ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ସାର୍‌ ବାସୁଦେବ ସୁଢ଼ଳଦେବ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ସନ୍ଥକବି ଭୀମ ଭୋଇ
ଅମରେନ୍ଦ୍ର ଖଟୁଆ
ଦୟାନିଧି ମିଶ୍ର
ଡକ୍ଟର ମାୟାଧର ମାନସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବଟୁଆ
 |- ଗୋବିନ୍ଦ ତ୍ରିପାଠୀ
 
 
ତା: ଅକ୍ଟୋବର୍ ୧୧, ୨୦୧୧  
 

ଜାତିକୁ ତାର ଚିରାଚରିତ ବାଟରେ, ତା’ର ଚିରାଚରିତ ଓ ସଭ୍ୟତାର ନୀତିରେ ଚଳେଇନେବା ଦେଶ ନେତା ଓ ଦେଶସେବକର କର୍ତ୍ତବ୍ୟ, ଆମେ ବଟୁଆକୁ ଘୃଣା କରି ବଟୁଆ ସଭ୍ୟତାକୁ ଘୃଣାକରି, ଏ ଜାତିଟାକୁ ଉଡ଼ାଇପାରିବା ନାହିଁ୤ ପ୍ରାୟ ପଚାଶ ବର୍ଷ ହେଲା, ଏ ବଟୁଆକୁ ପୋତିଦେଇ ଏ ଜାତି ଉପରେ ଗୋଟାଏ ଏକାବେଳେକେ ନୂଆ ଆଦର୍ଶ ଲଦିଦେବାର ଚେଷ୍ଟା ଜୋର୍‌ସୋର୍‌ରେ ଲାଗିଚି୤ କିନ୍ତୁ ଦେଶ ସେଥିରେ କିଛି ଉପକାର ପାଇଚି କି ? ଆମେ ଗୋଟାଏ ଅଲଗା ପ୍ରଦେଶ ପାଇଚୁଁ୤ ସେ କେବଳ ସିନ୍ଧୁ ପ୍ରଦେଶର ଦୟାରୁ୤ ଆମ ଦେଶରେ କଂଗ୍ରେସ ସରକାର ବସିପାରିଚି୤ କିନ୍ତୁ ତା’ଦ୍ବାରା ଲୋକଙ୍କର ବଢ଼ି, ମରୁଡ଼ି, ଦୁର୍ଭିକ୍ଷରୁ ବଞ୍ଚେଇବାର ଶକ୍ତି କେତେ ବଢ଼ିଚି ? ମୁଠାଏ ମୁଠାଏ ବେଶୀ ଦୁର୍ଭିକ୍ଷ ଚାଉଳ ବା ପୁଞ୍ଜେ ଛ’ଟା ବେଶୀ ତଗାବି ଟଙ୍କା ମିଳିବାର ସୁବିଧା ହୋଇପାରିଥାଏ, ସେ ମଧ୍ୟ ସ୍ଥାନେ ସ୍ଥାନେ ନୀତି ଦୃଷ୍ଟିରେ୤ ଏଥିରେ ଲୋକଙ୍କର କି ବିଶେଷ ଉପକାର ହେଲା ? ବର୍ଷରେ ମାସେ ଖଣ୍ଡେ ଟିକିଏ ଟେକାପାଣି ଦେବାଦ୍ବାରା ଗରିବ ଓଡ଼ିଆର ଖାଁ ଖାଁ ପେଟ ପୂରିବ ? ଲାଭ ଭିତରେ ହୋଇଚି ଯେ, ଗରିବ ଓଡ଼ିଆର ସାମାନ୍ୟ ପୁଞ୍ଜିରୁ ଶହ ଶହ ଟଙ୍କା ଖର୍ଚ୍ଚ କରି ଅସମ୍ଭବ ପ୍ରସ୍ତାବର ବିଚାର ପାଇଁ ଗୁଡ଼ାଏ କମିଟି କମିଶନ୍‌ ବସେଇ ପୁଣି ସେଇ ଅସମ୍ଭବ ସିଦ୍ଧାନ୍ତରେ ପହଞ୍ଚିବା୤ ଥରେ ବଢ଼ି ମାରଣ କମିଟି ବସେଇ କେତେଗୁଡ଼ିଏ ବିଲୁଆ ବିଚାର ହୋଇଥିଲା ଓ ଶେଷରେ ସିଦ୍ଧାନ୍ତ ହେଲା ଯେ, ଏଗୁଡ଼ାକ ପାଇଁ ପଇସା ଲୋଡ଼ା୤ ପଇସା ଯେତେବେଳେ ନାହିଁ, ଏଗୁଡ଼ାକ କାମରେ ଆସିପାରିବ ନାହିଁ୤ ସେଇ ପାଗୁଳି ଜିନିଷକୁ ଆଉ ଥରେ ପାଗୁଳିବା ପାଇଁ ପୁଣି ଗୋଟାଏ ଦି’ଟା କମିଟି ବସିଲା୤ ପୁଣି ଚାରିଲା ବିଲୁଆ ବିଚାର ସେହି ପୁରୁଣା ନୀତିରେ, ଶେଷକଥା ହେଲା ସେଇଆ-ଏଥିଲାଗି ଟଙ୍କା ଦରକାର, ଆଉ ଟଙ୍କା ନାହିଁ୤ ଆମର ନେତାମାନେ ଠିକ୍‌ କରିନେଇ ସାରିଲେଣି ଯେ ‘ନାନ୍ୟ ପନ୍ଥା ବିଦ୍ୟତେ ଅୟନାୟ’୤ ପରବୁଦ୍ଧି ଛଡ଼ା ଆଉ ବୁଦ୍ଧି ନାହିଁ-ଏଇ ହେଇଚି ଆମ ନୂଆ ବଟୁଆ ସଭ୍ୟତାର ନୀତି୤

ଆମର ଉନ୍ନତି ହେଲାନାହିଁ୤ ଜାତିର ଉନ୍ନତି ଏ ଦଳର ରାଜୁତି ବା ସେ ଦଳର ରାଜୁତିରେ ହୁଏନାହିଁ୤ ପୁଞ୍ଜାଏ ଦି’ପୁଞ୍ଜା ବଡ଼ପାଟିଆଙ୍କ କଥାରେ ଓ ପାଟିରେ ଜାତି ଉପରକୁ ଉଠେନାହିଁ୤ ଓଡ଼ିଶାରେ କଂଗ୍ରେସ ଏତେ ଜୋର ପ୍ରସାର ହୋଇଚି, ତା’ର କାରଣ କଂଗ୍ରେସର ଆଦର୍ଶ ଆମ ବଟୁଆ ଆଦର୍ଶ ସାଙ୍ଗରେ ମିଳିମିଶି ଯାଉଥିଲା ବୋଲି୤ ଓଡ଼ିଆ ଲୋକେ ଆଶା କରିଥିଲେ କଂଗ୍ରେସରେ ପଶିଲେ ପୁଣି ଆମ ବଟୁଆ ସଭ୍ୟତା ଫେରିଆସିବ୤ କିନ୍ତୁ ହେଲା କଣ ? କଂଗ୍ରେସ ରାଜୁତି ଆଗରୁ ଓଡ଼ିଶାର ଦୁର୍ନାମ ଥିଲା ଯେ ସେ ରାଜଭକ୍ତିର ଅର୍ଥାତ୍‌ ରାଜଶକ୍ତିବାଲା ଲୋକମାନଙ୍କର ଭକ୍ତିଭୂମି୤ ଆଜିକାଲି ଆମେ ହୋଇଚୁଁ କଂଗ୍ରେସ ନେତାଙ୍କର-ଅର୍ଥାତ୍‌ ବର୍ତ୍ତମାନ ରାଜଶକ୍ତିବାଲା ଲୋକମାନଙ୍କର ଭକ୍ତିଭୂମି୤ ମୋଟଉପରେ ଆମେ ଅର୍ଥାତ୍‌ ହାମ୍‌ବଡ଼ା ଆଗଚଲାମାନେ ଯାହା ଥିଲୁଁ, ସେଇଆ ଅଛୁଁ୤ ଖାଲି ଗୋରା ହାକିମଙ୍କ ସ୍ଥାନରେ କଳା ହାକିମଙ୍କୁ ବସେଇ୤ ଏ ଯେବେ ସଭ୍ୟତା ହୁଏ, ସ୍ବାଧୀନତା ହୁଏ, ତେବେ ଅସଭ୍ୟତା କଣ, ଆଉ ଗୋଲାମୀ କଣ ? ଦଳଗତ ଶାସନରେ ଦଳର ନିୟମକାନୁନ ମାନି ଚଳିବାକୁ ହେବ ବୋଲି, ଆମର ପ୍ରକୃତି, ଆମର ସଭ୍ୟତା, ଆମର ବୈଶିଷ୍ଟ୍ୟକୁ ଆମେ ବାଦ୍‌ ଦବୁଁ କିଆଁ ? ଏ ଦୁଇଟିଯାକ କଥା-ଅର୍ଥାତ୍‌ ଦଳର ଶାସନ ଆମର ଏକ ଶିଂଘିଆ ପଣ, ଦୁଇଟାଯାକ ଭାଇବୋହୂ ଦେଢ଼ଶୁର ନୁହନ୍ତି୤ ଆକାଶ ନ ହେଲେ ପାତାଳ ହବ, କଳା ନ ହେଲେ ଧଳା ହବ, ଗୋରୀ ନ ହେଲେ କାଳୀ ହେବ, ରାଣୀ ନ ହେଲେ କାଣୀ ହେବ, ଏପରି ଭାବିବାଠାରୁ ବଳି ବଡ଼ ଅନ୍ଧାମି ଜଗତରେ ଆଉ କଣ ଅଛି ?

କଂଗ୍ରେସ ଦଳ ଅଛି, କଂଗ୍ରେସ ଦଳର ରାଜୁତି ଅଛି ଓ ଚିରଦିନ କାଏମ୍‌ ରହୁଁ୤ ଯେ କଂଗ୍ରେସ ଦଳ ଅଛି, ସେମାନେ ରହିବେ ଓ ରହନ୍ତୁ୤ କଂଗ୍ରେସବାଲାମାନେ ଓ ଅନ୍ୟାନ୍ୟ ଦଳର ଲୋକମାନେ ଦଳର ମର୍ଯ୍ୟାଦା ଓ ଶାସନ ମାନି ଚଳନ୍ତୁ୤ କିନ୍ତୁ ତା ବୋଲି ଆମ ଜାତିର ବୈଶିଷ୍ଟ୍ୟ, ଆମ ଜାତିର ବାହାଦୁରୀ, କାରିଗରୀ ଆମେ ପଛକୁ ପକାଇଦେବୁଁ କାହିଁକି ? ଗୋଟାଏ ଜାତିକୁ ପୋଡ଼ିଜାଳି ଗୋଟାଏ ଆଦର୍ଶର ପୂଜାରେ ବଳିଦବୁଁ କାହିଁକି ? ଓଡ଼ିଶା ଚିରଦିନ ଓଡ଼ିଶା ରହିବ୤ ୟା’ର ମହାନଦୀ ମହାଭାରତୀୟ ପବନରେ ପୋତି ହୋଇଯିବ ନାହିଁ, ୟା’ର ସମୁଦ୍ର ୱାର୍ଦ୍ଧାର ଗରମ ପବନରେ ଶୁଖିଯିବ ନାହିଁ, ୟା’ର ମେଘାସନୀ ସିମଳାର ଗୁରୁଗର୍ଜନରେ ଭାଙ୍ଗି ଚୂନା ହୋଇଯିବ ନାହିଁ୤ ଓଡ଼ିଆର ଅଭାବ ଓଡ଼ିଆର ସୁଖଦୁଃଖର ସୀମା ଓ ପରିସର, ଓଡ଼ିଆର ହାରି ଗୁହାରି ବୁଝି, ଭଲକରି ମନ ଭିତରେ ପୁରେଇ, ଓଡ଼ିଆର ବୈଶିଷ୍ଟ୍ୟ ଦିଗରୁ ସେସବୁର ସମାଧାନ ଓଡ଼ିଆ ନେତାମାନଙ୍କର କରିବା ଧର୍ମ୤ ଓଡ଼ିଆର ବଟୁଆ ଏହି କଥାଟି ଆମ ଆଖି ଆଗରେ ବିଜୁଳିବତୀ ଜାଳି ଦେଖେଇ ଦେଇଚି୤ ଓଡ଼ିଆକୁ ଘରଭଙ୍ଗା ପାନ ଭଲ ଲାଗେନାହିଁ୤ ଏ ପର୍ଯ୍ୟନ୍ତ ମଧ୍ୟ ମଫସଲରେ ଓଡ଼ିଆ ଘରକୁ ଅତିଥି ଗଲେ, ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ଭଳି ଟିକିଏ ଚୂନ, ନିଖିଏ ଗୁଆ, ଚେପ୍‌ଟା ପାନ ଖଣ୍ଡ ଲବଙ୍ଗ ମାରି ଆଣିଦିଏ ନାହିଁ୤ ସେ ଆଣି ଥୋଇଦିଏ ତା’ର ବଟୁଆ ବା ପାନ ପେଡ଼ି୤ ପାନ ଅଛି, ଗୁଆ ଅଛି, ଗୁଣ୍ଡି ଅଛି, ଚୂନ, ଖଇର, ଜାଇଫଳ, ଅଳେଇଚ, ସବୁଅଛି, ଅତିଥି ତା’ର ମନମାଫିକା, ତା’ ରୁଚି ମୁତାବକ ପାନ ଭାଙ୍ଗିବ, ଖାଇବ୤ ମୋ ଘରକୁ ଅତିଥି ଆସିଲେ ମୁଁ ଯେପରି ମୋର ରୁଚି ଓ ମନ ତା ଉପରେ ଲଦିଦେବି ନାହିଁ, ମୁଁ କାହା ଘରକୁ ଗଲେ ମୋର ରୁଚି ଓ ମନ ମୁଁ କାହାରି ପାଇଁ ବଳି ଦେଇପାରିବି ନାହିଁ୤ ଏଇ ହେଲା ବଟୁଆର ଶିକ୍ଷା, ଏଇ ହେଲା ଅସଲ ଡ଼ିମୋକ୍ରାସି, ପ୍ରଜାତନ୍ତ୍ର ବା ଗଣତନ୍ତ୍ର୤ ଓଡ଼ିଆ ବଟୁଆ କହେ, ପ୍ରଜାର ଶାସନ ପ୍ରଜାର ହିତ ପାଇଁ, ପ୍ରଜାର ବୈଶିଷ୍ଟ୍ୟ ରକ୍ଷା କରିବା ପାଇଁ, ପାଞ୍ଚଟା ସାତଟା ଶାସକଗୋଷ୍ଠୀ ପ୍ରଜାର ହିତ ପାଇଁ-ପ୍ରଜାର ସ୍ବାଧୀନତା ପାଇଁ ନୁହେଁ୤ ନିଜର ହିତ ଓ ନିଜର ସ୍ବାଧୀନତା ଡୁବେଇଦେବା ହେଲା ପ୍ରଜାତନ୍ତ୍ର ଶାସନର ଅସଲ ମୂଳମନ୍ତ୍ର୤ ଦେଶ ନେତାର ପ୍ରଧାନ ଓ ପ୍ରଥମ ଗୁଣ୤ କିନ୍ତୁ ଆଜିକାଲି ହଉଚି କଣ ? ହିଟ୍‌ଲରୀ ଜର୍ମାନୀ, ଷ୍ଟାଲିନ୍‌ ରୁଷିଆ, ମୁସଲୀନି ଇତାଲି ଓ ଜାତୀୟ ଭାରତ ବର୍ଷରେ ପ୍ରଜାର ଶାସକମାନେ, ନେତାର ଖିଆଲ ପାଇଁ ପ୍ରଜାର ରୁଚି, ବୈଶିଷ୍ଟ୍ୟ ଓ ସ୍ବାଧୀନତାର ଶ୍ରାଦ୍ଧ, ଶାସନର ଉନ୍ନତି ପାଇଁ ପ୍ରଜାର ହିତ ଓ ମଙ୍ଗଳର ତିଳତର୍ପଣ, ଜଳ ତର୍ପଣ ଓ ଶେଷରେ ବିସର୍ଜନ୤ ଏ ତ ଡ଼ିମୋକ୍ରାସି ନୁହେଁ, ପ୍ରଜାତନ୍ତ୍ର ନୁହେଁ, ବରଂ ଡେମନ୍‌କ୍ରାସି, ପ୍ରଜାମାରଣ ମନ୍ତ୍ର ବା ପ୍ରଜାଭୁଲାଣିଆ ମନ୍ତ୍ର ମାତ୍ର୤

ଆଉ ଏଣିକି ବେଶୀ କହିବି ନାହିଁ୤ କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ୤ ଏ କଡ଼ାବାମ୍ଫ ବାଜି ଯେବେ ତୁମର ଚେତା ନ ହେବ, ତା’ହେଲେ ତୁମର ଚେତା କେବେ ହବନାହିଁ, ତୁମେ ତୁମ ନିଜ ମନକୁ ଡେଙ୍ଗୁରା ପିଟିପାର ଯେ ଆମେ ବଡ଼, ଅମେ ବଡ଼ କାମ କରୁଛୁଁ୤ ଆମର ମୁଣ୍ଡ ଆମର ମଝି, ଆମରି ଗୋଡ଼ ସବୁ ବଡ଼୤ କିନ୍ତୁ ସଂସାର ତୁମର ଏ ଡେଙ୍ଗୁରା ପିଟାରେ ଭୁଲିବ ନାହିଁ୤ ତୁମେ କେତେଟା ଲୋକଙ୍କୁ କିଛି ସମୟ ପାଇଁ ବୋକା ବନେଇପାର୤ କିନ୍ତୁ ସବୁ ଲୋକଙ୍କୁ ସବୁ ସମୟ ପାଇଁ ବୋକା ବନେଇପାରିବ ନାହିଁ୤ ହିଟ୍‌ଲର୍‌ କିଛି ଦିନ ପାଇଁ ଜର୍ମାନୀ ଲୋକଙ୍କୁ ବୋକା ବନେଇଥିଲେ କୁହୁକ ମନ୍ତ୍ରରେ, ଏବେ ଘରେ ଅନ୍ଦର ମହଲରେ ପଡୁଚି ବୋମା୤ ତୁମେ ଇଲାଗେ ଲୋକଙ୍କୁ ଠକି ଦେଇପାର, କିନ୍ତୁ ବେଳ ଆସିବ-ବେଶି ଡେରି ନାହିଁ-ଯେତେବେଳେ ତୁମ ଅନ୍ଦର ମହଲରେ ବୋମା ପଡ଼ିବ, ସେତେବେଳେ ଆଲୋ ମାଆଲୋ, ମରିଗଲି ଲୋ, ବୋଲି ଡ଼କା ଛାଡ଼ି ଅକାଶ ଫଟେଇଲେ ମଧ୍ୟ କେହି ଶୁଣିବେ ନାହିଁ, କେହି ଟିକିଏ ଅଣହେଜରେ ତୁମକୁ ଚାହିଁବେ ନାହିଁ୤

ପର ଲଙ୍ଗୁଡ଼ଧରା ବଡ଼ଲୋକି, ବଡ଼ଲୋକି ନୁହେଁ୤ ସେ ଗୋଲାମର ଗୋଲାମୀ ମାତ୍ର୤ ଯଦି ପ୍ରକୃତରେ ଏ ଜାତିର, ଏ ଦେଶର, ଏ ବିଶ୍ବସଭ୍ୟତାର କିଛି କାମ କରି ତୁମର ନାଁ ଅମର ଅକ୍ଷରରେ ଲେଖିଦେବାକୁ ଇଛାକର, ତା’ହେଲେ ନିଜ ବଟୁଆଟି ଧରି ନିଜ ବାଟରେ ନିଜ ଗୋଡ଼ରେ ଚାଲ୤ ଏଣିକି ତେଣିକି ଚାହିଁ ଯେ ଚାଲେ ସେ ବାଟ ଜାଣେ ନାହିଁ, ସେ ନିଶ୍ଚେ ବାଟ ଭୁଲିବ୤ ଯେ ବାଟ ଜାଣେ, ଯାହାର ଲକ୍ଷ୍ୟ ଠିକ୍‌‌ ସେ ତା’ରାସ୍ତାରେ ଚାଲିବ୤ ସେ ରାସ୍ତା ଅନ୍ୟକୁ ଅସୁନ୍ଦର ଦିଶିପାରେ, ଅନ୍ୟ ନାକ ଟେକିପାରେ, ରାଗିପାରେ, ଥଟ୍ଟା ପରିହାସ କରିପାରେ, କି ଯାଏ ଆସେ ସେଥିରେ ? ମୋର ବାଟ ଏ, ଏ ବାଟରେ ମୁଁ ଯିବ୤ ସେଥିରେ ଯେବେ ମୁଁ ଲକ୍ଷ୍ୟସ୍ଥାନରେ ନ ପହଞ୍ଚିପାରେ ତା’ହେଲେ ମଧ୍ୟ ମୋର ଗୌରବ ଓ ଜାତିର ଉନ୍ନତି୤ ଆଉ କଣ କହିବି ? ଖାଲି ଏତିକି୤

He either fears his fate too much
Or his deserts are small.
That dares not put it to the touch
To gain or loss it all.

ଇଂରେଜୀ କିଆଁ ? ତୁମେ କୁ ଦେଶୀ କି ?

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋବିନ୍ଦ ତ୍ରିପାଠୀ
ଗୋବିନ୍ଦ ତ୍ରିପାଠୀ(୧୮୯୯-୧୯୬୨) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏକ ଉଲ୍ଲେଖଯୋଗ୍ୟ ବ୍ୟକ୍ତିତ୍ବ୤ କେତୋଟି ଉପନ୍ୟାସ ଏବଂ ନାଟକ ଲେଖିଥିଲେ ସୁଦ୍ଧା ବିଭିନ୍ନ ବିଷୟ ଉପରେ ତାଙ୍କ ଦ୍ବାରା ଲିଖିତ ପ୍ରବନ୍ଧଗୁଡ଼ିକ ପାଇଁ ସେ ପ୍ରତିଷ୍ଠା ଲାଭ କରିଥିଲେ୤ ତାଙ୍କ ପ୍ରବନ୍ଧଗୁଡ଼ିକରେ ଓଡ଼ିଆ ଏବଂ ଓଡ଼ିଶାର ସ୍ବାଭିମାନର ଚିତ୍ର ବେଶ୍‌ ବଳିଷ୍ଠ ରୁପରେ ପର୍ଯ୍ୟବେଶିତ୤ ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକରେ ଜୀବନ ଓ ସାହିତ୍ୟ ସମେତ ଜାତୀୟତାର ଭାବନା ପ୍ରତିଫଳିତ ହୋଇଥିଲା୤ ସେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଇତିହାସରେ ଏକ ଅଭିନବ ରୀତି ପ୍ରବର୍ତ୍ତନ କରି ନିଜପାଇଁ... [ କ୍ରମେ ସବିଶେଷ ]
ଗୋବିନ୍ଦ ତ୍ରିପାଠୀଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୧୬, ୨୦୧୧ - ୪:୧୧ ପୂର୍ବାହ୍ନ

    ଭଲ ଲାଗିଲା, କିନ୍ତୁ ସମୟ ଖୁବ ଆଗେଇ ଯାଇଛି ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤