ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବୈକୁଣ୍ଠନାଥ ପଟ୍ଟନାୟକ
ଗୋଦାବରିଶ ମିଶ୍ର
କୃଷ୍ଣପ୍ରସାଦ ମିଶ୍ର
ସନ୍ୟାସୀ ନାୟକ
ସନତ୍‌ ରାୟ
ସହଦେବ ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିଶେଷ ସମ୍ବାଦ
 |- କହ୍ନେଇଲାଲ୍‌ ଦାସ
 
 
ତା: ଫେବୃଆରୀ ୨୬, ୨୦୧୩  
 

ମୁଁ ଶୋଇ ଶୋଇ ଖବର କାଗଜ ପଢ଼ୁଛି୤
ପ୍ରଶାନ୍ତି ଶୋଇ ଯାଇଛି୤
ମଶାମାନେ ମୋ କାନ ପାଖରେ ବିରକ୍ତିକର ଶବ୍ଦ କରୁଛନ୍ତି୤

କୋରାପୁଟ ଜିଲ୍ଲାରେ ସମସ୍ତ ବସ୍‌ ଅଚଳ, ନିଜ ପ୍ରତିନିଧିଙ୍କଠାରୁ୤ ଜୟପୁର ୧୦/୫, ଧର୍ମଘଟ ଫଳରେ କୋରାପୁଟ ଜୋନ୍‌ରେ ଯାତାୟତ କରୁଥିବା ସମସ୍ତ ବସ୍‌ ଗତ କାଲିଠାରୁ ଅଚଳ ହୋଇ ପଡ଼ିଛନ୍ତି୤ ଏଠାରୁ କୌଣସି ବସ୍‌ ଛାଡ଼ି ନାହିଁ କିନ୍ତୁ ଯେଉଁ ବସ୍‌ଗୁଡ଼ିକ ଅନ୍ୟତ୍ର ଯାଇ ରାତିରେ ଅଟକିଥିଲା ସେଗୁଡ଼ିକ ଗ୍ୟାରେଜକୁ ଫେରି ଆସିଛନ୍ତି ଧର୍ମଘଟ ଯୋଗୁଁ୤ ସାଧାରଣ ଯାତ୍ରୀ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବିଶେଷତଃ ବିବାହ ତିଥି ଭିତରେ ଧର୍ମଘଟ ହେଉଥିବାରୁ ବହୁ ବରଯାତ୍ରୀଦଳ ପ୍ରାୟ ପ୍ରତି ଗ୍ରାମରେ ଅଟକି ରହିଛନ୍ତି୤

ମୁଁ ଯେତେବେଳେ ପ୍ରଶାନ୍ତିକୁ ବାହା ହେଲି ସେତେବେଳେ ଏ ଧରଣର ଧର୍ମଘଟ ସବୁ ଏତେ ନଥିଲା୤ ମୁଁ ଦଳେ ବରଯାତ୍ରୀ ସହ ଗୋଟିଏ ଦ୍ରୁତଗାମୀ ବସ୍‌ରେ ଯେତେବେଳେ ପ୍ରଶାନ୍ତିର ସହରରେ ଓହ୍ଲାଇଲି, ମନେହେଲା ସେଠାରେ ସମସ୍ତେ ଯେପରି ପ୍ରଶାନ୍ତି ପରି ସୁନ୍ଦର, ସରଳ ଓ ଶାନ୍ତ୤ ସମସ୍ତଙ୍କ ଘର ସାମ୍ନାରେ ଚମତ୍କାର ଫୁଲ ବଗିଚା୤ ସମସ୍ତଙ୍କ ଘରେ ଧାନ ଚାଉଳ ଲୁଗାପଟା ଭର୍ତ୍ତି୤ ବେଦିରେ ପ୍ରଶାନ୍ତି ପାଖରେ ବସି ମନ୍ତ୍ର ଉଚ୍ଚାରଣ କରୁଥିବା ବେଳେ ଗୋଟିଏ ପାଖରେ ସବୁ ସୁନ୍ଦରୀ ତରୁଣୀଙ୍କ ଶାଢ଼ୀର ଫୁଲ ଦେଖି ଗୋଟିଏ ମୁହୂର୍ତ୍ତପାଇଁ ମୋର ଇଚ୍ଛା ହୋଇଥିଲା ଶାଢ଼ୀର ଫୁଲ ସବୁ ତୋଳି ଆଣି ସେଥିରେ ହାର ତିଆରି କରି ସମସ୍ତଙ୍କ ବେକରେ ପକାଇ ଦେବି୤ ଯାହାହେଉ ପ୍ରଶାନ୍ତି ମୋର ଫୁଲହାର ପିନ୍ଧି ଘରକୁ ଆସିଲା୤ ଘର ଆଗରେ ତିଆରି ହେଲା ଫୁଲ ବଗିଚା୤ ଧାନଚାଉଳ, ରଙ୍ଗୀନ ଫୁଲପକା ଲୁଗାପଟାରେ ଘର ଭର୍ତ୍ତି ହେଲା୤ ଗୋଟିଏ ବର୍ଷର ସୁନ୍ଦର ଫୁଲ ବଗିଚା ପାରିହେଲା ପରେ ପ୍ରଶାନ୍ତିର କୋଳ ଭର୍ତ୍ତି କରି ଆସିଲା ଆନନ୍ଦ୤ ସେତେବେଳେ ପ୍ରଶାନ୍ତି ଅନେକ ରାତି ପର୍ଯ୍ୟନ୍ତ ଶୋଇ ଶୋଇ ଏଣୁତେଣୁ ଗପୁଥିଲା ଆଉ ଲୁଗା କାନି ବିଞ୍ଚି ଆନନ୍ଦ ଦେହରୁ ମଝିରେ ମଝିରେ ମଶା ଘଉଡ଼ାଇ ଦେଉଥିଲା୤ ଏବେ ଆଉ ସେଦିନ ନାହିଁ୤ ପ୍ରଶାନ୍ତି ଶୋଇ ଯାଇଛି୤

ରାଣୀଗଞ୍ଜ ନିକଟରେ ଗୋଟିଏ ମାଲଗାଡ଼ି ଲାଇନ୍‌ଚ୍ୟୁତ ୧୦/୫, ରେଳ କର୍ମଚାରୀମାନଙ୍କ ଧର୍ମଘଟର ଦ୍ବିତୀୟ ଦିବସରେ ରାଣୀଗଞ୍ଜ ଠାରୁ ଦୁଇମାଇଲ ଦୂରରେ ରେଳ ଲାଇନର ଫିସ୍‌ପ୍ଲେଟ କାଢ଼ି ନିଆଯାଇଥିଲା୤ ରାଣୀଗଞ୍ଜ କୋଇଲା ଖଣିରୁ କୋଇଲା ଆଣୁଥିବା ମାଲଗାଡ଼ିର ଦୁଇଟି ଡବା ତଳକୁ ଖସି ଯାଇଥିଲା୤ ବର୍ତ୍ତମାନ ପୂର୍ବ ରେଳପଥର ବଡ଼ ବଡ଼ ଷ୍ଟେସନମାନଙ୍କରେ ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ୍‌ ମୁତୟନ କରାଯାଇଛି ଏବଂ ଅବସ୍ଥା ଆୟତ୍ତାଧୀନ ରହିଛି୤

ମୋର ସବୁବେଳେ ରେଳଯାତ୍ରାର ନିଶା ଥିଲା୤ ପ୍ରଶାନ୍ତିକୁ ବାହା ହେବା ଆଗରୁ ମୁଁ ସମୟ ପାଇଲେ ଅନିର୍ଦ୍ଦିଷ୍ଟ ଭାବେ ପାସେଞ୍ଜର ଟ୍ରେନ୍‌ରେ ଘୂରି ବୁଲୁଥିଲି୤ ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଦେଖିବା ନୂଆ ନୂଆ ସ୍ଥାନରେ ପାଦ ଦେବା ଥିଲା ମୋର ନିଶା୤ ଆନନ୍ଦର ଜନ୍ମ ପରେ ହଠାତ୍‌ ସେଇ ନିଶା ମୋ ଭିତରେ ଚେଇଁ ଉଠିଲା୤ ଦିନେ ପ୍ରଶାନ୍ତି ଓ ଆନନ୍ଦକୁ ନେଇ ଟ୍ରେନ୍‌ରେ ଚଢ଼ିଗଲି୤ ସୁନ୍ଦରଗଡ଼ରେ ଜଣେ ସମ୍ପର୍କୀୟ ଭାଇ ରହୁଥିଲେ୤ ଲକ୍ଷ୍ୟ ତାଙ୍କଠାରେ କିଛିଦିନ ବିତାଇ ଫେରି ଆସିବା୤ ରାତିର ଅନ୍ଧକାରରେ ଟ୍ରେନ୍‌ ଝୁକ୍‌ ଝୁକ୍‌ ଶବ୍ଦ କରି ଆଗେଇ ଯାଉଥାଏ୤ ଷ୍ଟେସନ ପରେ ଷ୍ଟେସନ ପାରି ହୋଇ ଯାଉଥିବାର ମୁଁ ଲକ୍ଷ୍ୟ କରୁଥାଏ୤ ଝର୍କା ପାଖରେ ମୁଁ ୤ ଆନନ୍ଦ ମୋ ଆଡ଼େ ମୁଣ୍ଡ କରି ପ୍ରଶାନ୍ତିର କୋଳରେ ତାର ବଳିଲା ବଳିଲା ପାଦ ଦୁଇଟି ଟେକି ଆରାମରେ ଶୋଇ ଯାଇଥାଏ୤ ପ୍ରଶାନ୍ତି ଢ଼ୁଳାଉଥାଏ୤ ମୁଁ ତା’ ଆଡ଼େ ଜିରାଫ ଭଳି ମୁହଁ ବଢ଼ାଇ ମନେ ମନେ ଚୁମା ଖାଉଥାଏ୤ ହଠାତ୍‌ ଟ୍ରେନ୍‌ଟା ଯେମିତି ଖୁବ୍‌ ସ୍ପିଡ଼୍‌ ନେଲା ବୋଲି ମୋତେ ମନେ ହେଲା୤ ଝଙ୍କା ଝଙ୍କା ଶବ୍ଦଟା ଦ୍ରୁତତର ହୋଇ ଉଠିଲା୤ କିନ୍ତୁ ହଠାତ୍‌ ଦପ୍‌କରି ସବୁ ଆଲୁଅ ଲିଭିଗଲା୤ ସବୁ ଯେପରି ଓଲଟ ପାଲଟ ହୋଇଗଲା୤ ମୁଁ ହଠାତ୍‌ କିଛି ବୁଝିପାରିଲି ନାହିଁ୤ ନିଜକୁ ଠିକ୍‌ ଭାବେ ଯେତେବେଳେ ଅନୁଭବ କଲି ବୁଝିପାରିଲି ଟ୍ରେନ୍‌ଟା ଲାଇନ୍‌ଚ୍ୟୁତ ହୋଇଯାଇଛି୤ ମୁଁ ଅଣ୍ଡାଳି ଅଣ୍ଡାଳି ଅନେକ ବାକ୍ସ, ସୁଟ୍‌କେଶ ଓ ବେଡ଼ିଂ ଅତିକ୍ରମ କରି ପ୍ରଶାନ୍ତିର ପାଦଟା ଏବଂ କ୍ରମେ ଭଙ୍ଗାରୁଜା ଭିତରୁ ସମ୍ପୂର୍ଣ୍ଣ ପ୍ରଶାନ୍ତିକୁ ଖୋଜି ପାଇଲି୤ ଅବଶ୍ୟ ଦୁଇ ସପ୍ତାହ ପରେ ପ୍ରଶାନ୍ତି ଓ ମୁଁ ଡାକ୍ତରଖାନାରୁ ଘରକୁ ଫେରିଲୁ୤ ପ୍ରଶାନ୍ତି କେମିତି ଖୁବ୍‌ ଏକା ହୋଇଗଲା୤ ସେଦିନରୁ ତାର ଅସମ୍ଭବ ନିଦ୤ ବହୁତ ସମୟ ଶୋଇ ଶୋଇ କଟାଏ୤ ମନେହୁଏ ସେ ଯେପରି ଆନନ୍ଦକୁ ସ୍ବପ୍ନ ଦେଖୁଛି୤ ଏବେ ସେ ଶୋଇଯାଇଛି୤

ଚାଉଳ ଦର କମାଇ ଦିଆଯାଉ, ବରଗଡ଼ ୧୦/୫୤ ଶ୍ରୀ ଶୁଭେନ୍ଦୁ ମୁଣ୍ଡ ଜଣାଇଛନ୍ତି ଯେ, ବର୍ଷ ଆରମ୍ଭରୁ ସରକାର ଚାଉଳ ଦର ବଢ଼ାଇ ଦେଇଥିବାରୁ ଦେଶର ଚାରିଆଡ଼େ କିଣିଖିଆ ଲୋକଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ପ୍ରକାଶ ପାଇଛି୤ ନୂତନ ଧାନ ଫସଲ ଆଦାୟ ପର୍ଯ୍ୟନ୍ତ ଲୋକେ କିପରି ଚଳିବେ ତାହା ସବୁ ସ୍ଥାନରେ ଆଲୋଚନା କରାଯାଉଛି୤ ଏଥିର ପ୍ରତିକାର ସକାଶେ ଜନସାଧାରଣଙ୍କ ମଧ୍ୟରେ ପ୍ରତିବାଦ ସଭା ହୋଇ ବିକ୍ଷୋଭ କରାଯାଉଛି୤ ଏହି ଅବସ୍ଥାକୁ ନେଇ ଚାଉଳ ଦର ବଢ଼ାଇ ଦେବା ବର୍ତ୍ତମାନ ସରକାରଙ୍କ ପକ୍ଷେ ଉଚିତ୍‌ ନୁହେଁ୤ ଏପରି ଅବସ୍ଥାରେ ଧାନଚାଉଳ ଦର ବଢ଼ାଇ ଦେଇ କୃଷକଙ୍କ ମଙ୍ଗଳ କରିବା ଠିକ୍‌ ବୋଲି ଧରାଯାଉ ନାହିଁ୤ ସରକାର ଏଥିର ସୁବିଚାର କରି ଅତିଶୀଘ୍ର ଚାଉଳ ଦର କମାଇ ଦେଇ ଲୋକଙ୍କ ମଙ୍ଗଳ କରନ୍ତୁ୤

ସବୁଠିକ୍‌ ଥିଲା, ଚାଲିଥିଲା୤ ହଠାତ୍‌ ତା’ପରେ ଧୀରେ ଧୀରେ ଧାନ ଚାଉଳର ଦର ହୁ ହୁ ବଢ଼ିଗଲା୤ କ୍ରମେ କ୍ରମେ ମୁଁ ଅନୁଭବ କଲି ପ୍ରଶାନ୍ତି ଦୁର୍ବଳ ହୋଇଉଠିଛି୤ ଖାଦ୍ୟ ଓ ଖାଦ୍ୟସାର ବିହୀନ ହୋଇଗଲା ପରି ପ୍ରଶାନ୍ତିର ଅସ୍ଥି ମଜ୍ଜା ଶୂନ୍ୟ ହୋଇ ଉଠୁଛି୤ ମୁଁ ଦେଖେ ପ୍ରଶାନ୍ତି ଝାଳ ସରସର ହୋଇ ରୋଷେଇ ଘରୁ ବାହାରି ଆସେ୤ ଘର ଓଳେଇ ସାରି ଅସମ୍ଭବ ଧକେଇ ହୁଏ ୤ ତା’ ଆଖି କୋଣ କ୍ରମେ କଳା ପଡ଼ି ଆସେ୤ ତା’ର ଓଠର ରଙ୍ଗ ଫିକା ହୋଇଯାଏ୤ କ୍ରମେ ପ୍ରଶାନ୍ତି ପ୍ରକାଶ କରେ ସେ ଅନ୍ତସତ୍ତ୍ବା୤ ମୁଁ ପୁଣି ଆନନ୍ଦର ହଳଦିଆ ତିକ୍ତତା ଉପରେ ସୁଗାର କୋଟିଂ ଦେଇ ପ୍ରଶାନ୍ତିକୁ ସ୍ନେହ କରେ, ଚୁମା ଖାଏ୤ ପୁଅ ହେଲେ ତା’ର ନାମ ସୁନ୍ଦର ଓ ଝିଅ ହେଲେ କଳ୍ପନା ଦିଆଯିବ ବୋଲି ଘୋଷଣା କରେ୤ ପ୍ରଶାନ୍ତି ଭାବହୀନ ଆଖିରେ ମୋତେ ଚାହେଁ୤ ବ୍ଲାକ୍‌ରେ ବେଶୀ ଦାମ୍‌ ଦେଇ ଅମୁଲ୍‌ ଆଣି ଘରର ଥାକ ଭର୍ତ୍ତି କରିଦିଏ୤ ପ୍ରଶାନ୍ତି ବି କେମିତି ହଠାତ୍‌ ଜୀବନ୍ତ ହୋଇ ଉଠେ୤ ସେ ହୁଏତ ବୁଝିପାରେ ତାର ଏଥର ଝିଅ ହେବ୤ ସେ ଦ୍ବିପ୍ରହରରେ ବାଳ ମୁକୁଳା କରି ଗୋଡ଼ ଲମ୍ବାଇ ବସି କୁନି କୁନି ଫ୍ରକ୍‌ ତିଆରି କରେ୤ ସେ ଦିନମାନଙ୍କରେ ପ୍ରଶାନ୍ତି ରାତିରେ ଶୋଇ ଶୋଇ ମୋ ସହ ଗପୁଥିଲା, ମୋ ପିଠି ଆଉଁଷି ଦେଉଥିଲା ଏବଂ ମୋ ଛାତି ବାଳରେ ତା’ର ସୁନ୍ଦର ନରମ ଆଙ୍ଗୁଳିରେ ସିଆରି କାଟୁଥିଲା୤ କିନ୍ତୁ ଏବେ ଆଉ ସେଦିନ ନାହିଁ୤ ପ୍ରଶାନ୍ତି ବହୁତ ବେଳୁ ଶୋଇଯାଇଛି୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କହ୍ନେଇଲାଲ୍‌ ଦାସ
ଓଡ଼ିଆ ସାହିତ୍ୟର ଗାଳ୍ପିକ ମହଲରେ ସେତେ ଅଧିକ ଗଳ୍ପ ଲେଖିବାରେ କହ୍ନେଇଲାଲ୍‌ ଦାସ(୧୯୪୭-୧୯୭୫)ଙ୍କ ପରିଚିତି ନଥିଲେ ମଧ୍ୟ ତାଙ୍କର ନିଆରା ଲେଖା ଶୈଳୀ ପାଇଁ ସେ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ଅଟନ୍ତି୤ ମାତ୍ର ୨୮ ବର୍ଷ ବୟଷ ବଞ୍ଚିଥିବା ଶ୍ରୀ ଦାସଙ୍କ ଗଳ୍ପଗ୍ରନ୍ଥ ମଧ୍ୟରେ ‘ଜୀବନ ଯନ୍ତ୍ରଣା ଓ ଯାହା ଯେମିତି ହୁଏ’ ଏବଂ ‘କହ୍ନେଇର କଥାଘର’ ଆଦି ଅନ୍ୟତମ୤ ଖୁବ୍‌ ଅଳ୍ପ ବର୍ଷ ବଞ୍ଚିଥିବା ଶ୍ରୀ ଦାସଙ୍କ ଲେଖା ଶୈଳୀର ନିଆରାପଣ ହେଉଛି ତାଙ୍କ ରଚନାର ବିଶେଷତ୍ବ୤
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. rasmi parida |  ଏପ୍ରିଲ୍ ୨୮, ୨୦୧୩ - ୨:୨୫ ପୂର୍ବାହ୍ନ

    sundar

  • ୨. ଋଷଭ ଚନ୍ଦ୍ର ସାହୁ, ବରଗଡ଼ |  ମେ ୧୨, ୨୦୧୪ - ୧୨:୧୪ ଅପରାହ୍ନ

    ସମ୍ବାଦ ପତ୍ରିକା ସବୁଠୁ ମିଠା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤