ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭକ୍ତକବି ମଧୁସୂଦନ ରାଓ
ମନମୋହନ ମିଶ୍ର
ଚନ୍ଦ୍ରଶେଖର ରଥ
ଅଚ୍ୟୁତାନନ୍ଦ କର
ସୀତାକାନ୍ତ ମହାପାତ୍ର
ସ୍ବଭାବ କବି ଗଙ୍ଗାଧର ମେହେର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭୋଜି
 |- ବସନ୍ତ କୁମାରୀ ପଟ୍ଟନାୟକ
 
 
ତା: ଡିସେମ୍ବର୍ ୧୦, ୨୦୧୫  
 

ରମାର ମୁହଁ ଶୁଖିଗଲା। ସନ୍ଦେହ ଭରା ଆଖିରେ ଭାଇକି ଆଉ ଥରେ ଭଲ କରି ଦେଖି ନେଲା। ବିନର ଚେପ୍‌ଟା ନାକ, ମୋଟା ଓଠ, ପୁଚୁକା ଗାଲ ଓ ପାଚିଲା ତାଳ ପରି ଦେହର ରଙ୍ଗ। କୌଣସିଟିରେ ରମା ଦୋଷ ଖୋଜି ପାଇଲା ନାହିଁ। ଭାଇର କାନ୍ଧ ଉପରେ ହାତ ରଖି କହିଲା, “ତତେ ମିଛରେ କହିଛନ୍ତିରେ, ତୁ ଡର ନା ” । ବିନ ଯେ ଡରି ନାହିଁ ଏ କଥା ଦେଖେଇବାକୁ ହସିଲା। ମୋଟା ଓଠର ଦି’ଫାଳ ଭିତରୁ ସରୁ ଜିଭଟିଏ ପଦାକୁ ବାହାରି ଆସି ଲହ ଲହ ହୋଇ ପୁଣି ପଶିଗଲା-ଠିକ୍‌ ସାପ ପରି।

-ହେ ପିଲା , ଆଉ ଟିକିଏ ହସିଲୁ ହସିଲୁ …..
-ନାଇଁ। ବିନ ମୁହଁ ଶୁଖେଇ ଛିଡ଼ାହେଲା।
-ଆରେ ! ନିହାତି ଅବାଧ୍ୟ ଛୁଆଟାଏ ତ !! ହସ୍‌ !
-ନାନୀ , ଚାଲ ଖେଳିବା।
ବିନ, ନାନୀର ହାତ ଧରି ଖେଳିବାକୁ ଚାଲିଗଲା।
ଖେଳି ଖେଳି ଦେହରୁ ଝାଳ ନିଗିଡ଼ି ପଡ଼ୁଛି। ସୂର୍ଯ୍ୟ ମୁଣ୍ଡ ଉପରୁ ତଳକୁ ଖସିଲେଣି। ତଥାପି ରନ୍ଧା ସରୁନାହିଁ।

x x x x x x x x

ଧାଡ଼ି ଧାଡ଼ି ପିଲା ଚାଲିଛନ୍ତି- ଗୋଟାଏ ହାତରେ ଚଟେଇ, ଆର ହାତରେ ଖଲିପତ୍ର। ଗୋଟିଏ ଧାଡ଼ିର ଶେଷ ମୁଣ୍ଡରେ ବସିଛନ୍ତି ବିନ ଆଉ ରମା। ବିନର ଲୋଭିଲା ଆଖି ଦୁଇଟା ରହିଛି ପତ୍ର ଉପରେ।ମଝିରେ ମଝିରେ ନାନୀକୁ ଚୁମୁଟି ଦେଉଚି, ନାନୀ ଆରମ୍ଭ କଲେ ସେ ଆରମ୍ଭ କରିବ। ଖେଳିଳାବେଳେ ନାନୀ ତାକୁ ବାର ବାର କହିଛି, ନାନୀ ଆରମ୍ଭ ନ କରିବାଯାଏ ସେ ଯେମିତି ଆରମ୍ଭ ନ କରେ।

ସ୍କୁଲ୍‌ର ବଡ଼ମୁଣ୍ଡିଆମାନେ ଘୂରି ଘୂରି ଦେଖୁଛନ୍ତି, ସମସ୍ତଙ୍କୁ ଠିକ୍‌ ଦିଆହୋଇଚି କି ନାହିଁ। ହଠାତ୍‌ ଜଣକ ଆଖି ପଡ଼ିଗଲା ରମାର ଗୋଡ଼ ଉପରେ-ମନ୍ଦା ମନ୍ଦା କାଛୁ। ରମାକୁ ଚାହିଁ ସେ ଚିତ୍କାର କରି ଉଠିଲେ,- “ତମର କାଛୁ ହେଇଚି-ଅନ୍ୟମାନଙ୍କୁ ଡେଇଁବ। ତମେ ଯାଅ ଖେଳୁଥିବ। ଏମାନେ ଖାଇସାରିଲେ ତମକୁ ଡାକି ଆଣିବା।” ରମା ଉଠିପଡ଼ିଲା।

ବିନ ବିକଳ ହୋଇ ଚାହିଁଛି ନାନୀ ମୁହଁକୁ ।
-ଏ ପିଲା କିଏ ?
-ମୋ ଭାଇ ।
-ଆଛା, ତାକୁ ବି ସାଥିରେ ନେଇଯାଅ। ତମେ ଖାଇଲାବେଳେ ସେ ଖାଇବ। ଭାଇଭଉଣୀ ଦୁହେଁ ଉଠି ଚାଲିଗଲେ ଖାଇବା ଜିନିଷକୁ ଲୋଭିଲ ଆଖିରେ ଚାହିଁ ଚାହିଁ।
-ବୁଝିଲୁ ବିନ, ସେମାନେ ଖାଇସାରନ୍ତୁ ଆମେ ଖାଇବା।
-ନାଇଁ ନାନୀ, ମତେ ଭାରି ଭୋକ କଲାଣି….ବାନ୍ତି ମାଡ଼ୁଚି। ସକାଳେ ମା ଖାଇବାକୁ ଦେଲାବେଳେ ତୁ ମନାକଲୁ।
-ହଉ ରଇଥା, ଆଉ ଟିକିଏ ବେଳ ତ। ଦେଖିଲୁ ତ, କେଡ଼େ ବଢ଼ିଆ ଜିନିଷ ସବୁ ରନ୍ଧା ହେଇଚି। ସକାଳେ ତ ମା’ ପଖାଳ ଖାଇବାକୁ ଦେଉଥିଲା……ତାକୁ ଖାଇଥିଲେ ତୁ କଣ ଭଲ ଜିନିଷରୁ ବେଶି ଖାଇପାରିଥାନ୍ତୁ ?

-ମତେ ବାନ୍ତି ମାଡ଼ୁଚି।
-ହଉ ତେବେ ଚାଲ, ଦି’ଟା ବେଲପତ୍ର ଶୁଙ୍ଘିଦେଲେ ବାନ୍ତି ଭଲ ହୋଇଯିବ। ବେଲପତ୍ର ଶୁଙ୍ଘିଲା ବଦଳରେ, ଦୁଇମୁଠା ବେଲପତ୍ର ଚୋବାଇ ଖାଇଦେଇ ବିନ କହିଲା, “ ନାନୀ ଭାରି ଭୋକ…..
-ହେଇ ଦେଖ, କଣ ସବୁ ରନ୍ଧା ହେଇଚି ତତେ ମୁଁ ଏଇଠି ଦେଖେଇ ଦଉଚି, କହି ରମା କାଠିକୁଟା ସାଉଁଟି ଆଣି ମାଛ ମାଂସର ଠା’ ସୁମାରି କଲା। ଇଟା ଗୋଡ଼ି ମିଠେଇ ଭାବରେ ଓ ଘାସ ପତ୍ର ତରକାରୀ ଭାବରେ ଜଣାଗଲା। ବିନର ଭୋକିଲା ଆଖିକି ଚାହିଁ ରମା ଭୂତ ଗପ ଆରମ୍ଭ କଲା, ଏଇଠି ଏଇ ପାଚେରୀ ଆରପଟେ ଯେଉଁ ଅନ୍ଧାରିଆ ଘରଟା ଦେଖୁଚୁ-ସେଇଠି ଭୂତ ଥିଲା।

x x x x x x x x

ଭୂତ ଗପରେ କେତେବେଳେ ଯାଇଛି ଜଣାନାହିଁ। ବୁଡ଼ନ୍ତା ସୂର୍ଯ୍ୟର ଲାଲଚିଆ କିରଣ ବିଞ୍ଚିହେଇ ପଡ଼ିଛି। ପିଲା ଦିହେଁ ଆଲିଜା ହେଇ ବସିଛନ୍ତି ସେଇ ଘାସ ଉପରେ। ହଠାତ୍‌ କାହାର ପାଟିରେ ଚମକି ପଛକୁ ଚାହିଁ ଦେଖିଲେ ଚପରାଶି ଡାକୁଚି। ଖୁସି ହେଇ ରମା ଭାଇର ହାତ ଧରି ଉଠିଲା, ଚାଲ ଏଥର ଖାଇବା, ଦେଖୁନୁ ଚପରାଶି ଡାକି ଆଇଚି ?

• ହଁ , ସଭିଏଁ ଖାଇସାରି ଘରକୁ ଗଲେଣି ….. ତମେ ଆସି ଏଇଠି ବଇଚ ; ଘରକୁ ଯିବ ନାଇଁ କି ?
ନିଜର ଅଜାଣତରେ ମୁଠା ଭିତରୁ ଭାଇର ହାତ ଖସି ପଡ଼ିଲା। ରମା ଆଖିରେ ପାଣି।

ଦୟା ଦେଖେଇ ଚପରାଶି କହିଲା, “ ଚାଲ, ମୁଁ ଘରେ ଛାଡ଼ି ଦେଇଯିବି।”
…… ନା ଥାଉ। ଆମେ ଏକା ଚାଲିଯିବା ଯେ।

x x x x x x x x

ଭୋଜି ଯାଗା। ଅଇଁଠା ପତ୍ର ଉପରେ କାଉ କୁକୁରଙ୍କ ଯୁଦ୍ଧ। ସେଇଠି ଚାରୋଟି ଧୂଳି ଧୂସରିଆ ଛୋଟ ଛୋଟ ପାଦ ମୁହୂର୍ତ୍ତକ ପାଇଁ ଅଟକି ପୁଣି ଆଗକୁ ଚାଲିଗଲା।

ସକାଳେ ଯେଉଁ ପାଦ ଚାରୋଟି ପାଦ ହାଲୁକାରେ ତଳେ ଲାଗୁ ନଥିଲା – ସଞ୍ଜବେଳକୁ ତାର ଯେମିତି ମାଟି ଉପରୁ ଉଠିବାକୁ ଆଉ ବଳ ନାହିଁ !!!

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବସନ୍ତ କୁମାରୀ ପଟ୍ଟନାୟକ
ବସନ୍ତ କୁମାରୀ ପଟ୍ଟନାୟକ(୧୯୨୩-୨୦୧୩) ଜଣେ ଶକ୍ତିଶାଳୀ ଔପନ୍ୟାସିକା ଓ ଗାଳ୍ପିକା ଭାବେ ସୁପରିଚିତା। ଓଡ଼ିଆ ସାହିତ୍ୟରେ ସେ ଜଣେ ସଫଳ ନାରୀ କଥାଶିଳ୍ପୀ। ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ଅମଡ଼ାବାଟ’ , ‘ଚୋରାବାଲି ’ , ‘ ଭଉଁରୀ’ ,‘ ଅଲିଭାଚିତା’ ଆଦି ଅନ୍ୟତମ। ତାଙ୍କର ଗଳ୍ପ ସଙ୍କଳନ ମଧ୍ୟରେ ‘ରାତ୍ରିର ତପସ୍ୟା’, ‘ ସଭ୍ୟତାର ସାଜ’, ଓ ‘ ଜୀବନ ଚିହ୍ନ’, ଓ ‘ଚିତାନଳ’ କବିତା ସଙ୍କଳନ ଏବଂ ‘ଜୁଆର ଭଟ୍ଟା’ ଓ ‘ ମୃଗତୃଷ୍ଣା ’ ଏକାଙ୍କିକା... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ମୁନା ସାହୁ |  ଡିସେମ୍ବର୍ ୧୪, ୨୦୧୫ - ୨:୨୪ ପୂର୍ବାହ୍ନ

    ସତରେ ହ୍ରୁଦୟ ବିଦାରକ ଗଳ୍ପ । ଆଖିରୁ ଲୁହ ଆସିଗଲା

  • ୨. sunil kumar panda |  ଫେବୃଆରୀ ୨୮, ୨୦୧୬ - ୭:୨୨ ପୂର୍ବାହ୍ନ

    ସତରେ ଅତ୍ୟନ୍ତ ଦୁଖଦାୟକ ଆଖିରୁ ଲୁହ ଖସିଗଲା

  • ୩. ମନ୍ମଥ କୁମାର ଦଳେଇ |  ସେପ୍ଟେମ୍ବର୍ ୧୫, ୨୦୧୬ - ୭:୦୨ ପୂର୍ବାହ୍ନ

    ଭାରି ବଢିଆ ଲେଖିଛନ୍ତି । ପିଲାବେଳର କିଛି ସ୍ମୃତି ମନେପଡିଗଲା । ଆରମ୍ଭ ଆଉ ଶେଷ ଅତ୍ୟନ୍ତ ହୃଦୟଷ୍ପର୍ଶୀ ହୋଇଛି । ଭଲ ଲାଗିଲା ।

  • ୪. ଜଳନ୍ଧର ନାଗ |  ଡିସେମ୍ବର୍ ୧, ୨୦୧୬ - ୮:୦୭ ପୂର୍ବାହ୍ନ

    ଗାଁ ର ବଡ଼ମୁଣ୍ଡିଆ ମାନେ ଛୋଟ ଛୋଟ ଶିଶୁ ମାନଙ୍କ ପ୍ରତି କରୁଥିବା ଅମାନବୀୟ ବ୍ୟବହାର ଏ ଗଳ୍ପ ରେ ଦେଖା ଦେଇଛି l ଆପଣ ମାନେ ଯେଉଁ ମତାମତ ଦେଇଛନ୍ତି ତାହା ନିରାଟ ସତ l ଗଳ୍ପ ପଢିବା ପରେ ଯେ କୌଣସି ପାଠକର ହୃଦୟ ତରଳି ଯିବ l

  • ୫. ସଂଜୀତ ସ୍ୱାଇଁ, Kolkata |  ଡିସେମ୍ବର୍ ୨୫, ୨୦୧୭ - ୫:୨୧ ପୂର୍ବାହ୍ନ

    ବହୁତ ଭଲ ଲାଗିଲା, ବସନ୍ତ କୁମାରୀ ଙ୍କ ଚୋରାବାଲି ଉପନ୍ୟସ ଅପଣଙ୍କ ପୃଷ୍ଠା ରେ ଆଣିବାକୁ ଦୟାକରି ବ୍ୟବସ୍ଥା କରନ୍ତୁ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤