ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୨ Back to Vote Screen

ଲେଖକ ଓ ଲେଖିକା

ବରେନ୍ଦ୍ର କୃଷ୍ଣ ଧଳ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ସୀତାକାନ୍ତ ମହାପାତ୍ର
ମଧୁସୂଦନ ଦାସ
ସନ୍ଥକବି ଭୀମ ଭୋଇ
ଫକୀରମୋହନ ସେନାପତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୁଢ଼ାଶଙ୍ଖାରି
 |- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
 
 
ତା: ଅକ୍ଟୋବର୍ ୧୭, ୨୦୧୨  
 

ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା୤ ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି୤ ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ ଆଣ୍ଠୁଯାକେ ବୁଡ଼ିଛି, ଅଷ୍ଟାଙ୍ଗ ଶରୀର ଝାଳରେ ବୁଡ଼ି ଗୋଡ଼ ବାଟେ ବହି ଯାଉଛି୤

ଗାଁ ମୁଣ୍ଡରେ ଗୋଟିଏ ଘର୤ ପକ୍କା ପିଣ୍ଡା, ସାତଶେଣିଆ ଛପର, ଯାଉଁଳି କବାଟ୤ ବୁଢ଼ା ସେହି ପିଣ୍ଡାରେ ବୋଝଟି ଥୋଇ ଦେଇ, ନଥ୍‌ କରି ବସି ପଡ଼ିଲା୤ କିଛିକ୍ଷଣି ପରେ ସେ ଘରୁ ଗୋଟିଏ ଦାସୀ ବାହାରି ଆସିଲା୤ ଦାସୀ ବୁଢ଼ାକୁ ଚିହ୍ନେ୤ ପଚାରିଲା, କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି ? ବୁଢ଼ା ଉତ୍ତର କଲା, ହଁ୤ ପୁଣି କହିଲା, ଝିଅ ଟୋପାଏ ପାଣି ଦିଅନ୍ତୁ, ବୁଢ଼ାମଣିଷ, ଖରାରେ ତଣ୍ଟି ଶୁଖି ଗଲାଣି୤ ଦାସୀ ପାଣି ଆଣିବାକୁ ଚାଲିଗଲା୤

କିଛିକ୍ଷଣ ପରେ ଲୋଟାଏ ପାଣି ଘେନି ଦାସୀ ଫେରି ଆସି ବୁଢ଼ା ପାଖରେ ଥୋଇଦେଲା୤ ବୁଢ଼ା ଉପରକୁ ଆଁ କରିଦେଇ ଢକ ଢକ କରି ଅଧଲୋଟାଏ ପାଣି ଟେକିଦେଲା୤ ପାଣି ପିଇ ସାରି ବୁଢ଼ା ଚଉରସ ନିଶ୍ବାସଟିଏ ମୁହଁ ବାଟେ ପକାଇ କହିଲା, ‘ଝିଅ, ତୋର ବଡ଼ ଧରମ ହେଲା୤’ ଦାସୀ କହିଲା, ‘ହଉ ହେଲା ତ ହେଲା ପଛକେ, ଚାଲ ବହୁ ସାଆନ୍ତାଣୀ ଡାକୁଛନ୍ତି, କିମିତିକା ଶଙ୍ଖା ଅଛି ଦେଖିବେ୤’ ବୁଢ଼ା ଟୋକେଇଟି ନେଇ ଉଠିଲା୤ ସଦର ଦରଜା ପାରି ହେଲେ ଭିତରେ ପକ୍କା ବାହାର, ସାମନାରେ ଚଉପାଢ଼ି, ବାଆଁ ପାଖକୁ ଭିତର ଆଡ଼ ଦୁଆର୤ ସେ ଦୁଆର ପାଖରେ ଓଢ଼ଣା ଦେଇ ବୋହୂଟିଏ ଛିଡ଼ା ହୋଇଥିଲା୤ ବୁଢ଼ା ଯାଇ ଟୋକେଇଟି ଥୋଇ ଛିଡ଼ା ହେଲା୤ ବୋହୂଟି ଧୀରେଧୀରେ ଦାସୀକି କହିଲା, ‘କି ଶଙ୍ଖା ଅଛି ପଚାର ମ୤’ ଦାସୀ ଟିକିଏ ମୁଖରା୤ ସେ କହିଲା, ‘ଛି ମ, ବୁଢ଼ା ମଣିଷଟାକୁ ଏତେ ଲାଜ୤ ନିଜେ ଟୋକେଇରୁ ଆସି ଦେଖୁନାହଁ ? କଥାଟା ମନକୁ ଆସିଲା୤ ବୋହୂଟି ଓଢ଼ଣା ଅଧେ ଟେକି ଦେଇ ମୁରୁକି ମୁରୁକି ହସି ହସିକା ବାହାରି ଆସି ଟୋକେଇ ପାଖରେ ଛିଡ଼ା ହେଲା୤ ବୋହୂଟିର ମୁହଁ ଦିଶିଗଲା୤ ମୁହଁଟି ଚକି କାଟି ଦେଲା ପରି ଗୋଲ୍‌ ଆଉ ଚମ୍ପାଫୁଲ ପରି ଗୋରା୤ ଚାରି ଆଙ୍ଗୁଳି ଓସାର, ନାଲି ତହିଁରେ ମୟୂରକଣ୍ଠିଆ କସ୍ତା ଖଣ୍ଡିକ ଗୋଇଠି ଯାଏ ଲମ୍ବିଛି୤ ତା’ ଭିତରେ ଦେଇ ବୋହୂଟିର କଞ୍ଚାସୁନା ପରି ଗୋରା, ଗୋଟିଏ ଚାଉଳରେ ଗଢ଼ା, ଦେହଟି ଫୁଟି ଦିଶୁଛି୤ ବୁଢ଼ାର ଆଖି ପୂରି ଉଠିଲା୤ ଏତେ ସୁନ୍ଦର, ଏଡ଼େ ନିଜର ବୋହୂଟିଏ ସେ କେବେ ଦେଖିନାହିଁ୤ ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ୤ ଏକା ଧ୍ୟାନରେ ତାକୁ ଚାହିଁ ରହିଲା୤

ବୁଢ଼ାର ଇଚ୍ଛା କ’ଣ କହିବ ବୋଲି, କିନ୍ତୁ ପାଟିରୁ କଥା ଫୁଟିଲା ନାହିଁ୤ କେତେବେଳେକେ ବୁଢ଼ା ମୁହଁ ଫିଟାଇ କହିଲା, ‘ମା କି ଶଙ୍ଖା ନବୁ ନେ୤’ ମା’ ବୋଲି ଡାକି ଦେଲାକ୍ଷଣି ବୁଢ଼ାର ଛାତି କୁଣ୍ଢେ ମୋଟ ହୋଇଗଲା୤ ବୋହୂଟି ନାଜ ଛାଡ଼ି ଦେଇ କହିଲା, ‘ଅସ୍‌ମାନ୍‌ତାରା ଶଙ୍ଖା ଅଛି ?’ ଓଃ ଏଡ଼େ ମିଠାକଥା୤ ଏପରି କଥା ତ କେହି କହେ ନାହିଁ୤ ବୁଢ଼ାର କାନରେ ସେ ସ୍ବରଟା ଥରକୁ ଥର ବାଜିବାକୁ ଲାଗିଲା୤ ବୁଢ଼ା କହିଲା, ‘ନା, ମା, ରଙ୍ଗଝଲିରି, ବଉଳଫୁଲିଆ, ବିଛାମାଳିଆ, ଚୁନଟିପି ଏହିସବୁ ଅଛି୤ ଏହିଥିରୁ ଯାହା ନବୁ ମା, ମୁଁ ଆସ୍‌ମାନ୍‌ତାରା ତିଆରି ହେଲେ ଆଣିଦେବି୤’

ବୋହୂଟି ଦେଖି ଦେଖି ମୁଠାଏ ଶଙ୍ଖା ପସନ୍ଦ କଲା୤ ତେବେ ସେ ମୁଠାକ ହାତକୁ ହେବ କି ନାହିଁ କିଏ କହିବ ? ଏହି ସମୟରେ ‘ବୁଢ଼ା କହିଲା, ଦେ ମା, ହାତ ଦେ, ମୁଁ ଶଙ୍ଖା କଛି ଦିଏ୤’ ବୋହୂଟି ହଠାତ୍‌ ହାତ ବଢ଼ାଇ ଦେଉଛି ବା କିପରି ? ଟିକିଏ ଇତସ୍ତତଃ କଲା୤ ବୁଢ଼ା କହିଲା, ‘ମା’, ମୋତେ ନାଜ କରୁଛୁ ? ମୁଁ ପରା ତୋ ପୁଅ୤ ପୁଅକୁ ମା’ ନାଜ କରେ ନା ?”

ଦାସୀ ଏହି ସମୟରେ ଠୋ ଠୋ କରି ହସି ଦେଇ କହିଲା, ‘ବୋହୂ ସାଆନ୍ତାଣୀଏ ଆଛା ବୁଢ଼ା ପୁଅଟିଏ ପାଇଲ ଏକା, କପାଳ ତ !’ ବୋହୂଟି ପୁଣି ହସି ଦେଇ କହିଲା, ‘ଦୂର୍‌୤’

ବୋହୂଟି ହାତ ବଢ଼ାଇଦେଲା୤ କେଡ଼େ ଟିକିଏ ଟିକି ହାତଟି୤ କେଡ଼େ ସୁନ୍ଦର ଗୋଲ୤ ଆଙ୍ଗୁଳିଗୁଡ଼ିକ ଚମ୍ପାକଢ଼ି ପରି୤ ପାପୁଲିଟି ଟୁଳ୍‌ ଟୁଳ୍‌ ହେଉଛି୤ ଶଙ୍ଖାଗୁଡ଼ିକ କି ସୁନ୍ଦର ଦିଶୁଛି୤ ଏ କ’ଣ ମଣିଷର ହାତ ? ନା, କେହି କାରିଗର ଠାକୁର ଗଢ଼ିଛି ? ସେ ହାତକୁ ବୁଢ଼ା ତା’ର ମଳିଆ, ରୁକ୍ଷ ହାତରେ ଧରିବାକୁ ସାହସ କଲା ନାହିଁ୤ ତା’ପରେ ବାଁ ହାତରେ ଥିରକରି ହାତଟି ଧରି ପରେ ଶଙ୍ଖା କିଛି କାଢ଼ିଲା୤ ଏ ହାତ, ଶଙ୍ଖାରେ କାଳେ କଟିଯିବ, ରକତ ବାହାରି ପଡ଼ିବ ଯେ ! ପୁଣି ଟିକିଏ ରହିଲା୤ ପୁଣି ଶଙ୍ଖାପଟିଏ ଆଣି ଧୀରେ ଧୀରେ ଅତି ସନ୍ତର୍ପଣରେ, ଅତି ସାବଧାନତାର ସହିତ ସେ ପଟକ କଛି ନେଲା୤ ସେ ହାତଟି ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁ ନଥାଏ୤ ଯେପରି ତା’ର ଜୀବନର ସମସ୍ତ ସୁଖ, ସମସ୍ତ ଆଶାର ସେହିଠାରେ ତୃପ୍ତି୤ ସେ ହାତକୁ ପୁଣି ଛାଡ଼ି ଦେବାକୁ ହେଲା୤ ବୁଢ଼ା ଭାବିଲା, ମୁଁ ପ୍ରତିଦିନ ଏହିପରି ଏ ହାତରେ ଶଙ୍ଖା ପିନ୍ଧାନ୍ତି କି !

ଏହି ସମୟରେ ସେ ଘରର ସାଆନ୍ତାଣୀ ସେଠାରେ ଆସି ପହଞ୍ଚିଲେ୤ ଶାଶୁଙ୍କୁ ଦେଖି ବୋହୂଟି ଓଢ଼ଣା ଟାଣିଦେଇ ପଳାଇଲା୤ ଶାଶୁ ଦାସୀକୁ ପଚାରିଲେ, ‘‘କି’ ଲୋ, ଶଙ୍ଖା କିଣୁଥିଲୁ କି ?” ଦାସୀ କହିଲା, ‘ହଁ, ବୋହୁ ସାଆନ୍ତାଣୀ ଏହି ମୁଠାକ ନେବେ ବୋଲି କହୁଛନ୍ତି୤’

ଶାଶୁ କହିଲେ, ‘ଦାମ୍‌ କେତେ ?’
ବୁଢ଼ା-ଶଙ୍ଖାମୁଠାକ, କି ଦାମ୍‌ ?
ଶାଶୁ-ଫେର୍‌, କେତେ ଦେବି ?
ବୁଢ଼ା-ମା’ଠଉଁ ମୁଁ କ’ଣ ଦାମ୍‌ ନେବି ?

ଦାସୀ ହସି ହସି କହିଲା, ‘ସେଇ ପିଲାଟି ବୋହୂ ସାଆନ୍ତିଣୀଙ୍କ ପୁଅ ହୋଇଛି ୤’ ଶାଶୁ ବି ହସିଲେ୤ ଆଛା, ଏଥର ଦାମ୍‌ ନେଇଥାଅ, ଆଉ ଥରକୁ ପଛେ ଖାଲି ଦେଇଯିବ୤ ତମେ ଗରିବ ଲୋକ୤
ବୁଢ଼ା- ନା’, ନା, ମୋ ମା’କୁ ମୁଁ ତ ଦେଇଛି; ମୁଁ ଆଉ ଦାମ୍‌ ନେବିନାହିଁ୤ ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ୤’

ଏହା କହି ଶଙ୍ଖାରି ଶଙ୍ଖାମୁଠାକ ରଖି ଦେଇ ବୋଝଟି ଧରି ଏକାବେଳକେ ଚାଲିଗଲା ! ଆଉ ଡାକିଲେ ଶୁଣିଲା ନାହିଁ୤ ଦାସୀ ପଛରେ ଗୋଡ଼େଇ ଗୋଡ଼େଇ ଗଲା; କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଓଡ଼ିଆ ସାହିତ୍ୟର ଜଣେ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଏବଂ ସ୍ବାଧୀନତା ସଂଗ୍ରାମୀ ଭାବେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର(୧୮୮୮-୧୯୫୩) ଏକ ପରିଚିତ ନାମ୤ ଏକାଧାରରେ ଜଣେ ଶିଶୁ ସାହିତ୍ୟିକ, କବି ଓ ଲେଖକ ଭାବେ ତାଙ୍କ ରଚନାଗୁଡିକ ପାଠକମାନଙ୍କ ନିକଟରେ ଆଜି ମଧ୍ୟ ଆଦୃତ୤ ବିଶେଷକରି ତାଙ୍କ ଦ୍ବାରା ରଚିତ "କଣାମାମୁଁ" ଉପନ୍ୟାସ ଓ "ଜୀବନ ସଙ୍ଗୀତ" କବିତା ସଙ୍କଳନ ଆଦି ଗୋଟିଏ ଗୋଟିଏ ସଫଳ ସୃଷ୍ଟି୤ ସେ ଆରମ୍ଭ କରିଥିବା "ଡଗର" ପତ୍ରିକା ଓଡିଆ ପତ୍ରିକା ଜଗତରେ ଏକ ନୁତନ ଉନ୍ମାଦନ ଆଣିବାରେ... [ କ୍ରମେ ସବିଶେଷ ]
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. pritam muduli, Pune  |  ମାର୍ଚ୍ଚ୍ ୧୯, ୨୦୧୫ - ୧୧:୩୫ ପୂର୍ବାହ୍ନ

    Very heart touching story

  • ୨. କମଲ ଲୋଚନ ନ|ୟକ, ବ|ଲେଶ୍ୱର |  ମାର୍ଚ୍ଚ୍ ୮, ୨୦୧୬ - ୧୧:୦୪ ପୂର୍ବାହ୍ନ

    ମର୍ମସ୍ପର୍ଶୀ

  • ୩. ରଘୁନାଥ ପ୍ରଧାନ, ବୌଦ୍ଧ,ଓଡିଶା  |  ମେ ୩, ୨୦୧୮ - ୧୦:୩୬ ଅପରାହ୍ନ

    ବାସ୍ତବରେ ଗଳ୍ପଟି ଖୁବ୍ ହୃଦୟ ବିଦାରକ ଥିଲା ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤