ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରଜତ କୁମାର ମିଶ୍ର
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଭୂପେନ୍‌ ମହାପାତ୍ର
ପ୍ରଦୀପ ନାୟକ
ବିରଜା ବଳ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆମ ଘର ହାଲଚାଲ
 |- ଗୋପାଳ ଚନ୍ଦ୍ର ପ୍ରହରାଜ
 
 
ତା: ଅଗଷ୍ଟ୍ ୨୮, ୨୦୧୨  
 

ସାହିତ୍ୟର ପାଠକମାନଙ୍କୁ ଆଗକୁ ଜଣାଅଛି ଯେ, ବର୍ତ୍ତମାନ ମୁଁ ପୂର୍ବପରି ଅମାୟିକ ସାଧାସିଧା ମଣିଷ ନୁହେଁ; ବର୍ତ୍ତମାନ ଥୋଡ଼ା ଦିନ ହେଲା ମୁଁ ପୁରା ସଂସାରୀ ବନିଅଛି ଗାଁରେ (ଅର୍ଥାତ୍‌ ଗେର୍ଦ୍ଦ ଓଡ଼ିଶା, ଜିଲ୍ଲେ କଟକ, ପ୍ରଗନ୍ନେ କୋଦିଣ୍ଡା) ଖଣ୍ଡେ କୁଡ଼ିଆ କରି କିଛି ଚଳିବା ମାଫିକ ଚାଷବାସ କରି ସପରିବାର ନିପଟ ମଫସଲରେ ମୁଁ ବର୍ତ୍ତମାନ ଜଣେ ବାସିନ୍ଦା୤ ପୈତୃକ ଘରରେ ମୋର ଯାହା ଭ୍ରାତୃକ ହିସା ପଡ଼ିଲା ସେଥିରେ ମୋର ଚଳାଚଳ ହେବାକୁ ନିଅଣ୍ଟ ପଡ଼ିବାରୁ ମୁଁ ଆସି ଆମ ଗାଁର ପଶ୍ଚିମ ପାଖ ମୁଣ୍ଡରେ (ମୁଁ ଗ୍ରାମର ଯେଉଁ ମୁଣ୍ଡ ନୂଆ ଘର କରିଅଛି, ତାକୁ ସମସ୍ତେ ଖଣ୍ଡିଆ ମୁଣ୍ଡ ବୋଲି ଡାକନ୍ତି) ଖଣ୍ଡେ ଘର କରି ବାସ କରୁଅଛି୤ ମୋର ଚରା ଭୂଇଁ ହେଲା ବିଚବଜାର ସହରର କଚେରିରେ, ମୋର ଗୋଠ ହେଲା ନିପଟ ମଫସଲ ପଡ଼ାଗାଁ ପଥର କୁଡ଼ିଆରେ, ଅତଏବ ‘ଗତାଗତ’ ହୋଇ ପେସାଦାର କର୍ମ ଓ ଗୃହସ୍ଥ ଧର୍ମ ମତେ ସମ୍ଭାଳିବାକୁ ପଡ଼ୁଅଛି୤ ଏ ଦୋନାବୁଡ଼ିଆ ରୀତିରେ ଯାହା ଫଳ ପାଠ ଡାକୁଛି ମୋର ମଧ୍ୟ ସେହିତା ଫଳ ଘଟୁଅଛି- ଏଥିଯୋଗୁଁ ମୋର ବେଶି ସମୟ ହଲ-ଟହଲରେ ଯାଉଅଛି ଓ ଉଭୟତ୍ର ମୁଁ ‘ଏକଘରିକିଆ’ ହୋଇ ଚଳୁଅଛି୤ ପରିବାର-ପରିଜନ, ଜ୍ଞାତିକୁଟୁମ୍ବ, ବନ୍ଧୁ ପ୍ରତିବେଶୀ ଏମାନେ ସମସ୍ତେ ଜାଣନ୍ତି ଯେ, ମୁଁ ଉଡ଼ିଗଲା ଚଢ଼େଇ; ସେମାନଙ୍କର ଲୋଡ଼ା ପଡ଼ିଲା ବେଳେ ମୁଁ ଘରେ ନଥିବି୤ ଭକ୍ଷଭୋଜି, ମଡ଼ାସାଙ୍ଗିଆ, ନିମିତ୍ତ-ପର୍ବକାମରେ ମୁଁ ସେମାନଙ୍କ ସଙ୍ଗେ ନିୟମିତ ରୂପେ ଯୋଗ ଦେଇପାରିବି ନାହିଁ; ଏଥିପାଇଁ ସମାଜରେ ମତେ ଏକଘରିକିଆ କରିଅଛନ୍ତି୤ ସେମାନେ କହନ୍ତି, ମୋ ଭଳିଆ ଗାଉଁଲି-ଭାଇ ଦ୍ବାରା ସମୟରେ କଡ଼ାକର ଉପକାରର ଆଶା ନାହିଁ୤ ଏଣେ କାର୍ଯ୍ୟକ୍ଷେତ୍ରରେ ସମବ୍ୟବସାୟୀମାନଙ୍କ ମହଲରେ ମଧ୍ୟ ମୋର ଆଦର ନଦାରଦ୤ କାରଣ ସେମାନେ ସମସ୍ତେ ଜାଣିନ୍ତି ଯେ, ମୁଁ ‘ଗୋଠଖଣ୍ଡିଆ’ ଅର୍ଥାତ୍‌ କେବଳ କଚେରି ଛଡ଼ା ଅନ୍ୟ କୌଣସି କାର୍ଯ୍ୟରେ ମୋର ଯୋଗ ନଦାରଦ୤ କଚେରିରୁ ଓ ବ୍ୟବସାୟ କର୍ମରୁ ଅବସର ପାଇବା ମାତ୍ରକେ ମୁଁ ଘରକୁ ଦଉଡ଼ିବାରେ ଲାଗିଥାଏଁ, ମୋର ମୋ ପେସା ପ୍ରତି ଭକ୍ତି ନାହିଁ, ସ୍ନେହ ନାହିଁ, ଆକର୍ଷଣ ନାହିଁ; କେବଳ ପେସା ନ କଲେ ପେଟ ପୋଷା ନ ହେବ ବୋଲି ଯେନତେନ ପ୍ରକାରେଣ ଦୁଇପଇସା ରୋଜଗାର କରି ବାଏଁ ବାଏଁ ଅର୍ଜନଯାକ ବାନ୍ଧିବୁନ୍ଧି ଗାଁକୁ ନେଇ ପଳାଇବି, ସେଥିରୁ କାଣିଏ କଉଡ଼ି ସହରରେ କିମ୍ବା କୌଣସି ଦେଶହିତକର ଅନୁଷ୍ଠାନରେ ଖରଚ କରିବି ନାହିଁ, ସହରର କୌଣସି ସଭାସମିତିରେ ଯୋଗ ନଦେଇ ହରଘଡ଼ି ଗାଁକୁ ଦଉଡ଼ିଥିବି, ଏସବୁ କାରଣରୁ ପେସାଦାର ଭାଇମାନେ ମଧ୍ୟ ମତେ ‘ଏକ-ଚଉକିଆ’ କରିଥାନ୍ତି୤ ବୁଝିଲା ବେଳକୁ ମୁଁ ନା ଗୃହସ୍ଥ, ନା ବ୍ୟବସାୟୀ-ଦୁଇ କଥାରୁ କେଉଁ ଆଡ଼କୁ ନୁହେଁ୤

ସବୁବେଳେ ଘରେ ରହି ନ ପାରିବା ଯୋଗୁଁ ଘର ପ୍ରତି ଦୃଷ୍ଟି ରଖିପାରେ ନାହିଁ-ଘରତକ ବେମରାମତ, ଘର ଦୁଆରେ ଅଳିଆ ଓ ଅରମା୤ ଅଳିଆ ଅରମା ଯୋଗୁଁ ଉଈ, ମଶା, ମୂଷା, ଲମ୍ବଜନ୍ତୁ, ଶଁବାଳୁଆ, ତେଲୁଣୀପୋକ, ଗଉଡ଼ୁଣୀପୋକ, ସାଧବଘର ବୋହୂ, କଙ୍କଡ଼ାବିଛା, ଚୁଚୁନ୍ଦ୍ରା, ଅସରପା, ବୁଢ଼ିଆଣୀ ସମସ୍ତଙ୍କର ମୋ କଳାକୁଡ଼ିଆ ଉପରେ ଅଧିକାର ଓ ରାଜତ୍ବ୤ ଗୃହକର୍ତ୍ତାଙ୍କ ତତ୍ତ୍ବାବଧାନର ଅଭାବରୁ ମୋ ହଳିଆ, ମୂଲିଆ, କୋଠିଆଣୀ କାମରେ ଢିଲାମଢ଼ିଲା କରନ୍ତି, ମୋ ବିଲ ବାଡ଼ିତକ ଅବଛା ଓ ଅବେଉଷଣିଆ ହୁଏ, ମୋ ଧାନତକ ଅଣଉଡ଼ା ଓ ଅଣପାଛୁଡ଼ା ରହେ, ମୋ ଦାଣ୍ଡ ଘରଖଣ୍ଡି ଅଛୁଆଁ ରହେ, ମୋ ବଳଦତକ ଅମଣିଆ; ଏସବୁ ମୋର ଅମଣିଷ ପଣିଆରେ ଫଳ୤ ଏଣେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଦେଖିଲା ବେଳକୁ ଓକିଲଙ୍କର ଘନ ଘନ ଅନୁପସ୍ଥିତି ଯୋଗୁଁ ମୋ ମହକିଲଯାକ ଥରେ ହାତରୁ ଛୁଟିଲେ ଅଣବାହୁଡ଼ା: ମୋ ସିରସ୍ତାରେ ବସ୍ତାନି ଅଫିଟା୤ ମୋ ଓକିଲମୋହରିର ଅକାମିକା ଓ ଅଖିଆ ଅପିଆ, ମୋର ରୋଜଗାର, ଯୋଗ୍ୟତା ଓ କରାମତ ମଧ୍ୟ ତଥୈବଚ୤ ଅଥଚ ଏ ଦୁଇ କଥାରେ ମୁଁ ଏପରି ଅଖଞ୍ଜିଆ ରୂପରେ ଛନ୍ଦଣି ହୋଇଅଛି ଯେ, ଗୋଟିକରୁ ଖସି ଗୋଟିଏ ଇଲାକାରେ ମନ ମୁନ ଚଇତନ ଲଗାଇବାର ବର୍ତ୍ତମାନ ବଳ ନାହିଁ, ବୟସ ନାହିଁ କି ଇଚ୍ଛା ମଧ୍ୟ ନାହିଁ୤

ସବୁଥିରେ ଦୋଷଗୁଣରେ ମାତ୍ରା ପୂର୍ଣ୍ଣ ରହିଅଛି୤ ଗୃହସ୍ଥ ହୋଇ ମଫସଲରେ ବାସ କରିବାରେ ସୁବିଧା ଯେତେ, ଅସୁବିଧା ମଧ୍ୟ ତେତେ୤ କୌଣସି ପେସାରେ ପଶି ପେସା ଅନୁରୋଧରେ ସହରରେ ବାସ କରିବାରେ ମଧ୍ୟ ଅନେକ ସୁବିଧା ଓ ଅନେକ ଅସୁବିଧା ଅଛି୤ କିନ୍ତୁ ଯେ ଉଭୟତ୍ର ହାତ ଦେବାକୁ ବସେ, ତା କପାଳରେ ଉଭୟ ଅବସ୍ଥାରେ ଅସୁବିଧାଗୁଡ଼ିଏ ବେଶି ପରିମାଣରେ ଘଟିଥାଏ୤ ମୋ ଭାଗ୍ୟରେ ମଧ୍ୟ ତାହା ଘଟିଅଛି ଓ ଘଟୁଅଛି୤

ଆଜି ମଫସଲର କେତେଗୁଡ଼ିଏ ଅସୁବିଧାର ଉଲ୍ଲେଖ କରିବି୤ ଆମ ଦେଶରେ କଣ, ଅନ୍ୟ ଦେଶରେ କଣ ଦେଖୁଥାଇଁ ଯେ, ଆଧୁନିକ ସଭ୍ୟତା ମଫସଲର ଘରମାନ ଭାଙ୍ଗି ସହରମାନ କୋଠାମୟ କରିବାରେ ବ୍ୟସ୍ତ୤ କାର୍ଯ୍ୟ ଉପଲକ୍ଷରେ ମଫସଲରୁ ଲୋକମାନେ ଚାଲିଆସି ସହରରେ ରୁଣ୍ଡ ହୁଅନ୍ତି୤ ମଫସଲର ବାସିନ୍ଦା ସଂଖ୍ୟା କମେ ଓ ସହରର ଲୋକସଂଖ୍ୟା ବଢ଼େ୤ ଦୋକାନଦାରି, ସରକାରୀ ଚାକିରୀ, ଓକିଲାତି, ବେପାର, କଳକାରଖାନାରେ ଚାକିରୀ ବା ମଜୁରିଦାରୀ, ସରକାରୀ ଓ ବେସରକାରୀ ଅଫିସରେ କାର୍ଯ୍ୟ, ମ୍ୟୁନିସିପାଲିଟିର କାର୍ଯ୍ୟ, ସହରର ସ୍କୁଲ କଲେଜରେ ଶିକ୍ଷା ଓ ଶିକ୍ଷକତ୍ବ, ସହରରେ ବୃଦ୍ଧି ପାଉଥିବା ଲୋକସଂଖ୍ୟାକୁ ଚାହିଁ କୋଠାବାଡ଼ି, ଖାଦ୍ୟ ସାମଗ୍ରୀ ଯୋଗାଡ଼, ସହରର ନର୍ଦ୍ଦମା, ପାଇଖାନା ଓ ରାସ୍ତା ଆଦି ପରିଷ୍କାର କରିବା ଓ ରଖିବା ଆଦି କାର୍ଯ୍ୟ, ସହରର ଲୋକଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା, ଔଷଧାଳୟ, ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଭୋଜନାଗାର, ନାଟ୍ୟାଗାର ଅଧିକାଂଶ ମଫସଲିଆଙ୍କ ହାତରେ ଚଳେ୤ ଏ ସବୁ କାର୍ଯ୍ୟ ଯୋଗୁଁ ମଫସଲରୁ ଲୋକେ ଉଠିଆସି ପ୍ରଥମେ ପ୍ରଥମେ ସହରରେ ବସା କରି ରହନ୍ତି, ଦିନାକେତେ ବାଦ ସପରିବାର ବସା କରି ରହନ୍ତି, ଶେଷକୁ ସହରର ସ୍ଥାୟୀ ଅଧିବାସୀ ହୋଇ ବଂଶାନୁଗତ ସହରର ପକ୍କା-ବାସିନ୍ଦା ପାଲଟିଯାଆନ୍ତି୤ ଏହା ଆଧୁନିକ ସଭ୍ୟତାର ଗୋଟିଏ ପ୍ରଧାନ ଲକ୍ଷଣ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋପାଳ ଚନ୍ଦ୍ର ପ୍ରହରାଜ
ଗୋପାଳ ଚନ୍ଦ୍ର ପ୍ରହରାଜ
ଓଡ଼ିଆ ଭାଷାରେ ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ଭାବେ ଗୋପାଳଚନ୍ଦ୍ର ପ୍ରହରାଜ (୧୮୬୮-୧୯୪୬) ସୁପରିଚିତ୤ ତାଙ୍କ ଦ୍ବାରା ସଙ୍କଳିତ ପୁର୍ଣ୍ଣଚନ୍ଦ୍ର ଭାଷାକୋଷ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଭାଷାର ଏକ ଅମୂଲ୍ୟ ଏବଂ ସ୍ବତନ୍ତ୍ର ସୃଷ୍ଟି, ଯାହାର ବିକଳ୍ପ ନାହିଁ୤ ତାଙ୍କ ରଚିତ ରମ୍ୟରଚନା ସଙ୍କଳନ ଯଥା: ଭାଗବତ ଟୁଙ୍ଗିରେ ସନ୍ଧ୍ୟା, ନନାଙ୍କ ବସ୍ତାନି, ବାଇ ମାହାନ୍ତି ପାଞ୍ଜି, ଆମଘରର ହାଲ୍‌ଚାଲ୍‌ ଆଦି ତାଙ୍କର କାଳଜୟୀ ସୃଷ୍ଟି୤ ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ସ୍ବାଧୀନତା ପୂର୍ବବର୍ତ୍ତୀ ସମୟର ହୋଇଥିଲେ ସୁଦ୍ଧା ସେହି ଲେଖାର ଗୁରୁତ୍ବ ଏବଂ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤