ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

କନକଲତା ସାହୁ
ମଧୁସୂଦନ ଦାସ
ମହାପାତ୍ର ନୀଳମଣି ସାହୁ
କାମାକ୍ଷୀ ପ୍ରସାଦ ଦାଶ
କାହ୍ନୁଚରଣ ମହାନ୍ତି
କେ.ଶ୍ୟାମବାବୁ ଦୋରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅସୀମର ଆହ୍ବାନ
 |- କପିଳେଶ୍ବର ଦାସ
 
 
ତା: ମେ ୨୫, ୨୦୧୨  
 

ମୁକ୍ତିପାଇଁ ପ୍ରେରଣା ମନୁଷ୍ୟର ଅନ୍ତର୍ନିହିତ୤ ସସୀମର ଅସୀମରେ ପହଞ୍ଚିବା ହିଁ ମୁକ୍ତି୤ ଅସୀମ ଆମର ଅତି ପରିଚିତ, ଅତି ନିକଟ, ଅତି ଘନିଷ୍ଠ; ତଥାପି ଅତି ଦୂର, ଅତି ଅପରିଚିତ୤ ଅସୀମରେ ଆମର ଜନ୍ମ, ବର୍ଦ୍ଧନ, ଅବସାନ; ଅସୀମକୁ ଆମେ ପ୍ରତି ମୁହୂର୍ତ୍ତରେ ଦେଖୁଛି, ଅନୁଭବ କରୁଛୁ, ସ୍ପର୍ଶ କରୁଛୁ, ଅସୀମ ସହିତ ଖେଳୁଛୁ୤ ତଥାପି ମନେହୁଏ, ଅସୀମ ଯେପରି କୌଣସି ଦୂରାଗତ ଅତିଥି, ସ୍ବପ୍ନ-ପୁରୀର ମାୟା, ସ୍ବର୍ଗ-ଲୋକର କଳ୍ପନା୤ ଏଠାରେ ହିଁ ସୃଷ୍ଟିର ବୈଚିତ୍ର୍ଯ, ଜୀବନର ରହସ୍ୟ୤

ଅସୀମ ପ୍ରତି ମନୁଷ୍ୟର ଆକାଂକ୍ଷା, ତୃଷ୍ଣା, ଶ୍ରଦ୍ଧା ପ୍ରବଳ୤ ଜାଣିଶୁଣି ବା ନଜାଣି ନଶୁଣି ମନୁଷ୍ୟ ଅସୀମ ଆଡ଼କୁ ଚିର ଆକୃଷ୍ଟ୤ ଏହି ଆକର୍ଷଣ ଇଚ୍ଛା ହିଁ ମନୁଷ୍ୟର ବିଭିନ୍ନ କ୍ରିୟା କଳାପରେ, ବିଭିନ୍ନ ଉଦ୍ୟମର ମୂଳରେ ଥାଏ୤ ଧର୍ମ ସସୀମଠାରୁ ଅସୀମ ପର୍ଯ୍ୟନ୍ତ ମାର୍ଗକୁ ସୁଗମ, ସଂଯତ, ଶୃଙ୍ଖଳିତ କରେ; କଳା ତାହାକୁ ସୌନ୍ଦର୍ଯ୍ୟରେ ସମ୍ମୋହନ ରୂପ ଦିଏ; ବିଜ୍ଞାନ ତାହାର କେତୋଟି ଅଦୃଷ୍ଟ ସଙ୍କେତ ଦିଏ; ଜୀବନ ତାହାର ପ୍ରତିରୂପ ଚିତ୍ର ଅଙ୍କନ କରେ୤ ସବୁ ସେହି ଅସୀମର ଦ୍ୟୋତକ, ପ୍ରକାଶକ; ଅସୀମର ଆହ୍ବାନରେ ସମସ୍ତେ ଚଞ୍ଚଳ, ଅଗ୍ରଗାମୀ୤

ବାସ୍ତବ ସାଂସାରିକ ଜୀବନରେ ମନୁଷ୍ୟର ତୃପ୍ତିନାହିଁ୤ ସେ କୌଣସି ଗୋଟିଏ ପଦାର୍ଥ ପାଇବାକୁ ଇଚ୍ଛାକରେ, ତାହା ପାଏ; କିନ୍ତୁ ତହିଁରେ ସେ ସନ୍ତୁଷ୍ଟ ହୁଏନାହିଁ୤ ଆଉ କିଛି ପାଇବାକୁ ପୁଣି ବ୍ୟଗ୍ର, ଅଧୀର ହୋଇଉଠେ୤ ସେ ଭାବନା କରେ, ଗୋଟିଏ ଅବସ୍ଥାରେ ପହଞ୍ଚେ; କିନ୍ତୁ ଦେଖେ ତହିଁରେ ସୁଖର ସତ୍ତା ନାହିଁ, ତାହା ଯେପରି ଗୋଟିଏ ତିକ୍ତ ଶୂନ୍ୟତା୤ ସେ ପୁଣି ଅନ୍ୟ ଅବସ୍ଥାରେ ଉପନୀତ ହେବାର ଉପକ୍ରମ କରେ୤ ଏହିପରି ତାହାର ଲାଗିଥାଏ ଚିର ଅସୁଖ ଅଶାନ୍ତି ଜନିତ ନିରବଧି ସଂଘର୍ଷ୤ ଏ ସଂଘର୍ଷର ମୌଳିକ ତଥ୍ୟ ସେ ପ୍ରାୟ ବୁଝେ ନାହିଁ, ଏଣୁ ବିଶେଷ କ୍ଳେଶ ଅନୁଭବ କରେ୤ ଏହାହିଁ ସଂସାର ମାର୍ଗର ଅଭ୍ୟସ୍ତ ଲକ୍ଷଣ୤

ଏ ସଂଘର୍ଷ ହିଁ ସାକ୍ଷ ଦିଏ, ମନୁଷ୍ୟ ମୁକ୍ତି ଚାହେଁ୤ ସେ ଅଳ୍ପରେ ସନ୍ତୁଷ୍ଟ ନୁହେଁ, ଅଧିକ ଅଧିକ ଆଶାକରେ୤ ଯେଉଁ ଅବସ୍ଥାରେ ପହଞ୍ଚିଲେ ଆଉ ଆଶା କରିବାକୁ କିଛି ନଥିବ; ପୂର୍ଣ୍ଣକାମ ହେବ, ସେ ଅବସ୍ଥାରୁ ଊଣାରେ ମନୁଷ୍ୟ କେଭେ ସନ୍ତୁଷ୍ଟ ନୋହିବ୤ ସେ ଅବସ୍ଥା ବା ଠିକ୍ କହିଲେ ଅବସ୍ଥାପିତ ଅବସ୍ଥା ହିଁ ଅସୀମ୤ କିନ୍ତୁ ମନୁଷ୍ୟ ସସୀମ ଜଗତକୁ ଭ୍ରମରେ ଅସୀମ ବୋଲି ଗ୍ରହଣ କରେ୤ ଏହା କିନ୍ତୁ ଅସମ୍ଭବ; ସେଥିପାଇଁ ତାହାର କଷ୍ଟ୤ ଜ୍ଞାନୀ ଲୋକେ ଏ ପରିସ୍ଥିତିର ଅସମ୍ଭାବନା, ବ୍ୟର୍ଥତା ବୁଝନ୍ତି; ଏଣୁ ସାଧାରଣଲୋକଙ୍କ ଠାରୁ ଭିନ୍ନ ପନ୍ଥା ଅବଲମ୍ବନ କରନ୍ତି୤ କିନ୍ତୁ ଏହା ବୋଲି ସାଧାରଣ ଲୋକ ମଧ୍ୟ ଅସୀମ ଆଡ଼କୁ ଅଗ୍ରସର ନ ହୁଅନ୍ତି, ଏ କଥା କହି ହେବନାହିଁ୤ ତେବେ ପ୍ରଭେଦ ଏତିକି ହୋଇପାରେ, ଜ୍ଞାନୀ ଯେଉଁ ଲକ୍ଷ୍ୟ ପ୍ରତି ସଚେତ, ସାଧାରଣ ଅଚେତ; ଜ୍ଞାନୀର ପଥ ସରଳ, ସାଧାରଣର କୁଟିଳ; ଜ୍ଞାନୀ ଦ୍ରୁତଗାମୀ, ସାଧାରଣ ଆଳସ୍ୟ ପରାୟଣ; ଜ୍ଞାନୀ ଏବେ, ଏହିଠାରେ, ଏହି ଜୀବନରେ ମୁକ୍ତ; ସାଧାରଣର ମୁକ୍ତ ବହୁଜୀବନ, ବହୁ ଆୟାସ ସାପେକ୍ଷ୤ ତଥାପି ଅଖଣ୍ଡ ଆନନ୍ଦରେ ସମସ୍ତଙ୍କର ସଞ୍ଚାର, ଶେଷରେ ସେହି ଆନନ୍ଦରେ ସମସ୍ତଙ୍କର ପ୍ରବେଶ୤ ସେଥିପାଇଁ ପରା ଉପନିଷଦ ବଜ୍ରଗମ୍ଭୀର କଣ୍ଠରେ କହୁଛି, ‘ମହତ୍ ଆନନ୍ଦରୁ ଜଗତର ସୃଷ୍ଟି, ମହତ୍ ଆନନ୍ଦରେ ଜଗତର ସ୍ଥିତି, ସେହି ମହତ୍ ଆନନ୍ଦରେ ପୁଣି ତାହାର ଲୟ୤’

କିନ୍ତୁ ପ୍ରଶ୍ନ ଉଠିପାରେ, ମନୁଷ୍ୟ କାହିଁକି ଭୌତିକ ସଂସାରେ ସୁଖୀ ନ ହେବ ? ଜଗତର ସୀମାକୁ ମନୁଷ୍ୟ କିପରି ଅତିକ୍ରମ କରିବ ? ଏ ଶିକ୍ଷା ବିଷାଦ-ବାଦ (Pessimism) ନୁହେଁ ? କଠୋର ଅନୁଭୂତି ଉତ୍ତର ଦିଏ, ନା, ଏ ଶିକ୍ଷା ବିଷାଦବାଦ ନୁହେଁ, ଏହା ନିପଟ ବାସ୍ତବ୤ ମନୁଷ୍ୟ ବାହାରେ ମନ ମତାଣିଆ ଭାବରେ ଯାହା କହୁନା କାହିଁକି, ହୃଦୟର ଗଭୀର ଅନ୍ତରାଳରେ ଏ ସତ୍ୟ ଉପଲବ୍ଧ କରେ୤ ଜୀବନରେ ସୁଖ ଗୁଣେ ବଢ଼ିଲେ ଦୁଃଖ ଦଶଗୁଣ ବଢ଼େ୤ ଫୁଲରେ କୀଟ ଥାଏ, ଚନ୍ଦ୍ରରେ କଳଙ୍କ ଥାଏ୤ ଆମର ଶାନ୍ତି, ସୁଖ ଭଙ୍ଗ କରିବାପାଇଁ କୌଣସି ନା କୌଣସି କାରଣ ଅହେତୁକ ଭାବରେ ଆମ ଆଗରେ ଠିଆହୁଏ୤ ମନୁଷ୍ୟ ସହସ୍ର ସହସ୍ର ବର୍ଷ ହେଲା ଏ ମର୍ତ୍ତ୍ୟଲୋକରେ ବଞ୍ଚି ଆସିଛି, ବିରାଟ ସଭ୍ୟତାର ଦୁର୍ଗ ତୋଳିଛି ବୋଲି ଦମ୍ଭ ଧରୁଛି; ତଥାପି ଏ ବିଶଂ ଶତାବ୍ଦୀରେ ଦେଖୁଛି, ପ୍ରଥମ ଶତାବ୍ଦୀ ଅପେକ୍ଷା ତାହାର ଜୀବନ କୌଣସି ପ୍ରକାର ନିରାପଦ ନୁହେଁ୤ ଧନର ଅଭାବ ନାହିଁ, ବିଳାସରେ ସେ ମାତିଛି୤ ତଥାପି ଅଭାବ ଅପେକ୍ଷା ବିଳାସର ଆତିଶଯ୍ୟ ଅଧିକ ବାଧା ଦେଉଛି୤ ସମର ହୁଙ୍କାର ଶୁଭୁଛି୤ ସେତେବେଳେ ତାହାର ବିଳାସର, ସୁଖର ସ୍ବପ୍ନ ଅଦୃଶ୍ୟ ହୋଇଯାଇଛି; ସେ ଦରିଦ୍ରରୁ ଦରିଦ୍ରତମ ହେଉଛି୤ ଆଧୁନିକ ଜୀବନରେ ନାନା ସୁବିଧାର ସୃଷ୍ଟି ହେଉଛି; ଜୀବନକୁ ସୁଖମୟ କରିବା ପାଇଁ ବିଜ୍ଞାନ ଆଶ୍ଚର୍ଯ୍ୟଜନକ ଆବିଷ୍କାର କରୁଛି୤ ତଥାପି ବିଜ୍ଞାନର ପ୍ରତ୍ୟେକ ଆବିଷ୍କାର ଏପରି ଗୋଟିଏ ଗୋଟିଏ ସମସ୍ୟା ଆଣି ଥୋଉଛି, ଯାହାର ସମାଧାନରେ ଜଗତ ସ୍ତମ୍ଭୀତ ହେଉଛି୤ ପରମାଣୁ ବୋମା ଗୋଟିଏ ମାତ୍ର ଦୃଷ୍ଟାନ୍ତ୤ ଏ ସବୁ ସତ୍ତ୍ବେ ଯଦି କିଏ କହେ, ଜଗତରେ ମନୁଷ୍ୟ ଅସୁଖୀ ନୁହେଁ, ତେବେ ବାସ୍ତବିକ୍ ସେ କି ମିଥ୍ୟାବାଦୀ ନୁହେଁ ?

ଶେଷ ବିଶ୍ଳେଷଣରେ ଏ ଅସୁଖର କାରଣ କଅଣ ? ପ୍ରାଚୀନମାନେ ବହୁ ପୂର୍ବରୁ ଏହା କହିଛନ୍ତି୤ ସୁଖ ଓ ଦୁଃଖ ମନୁଷ୍ୟର ମନର ଅବସ୍ଥାନ୍ତର ମାତ୍ର୤ ବିଖ୍ୟାତ୍ ଇଂରେଜ କବି ମିଲ୍ଟନ୍ ସେଥିପାଇଁ ପରା ଗାଇଛନ୍ତି, ‘ମନହିଁ ସ୍ବର୍ଗକୁ ନରକରେ, ନରକକୁ ସ୍ବର୍ଗରେ ପରିଣତ କରେ !’ ମନୁଷ୍ୟ ଶରୀର ଓ ମନକୁ ସର୍ବସ୍ବ ମନେକରେ୤ ଶରୀର ଓ ମନ ତ ସ୍ଥିର ବସ୍ତୁ ନୁହେଁ, ଏଣୁ ସେ କଷ୍ଟ ଭୋଗକରେ୤ ଆଜି ଆମ ଶରୀର ସୁସ୍ଥ, କାଲି କିନ୍ତୁ ଭୀଷଣ ରୋଗାକ୍ରାନ୍ତ୤ ଅଲଗାଣ ଘୋଡ଼ା ପରି ମନର ଦ୍ରୁତ ଅସ୍ଥିର ଅବସ୍ଥା କିଏ ପ୍ରତି ମୁହୂର୍ତ୍ତରେ ଅନୁଭବ ନକରୁଛି ? ସେଥିପାଇଁ ପରା କବି ତାହାକୁ ଲକ୍ଷ୍ୟ କରି ଯାଇଛନ୍ତି, ‘ପ୍ରଭଞ୍ଜନର ବେଗ, ଆଲୋକ ଗତି’୤ ଏପରି ପରିବର୍ତ୍ତନଶୀଳ, କ୍ଷୟଶୀଳ ପଦାର୍ଥ ଉପରେ ନିର୍ଭର କଲେ, ବାଧା ଛଡ଼ା ଆଉ କଅଣ ମିଳିପାରେ ? ସେଥିପାଇଁ ଅଖଣ୍ଡ ଶାନ୍ତି ଲଭିବାକୁ ହେଲେ, ମନାତୀତ ହେବାକୁ ହେବ୤

ଏଠାରେ ପୁଣି ପ୍ରଶ୍ନ ଉଠିପାରେ, ମନାତୀତ କିପରି ? ମନ ବାହାରେ ଆଉ କଅଣ ଥାଇପାରେ ? ତାହା କି କେବଳ ଶୂନ୍ୟ ନୁହେଁ, ଅପରିକଳ୍ପିତ ଧ୍ବଂସାବଶେଷ ନୁହେଁ ? ତାହା କିପରି ଶ୍ରେୟ ? ଏଠାରେ ହିଁ ଆସ୍ତିକତା ନାସ୍ତିକତାର ମୌଳିକ ମତଭେଦ୤ ମନାତୀତ ରାଜ୍ୟ ଅଛି୤ ସୃଷ୍ଟିର ପ୍ରାକ୍କାଳରୁ ପ୍ରକୃତ ଯୋଗୀ, ଋଷି, ସିଦ୍ଧ ସାଧକ ସେହି ରାଜ୍ୟରେ ପହଞ୍ଚିଛନ୍ତି ଏବଂ ତଦ୍ବାରା ସ୍ଥାୟୀ ନିତ୍ୟ ଶାନ୍ତିସୁଖ ଲାଭ କରିଛନ୍ତି୤ ପୁଣି ଲୌକିକ ଜୀବନ ଉପରେ ସେହିମାନେ ହିଁ ଅପରିମିତ ପ୍ରଭାବ ବିସ୍ତାର କରିଛନ୍ତି ଓ କରୁଛନ୍ତି୤ ପୁଣି ଅନେକେ-ଯେଉଁମାନେ ଶେଷ ଲକ୍ଷ୍ୟରେ ଉପନୀତ ହୋଇ ନାହାଁନ୍ତି ଅଥଚ ଅସୀମ ପଥରେ ପଥିକ ହୋଇଛନ୍ତି-ସେମାନଙ୍କର ଜୀବନକୁସୁମ ଯେଉଁ ସୌରଭ ବିକୀରଣ କରୁଛି, ଅପରୋକ୍ଷ ପ୍ରମାଣ ଥାଉଁ ଥାଉଁ ତହିଁରେ କିଏ ସେ ସନ୍ଦେହ କରିବ ? ପରୋକ୍ଷ ଅନୁଭୂତିରେ ଶ୍ରବଣରେ, ଦୂରଦର୍ଶନରେ ସଂଶୟ ଜନ୍ମିପାରେ୤ କିନ୍ତୁ ସମ୍ମୁଖରେ ନିର୍ମଳ ଭାବରେ ଅସନ୍ଦିଗ୍ଧ ଚିତ୍ତରେ ଅନୁଭବ କରୁଥିବା ବେଳେ ଅବିଶ୍ବାସର ପ୍ରଶ୍ରୟ କାହିଁ ?

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤