ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦେବେନ୍ଦ୍ର ମହାନ୍ତି
କାହ୍ନୁଚରଣ ମହାନ୍ତି
ଗୋପାଳ ଚନ୍ଦ୍ର ପ୍ରହରାଜ
ସୁଶାନ୍ତ ଦାଶ
ଲକ୍ଷ୍ମୀଧର ନାୟକ
କୃଷ୍ଣଚନ୍ଦ୍ର ତ୍ରିପାଠୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚଢ଼େଇ
 |- ଗୋପୀନାଥ ମହାନ୍ତି
 
 
ତା: ଜୁଲାଇ ୨୯, ୨୦୧୩  
 

ମନେପଡ଼ିଲା; ପ୍ରଥମେ ଦେଖା ଆଦ୍ୟ ଯୌବନରେ୤ ଆଦ୍ୟ ଯୌବନ ସଙ୍ଗେ ସଙ୍ଗେ ଦେହରେ ଆସିଥିଲା ସ୍ବାସ୍ଥ୍ୟ ଓ ବଳର ଜୁଆର; କ୍ରମେ କ୍ରମେ ଫୁଲି ଫୁଲି ବଢ଼ି ବଢ଼ି ଉଠିଲା; ଯେମିତି ସେ ଦେଖି ଆସିଥିଲେ ପିଲାଦିନଠୁଁ ପୁରୀର ସମୁଦ୍ର କୂଳରେ ଜୁଆର ମାଡ଼େ୤ ତେଜୀୟାନ୍ ହୋଇ ବଢ଼ି ଚାଲିଲା ଯୌବନ, କେତେ ବଳିଷ୍ଠ କର୍ମଠ ହେଲା ତାଙ୍କ ଶରୀର୤ ମନରେ ସେତେବେଳେ କି ଶକ୍ତି, କି ପ୍ରଫୁଲ୍ଲତା, କି ସାହସ, କି ତେଜ, କି ଆଶା, କି ସ୍ବପ୍ନ୤ ସେହିପରି ବିତିଗଲା ପ୍ରୌଢ଼ତ୍ବ, ସତେ ଯେପରି ସେ ଚିରଯୁବା୤ କାହାରିକି ଭୟ ନଥିଲା, କୌଣସି ପ୍ରତିବନ୍ଧକକୁ ହଟୁ ନ ଥିଲେ, ପରିଶ୍ରମ କରିପାରୁଥିଲେ ଅକ୍ଳାନ୍ତ ଭାବେ, ସବୁବେଳେ ଆଶା ବିଶ୍ବାସ ଅତୁଟ ରହିଥାଏ୤ କେବେ ସେ ଜୁଆର ଭଟ୍ଟା ପଡ଼ିଲା ଜଣାପଡ଼ିଲା ନାହିଁ, ଧୀରେ ଧୀରେ ପାହାଚେ ପାହାଚେ ତଳକୁ ତଳକୁ୤ ସେତେବେଳେ ବି କେବେ କେଉଁଠି ସେ ଚଢ଼େଇକି ଦେଖିଥିଲେ୤

ତା’ପରେ ପାହାଡ଼ି ଝରଣାର ବଢ଼ି ଯେମିତି ଛାଡ଼ିଯାଏ, ପଥର ଓ ବାଲି ଉପରେ ଛାଡ଼ିଯାଏ ପାଣି ଚବଚବ ସରୁ ଧାରଟିଏ; ସେ ବି କ୍ରମେ ଶୁଖିଯିବ ପରା – ସେମିତି ଆସିଲା ଏ ବେଳ; ଯେପରିକି ମଳିନ କ୍ଳାନ୍ତ ସୂର୍ଯ୍ୟାସ୍ତ; ଆଉ-‘‘କାହାର ଏ ହାଡ଼ ଚମମୟ କ୍ଷୀଣ ଦେହ୤ ସରୁ ସରୁ ହାତଗୋଡ଼, ସତେ ଅବା ନିର୍ଜୀବ, ପିଣ୍ଡାଟା ଅଛି ଖାଲି ମୁଠାଏ ଖାଇବାକୁ ଓ ବ୍ୟାଧି ଦୁର୍ବଳତା ଅକ୍ଷମତାର କଷ୍ଟ ଭୋଗିବାକୁ୤ ଜିଭଟା ତଥାପି ସୁଆଦ ବାରିପାରେ ଓ ଲୋଡ଼େ ସେତିକି; କିଏ ଏଇଟା?’’ ଶଙ୍କର ମିଶ୍ର ଭାବୁଥିଲେ୤

ଭାବୁଥିଲେ – ଏଇ କ’ଣ ମୁଁ, ଶଙ୍କର ମିଶ୍ର? ମୁହଁରେ ହସ ନ ଥାଏ, କେବେଠୁଁ ମୁଁ ହସିନାହିଁଟି! ଆଗେ ପରା ହସର କୁହାଟ ଛାଡ଼ୁଥିଲି୤ କୌଣସି ବସ୍ତୁକୁ ବିଷୟକୁ ଆଗ୍ରହ ନାହିଁ, ସ୍ପୃହା ନାହିଁ, ସମସ୍ତିଙ୍କ ଠୁଁ ଆଡ଼େଇ ଏକୁଟିଆ ନିଜକୁ ନିଜେ ଘେନି ଆମ୍ବିଳା ମୁହଁ କରି ବିଷର୍ଣ୍ଣ ହୋଇ ସମୟ ଟାଳି ଯିବାକୁ ମନ ଡାକୁଛି୤ ନିଜକୁ ଭାବୁଛି ଏକୁଟିଆ ଅସହାୟ ଅଥର୍ବ ବୁଢ଼ାଟିଏ, ସତେ ତ! କିଏ ବୁଢ଼ାଟା ମୋ ଆଗରେ? ନା-ନା-ନା, ୟେ ମୁଁ ନୁହେଁ, ମୁଁ ତ ଶଙ୍କର ମିଶ୍ର, ଆଶା ଉଦ୍ଦୀପନା ବଳ ସାହସ ହସ ଆନନ୍ଦର ଭଣ୍ଡାର୤ ସବୁ ଭିନେ ଠିକଣାରେ ଖୋଜୁଛୁ ବୁଢ଼ା, ଏଠି ସେ ନାହିଁ, ଏଠି ମୁଁ, ମୁଁ ଶଙ୍କର ମିଶ୍ର, ତୁ ଯା’, ଯା’, ଯା’,-

ଶେଷଥର କେବେ ସେ ଚଢ଼େଇକି ଦେଖିଥିଲିଟି? କାଲି ପରି ଲାଗୁଛି୤ ହଁ; ସାତ ବର୍ଷ ହେଲାଣି ପରା୤ ସେଥର କହିଲେ ନୀଳମାଧବ ଦେଖି ଯାଉ ଯାଉ ନୟାଗଡ଼ ଭିତରେ ଠାଏ ନିଛାଟିଆ ଜଙ୍ଗଲରେ୤ କାର୍‌ଟା ରଖାହୋଇଥିଲା ଡାକବଙ୍ଗଳା ହତାରେ ଓ ମୁଁ ସେପାଖ ବଣରେ ଏକୁଟିଅ ବୁଲି ବୁଲି ଏଣେତେଣେ ଉଣ୍ଡୁଥିଲି, ଦିନ ଚାରିଟା ବାଜିଥିବ୤ କିନ୍ତୁ ସେ ସେଠିକା ବାସିନ୍ଦା ନୁହେଁ, ନିଶ୍ଚୟ ଉଡ଼ି ଉଡ଼ି ଆସିଥିବ ବାଲିଗୁଡ଼ା ମାଳ ଅଭ୍ୟନ୍ତରରୁ ଦଶପଲ୍ଲା ଅରଣ୍ୟ ବାଟେ୤ ସେଇପଟେ ତା’ ଘର ଓ ଦକ୍ଷିଣରେ ଉତ୍ତରରେ ଯେତେ ଯେତେ ଉଚ୍ଚ ପର୍ବତମାଳ ଅଛି ସେଠି୤ ପୁଣି ମୁଁ ଯିବି ସେଇସବୁ ମାଳକୁ୤ ମୁଁ ସେଠି ଯେତେ ଯେଉଁଠି ପ୍ରକାର ପ୍ରକାର ମୂଲ୍ୟବାନ୍ ଧାତୁ ଦ୍ରବ୍ୟର ଖଣି ଖୋଜି ଖୋଜି ସନ୍ଧାନ କରିଥିଲି ସେ କାମ କ’ଣ ପୂରା ସରିଲାଣି? ଆହୁରି ବହୁତ ବାକି ଅଛି ଯେ୤ ପୁଣି ଯିବି ସେହି କାମରେ, ସେଇଠି ଅଗନାଗ୍ନି ବନସ୍ତ ଭିତରେ ହାବୁଡ଼ି ପୁଣି ସେହି ଚଢ଼େଇ, ଶାଳଗଛ ମୂଳେ ନିଃଶବ୍ଦ ନିଷ୍ପନ୍ଦ ହୋଇ ମୁଁ ଠିଆ ହୋଇ ରହିଯିବି୤

ବେଳେବେଳେ ବଣୁଆ ହାତୀ ଯେମିତି ଠିଆ ହୋଇଯାଏ ଓ ତାଳକୁ ଦେଖି ପାହାଡ଼ ଚଢ଼ାର କ୍ଲାନ୍ତି ଭୁଲିବି, ମୋର ଝାଳ ସରସର ମୁହଁରେ ବାଜୁଥିବ ସୁଲୁସୁଲିଆ ପବନ୤ କୁରେଇ ଫୁଲର ବାସ୍ନାରେ ଭାରି ଭାରି, ଆଉ କେତେ ସଜ କେଡ଼େ ଶୀତଳ୤ ସାଙ୍ଗର ଲୋକେ? ସେ ତ କେତେ ପଛରେ ଧଇଁସଇଁ ହୋଇ ଆସୁଥିଲେ, କେବେ କିଏ ଚାଲିପାରିଛି ମୋ ସଙ୍ଗରେ ପାଦ ପକାଇ?

ଦିଶୁଥାଏ, ଢେଉ ପରି ପାହାଡ଼ମାଳ୤ ପାହାଡ଼ ଉପରେ ପାହାଡ଼; ତା’ ଉପରେ ତା’ ଉପରେ ବିମାନ ପରି ଖଞ୍ଜା ହୋଇଛି୤

ମନରେ ଗୋଟାଏ ଉଲ୍ଲାସର ତାତି୤

ଆଁ’ଟିଏ କରି ବୁଢ଼ା ଶଙ୍କର ମିଶ୍ର ଦାଣ୍ଡ ପିଣ୍ଡାରେ ଚୌକିରେ ବସି କାନ୍ଥକୁ ଆଉଜି ଢୁଳେଇ ପଡ଼ିଥିଲେ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋପୀନାଥ ମହାନ୍ତି
ଗୋପୀନାଥ ମହାନ୍ତି
ଚଳିତ ଶତାବ୍ଦୀର ଭାରତୀୟ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗୋପୀନାଥ ମହାନ୍ତି (୧୯୧୪-୯୧) ଉଲ୍ଲେଖନୀୟ ଗୁରୁତ୍ବର ଅଧିକାରୀ୤ ଆଦିବାସୀ ଜନଜୀବନ, ସୁଖ-ଦୁଃଖ, ସଂଘାତ-ସଂଘର୍ଷ, ସ୍ବପ୍ନ ଓ ସମ୍ଭାବନାର ଚିତ୍ର ତାଙ୍କ ଲେଖନୀରେ ବାସ୍ତବରୂପ ଧାରଣ କରିଥିଲା୤ ମୁଖ୍ୟତଃ ଜଣେ ଔପନ୍ୟାସିକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ ମଧ୍ୟ ତାଙ୍କ ରଚିତ କ୍ଷୁଦ୍ରଗଳ୍ପଗୁଡ଼ିକ ବେଶ୍ ମାର୍ମିକ ଥିଲା୤ ଏହା ସହିତ ସେ ଜଣେ ଅନୁବାଦକ ସହିତ ଦୁଇଟି ଜୀବନୀ ଓ ନିଜର ଆତ୍ମଜୀବନୀ ମଧ୍ୟ ଲେଖିଥିଲେ୤ ମଣିଷର ବିଭିନ୍ନ ଅବସ୍ଥା ସହିତ ପରିବେଶ ଓ... [ କ୍ରମେ ସବିଶେଷ ]
ଗୋପୀନାଥ ମହାନ୍ତିଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤