ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗନ୍ତାୟତ ଶିବପ୍ରସାଦ
ଅମରେଶ ବିଶ୍ବାଳ
ତରୁଣକାନ୍ତି ମିଶ୍ର
ଅନନ୍ତ ପଟ୍ଟନାୟକ
ଫତୁରାନନ୍ଦ
ତ୍ରିନାଥ ସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅସୀମର ଆହ୍ବାନ
 |- କପିଳେଶ୍ବର ଦାସ
 
 
ତା: ମେ ୨୫, ୨୦୧୨  
 

ସଂସାରବାଦୀ ଏଠାରେ ପୁଣି ପଚାରି ପାରେ, ଆଚ୍ଛା, ଏ ଅସାଂସାରିକ ଅପ୍ରାକୃତ ଊର୍ଦ୍ଧ୍ବଚେତନ ବିଷୟ ଘେନି ଆମେ ଏତେ ବ୍ୟତିବ୍ୟସ୍ତ ହେବାର ପ୍ରୟୋଜନ କଅଣ ? ସଂସାର ଜଞ୍ଜାଳ ତ ଆମକୁ ବଳେଇ ପଡୁଛି, ଆଉ ଅଖଣ୍ଡ ‘ଶାନ୍ତି’ ଅନ୍ବେଷଣ କାହିଁକି ? ବାସ୍ତବ ଜୀବନର ଦୁଃଖକଷ୍ଟ ଘୁଞ୍ଚାଇବା ପାଇଁ ଆମେ ଆଗେ ଲଢ଼େଇ କରିବା; ମର୍ତ୍ତ୍ୟରେ ସ୍ବର୍ଗଲୋକର ଅବତରଣ ପାଇଁ ଅଣ୍ଟା ଭିଡ଼ିବା; ମର୍ତ୍ତ୍ୟରୁ ସ୍ବର୍ଗକୁ ପଳାଇ ଯିବା ପାଇଁ ବ୍ୟାକୁଳ ହେବା କାହିଁକି ? କଥାଟା ଯୁକ୍ତିଯୁକ୍ତ, ବୀରତ୍ବବ୍ୟଞ୍ଜକ ବୋଧ ହେଉଛି୤ କିନ୍ତୁ ଅସଲ କଥା, ଯୁଗଯୁଗ ଧରି ତାହା ପରୀକ୍ଷିତ ହୋଇଛି, ତହିଁରେ ଅଭାବ ଦେଖାଯାଇଛି୤ ଜଗତ ସେ ପଥ ବହୁକାଳ ଅବଲମ୍ବନ କରିଛି, କିନ୍ତୁ ଏବେ ମଧ୍ୟ ଜଗତରେ ଯେଉଁ ଘୋର ବିଶୃଙ୍ଖଳା ଦେଖାଯାଉଛି, ତହିଁରୁ ତ୍ରାହି ପାଇବାର ବାଟ ଦିଶୁନାହିଁ୤ ଯେଉଁମାନେ ଅସୀମ ପଥରେ ଚାଲିଛନ୍ତି ସେମାନେ ‘ପଳାତକ-ବାଦୀ’ ନୁହନ୍ତି୤ ଆନ୍ତରିକ ଆଦର୍ଶମୂଳକ ଆକାଂକ୍ଷା ସେମାନଙ୍କୁ ସେହି ପଥରେ ଚଲାଏ୤ ସେହି ଆଦର୍ଶ ଲାଗି ସେମାନେ ସର୍ବସ୍ବ ତ୍ୟାଗ କରିବା ପାଇଁ ପ୍ରସ୍ତୁତ; ସାଂସାରିକ ଲାଭାଲାଭ ପ୍ରତି ସେମାନେ ସମ୍ପୂର୍ଣ୍ଣ ନିରୁଦ୍ବେଗ୤ ପ୍ରକୃତ କବି, ବୈଜ୍ଞାନିକ, ଆବିଷ୍କାରକ-ଯେଉଁମାନେ ମାନବିକ ଇତିହାସ-ପୃଷ୍ଠାରେ ସଙ୍କେତ ରଖି ଯାଇଛନ୍ତି, ନୂଆ ନୂଆ ମାର୍ଗରେ ମାନବକୁ ଚଳାଇବା ପାଇଁ ଆଲୋକ ସମ୍ପାତ କରିଛନ୍ତି- ସେମାନେ ଏହି କୋଟୀର ଲୋକ୤ କିନ୍ତୁ ସେମାନେ ଅସୀମ ପଥର ପ୍ରାରମ୍ଭରେ୤ ଲକ୍ଷ୍ୟ ଆହୁରି ବହୁ ଦୂରରେ୤

ମୁକ୍ତି ତ ଲକ୍ଷ୍ୟ୤ ତଥାପି ମନୁଷ୍ୟର ସ୍ବଭାବ ଓ ପ୍ରାକୃତିକ ପରିସ୍ଥିତି ଭେଦରେ ଏ ଲକ୍ଷ୍ୟ ସାଧନର ପ୍ରକାର ଓ ମାର୍ଗ ବିଭିନ୍ନ୤ ‘ମୁଁ ଚଞ୍ଚଳ ପ୍ରକୃତିର ଲୋକ୤ ଚଞ୍ଚଳତାକୁ ମୁଁ ଭଲପାଏ, ଅନ୍ୟର ସେବାରେ ନିଜକୁ ନିୟୋଜିତ କରିବାପାଇଁ ଭଲପାଏ୤ ଅନ୍ୟକୁ ସାହାଯ୍ୟ କରିବାରେ ମୋର ଆନନ୍ଦ, ଅନ୍ୟର ସ୍ବାର୍ଥସାଧନ ଲାଗି ମୋର ସ୍ବାର୍ଥ ବଳିଦେବା ପାଇଁ ତତ୍ପର୤ ସକଳ ମାନବିକତା ମୋର ବନ୍ଧୁ୤ ମୋର ଦୃଷ୍ଟିରେ ବଡ଼ ସାନ କିଏ ନାହିଁ୤ ଏହି ପଥରେ ପଥିକ ହୋଇ କ୍ରମେ ମୋର କ୍ଷୁଦ୍ର ଅହଙ୍କାର ସେବା-ଯଜ୍ଞର ପୂତ ଅଗ୍ନିରେ ଦଗ୍ଧୀଭୂତ ହୁଏ, ମୁଁ ଜଗତ୍-ବିଜୟୀ ହୁଏ୤ କ୍ଷୁଦ୍ର ସ୍ବାର୍ଥହିଁ ମତେ ସଂସାର ରଜ୍ଜୁରେ ବାନ୍ଧି ରଖେ, ତାହା ନଥିଲେ ଆଉ ଭୟ କାହିଁ ? ଏପରି ଭାବରେ ମୁଁ ଜୀବନ୍ମୁକ୍ତ ହୁଏ୤’ ଏହାହିଁ ଆମର ପ୍ରାଚୀନ ଶାସ୍ତ୍ର କଥିତ କର୍ମଯୋଗ୤ ଦୈନିକ ଜୀବନରେ ମଧ୍ୟ ଆମେ ଦେଖୁଁ-ଜଣେ ଜଣେ ଲୋକର ଅସାଧାରଣ ତ୍ୟାଗ ଆମର ଗୌରବାସ୍ପଦ ହୁଏ୤ ଏ ତ୍ୟାଗ କ୍ରମେ କ୍ରମେ ବଢ଼ି ଯେତେବେଳେ ଶେଷ ସୀମାରେ ପହଞ୍ଚେ, ସେତେବେଳେ ବ୍ୟକ୍ତିତ୍ବ-ବୁଦ୍ବୁଦ୍ ଅସୀମ ସାଗରର ଅଗାଧ ଜଳରାଶିରେ ନିମଜ୍ଜିତ ହୁଏ୤ କର୍ମଯୋଗର ଏ ବୈଶିଷ୍ଟ୍ୟ୤

ଆଉ କେତେକ ଅଛନ୍ତି, ସେମାନଙ୍କର ସ୍ବଭାବ ବିଚାରବନ୍ତ୤ ସେମାନଙ୍କର କର୍ମରେ ଯେତେ ପ୍ରବୃତ୍ତି ଜନ୍ମେ ନାହିଁ, ଗଭୀର ଚିନ୍ତାହିଁ ସେମାନଙ୍କର ଜୀବନର ଲକ୍ଷଣ୤ ସେମାନେ ମର୍ମେ ମର୍ମେ ଅନୁଭବ କରନ୍ତି, ଜଗତ କ୍ଷଣିକ; କିଛି ଚିର ନୁହେଁ, ସବୁ ପରିବର୍ତ୍ତନଶୀଳ୤ ସବୁରି ଉପରେ ରାଜା-ମୃତ୍ୟୁ୤ ବନ୍ଧୁବାନ୍ଧବ, ମିତ, କୁଟୁମ୍ବ ସମସ୍ତେ ଦିନେ ଦିନେ ଚାଲି ଯାଆନ୍ତି୤ ଯାହା ରହିବ ନାହିଁ ତାହା ଉପରେ ସୁଖ ପାଇଁ ନିର୍ଭର କରିବା କି ବାତୁଳତା୤ ସେଥିପାଇଁ ସେପରି ଲୋକ ‘ନେତି ନେତି’ ନ୍ୟାୟରେ ସବୁ ପରିହାର କରି ଶାଶ୍ବତ, ଅକ୍ଷୟ, ଅମର ପ୍ରାପ୍ତ ହୁଅନ୍ତି- ଯାହାକୁ ଅଗ୍ନି ଦଗ୍ଧ କରିପାରେ ନାହିଁ, ସଲିଳ ଆର୍ଦ୍ର କରିପାରେ ନାହିଁ, କାଳ ଧ୍ବଂସ କରିପାରେ ନାହିଁ ଏହାହିଁ ମୁକ୍ତି୤ ଏହାହିଁ ଜ୍ଞାନଯୋଗର ବୈଶିଷ୍ଟ୍ୟ୤

ପୁଣି କେତେକ ଅଛନ୍ତି, ଯେଉଁମାନଙ୍କର ସ୍ବଭାବ ଅନ୍ତର୍ଦୃଷ୍ଟି, ଆତ୍ମ-ବିଶ୍ଳେଷଣମୂଳକ୤ ସେମାନେ ଦେଖିଛନ୍ତି, ମନୁଷ୍ୟ ସୁଖ ପଛରେ ଥାଏ, କିନ୍ତୁ ସୁଖ କେବେ ଧରା ଦିଏ ନାହିଁ୤ ଏହାର କାରଣ ତନ୍ମ ତନ୍ମ ଆଲୋଚନା କରି ସେମାନେ ବୁଝନ୍ତି, ‘ମନର ମୂଳେ ଏ ଜଗତ’, ବାହ୍ୟ ଘଟଣାର ପ୍ରାୟ ତହିଁରେ କିଛି ସମ୍ପର୍କ ନାହିଁ୤ ବାହ୍ୟ ଘଟଣା ସହିତ ଆମେ ଯେଉଁ ଭାବରେ ପ୍ରତିକ୍ରିୟା କରୁ, ସେପରି ଭାବରେ ସୁଖୀ ବା ଅସୁଖୀ ହେଉ୤ ମନକୁ ଆୟତ୍ତ କଲେ ଜଗତ ଆୟତ୍ତ ହୁଏ, ଯେହେତୁ ଦୃଷ୍ଟ ଜଗତ ମନର ପ୍ରତିବିମ୍ବ ମାତ୍ର୤ ତେବେ ମନକୁ କିପରି ଆୟତ୍ତ କରାଯିବ ? ଧ୍ୟାନ ଧାରଣ ଦ୍ବାରା ତାହା କରି ହେବ୤ ମନ ଡିଆଁ ମାରୁଥିବା ମାଙ୍କଡ଼ ପରି; ସବୁବେଳେ ଏଣେତେଣେ ଧାଉଁଥାଏ୤ ତାକୁ ଧରିବାକୁ ଚେଷ୍ଟା କଲେ ପ୍ରଥମେ ସେ ଆହୁରି ଅମାନିଆଁ ହୋଇ ନାନା ଉପଦ୍ରପ ଜନ୍ମାଏ୤ ତଥାପି ଦୃଢ଼ ଅଭ୍ୟାସ, କଠୋର ସଞ୍ଜମ, ଗଭୀର ଧାରଣା ବଳରେ ମନକୁ ଏକାଗ୍ର କରାଯାଇ ପାରେ୤ ମନ ଏକାଗ୍ର ହେଲେ ବିଶ୍ବର ମୌଳିକ ସତ୍ତା ଉପଲବ୍ଧ ହୁଏ, ସର୍ବଲୋକର ରହସ୍ୟ ଗଣ୍ଠି ଫିଟିଯାଏ୤ ଯୋଗୀ ଏପରି ଭାବରେ ଜଗତକୁ ଜିଣେ, ନିଜର ଅଧିକାରୀ ହୁଏ, ମୁକ୍ତି ପାଏ୤ ଏହାହିଁ ରାଜଯୋଗର ବୈଶଷ୍ଟ୍ୟ୤

ପୁଣି କେତେକ ଅଛନ୍ତି, ଯେଉଁମାନଙ୍କର ସ୍ବଭାବ ଭାବପ୍ରବଣ୤ ସେମାନେ ଦେଖନ୍ତି ଜଗତର ଅନ୍ତରାଳରେ କୌଣସି ଅଦୃଷ୍ଟ ଇଙ୍ଗିତ ଅଛି୤ ଘଟଣାର ପ୍ରତିଘାତରେ ମନୁଷ୍ୟ ନିଜକୁ ନିଃସହାୟ ମନେକରେ୤ ସେ ଦେଖେ ପ୍ରତିକୂଳ ଅବସ୍ଥାରେ ତାହାର ସକଳ ଚାତୁର୍ଯ୍ୟ, ବୁଦ୍ଧି, କୌଶଳ, ବଳ କାହିଁ ଉଭେଇ ଯାଇଛି୤ ସେଥିପାଇଁ ସେ ବୋଧକରେ ବାସ୍ତବିକ୍ ଏପରି କୌଣସି ଅଦୃଷ୍ଟ ହସ୍ତ ଅଛି-ଯାହାକି ତାହାର ଭାଗ୍ୟ ନିୟନ୍ତ୍ରଣ କରୁଛି୤ ସେ ନିଜ ଇଛା ଅନୁସାରେ କୌଣସି କାର୍ଯ୍ୟ ସାଧନ କରିପାରେ ନାହିଁ୤ ଜଗତ-ଇତିହାସ ପୃଷ୍ଠାରେ ସେ ପଢ଼େ, କିପରି ଜଣେ ନେପୋଲିଅନ୍ର ଦୁର୍ଦ୍ଧଷ ସାମରିକତା ବ୍ୟର୍ଥ ହୋଇଥିଲା, ଜଣେ କାଇଜର୍ର ଗର୍ବ ଖର୍ବ ହୋଇଥିଲା, ଜଣେ ହିଟ୍ଲର ଧୂଳିରେ ମିଶିଯାଇଥିଲା, ଉଦ୍ଧତ ସାମ୍ରାଜ୍ୟବାଦର ହିଂସ୍ରକ ମୁକୁଟ ତଳକୁ ଖସି ପଡ଼ୁଛି୤ ବାସ୍ତବିକ୍ ଏପରି କୌଣସି ମହୀୟାନ୍ ଶକ୍ତ ଅଛି ଯାହାର ଆଜ୍ଞାରେ ହିଁ ଆମେ ବଞ୍ଚୁଛୁ, କାର୍ଯ୍ୟକ୍ଷମ ହେଉଛୁ୤ ସେ ଆଜ୍ଞାକୁ ଲଙ୍ଘି ଆମେ ଏକପାଦ ମଧ୍ୟ ଅଗ୍ରସର ହୋଇ ପାରିବୁ ନାହିଁ୤ ଏଥିପାଇଁ ମନୁଷ୍ୟ ସ୍ବତ୍ତଃପ୍ରବୃତ୍ତ ହୋଇ ବା ନ ହୋଇ ବଳ, ସାହାଯ୍ୟ, ରକ୍ଷା ପାଇଁ ସେହି ଶକ୍ତିକୁ ପ୍ରାର୍ଥନା କରେ୤ କ୍ରମେ କ୍ରମେ ଏ ପ୍ରାର୍ଥନା ଦ୍ବାରା ଚିତ୍ତଶୁଦ୍ଧ ହୋଇ ସେ ଦେଖେ, ସେ ଯେତେଦୂର ନିଜର କ୍ଷୁଦ୍ର ବ୍ୟକ୍ତିତ୍ବ ଭୁଲି ସେହି ଶକ୍ତି ସଙ୍ଗେ ନିଜକୁ ସଂଯୋଜିତ କରି ପାରିବ, ସେତେଦୂର ସେ ପରମ ସୁଖ ପାଇବ୤ ବିରାଟ କଳାକାରର ସୃଜନମୂଳକ କାମନାରୁ ଜଗତର ସୃଷ୍ଟି୤ ସେ ସୃଜନର ଅଭିପ୍ରାୟ-ସୀମା ଭିତରେ ହିଁ ଆମର ବ୍ୟକ୍ତିତ୍ବ ଚାଳିତ ହୋଇପାରେ୤ ତେବେ ମନୁଷ୍ୟ କି ଚିର ଦାସ ? ତାହାର କି ସ୍ବତନ୍ତ୍ର ବ୍ୟକ୍ତିତ୍ବ ନାହିଁ ? ନା, ଏପରି ବୁଝିବା ଭୁଲ୍୤ ସ୍ରଷ୍ଟାର ଏକୀକରଣରେ ହିଁ ତାହାର ପ୍ରକୃତ ବ୍ୟକ୍ତିତ୍ବ ଫୁଟିଉଠେ୤ ସ୍ରଷ୍ଟାର ପଦପଙ୍କଜରେ ହିଁ ତାହାର ସକଳ ଆଶା-ଭରସା ପରିପୂର୍ଣ୍ଣ ହୁଏ୤ ସେ ପଦ-ପଙ୍କଜରୁ ବିଚ୍ଛିନ୍ନ ହେବାର ଔଦ୍ଧତ୍ୟ ହିଁ ମନୁଷ୍ୟକୁ କଷ୍ଟ ଦିଏ୤ ନିର୍ଝରିଣୀ ଝର ଝର ନାଦରେ ଅବିରାମ ଗତିରେ ସମୁଦ୍ରରେ ନିଜକୁ ମିଶାଇ ଦେବା ପାଇଁ ବହୁଥାଏ୤ ସେତେବେଳେ ତାହାର ଜଳ ସ୍ବଚ୍ଛ, ଜୀବନ ସଚଳ୤ କିନ୍ତୁ ତହିଁରୁ ଅଲଗା ହୋଇ ଯେତେବେଳେ ଗୋଟିଏ ପଲ୍ବଳ ନିଜକୁ ସର୍ବେସର୍ବା ମନେକରେ, ସେତେବେଳେ ସେ ହୁଏ ଅଚଳ, ମୃତ, ଦୁର୍ଗନ୍ଧ୤ ସେହିପରି ବିଚ୍ଛିନ୍ନ ବ୍ୟକ୍ତିତ୍ବକୁ ବିରାଟ ଭୂମାର ଅପ୍ରତିହତ ବିଚିତ୍ର ଗତିରେ ମିଶାଇ ଦେଲେ ହିଁ ଆମେ ସେହି ଭୂମାର ଉତ୍ତରାଧିକାରୀ ହେଉ, ବଳବନ୍ତ ହେଉ, ମୁକ୍ତି-ସୁଧା ଆସ୍ବାଦନ କରୁ୤ ପୁଣି ଉପାସନା ମାର୍ଗରେ ଦେଖୁ ସେହି ଶକ୍ତି, ସେହି ଭୂମା କେବଳ ବାହାରେ ନାହିଁ, ଆମର ଅନ୍ତରରେ ତାହା ସର୍ବଦା ବିରାଜିତ୤ ଏହାହିଁ ଭକ୍ତିଯୋଗର ବୈଶିଷ୍ଟ୍ୟ୤

ଅସୀମର ପ୍ରରୋଚନାରେ ସବୁ ଧର୍ମର ସୃଷ୍ଟି୤ ଅସୀମର ଆହ୍ବାନ ଚିରନ୍ତନ, ମଧୁର, ସାନ୍ତ୍ବନାଦାୟକ, ଅଭୟକାରକ୤ ସେ ଆହ୍ବାନ କି ଆମେ ଶୁଣିବା ନାହିଁ ?

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤