ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭାନୁଜୀ ରାଓ
ଭୁବନେଶ୍ବର ବେହେରା
କାମାକ୍ଷୀ ପ୍ରସାଦ ଦାଶ
ଡକ୍ଟର ମାୟାଧର ମାନସିଂହ
ମୃଣାଳ
ସୌଭାଗ୍ୟ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅନ୍ଧର ଅହମିକା
 |- ନିତ୍ୟାନନ୍ଦ ମହାପାତ୍ର
 
 
ତା: ସେପ୍ଟେମ୍ବର୍ ୨୭, ୨୦୧୨  
 

ବୁଢ଼ା ଚମକି ପଡ଼ିଲା୤ ପୁଣି ଭାବିଲା- ‘ଏଗୁଡ଼ାକ ମୂର୍ଖ୤ ନଈ ନଦେଖୁଣୁ ଲଙ୍ଗଳା୤ ଏମାନେ ବୁଡ଼ିବେ ନାହିଁ ତ ଆଉ କିଏ ବୁଡ଼ିବ୤ ସରକାର କହିଛନ୍ତି- ସରକାରୀ ଇଞ୍ଜିନିୟରମାନେ କହିଛନ୍ତି- ବନ୍ଧ ଭାଙ୍ଗିବ ନାହିଁ୤ ସମସ୍ତେ ଥୟଧର୤ କ’ଣ ନା-ବନ୍ଧ ଭାଙ୍ଗିଗଲା୤ ଭାଙ୍ଗିବା କ’ଣ ଶସ୍ତା ପଡ଼ିଛି୤ ? ଏଞ୍ଜିନର୍‌ କଥା ମିଛ ହୋଇଯିବ୤’
ଘରେ ବୁଢ଼ୀ ଭାଉଜ ଆଉ ଗୋଟାଏ ନିଅଁଶୀ ତେଲୁଣୀ୤ ତେଲୁଣୀ ୟେଙ୍କରି ଘରେ ଖାଏ, ରହେ- ଧାନ ଉଁସାଏ, କୁଟେ, କାଣ୍ଡେ, ବାସନ ମାଜେ, କୋଳାହଳ ଶୁଣେ୤ ସମସ୍ତଙ୍କ କହୁଥାଏ- ଚିନ୍ତା ନାହିଁ, ଆମର କ’ଣ ହବ ? ବିଲାତ ଫେରତ୍‌ ଏଞ୍ଜିନର କହିଛି, ଏଘର କିଛି ହବ ନାହିଁ୤
‘ବନ୍ଧ ଭାଙ୍ଗିଗଲା୤ ତାଳଗଛ ପ୍ରମାଣରେ ପାଣି ମାଡ଼ି ଆସୁଛି- ପଳେଇ ଚାଲ-ପଳେଇ ଚାଲ୤ ଯିଏ ଯେଉଁଠି ଅଛ ପଳେଇ ଚାଲ୤’

ବୁଢ଼ା କାନକୁ ଗୋଟେ ଗର୍ଜନ ଶୁଭିଲା୤ ଭାବିଲା-ତୁଫାନ-ତୁଫାନ୤ ମୂଲିଆଟା ଦଉଡ଼ି ଆସି କହିଲା- ‘ସତ୍ୟାନାଶ ବାବୁ, ସତ୍ୟାନାଶ୤ ଚାରିଆଡ଼େ ବଢ଼ି ପାଣି- ଦାଣ୍ଡରେ ସୁଅ ଛୁଟିଛି୤ ଆଉ ରକ୍ଷା ନାହିଁ !’ କହି ସେ ଡିଆଁଟେ ମାରିଦେଇ ଚମ୍ପଟ୤
ଏତେବେଳେକେ ବୁଢ଼ା ଟିକିଏ ହସିଲା୤ ଘର ଚାରିପଟେ ଥରେ ବୁଲି ଆସିଲା ଓ କିଛି ହବ ନାହିଁ ମୋର ! ଜବବ୍‌ର ଘର୤ ଦୋତଲା ନିଅଁ ପଡ଼ିଛି୤ କ’ଣ ହବ ?
ଘର ଭିତରକୁ ଗଲା୤ ଦେଖିଲା କଂସା ବାସନ, ଗହଣାଗାଣ୍ଠି, ଲୁଗାପଟା ସବୁ ଯେମିତି ସେମିତି ଅଛି, ବଢ଼ିପାଣି ତାକୁ ଛୁଇଁ ନାହିଁକି ଛୁଇଁବ ନାହିଁ୤ ବନ୍ଧ ଭାଙ୍ଗି ନାହିଁ କି ଭାଙ୍ଗିବ ନାହିଁ୤
ଗାଦି ଘରକୁ ଗଲା୤ ଚାହିଁଲା୤ ଧର୍ମନାବ- ଏଇ ଏକା ସତ୍ୟ ! ଏ ଥାଉଁ ଥାଉଁ ବୁଢ଼ା ଘରେ ପାଣି ପଶିବ ? ଅସମ୍ଭବ୤
ଶୋଇଲା ଘରେ କାଚ ଆଲମାରିଟାକୁ ଚାହିଁଲା୤ ଅନେକ ଔଷଧ୤ ସବୁଦିନେ ଗାଁବାଲା ମାଗି ଆସନ୍ତି୤ ଆଜି ତ କେହି ଆସିନାହାନ୍ତି ମାଗି୤ ଏଥିରୁ କେହି ତ ବଢ଼ି ମରୁଡ଼ିରୁ ରକ୍ଷାକରି ପାରିବ ନାହିଁ୤ ଯଉ ଔଷଧ ଯଉଥିପାଇଁ୤ ରେଳଗାଡ଼ି ନାଇନ୍‌ ଉପରୁ ଟଳିବ ନାହିଁ, ଜର ଔଷଧ ଝାଡ଼ାକୁ ହବ ନାହିଁ୤ କିନ୍ତୁ-କିନ୍ତୁ…
ଆଜି ଅନେକ ଦିନ ପରେ ଖୁବ୍‌ ଜୋର୍‌ରେ ମନେ ପଡ଼ିଲା-ଶରତ ବୋଉ କଥା୤ ସେ ଥିଲେ ହୁଏତ କହିଥାନ୍ତେ- ଏହି ଧଣ୍ଡା ଟିକିଏ ପାଅ- ବିପଦ ଟଳିଯିବ୤
ବୁଢ଼ା ହସିଲା୤ ଏଞ୍ଜେନର୍‌ମାନେ ତ କହିଛନ୍ତି କିଛି ହବନାହିଁ୤ ଧଣ୍ଡାଫଣ୍ଡାରୁ ଗୁଡ଼ାଏ କ’ଣ ହବ ?
ବୁଢ଼ୀ ଭାଉଜ ଆସି ତନାଘନା କଲେ, ‘କ’ଣ କରୁଛ ସଉରି ? ପାଣି ଯେ ଆସି ପିଣ୍ଡାକୁ ଲାଗିଲା୤’
‘ଏଁ-ପିଣ୍ଡାକୁ ଲାଗିଲା ?-ବାଉରିଆ କାହିଁଗଲା- ସେ ତେଲୁଣୀ ମାଇକିନିଆଟା କୁଆଡ଼େ ଗଲା ?’
‘ସେ ଦୁହେଁଯାକ ପଳେଇଗଲେଣି୤’
ବୁଢ଼ା ହସି ହସି କହିଲା- ପାଗଳ, ପାଗଳ ! ଏଞ୍ଜେନର୍‌-ବିଲାତ୍‌-ବିଲାତ ଫେରତ୍‌ ଏଞ୍ଜେନର୍‌ଙ୍କ କଥା ମିଛ ହବ ?
କହୁଁ କହୁଁ ପାଣି ମାଡ଼ି ଆସିଲା ପିଣ୍ଡା ଟପି ଘର ଭିତରକୁ୤
‘ସଉରି !’ ବୁଢ଼ୀ ଚିତ୍କାର କରି ଉଠିଲା୤
ବୁଢ଼ା ଦାଣ୍ଡକୁ ଯାଇ ବାଡ଼ିଟା ପକାଇଲା ମାପିବାକୁ- ପାଣି କେତେ ? ବୁଢ଼ାର ଦଲକ ଉଠିଲା୤ ନିଶ୍ବାସ ଶୁଖିଗଲା- ସେଇ ଥଣ୍ଡା ପବନରେ ବି୤
ବୁଢ଼ା ପୁଣି ଆସିଲା ଘର ଭିତରକୁ୤ ନାଃ, କିଛି ହବ ନାହିଁ୤ ଏ ଘରର କିଛି ହବ ନାହିଁ୤ ବିଲାତ ଫେରତ୍‌ ଏଞ୍ଜେନର୍‌ମାନେ କହିଛନ୍ତି- ଘର ଭାଙ୍ଗିବା କ’ଣ ସହଜ ପଡ଼ିଛି ?
‘ଚଢ଼ ନୂଆ’ଉ- ପିଢ଼ାକୁ ଚଢ଼୤’ ବୁଢ଼ା ଖଟ ଉପରେ ଖଟ ପକେଇ ଦେଇ ବୁଢ଼ୀକି ଚଢ଼େଇ ଦେଲା ପିଢ଼ା ଉପରକୁ୤ ନୋଟ ବିଡ଼ାଟା ଅଣ୍ଟାରେ ମାରି ବୁଢ଼ା ବି ଯାଇ ବସିଲା ପିଢ଼ା ଉପରେ୤
ପାଣି ଆସି ଢୋ ଢୋ ବାଡ଼େଇ ହେଲା କାନ୍ଥ ଉପରେ୤
ବୁଢ଼ୀ ଚିହିଡ଼ା ଛାଡ଼ୁଥାଏ-ଗଲା-ଗଲା ସବୁ ଗଲା- କିଏ କଉଠି ଅଛ ଉଦ୍ଧାର କର ହୋ- ଆମେ ଭାସିଗଲୁଁ- ଆମେ ଭାସିଗଲୁଁ୤
ବୁଢ଼ା ତଥାପି କହୁଥାଏ- ‘ଡର ନାହିଁ-ନୂଆଉ- ଏଘର ଏଞ୍ଜେନର୍‌ ଦେଖା ଘର- ପାଣି ମାଡ଼ରେ- ହୁଙ୍କିବ ନାହିଁ୤’
ଧଡ଼ାସ୍‌କିନା କାନ୍ଥଟା ପଡ଼ିଗଲା୤ ଘର ଛପର ଅଲଗା ହୋଇଗଲା କାନ୍ଥଠୁ୤
ଆଉ ବୁଢ଼ା ସମ୍ଭାଳି ପାରିଲା ନାହିଁ- ଭୋ-ଭୋ କାନ୍ଦି ଉଠିଲା- ନୂଆ’ଉ- ମୁଁ କ’ଣ ଜାଣିଥିଲି ୟା’ ହେବ ବୋଲି୤
ଚାଳି ଖଣ୍ଡ ସୁଅରେ ଭାସି ଚାଲିଲା୤ ରାତି ପାହିଲାଣି କେତେବେଳୁ୤ ଚାରିଆଡ଼େ ଫରଚା୤ ଜଳରେ ଜଳାର୍ଣ୍ଣବ୤ ଗଛ ବୁରୁଛ କଉଠି କିମିତି ଦିଶୁଛି୤ ଜନମାନବ ଶୂନ୍ୟ୤ ବୁଢ଼ା ଦେଖିଲା ଗାଁ ମୁଣ୍ଡ ବାସୁଳେଇ ବରଗଛ ଆଗରେ୤ ଚାହୁଁ ଚାହୁଁ ଗୋଟାଏ ଡଅଁର ଚାଳଟାକୁ ଘୂରେଇ ଘୂରେଇ ବାଡ଼େଇ ଦେଲା ସେ ଗଛ କାଣ୍ଡରେ୤ ଚାଳ ଦି’ଖଣ୍ଡ ହୋଇଗଲା୤ ବୁଢ଼ା କୁଣ୍ଢେଇ ପକେଇଲା ଗଛକୁ୤ ଜାବ ପଡ଼ିଯାଇଛି୤ ଚେତାନାହିଁ୤
ବୁଢ଼ୀ କୁଆଡ଼େ ଗଲା ସେ ଜାଣେ ନାହିଁ୤ ବଢ଼ି ଛାଡ଼ିଯାଇଛି୤ ଗଛ ଉପରୁ ବୁଢ଼ା ତଳକୁ ଆସିଛି୤ ଗଛ ତଳର ମା’ ବାସୁଳେଇ କେଉଁ ପାତାଳରେ ଯାଇ ପଡ଼ିଛନ୍ତି କେହି ଜାଣନ୍ତି ନାହିଁ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ନିତ୍ୟାନନ୍ଦ ମହାପାତ୍ର
ନିତ୍ୟାନନ୍ଦ ମହାପାତ୍ର
ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ରାଜନେତା, ସାହିତ୍ୟିକ ଓ ସାମ୍ବାଦିକ ଭାବେ ନିତ୍ୟାନନ୍ଦ ମହାପାତ୍ର(୧୯୧୨-୨୦୧୨) ସୁପ୍ରତିଷ୍ଠିତ୤ ପ୍ରତିଷ୍ଠିତ ଓଡ଼ିଆ ପତ୍ରିକା ଡଗରର ସମ୍ପାଦକ ଭାବେ ଲେଖକ ରୂପେ ପରିଚିତ ଲାଭ କରିଥିବା ନିତ୍ୟାନନ୍ଦ ମହାପାତ୍ର ପରବର୍ତ୍ତୀ ସମୟରେ ରାଜନେତା ଭାବେ ପ୍ରତିଷ୍ଠାଲାଭ କରିଥିଲେ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସମେତ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ ଶ୍ରୀ ମହାପାତ୍ର ଉପନ୍ୟାସ, କବିତା, ଗଳ୍ପ ଆଦି ଲେଖି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି୤ ତାଙ୍କର ପ୍ରମୁଖ ଲେଖା... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤