ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଫତୁରାନନ୍ଦ
ଅଖିଳମୋହନ ପଟ୍ଟନାୟକ
ନୀଳମଣି ବିଦ୍ୟାରତ୍ନ
ବ୍ରଜନାଥ ରଥ
ସୁରେନ୍ଦ୍ର ମହାନ୍ତି
ମନୋଜ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭୋଜି
 |- ବସନ୍ତ କୁମାରୀ ପଟ୍ଟନାୟକ
 
 
ତା: ଡିସେମ୍ବର୍ ୧୦, ୨୦୧୫  
 

ନାନୀ କହିଛି କାଲି ଗାଧୁଆବେଳେ ଭୋଜି-ସେ ନାନୀ ସାଙ୍ଗରେ ଇସ୍କୁଲୁକୁ ଯିବ।
ରାତିଯାକ ବିନ ଆଖିରେ ନିଦ ନାହିଁ। ଥରକୁ ଥର ମା’କୁ ନିଦରୁ ଉଠେଇ ପଚାରୁଛି ସକାଳ ହେଲାଣି କି ନାହିଁ। ନାନୀ କହିଛି ଆଜି ତାକୁ ଇସ୍କୁଲୁକୁ ନେଇଯିବ। କେତେ ପିଲାଙ୍କ ସାଙ୍ଗରେ ଚିହ୍ନା କରେଇ ଦେବ। ବିଛଣାରେ ପଡ଼ି ପଡ଼ି ବିନ ଭାବୁଛି ସେଇ କଥା। ହଠାତ୍‌ ଧଡ୍‌ପଡ଼ ହୋଇ ଉଠିବସି ମା’କୁ ହଲାଇ ଦେଲା “ମା’ ମା’, ଉଠ୍‌…. ସକାଳ ହେଲାଣି, କାଉ ରାବିଲାଣି ପରା।”

ନିଦ ମଳମଳ ଆଖିରେ ଖିଡ଼ିକି ଆଡ଼େ ଚାହିଁ ମା’ ଜବାବ ଦେଲା “ ଓଃ, ଏ ଛୁଆଟା ମଣିଷକୁ ଟିକେ ଶୋଇଦବ ନାହିଁ… ଏଡ଼େ ଅନ୍ଧାର ଅଛି, ସକାଳ କୋଉଠି ହେଲା… ହଇରେ ? ”

– “ ହଁ ଗୋଟାଏ କାଉ ବୋବେଇଛି-ମୁଁ ସଫା ଶୁଣିଛି। ” ମା’ ଅଳସ ଭାଙ୍ଗୁ ଭାଙ୍ଗୁ ବିନ ରମାକୁ ଡାକିଲା “ ନାନୀ, ନାନୀ, ସକାଳ ହେଲାଣି….ଉଠିବୁ ନାଇଁ କିଲୋ ? ଏ ନାନୀ – ’’

କବାଟ ଖୋଲି ତିନିହେଁ ଯାକ ପଦାକୁ ଆସିଲେ। ମା’କୁ ବିନର ବରାବର ତାଗିଦା, ଆଗେ ତା କାମ ସାରି, ତା ପରେ ଯାଇଁ ଯୋଉ କଥା ହେବ ।

ପୋଖରୀର ପଥର ଉପରେ ବସି, ହାତରେ ଖଣ୍ଡେ ଝାମା ଧରି, ବିନ ନିଜ ଦେହକୁ ରଗଡ଼ଉଛି, ଆଉ ମଝିରେ ମଝିରେ ପ୍ରଶ୍ନ କରୁଛି-ମା’ ଏଥର ମୁଁ ଗୋରା ଦୁଶିଲି ? ମା’ ଯେତେ କହିଲେ ବି ବିନର ମନ ମାନୁନାହିଁ। ସେ ଆହୁରି ବେଶୀ ରଗଡ଼ି ହେଉଛି। ଶେଷରେ ବିନ ଜିଦ୍‌ ଧରି ବସିଲା ପାଖକୁ ଆସି ଦେଖିଯିବାକୁ। ବାସନମଜା ଛାଡ଼ି ମା ଆସି ଦେଖିଲା ଝାମା ଇଟାରେ ଦେହର ନରମ ଚମ ଆଞ୍ଚୁଡ଼ି ହୋଇ ଲାଲ ପଡ଼ିଗଲାଣି। ପୁଅ ହାତରୁ ଝାମା ଖଣ୍ଡକ ଟାଣି ନେଇ ମା’ କହିଲା, “ ହଇରେ ଝାମାରେ କିଏ ଘଷି ହୁଏ ? ”

– ଅଳତା ନାଇଲାବେଳେ ଝାମା ଘଷି ତୁ କେମିତି ଗୋଡ଼ର ମଳି ବାହାର କରିଦଉ ?

ଗାଧୁଆ ସେତିକିରେ ବନ୍ଦ। ଦେହସାରା ପୋଡ଼ିଲାଣି। ପୋଛିପାଛି ହୋଇ ବିନ ଫେରିଆସିଲା। ଘର ମାଟି କାନ୍ଥରେ ଖଣ୍ଡେ ଦର୍ପଣ ପୋତା ହୋଇଛି। ସେଇଠି ଆସି ଠିଆ ହେଲା ବିନ-ହାତରେ ପାନିଆ। ପାନିଆ ମଝିରେ ଦାନ୍ତଗୁଡ଼ିକ ଭଙ୍ଗା। ଦୁଇ ମୁଣ୍ଡରେ ଯାହା ଦି’ଚାରି ଖଣ୍ଡ ଦାନ୍ତ ଅଛି, ସେତିକି। ସେଇ ପାନିଆରେ ବିନ ନିଜର ତେଲ ଜର ଜର ଟାଆଁସା ବାଳଗୁଡ଼ାକ ଚିକ୍କଣ କରି ପାରିବାକୁ ଚେଷ୍ଟାରେ ଲାଗିଗଲା। ମନରେ ଆନନ୍ଦ, ସବୁ ଆଜି ତାର ସଫା, ସୁତୁରା, ଚିକ୍କଣ।

x x x x x x x x

ସ୍କୁଲ୍‌ ଫାଟକ ପାଖରେ ପହଞ୍ଚି ବିନ କହିଲା, “ ନାନୀ, ମତେ ସବୁ ଜିନିଷ ଦେଖେଇ ଦବୁଟି ? ଆଉ ସବୁ ପିଲାଙ୍କ ସାଙ୍ଗରେ ଚିହ୍ନା କରେଇଦବୁ …. ଏଁ ? ”

“ ହଉ ! ହେଇ ଦେଖ । ଏଠି କେମିତି ଦୁବଘାସ ହୋଇଛି, ଆଉ ଏଠି ମୁଥା ଘାସ। ”

“ ଆରେ ହଁ ତ ” କହି ଜୀବନରେ କେବେ ଘାସ ନ ଦେଖିଲା ପରି ବିନ ନଇଁପଡ଼ି ନିଜ ହାତରେ ଥରେ ଘାସଗୁଡ଼ାକ ପରଖି ନେଲା। ତାପରେ ସେମାନେ ଆଗକୁ ଚାଲିଲେ।

ଗୋଟିକ ପରେ ଗୋଟିଏ ଗଛ ରମା ଦେଖେଇ ଚାଲିଛି….ମନ୍ଦାର,ପଲାଶ,କୃଷ୍ଣଚୂଡ଼ା, ରଜନୀଗନ୍ଧା, ଆମ୍ବ, ବେଲ-କିଏ ଫୁଲ ଫଳରେ ଲଦି ହୋଇଛି, ଆଉ କିଏ ବା ସେମିତି ଥୁଣ୍ଟା ଛିଡ଼ା ହୋଇଛି; କିନ୍ତୁ ବିନ ଆଖିରେ ଆଜି ସବୁ ସୁନ୍ଦର। ଆଖିରେ ଇନ୍ଦ୍ରଧନୁର ରଙ୍ଗ ବୋଳି ସେ ଚାରିଆଡ଼କୁ ଚାହୁଁଛି, ପୁଣି ଆଗକୁ ମାଡ଼ି ଚାଲିଛି।

ଗଛ ପତ୍ର ଦେଖା ସରିଛି। ବାକି ରହିଛି ସ୍କୁଲଘର, ଯେଉଁଠି ପିଲାମାନେ ଆରାମରେ ବସି ପାଠ ପଢ଼ନ୍ତି। ରମା ଦେଖିଲା ତାଙ୍କ କ୍ଲାସ୍‌ ଖୋଲା ହୋଇନାହିଁ। ଭଙ୍ଗା ଖିଡ଼ିକିବାଟେ ଉପରକୁ ଉଠି, ଭାଇର ହାତ ଧରି ଭିତରକୁ ଟାଣି ନେଲା। କବାଟ ଖିଡ଼ିକି ବନ୍ଦ, ସବୁଆଡ଼ ଅନ୍ଧାର ଦିଶୁଛି। ଚାଲିଲାବେଳେ ବେଞ୍ଚ ଦେହରେ ଧକ୍କା ଲାଗି ଯାଉଛି, ଆଉ ତାଆରି ସାଙ୍ଗେ ସାଙ୍ଗେ ବିନ ପାଟିରୁ ନିଜ ଅଜାଣତରେ ବାହାରି ଆସୁଛି ‘ ବାପଲୋ’ , ‘ମାଆଲୋ’ ଚିତ୍କାର। ଶେଷକୁ ରମାର ଜାମା ଟାଣି ଧରି କହିଲା, “ ନାଇଁ ଲୋ ନାନୀ, ଭୂତ ଥିବ ….. ଚାଲ ଫେରିଯିବା” ତୁଣ୍ଡରୁ କଥା ସରିନାହିଁ ବିଜୁଳିବତି ଜଳି ଉଠିଲା, ଆଉ ସେଇ ଆଲୁଅ ତଳେ ଦେଖାଗଲା ରମା ମୁହଁରେ ସର୍ବଜ୍ଞର ଛପିଲା ହସ। ବିନ କାବା ହୋଇ ଚାହିଁଛି- ନାନୀ ତାର କେତେ କଥା ଜାଣିଲାଣି। ସେ କହିଲେ ବିଜୁଳିବତି ବି ଜଳୁଛି।

ଆନନ୍ଦରେ ଗୋଡ଼ ତଳେ ଲାଗୁନାହିଁ- ଏ ଯାଗାରୁ ସେ ଯାଗାକୁ ଯାଉଛନ୍ତି, ପୁଣି ଆସୁଛନ୍ତି। ଉପରେ ନେଳିଆ ଆକାଶ ନାହିଁ କି ତଳେ ଶାଗୁଆ ଘାସର ଗାଲିଚା ନାହିଁ ; ତଥାପି ସେଇ ରୁନ୍ଧିଲା ଘରେ ଦିଓଟି ମଣିଷଛୁଆ ବସନ୍ତ କାଳର କୀଟ-ପତଙ୍ଗ ପରି ଆନନ୍ଦରେ ନିଜକୁ ଭୁଲିଯାଇଛନ୍ତି।

x x x x x x x x

ପଡ଼ିଆରେ ଦଳ ଦଳ ହୋଇ ପିଲା ବୁଲୁଛନ୍ତି। ଚିହ୍ନା ପିଲାଙ୍କୁ ଦେଖି ଭାଇର ହାତଧରି ରମା ତାଙ୍କ ପାଖକୁ ଗଲା। ଦଳକଯାକ ବିନକୁ ଚାହିଁଛନ୍ତି-ସମସ୍ତଙ୍କ ଓଠରେ ମୁରୁକି ହସ।
-ଏ କିଏ ରମା ?
-ମୋ ଭାଇ।
-ଠିକ୍‌ ଅନାର୍ଯ୍ୟଙ୍କ ଭଳି ଦିଶୁଛି। ଜଣେ ଟିପ୍ପଣୀ କାଟିଲା।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବସନ୍ତ କୁମାରୀ ପଟ୍ଟନାୟକ
ବସନ୍ତ କୁମାରୀ ପଟ୍ଟନାୟକ(୧୯୨୩-୨୦୧୩) ଜଣେ ଶକ୍ତିଶାଳୀ ଔପନ୍ୟାସିକା ଓ ଗାଳ୍ପିକା ଭାବେ ସୁପରିଚିତା। ଓଡ଼ିଆ ସାହିତ୍ୟରେ ସେ ଜଣେ ସଫଳ ନାରୀ କଥାଶିଳ୍ପୀ। ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ଅମଡ଼ାବାଟ’ , ‘ଚୋରାବାଲି ’ , ‘ ଭଉଁରୀ’ ,‘ ଅଲିଭାଚିତା’ ଆଦି ଅନ୍ୟତମ। ତାଙ୍କର ଗଳ୍ପ ସଙ୍କଳନ ମଧ୍ୟରେ ‘ରାତ୍ରିର ତପସ୍ୟା’, ‘ ସଭ୍ୟତାର ସାଜ’, ଓ ‘ ଜୀବନ ଚିହ୍ନ’, ଓ ‘ଚିତାନଳ’ କବିତା ସଙ୍କଳନ ଏବଂ ‘ଜୁଆର ଭଟ୍ଟା’ ଓ ‘ ମୃଗତୃଷ୍ଣା ’ ଏକାଙ୍କିକା... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ମୁନା ସାହୁ |  ଡିସେମ୍ବର୍ ୧୪, ୨୦୧୫ - ୨:୨୪ ପୂର୍ବାହ୍ନ

    ସତରେ ହ୍ରୁଦୟ ବିଦାରକ ଗଳ୍ପ । ଆଖିରୁ ଲୁହ ଆସିଗଲା

  • ୨. sunil kumar panda |  ଫେବୃଆରୀ ୨୮, ୨୦୧୬ - ୭:୨୨ ପୂର୍ବାହ୍ନ

    ସତରେ ଅତ୍ୟନ୍ତ ଦୁଖଦାୟକ ଆଖିରୁ ଲୁହ ଖସିଗଲା

  • ୩. ମନ୍ମଥ କୁମାର ଦଳେଇ |  ସେପ୍ଟେମ୍ବର୍ ୧୫, ୨୦୧୬ - ୭:୦୨ ପୂର୍ବାହ୍ନ

    ଭାରି ବଢିଆ ଲେଖିଛନ୍ତି । ପିଲାବେଳର କିଛି ସ୍ମୃତି ମନେପଡିଗଲା । ଆରମ୍ଭ ଆଉ ଶେଷ ଅତ୍ୟନ୍ତ ହୃଦୟଷ୍ପର୍ଶୀ ହୋଇଛି । ଭଲ ଲାଗିଲା ।

  • ୪. ଜଳନ୍ଧର ନାଗ |  ଡିସେମ୍ବର୍ ୧, ୨୦୧୬ - ୮:୦୭ ପୂର୍ବାହ୍ନ

    ଗାଁ ର ବଡ଼ମୁଣ୍ଡିଆ ମାନେ ଛୋଟ ଛୋଟ ଶିଶୁ ମାନଙ୍କ ପ୍ରତି କରୁଥିବା ଅମାନବୀୟ ବ୍ୟବହାର ଏ ଗଳ୍ପ ରେ ଦେଖା ଦେଇଛି l ଆପଣ ମାନେ ଯେଉଁ ମତାମତ ଦେଇଛନ୍ତି ତାହା ନିରାଟ ସତ l ଗଳ୍ପ ପଢିବା ପରେ ଯେ କୌଣସି ପାଠକର ହୃଦୟ ତରଳି ଯିବ l

  • ୫. ସଂଜୀତ ସ୍ୱାଇଁ, Kolkata |  ଡିସେମ୍ବର୍ ୨୫, ୨୦୧୭ - ୫:୨୧ ପୂର୍ବାହ୍ନ

    ବହୁତ ଭଲ ଲାଗିଲା, ବସନ୍ତ କୁମାରୀ ଙ୍କ ଚୋରାବାଲି ଉପନ୍ୟସ ଅପଣଙ୍କ ପୃଷ୍ଠା ରେ ଆଣିବାକୁ ଦୟାକରି ବ୍ୟବସ୍ଥା କରନ୍ତୁ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤