ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରାଧାନାଥ ରାୟ
ନୀଳମଣି ବିଦ୍ୟାରତ୍ନ
ଗୋଦାବରୀଶ ମହାପାତ୍ର
ବିଦ୍ୟୁତପ୍ରଭା ଦେବୀ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ନୀଳକଣ୍ଠ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆମ ଘର ହାଲଚାଲ
 |- ଗୋପାଳ ଚନ୍ଦ୍ର ପ୍ରହରାଜ
 
 
ତା: ଅଗଷ୍ଟ୍ ୨୮, ୨୦୧୨  
 

ତା’ପରେ ଆଉ ଗୋଟିଏ କଥା- ପୂର୍ବେ ଭାରତରେ ଯେଉଁ ଜାତି ବିଭାଗ ହୋଇଥିଲା, ତାହା ଗୁଣକର୍ମ ବିଭାଗ ଅନୁସାରେ ହୋଇଥିଲା- ଯେ ଯେଉଁ ବଂଶରେ ଜନ୍ମଗ୍ରହଣ କରୁଥିଲା, ସେ ବ୍ୟକ୍ତି ଆଜନ୍ମ ସେହି ବଂଶାନୁଗତ କାର୍ଯ୍ୟ କରୁଥିଲା ଓ ଫଳତଃ ବଂଶାନୁଗତ ଅନୁଧାବନ ଅନୁଚିନ୍ତା ଓ ଅନୁଭବ ଦ୍ବାରା କାର୍ଯ୍ୟ ରୀତି ଉନ୍ନତି ଲାଭ କରୁଥିଲା ଓ ସେ ବ୍ୟବସାୟରେ ଉନ୍ନତିର ଗୁପ୍ତ ରହସ୍ୟମାନ ସେହି ବଂଶରେ ଲୋକମାନେ ଉତ୍ତମରୂପେ ସାଧ୍ୟୟତ୍ତ କରି ପାରୁଥିଲେ୤ ଆଧୁନିକ ସଭ୍ୟତା ଏ ଜାତି ବିଭାଗକୁ ସମୂଳେ ଉତ୍ପାଟନ କରିଦେଇ ‘ବାର ଜାତି ତେର ଗୋଲା’ଙ୍କୁ ଏକ ନୂଆପ୍ରକାର ଘାଣ୍ଟ ତିଅଣ କରିଦେଲା୤ ବର୍ତ୍ତମାନ କୌଣସି କାର୍ଯ୍ୟକ୍ଷେତ୍ରକୁ ଯାଅ (କଚେରି, କଳକାରଖାନା, ବିଚାରାସନ, ବାରିକ, ମିସ୍ତ୍ରୀ) ଦେଖିବ, ସେଥିରେ ବ୍ରାହ୍ମଣ ବୈଷ୍ଣବ, ତେଲୀ, ତାମିଳି, ତନ୍ତୀ, ତୁଳାଭିଣା, କରଣ, ଖଣ୍ଡାୟତ, କେଉଟ, ଗୁଡ଼ିଆ, ବାଉରି, କଣ୍ଡରା, ଗଉଡ଼, ଭଣ୍ଡାରି, ବଢ଼େଇ, କମାର ସମସ୍ତଙ୍କର ଅବାଧ ଗତି ଓ ପ୍ରବେଶ୤ ତେଲୀ ତା’ ଘଣାକୁ ଭୁଲି ସାରିଲାଣି, ତନ୍ତୀ ତା’ ତନ୍ତକୁ ପାସୋରି ଦେଲାଣି, ଗଉଡ଼ ଗାଈକୁ ଦୁହିଁ ପାରୁନାହିଁ ଇତ୍ୟାଦି ଇତ୍ୟାଦି୤ ସମସ୍ତେ ଏହି ‘ଚାହିକିଚିକା’ରେ ଲାଗି ଘର ଛାଡ଼ି, ଗାଁ ଛାଡ଼ି, ଆପଣା ସହଜ କର୍ମ ଓ ବଂଶଗତ ଏବଂ ଜାତିଗତ ବ୍ୟବସାୟ ଛାଡ଼ି ଧନ ଅର୍ଜିବା ପାଇଁ ସହରରେ ରୁଣ୍ଡ ହୋଇ ଏ ଅଢ଼େଇ ଦିନିଆ ହରିଲୁଟରେ, ଏ ମେଣ୍ଢା- ଲଢ଼େଇରେ ଲାଗିଛନ୍ତି୤ ଆଧୁନିକ ସଭ୍ୟତାର ଏ ଲକ୍ଷଣଟା ସୁଲକ୍ଷଣ କି କୁଲକ୍ଷଣ, ତାହା ସେହି ଭଗବାନଙ୍କୁ ଗୋଚର୤ କିନ୍ତୁ ମତେ ଏ ସବୁ ଅଡ଼ୁଆତଡ଼ୁଆ ଲାଗୁଅଛି୤

ଗତ ୫ ବର୍ଷର ମହାସମରଜନିତ ଓ ସମରାନ୍ତ ଅନୁଭବରୁ ମୁଁ ଏତିକି ଉପଲବ୍ଧି କରି ପାଇଅଛି ଯେ, ପାଶ୍ଚତ୍ୟ ସଭ୍ୟତାର ଚାକଚକ୍ୟ ଅଚିରସ୍ଥାୟୀ ଓ ଟିକିଏ ସାମାନ୍ୟ ଦୈବୀ ଘଟଣା ବା ଅନିୟମ ବା କୋଡ଼ମାଡ଼ ହେଲା ମାତ୍ରକେ ଏ ସଭ୍ୟତାର ସ୍ବର୍ଣ୍ଣମୟୀ ଲଙ୍କାରେ ଏକା ଘଡ଼ିକେ କଳାକନା ବୁଲିଯିବ୤ ବର୍ତ୍ତମାନ ଦେଖାଗଲା ଯେ ପାଶ୍ଚତ୍ୟ- ସଭ୍ୟତାଭିମାନୀ ଜାତିମାନେ ମନୁଷ୍ୟର ଆଦିମ ବନ୍ୟ ସ୍ବଭାବ, ବର୍ବର ପ୍ରକୃତି, ପରଧନଲିପ୍ସା, ଲୋଭ, କାମୁକତା, ପରିଶ୍ରୀକାତରତା ଆଦି କିଛି ଛାଡ଼ି ନାହାନ୍ତି; କେବଳ ଏ ସବୁକୁ ଗୋଟାଏ କାଚ ଢାଙ୍କୁଣୀରେ ଘୋଡ଼ାଇ ପକାଇ ଅଢ଼େଇ ଦିନ ସକାଶେ ଚାପି ରଖିଅଛନ୍ତି ମାତ୍ର୤ ଖଣ୍ଡିଏ ଟେକା ବାଜିବା ମାତ୍ରକେ ସେ କାଚ ଘୋଡ଼ାଣୀଟି ଶତଧା ଭାଙ୍ଗି ଯାଉଅଛି ଓ ସେହି ଆବରଣ ଭିତରୁ ହିଂସ୍ର, ଘାତୁକ, ଭୀଷଣ ଜୀବମାନେ ବାହାରି ଜଗତକୁ ରକ୍ତାକ୍ତ ଓ ବ୍ୟତିବ୍ୟସ୍ତ କରି ପକାଉ ଅଛନ୍ତି୤ ଏ ସଭ୍ୟତା ମତେ ‘କଳଘଣ୍ଟା’ର ଆଦର ଶିଖାଇଲା, କଳଘଣ୍ଟା ନହେଲେ ଏବେ ମୋର ଦଣ୍ଡେ ଚଳିବ ନାହିଁ୤ କିନ୍ତୁ କଳଘଣ୍ଟା କିପରି ତିଆରି ହେବ, ଦମ୍‌ ଦିଆଯିବ ଓ ମରାମତ ହେବ, ସେତକ ମୁଁ ଶିଖିପାରିଲି ନାହିଁ୤ ଯେଉଁ ସଭ୍ୟତା ମତେ ଅଭାବଗ୍ରସ୍ତ, ପରମୁଖାପେକ୍ଷୀ ଓ ସର୍ବଦା ଶାନ୍ତିବିରହିତ କରାଇଲା, ଅଥଚ ଏ ଅଭାବମାନ ପୂରଣ କରିବାକୁ ମତେ ଉପଯୁକ୍ତ ବା କୃତି କରାଇ ନ ପାରିଲା, ସେପରି ସଭ୍ୟତା ପ୍ରତି ମୋର ଆନ୍ତରିକ ଭକ୍ତି ନାହିଁ୤ ମଫସଲରେ ରହି ଚାଷବାସ କରି ଚିରଦିନ ମୁଠିଏ ଖାଇ ଖଣ୍ଡେ ପିନ୍ଧି ସୁସ୍ଥ ଶରୀରରେ କାଳ କାଟିବା ଭଲ କି ସହରକୁ ଆସି ଅଢ଼େଇ ଦିନ ବ୍ୟବସାୟରେ ମାତି କ୍ରୋଡ଼ପତି ହୋଇ ‘କାକସ୍ନାନ, ଗଧଭୋଜନ, କୁକୁରଧାଉଡ଼ି’ କରି ଦେହକୁ ବ୍ୟାଧି ଓ ଚିନ୍ତାର ମନ୍ଦିର କରି କାଲି ଦେବାଳିଆ ଉଠି ‘ଭିକ୍ଷାଂଦେହି’ କରିବା ଶ୍ରେୟସ୍କର, ତାହା ଚିନ୍ତା କରିବା ସମସ୍ତଙ୍କର ଉଚିତ୍‌୤

ଆଧୁନିକ ସଭ୍ୟତାର ଭକ୍ତମାନଙ୍କର କ୍ରମଶଃ ତହିଁରୁ ଭକ୍ତି କମି ଯାଉଅଛି୤ ଏ ଯେଉଁ ହଟ୍ଟଗୋଳ, ସଭାସମିତି, କାଗଜ କଲମରେ ଲେଖାଲେଖି, ଆନ୍ଦୋଳନ, ଆସ୍ଫାଳନ, ଆଲୋଡ଼ନ, ସଂସ୍କାରଯାକ ଲାଗିଅଛି, ଏଥିର ଫଳରେ ଯେବେ ମନୁଷ୍ୟ ଶାନ୍ତି ଭୋଗ ନ କଲା, ସୁଖ ଭୋଗ ନ କଲା, ମୁଠାଏ ପେଟ ପୂରାକରି ଖାଇବାକୁ ଓ ଖଣ୍ଡେ ପିଠି ଘୋଡ଼େଇ ପିନ୍ଧିବାକୁ ଓ ଘଡ଼ିଏ ନିଶ୍ଚିନ୍ତ ହୋଇ ବସିବାକୁ ନ ପାଇଲା, ଯେବେ ଦିନକୁ ଦିନ ଅଭାବ ଅସୁବିଧା ବଢ଼ିଲା, ତେବେ ଏପରି ସଭ୍ୟତାକୁ ମୋର ଦୂରରୁ ଜୁହାର୤ ବର୍ତ୍ତମାନ ଅଧିକାଂଶ ଜାଗାରେ ମୁଁ ଦେଖୁଅଛି ଯେ, ସମସ୍ତେ ହାତ ସାଫିଆନା ଦେଖାଇବାରେ ବ୍ୟସ୍ତ, ଥାଟ ସଜାଡ଼ିବାରେ ବ୍ୟସ୍ତ, କାଗଜ କଲମ ଦୋରସ୍ତ ରଖିବାରେ ବ୍ୟସ୍ତ୤ ଭିତରେ ଯାହା ଇଚ୍ଛା ତାହା ଥାଉ, ଯେବେ ଶିଶିଟି ଛିଟକନାରେ ଗୁଡ଼ିଆ ହୋଇ ଚକଚକିଆ ଘୋଡ଼ଣୀ ଭିତରେ ରହି ଦୋକାନରେ ସଜାଇ ରଖାଯିବ, ତେବେ ଲୋକେ ସେହି ଛାପଚିକଣିଆ ଚେହେରା ଦେଖି ସେ ଶିଶିଟି ନେବେ, ଭିତରେ ବାସନା କିରୋସିନି ତେଲ ଥାଉ ପଛକେ ଚିନ୍ତାନାହିଁ୤ ଏହିସବୁ ବାହାରର ଲୋକଭୁଲାଣିଆ ଢଙ୍ଗରେ ଯେଉଁ ସଭ୍ୟତାର ଛାଞ୍ଚ ଗଢ଼ା ହେଉଅଛି, ତାହାର କରାମତି ବେଶି ଦିନର ନୁହେଁ୤ ମୋର ବିଶ୍ବାସ ଯେ, ବର୍ତ୍ତମାନ ସଭ୍ୟତା ବାହାରର ଚାକଚକ୍ୟ ଆଡ଼କୁ, କପଟାଚାରିତା ଆଡ଼କୁ, ପରମୁଖାପେକ୍ଷିତା ଆଡ଼କୁ ଗତି କରୁଅଛି୤ ଏ ସ୍ରୋତ ବନ୍ଦ ନ ହେବାଯାକେ ସଭ୍ୟ ଜଗତର ରକ୍ଷା ନାହିଁ୤ ଆମେ ସମସ୍ତେ ସେହି ସୁଅରେ ଭାସୁଥାଉଁ୤ ଏ ଅବସ୍ଥାରେ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଆମର ଥଳକୂଳ କିଛି ଠିକଣା ନାହିଁ, କି ନ ହେବ୤ ଆଜି ଥାଉ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋପାଳ ଚନ୍ଦ୍ର ପ୍ରହରାଜ
ଗୋପାଳ ଚନ୍ଦ୍ର ପ୍ରହରାଜ
ଓଡ଼ିଆ ଭାଷାରେ ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ଭାବେ ଗୋପାଳଚନ୍ଦ୍ର ପ୍ରହରାଜ (୧୮୬୮-୧୯୪୬) ସୁପରିଚିତ୤ ତାଙ୍କ ଦ୍ବାରା ସଙ୍କଳିତ ପୁର୍ଣ୍ଣଚନ୍ଦ୍ର ଭାଷାକୋଷ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଭାଷାର ଏକ ଅମୂଲ୍ୟ ଏବଂ ସ୍ବତନ୍ତ୍ର ସୃଷ୍ଟି, ଯାହାର ବିକଳ୍ପ ନାହିଁ୤ ତାଙ୍କ ରଚିତ ରମ୍ୟରଚନା ସଙ୍କଳନ ଯଥା: ଭାଗବତ ଟୁଙ୍ଗିରେ ସନ୍ଧ୍ୟା, ନନାଙ୍କ ବସ୍ତାନି, ବାଇ ମାହାନ୍ତି ପାଞ୍ଜି, ଆମଘରର ହାଲ୍‌ଚାଲ୍‌ ଆଦି ତାଙ୍କର କାଳଜୟୀ ସୃଷ୍ଟି୤ ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ସ୍ବାଧୀନତା ପୂର୍ବବର୍ତ୍ତୀ ସମୟର ହୋଇଥିଲେ ସୁଦ୍ଧା ସେହି ଲେଖାର ଗୁରୁତ୍ବ ଏବଂ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤