ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଶାରଦା ପ୍ରସାଦ ମିଶ୍ର
ଲକ୍ଷ୍ମୀଧର ନାୟକ
ଗଣେଶ୍ୱର ମିଶ୍ର
ସୁଧାଂଶୁ ଶେଖର ପାତ୍ର
ବରେନ୍ଦ୍ର କୃଷ୍ଣ ଧଳ
ରାଜକିଶୋର ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିଶେଷ ସମ୍ବାଦ
 |- କହ୍ନେଇଲାଲ୍‌ ଦାସ
 
 
ତା: ଫେବୃଆରୀ ୨୬, ୨୦୧୩  
 

ପ୍ରୋଭିଡେଣ୍ଟ୍‌ ଫଣ୍ଡ କର୍ମଚାରୀମାନଙ୍କ ବିକ୍ଷୋଭ, ଭୁବନେଶ୍ବର ୧୦/୫, ପ୍ରୋଭିଡ଼େଣ୍ଟ ଫଣ୍ଡ ଅଫିସ୍‌ କର୍ମଚାରୀ ୟୁନିୟନର ସାଧାରଣ ସମ୍ପାଦକଙ୍କ ଆହ୍ବାନକ୍ରମେ ଅଫିସ୍‌ର ସମସ୍ତ କର୍ମଚାରୀ କମିଶନରଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ୤ ବେତନ ବୃଦ୍ଧି, ନୂତନ ବେତନ ହାର ସ୍ଥିରୀକରଣ ପ୍ରଭୃତି ଆଠଟି ଦାବି ଉପରେ ମହାସଂଘର ନିର୍ଦ୍ଦେଶାନୁଯାୟୀ ବିକ୍ଷୋଭ କରାଯାଇଥିଲା୤ ଚଳିତ ମାସ ମଧ୍ୟରେ ଦାବିଗୁଡ଼ିକର ନିଷ୍ପତ୍ତି କରା ନ ଗଲେ ସର୍ବଭାରତୀୟ ସ୍ତରରେ ବିକ୍ଷୋଭ, ଧର୍ମଘଟ ଓ ଅନଶନ ଆଦି କରାଯିବ ବୋଲି ସଂଘ ତରଫରୁ ଘୋଷଣା କରାଯାଇଛି୤

ମୋର ମନେ ଅଛି ସେଦିନ ଏହିପରି ଦରମା ହାର ଇତ୍ୟାଦି ନେଇ ଅଫିସ୍‌ରେ ବିକ୍ଷୋଭ ପ୍ରଦର୍ଶନ କରାଯିବାର ଥିଲା୤ ସେଦିନର ଲେବର ରୁମ୍‌ରେ ପ୍ରଶାନ୍ତି୤ ମୁଁ ବିକ୍ଷୋଭ ଇତ୍ୟାଦି ଛାଡ଼ି ଲେବର ରୁମ୍‌ ବାହାରେ ଚାର୍‌ମିନାର୍‌ ଟାଣି ଏପଟ ସେପଟ ହେଉଥିଲି୤ ପୁଅ ହେଲେ ତା’ ନାଁ ସୁନ୍ଦର ଓ ଝିଅ ହେଲେ କଳ୍ପନା୤ ମୋର କଳ୍ପନାର ହାବେଳିଟା ସୁଁ ସୁଁ ଉପରକୁ ଉଠି ଯେତେବେଳେ ତଳକୁ ତଳକୁ ଖସିଲା, ସେତିକିବେଳେ ନର୍ସ ଆସିଲା୤ ମୁଁ ଭିତରକୁ ଗଲି୤ ପ୍ରଶାନ୍ତିର ମୁଣ୍ଡରେ ସାନ୍ତ୍ବନାମୂଳକ ହାତଟା ଥାପି ବାହାରକୁ ବାହାରି ଆସିଲି୤ ତା’ପରେ ବିକ୍ଷୋଭରେ ଗଳା ଫଟାଇ ଚିତ୍କାର କଲି୤ କଳ୍ପନା ଜନ୍ମ ହୋଇଥଲା ସତ, କିନ୍ତୁ ନିଷ୍ପ୍ରାଣ ଦେହ ନେଇ ପୃଥିବୀର ଆଲୁଅକୁ ବାହାରି ଆସିଥିଲା୤ ପ୍ରଶାନ୍ତି ସେଦିନରୁ କେମିତି ନିଷ୍ପ୍ରାଣ ହୋଇଗଲା୤ କାହାରି ସହ ପ୍ରାୟ କଥା କହେ ନାହିଁ୤ କେବଳ ଗଣ୍ଡେ ଖାଏ, ରଙ୍ଗ ବେରଙ୍ଗର ଔଷଧ ପିଏ ଓ ଶୁଏ୤ ସେଇ ଔଷଧ ପିଇ ପିଇ ସେ ଆଜିକାଲି ସବୁବେଳେ ଶୋଉଛି୤

ଚୋରି ଅଭିଯୋଗରେ ଜଣେ ଆସାମୀ ଗିରଫ୤ ନିଜ ପ୍ରତିନିଧିଙ୍କ ଠାରୁ, ବାଲେଶ୍ବର ୧୦/୫, ମେ ଆଠ ତାରିଖ ପାହାନ୍ତିଆ ତିନିଟା ବେଳେ୤ ଶ୍ରୀ ଅଶୋକ ମାଇତି ନାମରେ ଜଣେ ଲୋକ ମାଣିଖମ୍ବ ଅଞ୍ଚଳରୁ ଚୋରି କରିବାକୁ ଉଦ୍ୟମ କରୁଥିଲା ବେଳେ ସ୍ଥାନୀୟ ଟାଉନ୍‌ ଥାନାର ଏ.ଏସ୍‌.ଆଇ. ଖୁବ୍‌ ତତ୍ପରତାର ସହିତ ଆସାମୀକୁ ଧରି ହାଜତକୁ ପଠାଇଛନ୍ତି୤ ଏହି ଆସାମୀର ଘର ଖାନଖୋଲା, ହୁଗୁଳି ବୋଲି ଜଣାଯାଇଛି ଏବଂ ସେ ବଡ଼ ବଡ଼ ଚୋରି ଅପରାଧରେ ସଂପୃକ୍ତ ବୋଲି ସନ୍ଦେହ କରାଯାଉଛି୤

ସବୁ ଘଟଣା ଦୁର୍ଘଟଣା ଅତିକ୍ରମ କରି ପ୍ରଶାନ୍ତିର ସୁଖ ଫେରାଇ ଆଣିବାକୁ ଅନେକ ଚେଷ୍ଟା କରିଥିଲି୤ ଋଣ କରି ପ୍ରଶାନ୍ତି ପାଇଁ ସୁନ୍ଦର ସୁନ୍ଦର ଶାଢ଼ୀ କିଣିଲି୤ ନୂଆ ଡିଜାଇନର ଗହଣା ତିଆରି କରିଦେଲି୤ ମୁଁ ଦେଖିଲି ପ୍ରଶାନ୍ତି ସେଗୁଡ଼ା କିଛି ବ୍ୟବହାର କରୁନାହିଁ୤ କେବଳ ଆଲମିରାରେ ସାଇତି ରଖୁଛି୤ ଦିନେ ସକାଳେ ବିଛଣାରୁ ଉଠି ଦେଖିଲି ପ୍ରଶାନ୍ତି ଆଲୁଳାୟିତ ବେଶବାସରେ ନିଷ୍ପଲକ ଆଖିରେ ବସିଛି୤ ଆଲମିରା ଖୋଲା୤ ମୁଁ ହଠାତ୍‌ କିଛି ବୁଝିପାରିଲି ନାହିଁ୤ ପ୍ରଶାନ୍ତି ବାରିପଟ କବାଟ ଆଡ଼େ ଆଙ୍ଗୁଠି ଦେଖାଇଲା୤ ମୁଁ ଦେଖିଲି ବାରିପଟ ମେଲା୤ କିଛି ସମୟ ପରେ ବୁଝିପାରିଲି ଋଣ କରି ପ୍ରଶାନ୍ତି ପାଇଁ ଦୋକାନମାନଙ୍କରୁ ଯେଉଁ ସୁଖ ସବୁ ଆଣି ଆଲମିରାରେ ସାଇତି ଥିଲି, ସେଗୁଡ଼ା କେଉଁ ଏକ ଅଜଣା ଆସାମୀ ହାତରେ ରାତିର ଅନ୍ଧକାରରେ ଚାଲାଣ ହୋଇଯାଇଛି୤ କାରଣ ପ୍ରଶାନ୍ତି ସବୁବେଳେ ନିଘୋଡ଼ ନିଦରେ ଶୁଏ, ଯେମିତି ସେ ବର୍ତ୍ତମାନ ଶୋଇଯାଇଛି୤

ଉତ୍କଟ ଖାଦ୍ୟ ଓ କିରାସିନି ଅଭାବ୤ ନିଜ ପ୍ରତିନିଧିଙ୍କଠାରୁ, ଆଳି ୧୦/୫, ବର୍ତ୍ତମାନ ଏ ଅଞ୍ଚଳରେ ଉତ୍କଟ ଖାଦ୍ୟାଭାବ ସାଙ୍ଗକୁ କିରାସିନି ଅଭାବ ମଧ୍ୟ ଦେଖାଦେଇଛି୤ ଏଠାରେ ଚାଉଳ କିଲୋପ୍ରତି ଟ.୨.୫୦ ପଇସା, ଅଟା କିଲୋପ୍ରତି ଟ.୨.୫୦ ପଇସାରେ ବିକ୍ରୟ ହେଲାଣି୤ ଏହା ବ୍ୟତୀତ କିଲୋପ୍ରତି ସୁଜି ଟ.୩.୦୦, ଡାଲଡ଼ା ଟ.୧୪.୦୦ ଦରରେ ବିକ୍ରୀ ହେଉଛି୤ ଗତ ୨ ମାସ ଧରି କିରାସିନି ଲିଟର ଟ.୧.୫୦ ଦରରେ ମଧ୍ୟ ମିଳୁନି୤ ଏଠାକାର ଶତକଡ଼ା ୯୫ ଭାଗ ଲୋକ ଖଟିଖିଆ୤ ସେମାନେ କୌଣସି କାମଧନ୍ଦା ନ ପାଇ ଭୋକ ଉପାସରେ ଦିନ କାଟୁଛନ୍ତି୤ ସରକାର ତୁରନ୍ତ ପ୍ରତି ପଞ୍ଚାୟତରେ ୨/୩ଟି କରି ବିକ୍ରୟ କେନ୍ଦ୍ର ଖୋଲି ଖାଦ୍ୟଦ୍ରବ୍ୟ ଓ କିରାସିନି ଯୋଗାଇ ଦେବାକୁ ଦାବି ହେଉଛି୤

ମୁଁ ଏଥର ଖବରକାଗଜ ମୋଡ଼ିମାଡ଼ି ମୁଣ୍ଡ ଆଡ଼େ ଫିଙ୍ଗିଦେଲି୤ ଆଉ ଖବର କାଗଜ କିଣିବି ନାହିଁ୤ ସବୁଦିନେ ସେଇ ଏକ ପ୍ରକାର ଖବର୤ ବିକ୍ଷୋଭ, ଆନ୍ଦୋଳନ, ଧର୍ମଘଟ, ଚୋରି, ଘରପୋଡ଼ି, ଆତ୍ମହତ୍ୟା, ଦରବୃଦ୍ଧି, ଅନାହାର ମୃତ୍ୟୁ୤ ବିଶେଷ ସମ୍ବାଦ ଆଉ କ’ଣ ? ପ୍ରଶାନ୍ତି ଦିନରେ ତା ବେକ କୁଣ୍ଡାଇ ହେଲା୤ ବେକରେ ମଶା ବସିଥିଲା ବୋଧହୁଏ୤ ପ୍ରଶାନ୍ତି ଦେହରେ ରକ୍ତ ନାହିଁ୤ ଗୋରା ଦେହ ଶେତା ପଡ଼ିଗଲାଣି୤ ତା’ ଉପରେ ମଶାର ଶୋଷଣ୤ ପ୍ରଶାନ୍ତି ଚମତ୍କାର ଭଙ୍ଗିରେ ମୋ ଆଡ଼େ ବୁଲି ଶୋଇଲା୤ ମୁଁ ଦେଖିଲି ତା’ ବ୍ଲାଉଜର ଉପର ବୋତାମ ଖୋଲା୤ ମୁଁ ଭିତରେ ଭିତରେ ଖୁବ୍‌ ସୂକ୍ଷ୍ମ ଭାବରେ ଶୃଙ୍ଗାରର ଉତ୍କଣ୍ଠା ଅନୁଭବ କଲି୤ ମୋ କାନ ପାଖ ଦେଇ ସୁଁ କରି ଗୋଟିଏ ମଶା ଉଡ଼ିଗଲା୤ ମୁଁ ଉଠି ମଶାରି ପକାଇ ଦେଲି୤ ଏବେ ମୁଁ ଓ ପ୍ରଶାନ୍ତି ବେଶ୍‌ ସୁରକ୍ଷିତ୤ ପ୍ରଶାନ୍ତିକୁ ଡାକିଲି୤ ସେ କ୍ଷୀଣ ସ୍ବରରେ କେବଳ ଉଁ ଉଁ ହେଲା୤ କିନ୍ତୁ ଉଠିଲା ନାହିଁ୤ ମୁଁ ଆଲୁଅ ଲିଭାଇ ଦେଲି୤ ତା’ ଆଡ଼େ ମୁହଁ କରି ଶୋଇଲି୤ ମୋ ଦେହ ଆଉ ତା’ ଦେହ ମଝିରେ ପଡ଼ିଥିବା ତା’ର ଦୁର୍ବଳ ହାତଟା ଉଠାଇ ଧରି ମୁଁ ତା’ ପାଖକୁ ଘୋଷାରି ଗଲି ଏବଂ ତା’ ହାତଟା ମୋ ଅଣ୍ଟାରେ ପକାଇ ଦେଲି୤ ରୋଗୀର ନିଃଶ୍ବାସ ଭଳି ତା’ର ତାତିଲା ନିଃଶ୍ବାସ ମୋ ଗାଲରେ ବାଜିଲା୤ ଠିକ୍‌ ସେଇ ସମୟରେ ଅନୁଭବ କଲି ଅନ୍ଧକାରରେ ମଶାରି ଭିତରେ ବି ଗୋଟିଏ ମଶା ବିରକ୍ତିକର ଶବ୍ଦ କରି ଉଡ଼ି ବୁଲୁଛି୤ ହାତଟାକୁ ଶବ୍ଦଭେଦୀ ଅସ୍ତ୍ର କରି ଘୂରାଇ ଆଣିଲି୤ ଡାହାଣ ହାତରେ ବ୍ଲାଉଜର ବୋତାମ ଖୋଲିଲା ବେଳେ ମନେ ହେଲା ମଶାଟା ଡାହାଣ ହାତ ପାପୁଲିରେ ପିଠି ଉପରେ ବସିଛି୤ ହାତଟା ଯୋର୍‌ରେ ବିଞ୍ଚି ଦେଲା ମାତ୍ରେ ସେଇଟା ଉଡ଼ିଗଲା୤ ମୁଁ ପ୍ରଶାନ୍ତିକୁ ଆଉଥରେ ଡାକିଲି୤ ସେ ସେମିତି ନିର୍ଜୀବ ଭାବରେ ପଡ଼ି ରହିଥିଲା୤ ମୋର ଇଚ୍ଛା ହେଲା ପ୍ରଶାନ୍ତି ହଠାତ୍‌ ଉଠି ମୋର କଣ୍ଠ ସଂଲଗ୍ନା ହୋଇ କାନ ପାଖରେ କହନ୍ତା କି-ପୃଥିବୀରେ ଯେତେ ବିପ୍ଳବ ହେଉ ପଛକେ ମୁଁ ତୁମକୁ ଭଲ ପାଏ୤ ହଠାତ୍‌ ମଶାଟା ମୋ କାନ ପାଖରେ ସେଇ ବିରକ୍ତିରେ ଶବ୍ଦ କରି ଦୂରକୁ ଉଡ଼ିଗଲା୤ ପ୍ରଶାନ୍ତିର ନରମ ଗାଲରେ ଓଠ ଲଗାଇଲା ବେଳେ ମୋର ଇଛା ହେଲା ସେ ନିଦରୁ ଉଠି ମୋ ଗାଲରେ ଓଠ ଲଗାନ୍ତା କି ! ଠିକ୍‌ ସେଇ ସମୟରେ ମଶାଟା ମୋ ଗାଲରେ ତା’ର ଶୁଣ୍ଢ ପୂରାଇ କିଛି ରକ୍ତ ଶୋଷି ନେଲା୤ ମୁଁ ନିଜ ଗାଲରେ ଖୁବ୍‌ ଜୋରରେ ଚାପୁଡ଼ାଟାଏ ମାରିଲି ଏବଂ ଉଠି ଆଲୁଅ ଜଳାଇଲି୤

ତଥାପି ମଶାମାନେ କେଉଁଠି କେଉଁ ଏକ ସନ୍ଧିରେ ରହି ବିରକ୍ତିକର ଆୱାଜ୍‌ କରୁଥିଲେ୤ ମୁଁ ଚୁପ୍‌ଚାପ୍‌ ମଶାରି ଭିତରେ ବସିରହି ପ୍ରଶାନ୍ତିକୁ ଦେଖିଗଲି ୤ ମୁଁ ଜାଣେ ଆଉ ଗୋଟିଏ ନୂଆ ସୂର୍ଯ୍ୟୋଦୟ ନ ହେଲା ପର୍ଯ୍ୟନ୍ତ ସେ କେବେହେଲେ ଉଠିବ ନାହିଁ୤ ତାକୁ ଆଉ ଡାକିବା ବୃଥା୤ ମୁଁ ଧୀରେ ଧୀରେ ତାକୁ ବିବସ୍ତ୍ର କଲି ଏବଂ ଚିତ୍‌ କରି ଶୁଆଇ ଦେଲି୤ ହଠାତ୍‌ ମନେ ହେଲା ମଶାରି କୋଣରେ କେଉଁ ଏକ ଅଜଣା ରାସ୍ତା ଦେଇ ଗୋଟିକ ପରେ ଗୋଟିଏ ମଶା ପଶି ଆସୁଛନ୍ତି୤ ଗୋଟିକୁ ଦେଖିଲି ମୁଣ୍ଡ ଆଡ଼େ ମଶାରି ଦେହରେ ବସି ରହିଛି୤ ମୁଁ ଖୁବ୍‌ ରାଗରେ ତାକୁ ଦୁଇ ପାପୁଲି ଘେରକୁ ଆଣି ଚାପିଦେଲି୤ ତାଳି ମାରିବାର ଶବ୍ଦ ହେଲା ଓ ହାତକୁ କେବଳ କାଟିଲା୤ ଆଉ ଗୋଟାକୁ ଦେଖିଲି ପ୍ରଶାନ୍ତିର ଖୋଲା ଛାତିରେ ଆରାମ୍‌ରେ ବସି ତାର ଶୁଣ୍ଢ ଭିତରକୁ ରକ୍ତ ଚାଲାଣ କରି ଦେଉଛି୤ ସେଇ ଆଡ଼କୁ ଲକ୍ଷ୍ୟ କରି ହାତ ଉଠାଇଲା ମାତ୍ରେ ସେଠାରୁ ଅଦୃଶ୍ୟ୤ ତା’ପରେ ଏକ ସମୟରେ ମନେହେଲା ମୋ ପିଠିରେ ଗୋଟିଏ ମଶା ତା’ର ଶୁଣ୍ଢ ପୂରାଇ ଦେଉଛି ଏବଂ ଆଉ ଗୋଟିଏ ମଶା ତିଳ ଚିହ୍ନ ଭଳି ପ୍ରଶାନ୍ତିର ଗାଲ ଉପରେ ବସି ଯାଇଛି ଏବଂ ମୋ କାନ ପାଖରେ ଆଉ ଗୋଟିଏ ବିକ୍ଷୋଭ କରୁଛି ଏବଂ ପ୍ରଶାନ୍ତିର ପେଟ ଉପରେ ଏବଂ ମୋ ବାହୁରେ ଏବଂ ପ୍ରଶାନ୍ତିର ଜଙ୍ଘରେ ଏବଂ ମୋ ଗାଲରେ ଏବଂ ପ୍ରଶାନ୍ତିର ପାଦରେ ଏବଂ ମୋ କପାଳରେ ଏବଂ ପ୍ରଶାନ୍ତିର ଧଳା ଦେହରେ ସର୍ବତ୍ର ଅସଂଖ୍ୟ ତିଳଚିହ୍ନ ଭଳି ମଶାମାନେ ବସି ଯାଉଛନ୍ତି୤

ମୁଁ ନିରୁପାୟ ହୋଇ ଆଲୁଅ ଲିଭାଇ ଶୋଇଯିବା ପୂର୍ବରୁ ଦେଖିଲି ପ୍ରଶାନ୍ତିର ସୁନ୍ଦର ଗୋରା ଦେହ ଗୋଟିଏ ଖବର କାଗଜ ହୋଇ ଯାଇଛି ଏବଂ ଅସଂଖ୍ୟ ତିଳଚିହ୍ନ ଭଳି ବସିଥିବା ମଶାମାନେ ଅକ୍ଷର ହୋଇ ଯାଇଛନ୍ତି ଏବଂ ପରିଷ୍କାର ପଢ଼ିଗଲି ବିଶେଷ ସମ୍ବାଦ ସବୁ- ରେଳ ବସ୍‌ କର୍ମଚାରୀ ଓ ସମସ୍ତ ଶ୍ରମିକ ଧର୍ମଘଟ, ବିକ୍ଷୋଭ, ଧାନ, ଚାଉଳ, କିରାସିନି, ପେଟ୍ରୋଲ, ଲୁଗାପଟା, କାଗଜ ଇତ୍ୟାଦିର ଅସମ୍ଭବ ଦରବୃଦ୍ଧି, ଚୋରି, ଘରପୋଡ଼ି, ଆତ୍ମହତ୍ୟା, ଅନାହାର ମୃତ୍ୟୁ ଏବଂ ପୃଥିବୀରୁ ଭୀଷଣ ବେଗରେ ଏକ ଅବଶ୍ୟମ୍ଭାବୀ ବିପ୍ଳବ ମାଡ଼ି ଆସିବାର ସୂଚନା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କହ୍ନେଇଲାଲ୍‌ ଦାସ
ଓଡ଼ିଆ ସାହିତ୍ୟର ଗାଳ୍ପିକ ମହଲରେ ସେତେ ଅଧିକ ଗଳ୍ପ ଲେଖିବାରେ କହ୍ନେଇଲାଲ୍‌ ଦାସ(୧୯୪୭-୧୯୭୫)ଙ୍କ ପରିଚିତି ନଥିଲେ ମଧ୍ୟ ତାଙ୍କର ନିଆରା ଲେଖା ଶୈଳୀ ପାଇଁ ସେ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ଅଟନ୍ତି୤ ମାତ୍ର ୨୮ ବର୍ଷ ବୟଷ ବଞ୍ଚିଥିବା ଶ୍ରୀ ଦାସଙ୍କ ଗଳ୍ପଗ୍ରନ୍ଥ ମଧ୍ୟରେ ‘ଜୀବନ ଯନ୍ତ୍ରଣା ଓ ଯାହା ଯେମିତି ହୁଏ’ ଏବଂ ‘କହ୍ନେଇର କଥାଘର’ ଆଦି ଅନ୍ୟତମ୤ ଖୁବ୍‌ ଅଳ୍ପ ବର୍ଷ ବଞ୍ଚିଥିବା ଶ୍ରୀ ଦାସଙ୍କ ଲେଖା ଶୈଳୀର ନିଆରାପଣ ହେଉଛି ତାଙ୍କ ରଚନାର ବିଶେଷତ୍ବ୤
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. rasmi parida |  ଏପ୍ରିଲ୍ ୨୮, ୨୦୧୩ - ୨:୨୫ ପୂର୍ବାହ୍ନ

    sundar

  • ୨. ଋଷଭ ଚନ୍ଦ୍ର ସାହୁ, ବରଗଡ଼ |  ମେ ୧୨, ୨୦୧୪ - ୧୨:୧୪ ଅପରାହ୍ନ

    ସମ୍ବାଦ ପତ୍ରିକା ସବୁଠୁ ମିଠା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤