ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭୁବନେଶ୍ବର ବେହେରା
ସୁବ୍ରତ ପ୍ରିୟବ୍ରତ ମହାନ୍ତି
କୃଷ୍ଣପ୍ରସାଦ ମିଶ୍ର
ରମେଶ ଚନ୍ଦ୍ର ଦାସ
କୁନ୍ତଳା କୁମାରୀ ସାବତ
କନକଲତା ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବଟୁଆ
 |- ଗୋବିନ୍ଦ ତ୍ରିପାଠୀ
 
 
ତା: ଅକ୍ଟୋବର୍ ୧୧, ୨୦୧୧  
 

ବଟୁଆ ଓଡ଼ିୟାମିର ଗୋଟାଏ ଚିହ୍ନ- ଓଡ଼ିୟାମିମାନେ ଖାଣ୍ଟି ଓଡ଼ିୟାମି; ବଙ୍ଗୋଡ଼ିଆ ବା ବିହାରୋଡ଼ିଆ ବା ତେଲଙ୍ଗୋଡ଼ିଆ ଏ ଚିହ୍ନଟାକୁ ଜାତି ଚିହ୍ନ ବୋଲି ମାନିବାକୁ ରାଜି ନୁହଁନ୍ତି୤ କଲିକତିଆ ବଙ୍ଗାଳୀ ସମାଜରେ ‘ବଟୁଆ’ ଯିମିତି ଗୋଟାଏ ଛିଗୁଲିଆ କଥା, ଆମ ବଙ୍ଗୋଡ଼ିଆଙ୍କ ଆଖିରେ ମଧ୍ୟ ସେଇମିତି୤ ପାଠୁଆ ଓଡ଼ିଆଙ୍କ ନାକକୁ ବଟୁଆ ଗନ୍ଧଟା ଦି କୋଶ ଦୂରରୁ ଗନ୍ଧାଏ୤ ବଟୁଆଟିଏ ଦେଖିଦେଲେ ତାଙ୍କ ଆଖିରେ ଶୁଖୁଆ କଣ୍ଟା ଗଳିଯାଏ୤ ବଙ୍ଗାଳୀଙ୍କର ହୁକା ଓ ତେଲେଙ୍ଗାଙ୍କର ପିକା ଗନ୍ଧ ଠାରୁ ବଟୁଆ ବନ୍ଧଟା କିଛି ବେଶୀ ଦୁର୍ଗନ୍ଧ ନୁହେଁ; ବଟୁଆର ସୌନ୍ଦର୍ଯ୍ୟ ତାଙ୍କ ଅପେକ୍ଷା କିଛି କମ୍ ନୁହେଁ; ତଥାପି ବଟୁଆ ‘ଓଡ଼ିୟା’ଙ୍କ ଭଳି ହସକୋଳି ବା ଥଟ୍ଟାବୋଳି ଘର ମାଡ଼, ବାହାର ମାଡ଼ ଖାଇ ଆସ୍ତେ ଆସ୍ତେ ପଛେଇଲାଣି୤ ଦିନକୁ ଦିନ ଏ ଓଡ଼ିଆ ଜାତିଟାକୁ ସାଙ୍ଗରେ ନେଇ ସେ ବଙ୍ଗୋପସାଗରରେ ବୁଡ଼ି ମରିବ୤ ହାୟରେ ବଟୁଆ !!!
ହାୟରେ ବଟୁଆ- ସମ୍ପତ୍ତି ବଟୁଆ !!!

ବଟୁଆର ଏଇ ଯେ ଗତି ହେଉଛି, ସେଇଥିରୁ ଓଡ଼ିଆ ଜାତିର ଗତି ମଧ୍ୟ ଅନୁମାନ କରିପାର୤ ବଟୁଆ ଆଣିଥିଲା ଓଡ଼ିଆର ଗୌରବ, ବଟୁଆ ଘେନିଯିବ ଓଡ଼ିଆର ପ୍ରାଣ୤ ଓଡ଼ିଆ ଯେତେବେଳେ ବଟୁଆ ଥିଲା ବେଉସା ପାଇଁ, ପାତ୍ରୀ ବ୍ୟବସାୟ ପାଇଁ, ଚାକିରି ପାଇଁ, ନାଆଁ ଅର୍ଜିବା ପାଇଁ, ଯେତେବେଳେ ଓଡ଼ିଆ ଏ ପୂର୍ବଖଣ୍ଡ ଗୋଟାକ ଯାକ ବିଞ୍ଚି ହୋଇଯାଇଥିଲା, ସେତେବେଳେ ତାର ବଟୁଆଟି ନହେଲେ ଚଳୁ ନଥିଲା୤ ସେତେବେଳେ ବଟୁଆ ଖାଲି ପାନ, ଗୁଆ, ଗୁଣ୍ଡି ରଖିବାର ଜାଗା ନଥିଲା୤ ସେଥିରେ ରହୁଥିଲା ଜଡ଼ିବୁଟି, ତିଳକ, କୋଥଳି, ଛୁରୀ, କତୁରୀ, ପଇସାପତ୍ର, ପାନଗୁଆ ମସଲା ମସଲି ଇତ୍ୟାଦି ହରେକ ଚିଜ୤ ଖଣ୍ଡିଏ ଗାମୁଛା, ଦି ଖଣ୍ଡ କନ୍ଥା, ଖଣ୍ଡେ ପିତ୍ତଳ, ଖଣ୍ଡେ ଢାଳ, ଏସବୁରୁ ଗୋଟିଏ ବାଡ଼ି, ମୁଣ୍ଡରେ ଖଣ୍ଡିଏ ଠେକା, ପାଦରେ ହଳିଏ ନାଗରା ଜୋତା୤ ବେଶ୍ ଓଡ଼ିୟା ଏତିକିରେ ଚାଲିଲେ ଅର୍ଜନ କରି ଘର ପଇସା, ଦେଶ ପଇସା, ଅର୍ଜନ କରିବାକୁ ନୁହେଁ, ବିଦେଶ ପଇସା ଦେଶକୁ ଆଣିବା ପାଇଁ ଏଇମାନେ ହେଲେ ବାଟୁଆଁ୤ ତାଙ୍କ ବଟୁଆ ଖଣ୍ଡି ଥିଲା ତାଙ୍କ ବାଟର ସମ୍ପତ୍ତି- ତାଙ୍କ ଓଡ଼ିଆମିର ଗୌରବ, ତାଙ୍କ ଅର୍ଜନର ଉପାୟ୤ ସେମାନେ ସାତ ସମୁଦ୍ର ତେର ନଈ, ପଚାଶ ପାହାଡ଼, ଶହ ଶହ ଜଙ୍ଗଲ ପାର ହୋଇ ଯାଉଥିଲେ ସେହି ବଟୁଆଟି, ଆଉ ସେହି ଠେଙ୍ଗାଟିର ଜୋର୍‌ରେ୤ ଏହି ବାଟୁଆଗୁଡ଼ାକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଆଣୁଥିଲେ୤ ଏହି ବାଟୁଆଙ୍କ ଧନରେ ଆଜିକାଲିର କେତେ ଓଡ଼ିଆ ବାବୁ ବଡ଼ଲୋକ, ଏହି ବାଟୁଆଙ୍କ ବଂଶ ଆଜି ସରକାରୀ ଉଚ୍ଚପାହିଆ କାମଠାରୁ ଆରମ୍ଭ କରି ବେସରକାରୀ ଉଚ୍ଚପାହିଆ କାମ ପର୍ଯ୍ୟନ୍ତ ହାସଲ କରି ବସିଅଛନ୍ତି୤

ଏ ମରହଟ୍ଟିଆ କଣ ଗୁଡ଼ାଏ କହୁଛି ହେ ? ବାଉଳାଟାଏ ନା କଣ ? ଆଜିକାଲି ଯେମିତି ଓଡ଼ିଆମାନେ ବିଦେଶକୁ ଯାଉନାହାନ୍ତି, କି ପଇସା ରୋଜଗାର କରୁନାହାନ୍ତି, ଖାଲି ସେହି ‘ସେକେଲେ ପୁରୋନ ଜନ୍ତୁଗୁଡ଼ାକ’ ଯିମିତି ଯାଇ ପଇସା ରୋଜଗାର କରୁଥିଲେ୤ ଆଃ, ଛି, ଛି, ତାଙ୍କ ମଳି ମୁଣ୍ଡ, ତାଙ୍କ ମଳି ଗାମୁଛା, ତାଙ୍କ ଗନ୍ଧିଆ ବଟୁଆ, ତାର ପୁଣି ତୁଳନା ଆମ ଏ ଓଡ଼ିଆ ସଭ୍ୟମାନଙ୍କ ସାଙ୍ଗରେ !!! ପାଗଳ, ପାଗଳ କିନ୍ତୁ ବାବୁମାନେ; ସେମାନେ ଆଣୁଥିଲେ ଶହ ଶହ, ହଜାର ହଜାର ପାଦପୂଜା ପାଇ, ବେଉସା କରି, ହାକିମ କରି୤ ତୁମେ ଯାଉଛ ଦଶ ପନ୍ଦର ଟଙ୍କାର କୁଲିଗିରି କରିବାକୁ, ସେଥିରେ ପୁଣି ତୁମେ ଗୋଟାଏ ଟିଣବାକ୍ସ, ଗୋଟାଏ ଶେଯ ଗଣ୍ଠିଲି, ଗୋଟାଏ ବାସନକୁସନ ଜାଗା, ଆଉ ତାକୁ ନେବା ପାଇଁ ତୁମର ଦରକାର ଗୋଟାଏ ଅନ୍ତତଃ କୁଲି୤ ସେମାନେ ଯାଉଥିଲେ ଆଣିବା ପାଇଁ, ତୁମେ ଯାଉଛ ଗୋଲାମି କରି୤ ତୁମେ ଯେବେ ବଡ଼ିମା ଛାଡ଼ି ଟିକିଏ ନିରେଖି କରି ଦେଖିବ, ତା ହେଲେ ତୁମେମାନେ ବୁଝିପାରିବ ଯେ ଏହି ବଟୁଆ ଓ ସୁଟ୍‌କେଶ୍ ଲଢେଇରେ ବଟୁଆର ସିନା ଜିତ୍, ତୁମ ସୁଟ୍‌କେଶ୍‌ର ନୁହେଁ୤

ତେବେ ଆମେ ବଟୁଆକୁ ଘୃଣା କରୁ କାହିଁକି ? ତୁମେ କଣ ଭାବୁଚ ଯେ ଆମର ଆଖି ନାହିଁ, ଆମର ବୁଦ୍ଧି ନାହିଁ, ଆମର ଶିକ୍ଷା ନାହିଁ, ଖାଲି ତୁମେ ପାଠୁଆ, ତୁମେ ବୁଦ୍ଧିଆ ?

ତୁମର ଆଖି ଅଛି, ସେ ଖେଳ କଣ୍ଢେଇ ଆଖି୤ ତୁମର ବୁଦ୍ଧି ଅଛି, ସେ କାଉଁରୀ ମନ୍ତ୍ରଭୁଲା ବୁଦ୍ଧି୤ ତୁମର ଶିକ୍ଷା ଅଛି, ସେ ପୋଷାଶୁଆର ଶିକ୍ଷା, “ଯାହା ପଢାଇଛି ଜଟାଧାରୀରେ, ବାମାଏ୤” ତାଛଡ଼ା ମନକୁ ଗୋଟିଏ କିଛି କାଢ଼ିବାର ଶକ୍ତି ନାହିଁ୤ ଥିଲେ ତୁମେ ଦେଖୁଥାନ୍ତ, ତୁମର ଏଇ ଯେ ସାଇବାଣୀମାନେ ସଭ୍ୟ, ଉନ୍ନତ, ଉଚ୍ଚ-ଶିକ୍ଷିତ ସାଇବାଣୀମାନେ୤ ସାଇବାଣୀମାନଙ୍କର (hand bag) ହାତଥଳି ଦେଖୁଛ ତ ? ସାଇବମାନଙ୍କର (haver Sack) ବା (Knap Sack) ଅର୍ଥାତ୍ ଝୁଲାମୁଣି ଦେଖିଚ ତ ? କହ ଦେଖି, ଏଇ ହ୍ୟାଣ୍ଡ ବ୍ୟାଗ, ହାବରସାକ୍ ବା ନାପ୍‌ସାକ୍ ଅପେକ୍ଷା ଆମ ବଟୁଆଟା କୋଉ ଗୁଣରେ ନିକୃଷ୍ଟ ? ସାଇବାଣୀ ଓ ସାଇବ ଯୁଆଡ଼େ ଯିବେ, ତାଙ୍କ ସଙ୍ଗରେ ଏଇଟା ବରାବର ଥିବ୤ ଆଉ ୟା ଭିତରେ ମୁହଁମଖା ଗୁଣ୍ଡାରୁ ଆରମ୍ଭ କରି ରାତି ଦରକାରୀ ରବର ମୁଣା ପର୍ଯ୍ୟନ୍ତ, ପିକାଠାରୁ ଆରମ୍ଭ କରି ରୁଟି ପର୍ଯ୍ୟନ୍ତ ସବୁ ମାଲ ମହଜୁଦ୍ ଥାଏ୤ ଆମର ବଟୁଆରେ ମଧ୍ୟ ଆମର ଲୋଡ଼ା ସବୁ ଜିନିଷ ରହେ୤ ତାଙ୍କର ଏ ଥଳିଗୁଡ଼ାକ କନାରେ ତିଆରି, ଆମ ବଟୁଆଗୁଡ଼ାକ ମଧ୍ୟ କନାରେ ତିଆରି୤ ତାଙ୍କ ବ୍ୟାଗଗୁଡ଼ିକ ଚହଟ ଚିକ୍‌କଣ ବେଳେବେଳେ ହୋଇଥାଏ୤ ଆମ ବଟୁଆରେ ମଧ୍ୟ ରୁପାଫୁଲି ଚିତ୍ରକନା ଦେଇ ଚହଟ ଚିକ୍‌କଣ କରାଯାଏ୤ ଖାଲି ପ୍ରଭେଦ ଏତିକି ଯେ ତାଙ୍କ ବ୍ୟାଗଗୁଡ଼ିକ ବନ୍ଦ ହେଲେ ମଧ୍ୟ ତା’ର ମୁହଁମାନ ଓସାରିଆ, ଆଉ ବଟୁଆ ବନ୍ଦ ହେଲେ ତା’ର ମୁହଁଟା ଗୋଜିଆ୤ ସେପରି ହେବାର ଗୋଟାଏ କାରଣ ଅଛି୤ ସେ ହେଉଛି ଜାତିର ଲକ୍ଷଣ୤ ସାଇବ ସାଇବାଣୀମାନେ କାମବେଳେ ତ ଗର୍ଜନ କରନ୍ତି, କାମ ନଥିଲା ବେଳେ ମଧ୍ୟ ଗର୍ଜନ କରୁଥାନ୍ତି୤ ଗର୍ଜନ କରିବା ତାଙ୍କ ଜାତିର ଲକ୍ଷଣ୤ ବିଲାତି ସିଂହ ତା ଜନ୍ମଦିନୁ ଗର୍ଜନ ନ କରି ରହି ଶିଖିନାହିଁ୤ କାମୁଡ଼ା ଜୋରରେ ଯେତେ ନୁହେଁ, ଖାଲି ଏଇ ଗର୍ଜନ ଜୋର୍‌ରେ ବିଲାତି ସିଂହ ପୃଥିବୀଟା ମାଡ଼ି ବସିଛି୤ ଏ ଭୋକିଲା ବୁଲ୍ଡ଼ଗ୍ ଭୁକେ ନାହିଁ, ଦରକାର ବେଳେ କାମୁଡ଼େ ମଧ୍ୟ୤ ଭୁକି ଭୁକି ଯେବେ ହାଡ଼ଖଣ୍ଡକ ଆର କୁକୁର ମୁହଁରୁ ମାରିନେଲା, ତେବେ ତ ଭଲ, ଯେବେ ଭୁକିବାରେ କାମ ହାସଲ ନ ହୁଏ, ତା ହେଲେ କାମୁଡ଼ି ମଧ୍ୟ ଦିଏ୤ ଭୁକିବା ପଛକୁ କାମୁଡ଼ିବା ଧମକଟା ଅଛି ବୋଲି ତାଙ୍କ ଗର୍ଜନକୁ ଲୋକେ ଡ଼ରିଯାନ୍ତି୤ ଆମ ପୂର୍ବ ପୁରୁଷ-ଆମର ଓଡ଼ିଆ ଷଣ୍ଢ, କାମବେଳେ ଗର୍ଜନ କରୁଥିଲେ୤ କାମ ସରିଗଲେ ମୁହଁ ବନ୍ଦ କରି ଘରେ ରହୁଥିଲେ୤ ଖାଲି ମିଛ ବୋବାଳି ଏ ଜାତିଟା ଜାଣି ନଥିଲା୤ ଓଡ଼ିଆ ସୈନ୍ୟ, ଓଡ଼ିଆ ବେପାରୀ, ଓଡ଼ିଆ ବାବାଜି, ଓଡ଼ିଆ ବାଟୁଆ ଦେଶ ଜୟ କରି, ବେପାର କରି, ରୋଜଗାର କରି ଯାଉଥିଲେ; ଫୁକାର ଦେଉଥିଲେ, ଗୀତ ଗାଉଥିଲେ, ଖୁବ୍ ପାଟିତୁଣ୍ଡ କରୁଥିଲେ୤ କାମ ହାସଲ କରି ଯେତେବେଳେ ଘରକୁ ଫେରୁଥିଲେ, ସେତେବେଳେ ଘରଣୀମାନଙ୍କ ପାଖରେ ଏକାବେଳେକେ ମୁହଁରେ ୧୪୪ ଧାରା୤ ଖଣ୍ଡା ତଲୁଆର ଥୋଇଦେଇ ଲଙ୍ଗଳ ମୁଠି ଧରିବା ଓ ଲଙ୍ଗଳ ମୁଠି ଛାଡ଼ିଦେଇ ଖଣ୍ଡା ତଲୁଆର ଧରିବା ସେମାନଙ୍କ ପକ୍ଷରେ ଯେପରି ସହଜ ଥିଲା, ବାଟର ଦୁଃଖ କ୍ଲେଶ ସାଙ୍ଗରେ ଘରଣୀଙ୍କ କଅଁଳ ଛାତିରେ ଆଖିବୁଜି ପଡ଼ି ରହିବାର ଅଦଳ ବଦଳ ମଧ୍ୟ ସେହିପରି ସହଜ ଥିଲା୤ ସେହି ହେତୁରୁ ବଟୁଆଟି ଥିଲା ତାଙ୍କର ଚିରସାଥି୤ ସମୁଦ୍ରର ଅତଳ ପାଣିରେ ବଟୁଆ, ଯୁଦ୍ଧ କ୍ଷେତ୍ରରେ ବଟୁଆ, ମଶାଣି ଭୁଇଁରେ ବଟୁଆ, ‘କେଳି ସଦନର କରୀନ୍ଦ୍ର ଦନ୍ତ ପଲଙ୍କ’ ପାଖରେ ମଧ୍ୟ ବଟୁଆ୤ ଚିର ଜାଗ୍ରତ ଥିଲା ଏ ଜାତି୤ ଚିର ଜାଗ୍ରତ ଅଛି ମଧ୍ୟ ବିଲାତି ଜାତି୤ ତାଙ୍କ ତାଙ୍କ ହ୍ୟାଣ୍ଡବ୍ୟାଗ୍, ହାଭରସାକ୍ ବା ନାପସାକ୍ ସବୁବେଳେ ହାତ ପାଖରେ; ସବୁବେଳେ ତିଆର୤ କିନ୍ତୁ ଆମେ ପରଗତିଆଁ, ଆଗଡ଼ିଆଁ ସଭ୍ୟ ଶିକ୍ଷିତ ଓଡ଼ିୟାଙ୍କ ନାକକୁ, କାନକୁ, ଆଖିକି, ମୁଣ୍ଡକୁ ଓ ଅଣ୍ଟାକୁ ଏ ବଟୁଆ ଅସୁନ୍ଦର ଅକଡ଼ିଆ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋବିନ୍ଦ ତ୍ରିପାଠୀ
ଗୋବିନ୍ଦ ତ୍ରିପାଠୀ(୧୮୯୯-୧୯୬୨) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏକ ଉଲ୍ଲେଖଯୋଗ୍ୟ ବ୍ୟକ୍ତିତ୍ବ୤ କେତୋଟି ଉପନ୍ୟାସ ଏବଂ ନାଟକ ଲେଖିଥିଲେ ସୁଦ୍ଧା ବିଭିନ୍ନ ବିଷୟ ଉପରେ ତାଙ୍କ ଦ୍ବାରା ଲିଖିତ ପ୍ରବନ୍ଧଗୁଡ଼ିକ ପାଇଁ ସେ ପ୍ରତିଷ୍ଠା ଲାଭ କରିଥିଲେ୤ ତାଙ୍କ ପ୍ରବନ୍ଧଗୁଡ଼ିକରେ ଓଡ଼ିଆ ଏବଂ ଓଡ଼ିଶାର ସ୍ବାଭିମାନର ଚିତ୍ର ବେଶ୍‌ ବଳିଷ୍ଠ ରୁପରେ ପର୍ଯ୍ୟବେଶିତ୤ ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକରେ ଜୀବନ ଓ ସାହିତ୍ୟ ସମେତ ଜାତୀୟତାର ଭାବନା ପ୍ରତିଫଳିତ ହୋଇଥିଲା୤ ସେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଇତିହାସରେ ଏକ ଅଭିନବ ରୀତି ପ୍ରବର୍ତ୍ତନ କରି ନିଜପାଇଁ... [ କ୍ରମେ ସବିଶେଷ ]
ଗୋବିନ୍ଦ ତ୍ରିପାଠୀଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୧୬, ୨୦୧୧ - ୪:୧୧ ପୂର୍ବାହ୍ନ

    ଭଲ ଲାଗିଲା, କିନ୍ତୁ ସମୟ ଖୁବ ଆଗେଇ ଯାଇଛି ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤