନୁଭୂତି ଆଉ କିଛି? ପୁଣି କିଛିଦିନ ଗଲେ ସେଭଳି ଦ୍ବିଧା ଓ ପ୍ରଶ୍ନର ଅବକାଶ କି ଆଉ ଆସେ ନାହିଁ, ଜୀବନ ତା’ର ସାଧାରଣ ଗତିରେ ଚାଲିଥାଏ୤ କିନ୍ତୁ ଯେତେବେଳେ ତାଙ୍କର କୌଣସି ବିଷୟରେ ସମସ୍ୟା ଜଞ୍ଜାଳ ମନସ୍ତାପ କି ଦୁଃଖ ବଳାଏ, ନୈରାଶ୍ୟ ମାଡ଼ିବସେ, ଲାଗୁଥାଏ ସତେ ଯେପରିକି ଆଲୁଅର ଶେଷ ଧାସକୁ ଲିଭାଇ ଦେବାକୁ ଚାରିଆଡ଼ୁ ଘୋଟି ଆସିଲାଣି ମେଘ ଅନ୍ଧାର୤ ସେତେବଳେ ହଠାତ୍ ପୁଣି କେମିତି ତେଜି ଉଠେ ଆଶା ଓ ବିଶ୍ବାସ, ଲାଗେ ସବୁ ସମସ୍ୟା ଦୂର ହୋଇଯିବ୤

ମନ ଭିତରେ ଲୁଚି ଲୁଚି ରହିଥାଏ ଉତ୍‌ପ୍ରେକ୍ଷା ଯେ ପୁଣି ସେହି ବିସ୍ମୟକର ଆନନ୍ଦର ମୁହୂର୍ତ୍ତଟି ଆସି ପହଞ୍ଚିବ ଯେତେବେଳେ ତାଙ୍କ ଆଗରେ ସେହି ଚଢ଼େଇଟି ଉଡ଼ୁଥିବାର ସେ ଦେଖିବେ, ସେ ପୁଣି ଅନ୍ୟ କେଉଁ ସ୍ଥାନ, ଅନ୍ୟ କେଉଁ ବେଳ୤
ତା’ପରେ ସତକୁ ସତ ସେ କେବେ କେଉଁଠି ଦିଶିଯାଏ୤

ଶଙ୍କର ମିଶ୍ର ମନେ ମନେ ପଛକୁ ଚାହିଁ ସ୍ମରଣ କରୁଥା’ନ୍ତି ଅତୀତରେ କେବେ ଓ କେଉଁ କେଉଁ ସ୍ଥାନରେ ସେ ସେହି ସୁନ୍ଦର ଚଢ଼େଇଟିକୁ ଭେଟିଥିଲେ୤ ସେ ତ ସାଧାରଣ ନୁହେଁ କି ସବୁଠିଁ ମିଳେ ନାହିଁ୤ ଦିଶେ ଲୋକାଳୟ ନ ଥିବା ଅଗନାଗ୍ନି ବଣରେ, ନତୁବା ଜଙ୍ଗଲରୁ ଉଡ଼ି ଆସିଥିବା ସେହି ବିଚିତ୍ର ଚଢ଼େଇଟି ଅନ୍ୟ କେଉଁଠି ତୋଟା ଅରମା ବାଟରେ ହଠାତ୍ ହାବୋଡ଼ିଯାଏ, ତା’ପରେ ଲୁଚିଯାଏ, ତା’ ବି କେବେ କ୍ବଚିତ୍‌୤ ଚାରିଆଡ଼ ନିର୍ଜନ ଓ ଚୁପ୍‌ଚାପ୍ ଥିଲାବେଳେ ହିଁ ସେ ଦିଶେ, ସେଠି ସେତେବେଳେ ଅନ୍ୟ ଜନ୍ତୁ କି ଚଢ଼େଇ ବି ଦିଶନ୍ତି ନାହିଁ୤

କିନ୍ତୁ କେବେ ଦେଖିଥିଲେ? ଶଙ୍କର ମିଶ୍ର ସ୍ମରଣ କରିବାକୁ ମନେ ମନେ କ୍ଲାନ୍ତିକର ପରିଶ୍ରମ କରୁଥା’ନ୍ତି; ତାଙ୍କୁ ହେଲାଣି ବୟସ ତେସ୍ତରି, ଏକଦା ବଳିଷ୍ଠ ଅତି କର୍ମଠ ଶରୀର ବାରମ୍ବାର ବ୍ୟାଧିର ଆଘାତରେ କ୍ଷୟ ହୋଇଗଲାଣି କ୍ଷୀଣ, ଦୁର୍ବଳ, ଅପାରଗ୤ ଏକଦା ନାନା ଜଟିଳ ସମସ୍ୟାକୁ ଆଗ୍ରହରେ ଅନାୟାସରେ ଖୋଲି ଖୋଲି ଦେଖିପାରୁଥିବା ମନ ଟିକିଏ ମାନସିକ ପରିଶ୍ରମ କରିବାକୁ ପଛେଇଯାଏ, ଅଳ୍ପ ଭାବୁ ଭାବୁ କ୍ଳାନ୍ତ ହୋଇଯାଏ, ସ୍ମରଣ ଶକ୍ତି ଦୁର୍ବଳ ଓ ଟଳମଳ ଅଙ୍ଗେ ଲିଭାଇଥିବା କେତେକଥା ବି ମନେପଡ଼େ ନାହିଁ୤ ଶଙ୍କର ମିଶ୍ର କେତେବେଳେ ଭାବନ୍ତି- ‘‘ଏଇଆ? ନା ତା’ ବି ନୁହେଁ ପରା?….ହଁ ହଁ ଏଇଆ – ନା ନୁହେଁ, ମନେ ପଡ଼ୁନାହିଁ୤’’ ବିଚାର ବାଟ ଛାଡ଼ନ୍ତି, ଚେଇଁ ଚେଇଁ ସ୍ବପ୍ନରେ ବୁଡ଼ନ୍ତି, ତହିଁରୁ ନିଜ ଅତୀତର ଜୀବନ ଅନୁଭୂତିରୁ ଯାହା କିଛି ଭାସି ଭାସି ଉଠେ୤

କେବେ ଦେଖିଥିବା ସେହି ଛୋଟ ଚଢ଼େଇଟିକୁ ଆଶ୍ରା କରି ମନେ ମନେ ଟାଣ କରି ମୁଠେଇ ଧରି ସେ ସେହିପରି ସ୍ବପ୍ନିଳ ଧ୍ୟାନରେ ମଜ୍ଜି ରହିଲେ ଓ ଅତୀତକୁ ହେଜିଲେ; କେବେ କେଉଁ ସ୍ଥାନରେ କି ପରିବେଶରେ ସେ ତା’କୁ ଦେଖିଥିଲେ୤ ଗୋଟିଏ ସ୍ଥାନ ପରେ ଅନ୍ୟ ସ୍ଥାନ, ନିଜ ଜୀବନର ନାନା ସମୟର ନାନା ଚିତ୍ର, ସବୁ ଉଏଁ ଆଉ ନିଭିଯାଏ, ଧ୍ରୁବ ହୋଇ ଆଗେ ଆଗେ ଦୂରରେ ଦିଶୁଥାଏ ସେହି ଚଢ଼େଇଟି୤ ଦିଶିଗଲା କେତେ କେତେ ଦୃଶ୍ୟ, ଅନୁଭବ ହେଲା କେତେ କେତେ ସ୍ମୃତି, ସୁଖର, ଦୁଃଖର, ପ୍ରକାର ପ୍ରକାର ଭାବର ଉଚ୍ଛ୍ବାସ ତେଜି ଉଠିଲା, ଯେମିତି ଅକଳନ ଜଳବିସ୍ତୃତି ଉପରେ ଢେଉଟିମାନ, ପୁଣି ଦବିଗଲା, ହଜିଗଲା; ପୁଣି ଉଭେଇଗଲା, କେତେ ଭାବ କେତେ ରସ କେତେ ସ୍ବରର ସଙ୍ଗୀତ ଝଙ୍କାରି ଉଠିଲା, ପୁଣି ତୁନି ହେଲା, ସବୁ ଶୂନ୍‌ଶାନ୍, ପୁଣି କେବେ କେଉଁଠି ତାକୁ ଦେଖିଥିଲି- ଭାବୁ ଭାବୁ ଆଶା ଆବେଗ କଅଁଳିଲା; ମନେପଡ଼ିଲା ଅନ୍ୟ ଦିନର ସ୍ମୃତି୤ ତା’ ସଙ୍ଗେ ସଙ୍ଗେ ଶଙ୍କର ମିଶ୍ର ଦେଖିଗଲେ ନିଜ ଯୌବନ ଦିନଠୁଁ ପ୍ରୌଢ଼ତ୍ବ ଓ ବାର୍ଧକ୍ୟ ପର୍ଯ୍ୟନ୍ତ ନାନା ଅବସ୍ଥା; ଯେତେବେଳେ କେଉଁଠି ହେଲେ ସେ ଚଢ଼େଇକି ଦେଖିଥିଲେ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋପୀନାଥ ମହାନ୍ତି
ଗୋପୀନାଥ ମହାନ୍ତି
ଚଳିତ ଶତାବ୍ଦୀର ଭାରତୀୟ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗୋପୀନାଥ ମହାନ୍ତି (୧୯୧୪-୯୧) ଉଲ୍ଲେଖନୀୟ ଗୁରୁତ୍ବର ଅଧିକାରୀ୤ ଆଦିବାସୀ ଜନଜୀବନ, ସୁଖ-ଦୁଃଖ, ସଂଘାତ-ସଂଘର୍ଷ, ସ୍ବପ୍ନ ଓ ସମ୍ଭାବନାର ଚିତ୍ର ତାଙ୍କ ଲେଖନୀରେ ବାସ୍ତବରୂପ ଧାରଣ କରିଥିଲା୤ ମୁଖ୍ୟତଃ ଜଣେ ଔପନ୍ୟାସିକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ ମଧ୍ୟ ତାଙ୍କ ରଚିତ କ୍ଷୁଦ୍ରଗଳ୍ପଗୁଡ଼ିକ ବେଶ୍ ମାର୍ମିକ ଥିଲା୤ ଏହା ସହିତ ସେ ଜଣେ ଅନୁବାଦକ ସହିତ ଦୁଇଟି ଜୀବନୀ ଓ ନିଜର ଆତ୍ମଜୀବନୀ ମଧ୍ୟ ଲେଖିଥିଲେ୤ ମଣିଷର ବିଭିନ୍ନ ଅବସ୍ଥା ସହିତ ପରିବେଶ ଓ... [ କ୍ରମେ ସବିଶେଷ ]
ଗୋପୀନାଥ ମହାନ୍ତିଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤