ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭୁବନେଶ୍ବର ବେହେରା
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ରମାକାନ୍ତ ରଥ
ନୀଳକଣ୍ଠ ଦାସ
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ମୃଣାଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୁଢ଼ାଶଙ୍ଖାରି
 |- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
 
 
ତା: ଅକ୍ଟୋବର୍ ୧୭, ୨୦୧୨  
 

ସେହି ଦିନଠଉଁ ସେ ବୁଢ଼ା ଶଙ୍ଖାରି ଦୁଇଦିନେ ତିନିଦିନେ ସେ ଗାଁକୁ ଆସେ୤ ଶଙ୍ଖାଟା କ’ଣ ଗୋଟାଏ ନିତିଦିନିଆ ଦରବ ଯେ ଲୋକେ ରୋଜ କିଣିବେ ! ଅକାଳେ ସକାଳେ, ପୂନେଇ ପରବରେ ସିନା କିଏ ନୂଆ ଶଙ୍ଖା ଖୋଜେ୤ ବୁଢ଼ାଟା ଖାଲି ଘର ଘର ବୁଲି ଫେରିଯାଏ; କିନ୍ତୁ ଶଙ୍ଖା ବିକ୍ରୀ ତ ବୁଢ଼ାର ଉଦ୍ଦେଶ୍ୟ ନୁହେଁ୤ ସିଏ ଆସେ ତା’ର ସେହି ନିଜ ମା’ଟି କୁ ଦେଖିବା ପାଇଁ୤ ଯେଉଁ ଦିନ ଆସେ, କାହାରିକୁ ନ କହି ଦୁଆରଯାକେ ଚାଲିଆସେ୤ ବୋଝ ରଖିବାକୁ ହୁଏ ନାହିଁ୤ ଖାଲି ପାଟିକରି ଡାକିଦିଏ, ‘‘ନୂଆ ଶଙ୍ଖା ନବ ?” ତା’ପାଟି ଶୁଣିଲାକ୍ଷଣି ବୋହୂଟି କୁଆଡ଼େ ଥାଏ, ଆସି ଦୁଆର ପାଖରେ ଟିକିଏ ଛିଡ଼ା ହୁଏ୤ ବୁଢ଼ାଟି ଟିକିଏ ଅନାଏ, ଚାହିଁଦେଲାକ୍ଷଣି ବୁଢ଼ାର ମନ ପୂରିଉଠେ୤ ପଚାରେ, ‘‘ମା’ ଆଉ ଶଙ୍ଖା ନବୁ ?” ବୁଢ଼ାର ଇଛା କାଳେ ନବାକୁ କହିବ, ତାହେଲେ ତା’ ମା’ର ଚମ୍ଫାଫୁଲିଆ ସୁନ୍ଦର ହାତଟିରେ ସେ ଶଙ୍ଖା କିଛି ଦେବ୤ କିନ୍ତୁ ବୋହୂଟି ମୁଣ୍ଡ ହଲାଇ ଦିଏ୤ ବୁଢ଼ା ଫେରି ଚାଲିଯାଏ୤

ଦିନେ ଦିନେ ଯଦି ବୋହୂଟିର ଆସିବାକୁ ଡେରିହୁଏ, ସେ ଦାସୀଟି ହୁରି କରିଦିଏ, “ବୋହୂ ସାଆନ୍ତାଣୀଏ, ତମ ପୁଅ ଅଇଲାଣି୤’’ ବୁଢ଼ା ଦୁଇଥର ‘ନୂଆ ଶଙ୍ଖା ନେବ’ ବୋଲି ଡାକିଲାରୁ ତା’ ମା’ଟି ଆସି ଛିଡ଼ା ହୁଏ୤ ବୁଢ଼ା ଯେଉଁ ଦିନ ଆସେ, ପ୍ରାୟ ଏହି କଥା ଏହି ଅଭିନୟ ନିତିନିତି୤ ବୁଢ଼ା ଫେରିଲାବେଳକୁ ଭାବେ, ମା’ର ଆସ୍‌ମାନ୍‌ତାରା ଶଙ୍ଖା ଉପରକୁ ମନ, କେବେ ସେଥିରୁ ମୁଠାଏ ଆଣିଦେବି୤ ଶେଷରେ ଠିକ୍‌ କଲା ଆସନ୍ତା ରଜସଙ୍କ୍ରାନ୍ତି ବେଳକୁ ଯୁଆଡ଼ୁ ହେଲେ ମା’ ଲାଗି ଆସ୍‌ମାନ୍‌ତାରା ମୁଠାଏ ଆଣିବି, ମା’ ନୂଆ ଶଙ୍ଖା ନାଇବ୤ ମୋତେ ହାତ ଦେଖାଇବ୤ ମୁଁ ଶଙ୍ଖା କିଛି ଦେବି୤ ଏହା ଭାବିଲାକ୍ଷଣି ବୁଢ଼ାର ମନ ଭାରି ଉତ୍‌ଫୁଲ୍ଲ ହୋଇଯାଏ୤ ବୁଢ଼ା ରଜସଙ୍କ୍ରାନ୍ତିକୁ ଚାହିଁ ରହିଥାଏ୤ ରଜସଙ୍କ୍ରାନ୍ତିଟି ଏଥର ତା’ର ଭାରି ଆନନ୍ଦର ଦିନ, ତା’ ମା’ ଲାଗି ସେ ଆସ୍‌ମାନ୍‌ତାରା ଶଙ୍ଖା ଆଣିବ, ମା’ କେଡ଼େ ଖୁସି ହେବ୤

ବୈଶାଖ ମାସ ହେଲା୤ ବୁଢ଼ା ଲୋକ, ଏଥିରେ ଖରାରେ ରୋଜ ବାଟଚଲା, ପାଣି ପିଆ, ଦେହରେ ସହିଲା ନାହିଁ୤ ବୁଢ଼ାକୁ ଜ୍ବର ହେଲା୤ ଦେଖୁଁ ଦେଖୁଁ ଭାରି ଜ୍ବର୤ ଗୋଡ଼ ହାତ ଫୁଲିଗଲା୤ ସମସ୍ତେ କହିଲେ, ଆଉ ବଞ୍ଚିବ ନାହିଁ୤ ବୁଢ଼ାର କିନ୍ତୁ ସେ ଦିଗକୁ ଭାବନା ନାହିଁ୤ ସେ ସବୁବେଳେ ଭାବି ହେଉଥାଏ ଯେ କେଉଁ ଦିନୁ ସେ ମା’କୁ ଦେଖିବାକୁ ଯାଇନାହିଁ୤ ସେଥିପାଇଁ ମନଟା ଆଉଟି ପାଉଟି ହେଉଥାଏ୤

ଦେଖୁ ଦେଖୁ ରଜସଙ୍କ୍ରାନ୍ତି ଆସି ପାଖ ହୋଇଗଲା୤ ବୁଢ଼ା ଦୁଇମାସ ହେଲା ମା’କୁ ଦେଖିବାକୁ ଯାଇନାହିଁ୤ ଚାଲି ପାରୁଥିଲେ ଯିମିତି ହେଲେ ଦେଖି ଆସୁଥାଆନ୍ତି୤ କିନ୍ତୁ ରଜକୁ ତ ଆସ୍‌ମାନ୍‌ତାରା ଶଙ୍ଖା ମୁଠାଏ ନିଶ୍ଚୟ ଦେବାକୁ ହେବ୤ ବୁଢ଼ା ଅନେକ କଷ୍ଟରେ ଉଠି ବସି ନିଜ ହାତରେ ଶଙ୍ଖା ତିଆରି କଲା୤ ଆଉକେହି କରିଦେଲେ କାଳେ ମା’ ମନକୁ ନଆସିବ୤ ଷାଠିଏ ବର୍ଷ କାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ହାତ ସଫେଇ ହାସଲ କରିଥିଲା, ସବୁ ସେଥିରେ ଲଗାଇଲା୤ ଦିନର କାମ ଚାରିଦିନ ଲାଗୁ ପଛକେ, କାମଟି କିମିତି ସରସ ହେଉ୤ ରଜ ଦୁଇଦିନ ଥାଇ କାମ ନିକାଶ ହେଲା୤ ମନ ଘେନି ଫଳ୤ ଏପରି ଗଢ଼ଣରେ ଶଙ୍ଖା ତା’ ଜୀବନରେ ତା’ ହାତରେ କେବେ ଉତୁରି ନାହିଁ୤ ଶଙ୍ଖା ଦେଖି ବୁଢ଼ାର ମନ ଭାରି ଖୁସି୤ ତା’ ମା’ ହାତକୁ ଏ ଶଙ୍ଖାମୁଠିକ ଖୁବ୍‌ ମାନିବ୤

ରଜ ଆଗଦିନ ପହିଲି ରଜ୤ ଆଜି ଝିଅବୋହୂ ନୂଆ ଶାଢ଼ୀ ପିନ୍ଧନ୍ତି୤ ରାତିସାରା ବୁଢ଼ାର ନିଦ ନାହିଁ୤ ସକାଳୁ ଉଠି ବୁଢ଼ା ଭାବିଲା, ମୁଁ ତ ଚାଲିପାରୁନାହିଁ, କ’ଣ କରିବି ? ଆଉ କିଏ ନେଇଗଲେ ତ ହେବନାହିଁ୤ ମା’କୁ ଢେର ଦିନୁ ଦେଖିନାହିଁ, ସତେ କ’ଣ ଏଥିରୁ ବଞ୍ଚିବି ଯେ, – ଥରେ ଦେଖିଆସେ୤ ଆଉ ମା’ର ସେହି ହାତରେ ଶଙ୍ଖା କଛି ଦେବି୤ ମା’ର ହାତଟି ମନେ ପଡ଼ିଗଲାକ୍ଷଣି ବୁଢ଼ାର ଗଦାଏ ବଳ ଆସିଲା୤ ବୁଢ଼ା ସଅଳ ସଅଳ ମୁଠାଏ ଖାଇ ଦେଇ, ଶଙ୍ଖାମୁଠିକ ଗାମୁଛାରେ ବାନ୍ଧି ବାହାରିଲା୤ ଅତି କଷ୍ଟରେ ଭଡ଼ାଏ ଭଡ଼ାଏ ପାଦ ପକାଇ ଚାଲିଥାଏ୤ ପାଞ୍ଚକୋଷ ବାଟ ପହୁଞ୍ଚିଲାବେଳକୁ ବେଳ ଗଡ଼ି ଗଲାଣି୤

ବୁଢ଼ା ଯାଇ ଯେଉଁଠାରେ ଛିଡ଼ା ହୋଇ ଡାକୁଥିଲା, ସେହିଠାରେ ଛିଡ଼ା ହେଲା୤ ମନରେ କେତେ ଆନନ୍ଦ, କେତେ ଉତ୍ସାହ୤ ଡାକିଲା, ‘ଶଙ୍ଖା ନେବ’ ? କେହି ଶୁଣିଲେ ନାହିଁ୤ ପୁଣି ଡାକିଲା, ‘ମା’ ଲୋ ! ଶଙ୍ଖା ନବୁ ପରା ? ତେବେ ବି କେହି ଆସିଲେ ନାହିଁ୤ ବୁଢ଼ା ଅଧୀର ହୋଇପଡ଼ିଲା୤ ଦୁଇଥର ଡାକି ସାରିଲାଣି, କେହି ଜବାବ ପଦେ ଦେଉନାହିଁ୤ ଥରେ ଡାକିଲେ ତ ମା’ ତାର ଆସି ଦୁଆରବନ୍ଧ ପାଖରେ ଛିଡ଼ା ହୋଇଯାଉଥିଲା୤ ପୁଣି ଡାକିଲା, ‘‘ମା’ ମୁଁ ଆସିଛି୤ ଶଙ୍ଖା ଆଣିଛି ତୋ ପାଇଁ୤ ଏଇଥର ସାଆନ୍ତାଣୀ ନିଜେ ବାହାରି ଆସିଲେ, ତାଙ୍କ ପଛେ ପଛେ ସେହି ଦାସୀ୤ ସାଆନ୍ତାଣୀଙ୍କୁ ଦେଖି ବୁଢ଼ା କହିଲା, ମୋ ମା’ କାହିଁ ? ମୁଁ ତା’ ପାଇଁ ଆସ୍‌ମାନ୍‌ତାରା ଶଙ୍ଖା ଆଣିଛି ରଜରେ ପିନ୍ଧିବ୤” ଦାସୀ ତ ଏତେବେଳକୁ ହୁରି କମ୍ପାଇ ଦିଅନ୍ତାଣି, ସେ କିଛି କହିଲା ନାହିଁ୤ ସାଆନ୍ତାଣୀ ଧୀରେ ଧୀରେ କହିଲେ, “ନା, ଶଙ୍ଖା ଲୋଡ଼ାନାହିଁ୤” ବୁଢ଼ା କହିଲା, “ନା, ନା, ମୁଁ ମୋ ମା’ ଲାଗି ବଡ଼ ଶରଧାରେ ଆଣିଛି୤”

ସାଆନ୍ତାଣୀ- ଯା, ଶଙ୍ଖା କେହି ନେବେ ନାହିଁ୤
ବୁଢ଼ା- ହଉ, ଶଙ୍ଖା ନନେଲେ ନାହିଁ, ମୋ ମା’କୁ ଥରେ ଡାକିଦିଅ, ମୁଁ ଦେଖିବି୤ କେଉଁ ଦିନରୁ ଦେଖିନାହିଁ୤

ସାଆନ୍ତାଣୀ – ଦେଖା ହୋଇପାରିବ ନାହିଁ୤
ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା- ‘ଦେଖା ହୋଇ ପାରିବ ନାହିଁ୤ ମୋ ମା’କୁ ମୁଁ ଥରେ ଦେଖି ପାରିବି ନାହିଁ ? ବୁଢ଼ାର ଆଖି ଛଳଛଳ ହୋଇ ଉଠିଲା୤’ ସେ କାନ୍ଦ କାନ୍ଦ ହୋଇ କହିଲା, ‘ଥରଟିଏ ଦେଖିବି, ମୁଁ ଆଉ ବଞ୍ଚିବି ନାହିଁ୤’

ସାଆନ୍ତାଣୀ ଦାସୀକୁ କହିଲେ, ‘ଯା, ବୋହୂକୁ ଡାକି ଦେ୤’ ଦାସୀ ଚାଲିଗଲା୤ କିଛିକ୍ଷଣ ପରେ ବୋହୁ ଆସି ଦୁଆର ପାଖେ ଛିଡ଼ା ହେଲା୤ ସେଇଠି ସେ ସବୁଦିନେ ଛିଡ଼ା ହୁଏ୤ ଆସିଲା ବେଳକୁ ଝୁମୁରୁଝୁମୁରୁ ହୋଇ ଚାଲିଆସେ୤ ଛିଡ଼ା ହୋଇ ବୁଢ଼ାକୁ ଚାହିଁଦିଏ୤ ତା’ର ହସହସ ମୁହଁଟି ଦେଖି ବୁଢ଼ାର ଆନନ୍ଦର ସୀମା ରହେନାହିଁ୤ ଆଜି ନିଃଶବ୍ଦରେ ଆସି ଛିଡ଼ା ହେଲା୤ ସେ ଚାରିଅଙ୍ଗୁଳି ଲେଖାଏଁ ନାଲି ଶାଢ଼ି ନାହିଁ କି କୁମ୍ଭ କିନାରୀ ଦକ୍ଷିଣୀ ପାଟ ନାହିଁ୤ ଗୋଡ଼ ଦୁଇଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା୤ ବୁଢ଼ାର ଦେହ ଥରି ଉଠିଲା, ମୁଣ୍ଡ ଘୁରିଗଲା୤ ବୁଢ଼ା ଆଖି ବୁଜି ପକାଇଲା୤ ପୁଣି ଚାହିଁ ଦେଲାବେଳକୁ ତା’ର ସେହି ହାତଟି ଦିଶିଲା, ହାତରେ କିଛି ନାହିଁ୤ ବୁଢ଼ା ଭୋ ଭୋ କରି ରଡ଼ିକରି ଉଠିଲା୤ ବୋହୂଟି ଫେରି ପଡ଼ି ଚାଲିଗଲା୤ ବୁଢ଼ା କହିଲା, ମା’ ମା’୤ ବୁଢ଼ା ଆଉ କହିପାରିଲା ନାହିଁ୤ ଗାମୁଛାରୁ ତା’ର ବଡ଼ ଯତ୍ନର ବଡ଼ ଶରଧାର ଶଙ୍ଖା ମୁଠିକ ଫିଟାଇ ପକାଇ ବାହାରେ କଚାଡ଼ି ଦେଲା୤ ଶଙ୍ଖାମୁଠାକ ଯାକ ଚୁନା ହୋଇଗଲା୤ ତହୁଁ ସେ ଏକାମୁହାଁ ହୋଇ ଫେରିଚାଲିଗଲା ୤ ଦାସୀ ଓ ଶାଶୁ ରଡ଼ି କରି ଉଠିଲେ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଓଡ଼ିଆ ସାହିତ୍ୟର ଜଣେ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଏବଂ ସ୍ବାଧୀନତା ସଂଗ୍ରାମୀ ଭାବେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର(୧୮୮୮-୧୯୫୩) ଏକ ପରିଚିତ ନାମ୤ ଏକାଧାରରେ ଜଣେ ଶିଶୁ ସାହିତ୍ୟିକ, କବି ଓ ଲେଖକ ଭାବେ ତାଙ୍କ ରଚନାଗୁଡିକ ପାଠକମାନଙ୍କ ନିକଟରେ ଆଜି ମଧ୍ୟ ଆଦୃତ୤ ବିଶେଷକରି ତାଙ୍କ ଦ୍ବାରା ରଚିତ "କଣାମାମୁଁ" ଉପନ୍ୟାସ ଓ "ଜୀବନ ସଙ୍ଗୀତ" କବିତା ସଙ୍କଳନ ଆଦି ଗୋଟିଏ ଗୋଟିଏ ସଫଳ ସୃଷ୍ଟି୤ ସେ ଆରମ୍ଭ କରିଥିବା "ଡଗର" ପତ୍ରିକା ଓଡିଆ ପତ୍ରିକା ଜଗତରେ ଏକ ନୁତନ ଉନ୍ମାଦନ ଆଣିବାରେ... [ କ୍ରମେ ସବିଶେଷ ]
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. pritam muduli, Pune  |  ମାର୍ଚ୍ଚ୍ ୧୯, ୨୦୧୫ - ୧୧:୩୫ ପୂର୍ବାହ୍ନ

    Very heart touching story

  • ୨. କମଲ ଲୋଚନ ନ|ୟକ, ବ|ଲେଶ୍ୱର |  ମାର୍ଚ୍ଚ୍ ୮, ୨୦୧୬ - ୧୧:୦୪ ପୂର୍ବାହ୍ନ

    ମର୍ମସ୍ପର୍ଶୀ

  • ୩. ରଘୁନାଥ ପ୍ରଧାନ, ବୌଦ୍ଧ,ଓଡିଶା  |  ମେ ୩, ୨୦୧୮ - ୧୦:୩୬ ଅପରାହ୍ନ

    ବାସ୍ତବରେ ଗଳ୍ପଟି ଖୁବ୍ ହୃଦୟ ବିଦାରକ ଥିଲା ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤