ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ସାର୍‌ ବାସୁଦେବ ସୁଢ଼ଳଦେବ
କୁନ୍ତଳା କୁମାରୀ ସାବତ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
କେ.ଶ୍ୟାମବାବୁ ଦୋରା
ଡ.ହରେକୃଷ୍ଣ ମହତାବ
ନିତ୍ୟାନନ୍ଦ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଙ୍ଗୁଠି
 |- ସଚ୍ଚି ରାଉତରାୟ
 
 
ତା: ମାର୍ଚ୍ଚ୍ ୫, ୨୦୧୧  
 

ମାଗୁଣୀ ଖାଁ ଟଙ୍କା ଝଣ ଝଣ ଶବ୍ଦ ଶୁଣି ପାରିଲା୤ ତାପରେ ସେ ଦେଖିଲା, ଛାଇ ଦୁଇଟି ବିପରୀତ ଦିଗରେ ଅନ୍ତର୍ହିତ ହୋଇଗଲେ୤ ମାଗୁଣୀ ଖାଁ ଦଣ୍ଡେ ଥକ୍‌କା ହୋଇ ଛିଡା ହୋଇଗଲା୤ ସେ ଭାବିଲା ନିଶ୍ଚୟ ଭୂତପ୍ରେତ ହେବେ ପରା୤ ନୋହିଲେ କାଣି ଅନ୍ଧାରରୁ ମଣିଷ ଆଙ୍ଗୁଠି କିଣାବିକା ଲାଗନ୍ତା କିଆଁ ? ବୋଧହୁଏ ମଣିଷ ଆଙ୍ଗୁଠିରେ କୂର୍ମା ତିଆରି କରି ସଇତାନ ସବୁ ଆଜି ସାଓଗାତ୍‌ କରିବେ ନା କଣ ? କିନ୍ତୁ ପରକ୍ଷଣରେ ତାର ମନେ ପଡିଲା – ସେ ପ୍ରଥମ ବ୍ୟକ୍ତିର କଣ୍ଠସ୍ବର ଏଥିପୂର୍ବରୁ କୋଉଠି ଯେମିତି ଶୁଣିଛି୤ ସେ ସ୍ଥିର ହୋଇ ଟିକିଏ ହେଜିଲା୤ ଅନେକ ସମୟ ପରେ ତାହାର ମନେ ପଡିଲା ଯେ ସେ କଣ୍ଠସ୍ବର ତାଙ୍କ ଗାଁ ଜମିଦାର ବାବୁଙ୍କର୤ ଥରେ ଖଜଣା ଦେବାକୁ ଦୁଇଦିନ ଡେରି ହୋଇଯାଇଥିଲା ବୋଲି ଯେଉଁ କଣ୍ଠର ଆଦଶରେ ତାକୁ ଗୋଟାଏ ଅନ୍ଧାରଘରେ ବନ୍ଦ କରିଦେଇ ଲଙ୍କାମରିଚ ଧୂଅଁ ଦିଆଯାଇଥିଲା, ସେ କଣ୍ଠ କଣ ତାକୁ ଏତେ ଜଲ୍‌ଦି ପ୍ରତାରିତ କରିପାରେ ? କିନ୍ତୁ ବ୍ୟାପାର କଣ, ସେ ଜମା କିଛି ଠଉରାଇ ପାରିଲା ନାହିଁ୤ତା ମୁଣ୍ଡ ଭିତରେ ସବୁ ଗୋଳମାଳ ହୋଇଗଲା୤ ସେଇଠୁ ହଳ ଲେଉଟାଇ ସେ ଘରକୁ ବାହୁଡି ଅଇଲା୤ ତାର ଭୟ ସଂପୂର୍ଣ୍ଣରୂପେ ଛାଡି ନଥିଲା; ସେ ସଙ୍ଗେ ସଙ୍ଗେ ଘରେ ପହଞ୍ଚି ଜଣେ ଭଲ ଓଝାଙ୍କଠାରୁ ନିଜକୁ ଅଧିକତର ନିରାପଦ ରଖିବା ଉଦ୍ଦେଶ୍ୟରେ ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ଝଡାଇ ଆଣିଲା ଏବଂ ଗୋଟାଏ ଭଲ ଡେଉଁରିଆ ଆଣି ମଝି ହାତରେ ସେଇଦିନ ଘୋଡାବାଳରେ ବାନ୍ଧିପକାଇଲା୤

ଆଜି ଗାଁରେ ଖୁବ୍‌ ବଡ ସଭା୤ ଆଗରୁ ଧେଣ୍ଡୁରା ଦିଆଯାଇଥିଲା୤ ବକ୍ତୃତା ଦେବାପାଇଁ କଟକରୁ କେତଜଣ ସ୍ବନାମଧନ୍ୟ ଦେଶକର୍ମୀ ଆସିଛନ୍ତି୤ ସଭାସ୍ଥଳ ଲୋକରେ ଲୋକାରଣ୍ୟ୤ ସଞ୍ଜ ନ ବୁଡୁଣୁ ମାଗୁଣୀ ଖାଁ ସଭାରେ ଆସି ଉପସ୍ଥିତ ହେଲା୤ ସମସ୍ତଙ୍କ ପଛରେ ସେ ଯାଇ ବସିଲା ଚୁପ୍‌ଚାପ୍‌ ହୋଇ୤ ମୁହଁରେ ତାର ଆଗ୍ରହ ଫୁଟିଉଠୁଥିଲା୤

ଗାଁରେ ଥରକୁ ଥର ବନ୍ଦୋବସ୍ତ କରି ଖଜଣା ବଢାଇବା ଫଳରେ ଗାଁର ରୟତ ଓ ଚାଷୀକୂଳ କିପରି ସର୍ବସ୍ବାନ୍ତ ହେଉଛନ୍ତି ଏବଂ ନିରନ୍ନ ଜନସାଧାରଣଙ୍କର ଝାଳବୁହା ଖଟଣୀର ସୁଯୋଗନେଇ ଦଳେ ମୁଷ୍ଟିମେୟ ଜମିଦାର କିପରି ପୁଞ୍ଜି ମୁଠି ମୁଠି କରୁଛନ୍ତି, ତାର ସବିଶେଷ ବର୍ଣ୍ଣନା କରି ସରକାରଙ୍କଠାରେ ପ୍ରଜାକୂଳଙ୍କ ଆପତ୍ତି ଜଣାଇବା ହିଁ ଆଜି ଏ ସଭାର ମୁଖ୍ୟ ଉଦ୍ଦେଶ୍ୟ୤ ଗାଁ ଜମିଦାରଙ୍କର ଅମାନୁଷିକ ଅତ୍ୟାଚାର ଓ ଶୋଷଣ ନୀତିର ପ୍ରତିବାଦ କରିବାପାଇଁ ଏ ବିରାଟ ଜନସଭା ଆହୂତ ହୋଇଛି୤

ଘନ ଘନ କରତାଳି ମଧ୍ୟରେ ସଭାକାର୍ଯ୍ୟ ଆରମ୍ଭ ହେଲା୤ ଚାରିଆଡେ ସୁତୀବ୍ର ଉତ୍ତେଜନା୤ ଜନତା ଆଖିରେ ଆଜି ଶ୍ରେଣୀ-ଚୈତନ୍ୟର ପ୍ରଥମ ସୂଚନା ପ୍ରତିଭାତ ହେଉଛି୤ ଆଲୋକର ଆଜି ନୂତନ ସଙ୍କେତ୤

“ଶୁଣ ଭାଇମାନେ, ଶୁଣ ନିରନ୍ନ, ନିଃଶୋଷିତ କୃଷକକୂଳ, ଆଜି ଆମର ସର୍ବସ୍ବ ଲେହନ କରି ପୁଞ୍ଜିବାଦର ନିଷ୍ଠୁର ଜିହ୍ବା ଅଗ୍ରସର ହେଉଛି୤ ନିଜ ଦେହରେ ହାଡ ଓ ମାଉଁଶ ଛଡା ଆଜି ଆମର ନିଜର ବୋଲି ଦାବୀ କରିବାର ଜିନିଷ ସାରା ପୃଥୀବୀରେ କିଛି ନାହିଁ୤ ଆମର ସବୁ ଯାଇଛି, ଅଛି କେବଳ ଭଙ୍ଗା – ଦଦରା ଜୀବନ୤ ଆହୁରି ଅଛି ଗୋଟାଏ ରୁଗ୍‌ଣ, ମୁମୂର୍ଷୁ ଏବଂ ଜୀଣ୍ଣ ଦଳିତ ଅସ୍ତିତ୍ବ୤ ଭାଇ ସର୍ବହରା, ଏକଜୁଟ ହୁଅ; ଏହି ଅମାନୁଷିକ ଶୋଷଣର ପ୍ରତିଶୋଧ ନିଅ – ”

ବକ୍ତୃତା ଚାଲିଲା, ଠିକ୍‌ ଯେପରି ଝଡର ଶିଙ୍ଗା୤ ଜନତାର ସମୁଦ୍ର ବିହ୍ବଳିତ ହୋଇ ଉଠିଲା୤ ସ୍ପନ୍ଦନ ! “ଜାଗ, ଜାଗ ମଣିଷ ଭାଇ, ତମର ସମସ୍ତ ହତିଆର ଏକତ୍ର କର, ଏକତ୍ର ହୁଅ୤ ମନେରଖ ନିଜକୁ ଶୋଷିତ ହେବାକୁ ଦେବା ସବୁଠାରୁ ବଡ ପାପ୤ ସେ ପାପର ଅଭିଶାପରେ ମଣିଷ ଜାତି ପଙ୍ଗୁ ହୋଇଯିବ୤”…

ଜନତା ପ୍ରତ୍ୟୁତ୍ତର ଦେଲା – “ଶୋଷଣବାଦ ଲୋପ ହେଉ, ପୁଞ୍ଜିବାଦ ଲୋପ ପାଉ୤”

ପୁଣି ବକ୍ତୃତା ଚାଲିଲା – “ଉଠ ରୟତ ଭାଇ, ତମର ହାଡଭଙ୍ଗା ପରିଶ୍ରମ ଫଳରେ ଯେଉଁ ପଡିଆ ଭୂଇଁ ଶସ୍ୟଶ୍ୟାମଳା ଭୂମିରେ ପରିଣତ ହେଲା, ତାର ସ୍ବତ୍ବ ଆଜି ଜମିଦାର ତମଠାରୁ ହରଣ କରିନେଇଛି୤ ତମେ ତମର ହକ୍‌ ଦାବି ବୁଝ୤ ତାକୁ ଆଦାୟ କରିବା ପାଇଁ ପ୍ରାଣପଣ କରି ଚେଇଁ ଉଠ୤ ଅଗ୍ରସର ହୁଅ୤ ଗାଁରେ ରୟତ ସଙ୍ଘ ଗଢ୤”

ଜନତାର ବିରାଟ ସାଗର ମଝିରୁ ପ୍ରତିଧ୍ବନୀ ଶୁଣାଗଲା – “ଜମିଦାରୀ ପ୍ରଥା ଧ୍ବଂସ ହେଉ, ରୟତ ଜାତିର ଜୟ ହେଉ୤ ”

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସଚ୍ଚି ରାଉତରାୟ
ସଚ୍ଚିଦାନନ୍ଦ ରାଉତରାୟ ପୁରୀ ଜିଲ୍ଲା ଅର୍ନ୍ତଗତ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ୧୯୧୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ୤ ଆଧୁନିକ ଓଡ଼ିଆ ସାହିତ୍ୟରେ କବିତା ଓ ଗଳ୍ପ ଲେଖନୀ କ୍ଷେତ୍ରରେ ତାଙ୍କର କୃତିତ୍ବ ଅବର୍ଣ୍ଣନୀୟ୤ ସେ ପଲ୍ଲୀର ସାଧାରଣ ଜୀବନକୁ କେନ୍ଦ୍ର କରି ରଚନା କରିଥିବା କବିତାଗୁଡିକ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପତ୍ତି ଭାବେ ସ୍ବୀକୃତ୤ ପାଥେୟ, ପଲ୍ଲୀଶ୍ରୀ, ପାଣ୍ଡୁଲିପି, ଅଭିଯାନ ପ୍ରଭୃତି ତାଙ୍କର ଉତ୍କୃଷ୍ଟ କବିତା ପୁସ୍ତକ୤ ତାଙ୍କର ବାଜି ରାଉତ କବିତା ସଙ୍କଳନ ବିଶେଷଭାବେ ଚର୍ଚ୍ଚିତ୤ ମଶାଣିର ଫୁଲ ଓ... [ କ୍ରମେ ସବିଶେଷ ]
ସଚ୍ଚି ରାଉତରାୟଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧

  • ୧. ତାପସ କୁମାର ପଣ୍ଡା |  ଜୁନ୍ ୪, ୨୦୧୧ - ୪:୩୬ ପୂର୍ବାହ୍ନ

    ବହୁତ ଭଲ ଲଗିଲା.