ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସ୍ବଭାବ କବି ଗଙ୍ଗାଧର ମେହେର
ବିଜୟ ମିଶ୍ର
ଭକ୍ତକବି ମଧୁସୂଦନ ରାଓ
ଭୁବନେଶ୍ବର ବେହେରା
ବ୍ରହ୍ମାନନ୍ଦ ପଣ୍ଡା
ଜୟନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆମ ଘର ହାଲଚାଲ
 |- ଗୋପାଳ ଚନ୍ଦ୍ର ପ୍ରହରାଜ
 
 
ତା: ଅଗଷ୍ଟ୍ ୨୮, ୨୦୧୨  
 

କାଲି ଯେଉଁ ସ୍ଥାନ ପଡ଼ିଆ ମରୁଭୂମି ଥିଲା, ଆଜି ତାହା ସମୃଦ୍ଧିଶାଳୀ ମହାନଗରୀରେ ପରିଣତ ହୋଇଅଛି; କେତେ ବର୍ଷ ତଳେ ଯେଉଁ ଗ୍ରାମ ଲୋକପୂର୍ଣ୍ଣ ଓ କୋଳାହଳ – ମଧୂର ହୋଇ ମୁଖରିତ ହେଉଥିଲା, ଆଜି ସେ ଗାଁରେ ଅଧିକାଂଶ ମେଲା ଡିହ ଓ କେତେ ଡିହରେ ବିଲୁଆ ଡେଉଁଅଛନ୍ତି ଓ କେତେ ଦୁଆରେ କଣ୍ଟା ଛଟା ହୋଇଅଛି, ଗ୍ରାମରେ କେବଳ ଗୁଡ଼ିଏ ନିକମା ମନୁଷ୍ୟ, ଲଙ୍ଗଳା ପିଲା ଓ ରାଣ୍ଡ ମାଇପେ ଆତଯାତ ହେଉଅଛନ୍ତି୤ ଆଗ କାଳର ଗ୍ରାମର ଭାଗବତ ଟୁଙ୍ଗି, ଆଖଡ଼ାଘର, ଜାଗାଘର, ସନ୍ଧ୍ୟାବେଳେ ଗ୍ରାମରେ ପାଞ୍ଚଜଣଙ୍କ ବୈଠକି, ଗ୍ରାମଦେବତାଙ୍କ ନିକଟରେ ପୁରାଣପାଠ, ଉତ୍ସବ ଆନନ୍ଦ ଏ ସବୁ ଆଉ ନାହିଁ୤ ଯେଉଁମାନେ ଏଥିରେ ସବୁ ଯୋଗ ଦେଉଥିଲେ, ସେମାନେ ଆଜି ଯାଇ ଦେଶ ବିଦେଶରେ କର୍ମକ୍ଷେତ୍ରରେ ସହରରେ ବାସ କରୁଅଛନ୍ତି !

ସଭ୍ୟତାର ଏ ସବୁ ଶୁଭ ଲକ୍ଷଣ କି ଅଲକ୍ଷଣ, ତାହା ଭଗବାନ ଜାଣନ୍ତି୤ ମୁଁ ନିଜେ ମୋ ପିଲାଦିନେ ଏପରି ଘରକରଣା – ପରିବାର ସ୍ବଚକ୍ଷୁରେ ମଫସଲରେ ଦେଖିଅଛି ଯେ, ଲୁଣ ଛଡ଼ା ଗୃହବାସ୍ତୁର ସୀମା ମଧ୍ୟରେ ଗୃହସ୍ଥର ଦୈନିକ ଓ ସାମୟିକ ପ୍ରୟୋଜନୀୟ ଅନ୍ୟ ସମସ୍ତ ପଦାର୍ଥ (ଲୁଗାପଟା, ଜାଳିବା ଓ ଲଗାଇବା ତେଲ, ଦୈନିକ ଖାଦ୍ୟ ଓ ପିଷ୍ଟକାଦି, ବସିବା ଓ ଶୋଇବାର ଆସନ ଆଦି) ଉପକରଣମାନ (କପା, ସୋରିଷ, ରାଶି, ଗବ, ଧାନ, ମୁଗ, ବିରି, କୋଳଥ, ପୋଖରୀରୁ ମାଛ, ନଡ଼ିଆ, ଆଖୁ, ଗୁଆ, ନାସପତ୍ର ପନିପରିବା ଆଦି) ଫଳୁଥିଲା ଓ ମିଳୁଥିଲା୤ ଅଧିକାଂଶ ଗ୍ରାମରେ ବଢ଼େଇ, କମାର, କୁମ୍ଭାର, କେଉଟ, ତନ୍ତୀ, ତୁଳାଭିଣା, ଗୁଡ଼ିଆ, ତେଲୀ, ଗଉଡ଼, ଭଣ୍ଡାରି ମିଳୁଥିଲେ୤ ଗ୍ରାମର ଦୈନନ୍ଦିନ ଅଭାବ ମୋଚନ ନିମନ୍ତେ ଗ୍ରାମ ସୀମାରୁ ପଦାକୁ ଗୋଡ଼ ବଢ଼ାଇବାକୁ ପଡ଼ୁ ନଥିଲା୤ କିନ୍ତୁ ଆଧୁନିକ ସଭ୍ୟତା ଆମ୍ଭମାନଙ୍କର ଅଭାବ, ଅସୁବିଧା, ଅଭ୍ୟାସକୁ ଏତେ ମାତ୍ରାରେ ବଢ଼ାଇ ଦେଲାଣି ଯେ, ଫି’ କଥାରେ ଦାଣ୍ଡକୁ ନ ବାହାରିଲେ, ପରମୁଖାପେକ୍ଷୀ ନ ହେଲେ ଦଣ୍ଡେ ନ ଚଳେ୤ କ୍ଷେତରେ ଫଳୁଥିବା କପାକୁ ଭିଣାଇ ଓଜନ କରି ତନ୍ତୀବାପୁଡ଼ାକୁ ଦେଲେ ତନ୍ତୀବାପୁଡ଼ା ତାର କରମୂଲ ନେଇ ପିନ୍ଧା ପାଛୁଡ଼ା, ମଠାଚାଦର, ଦରି ଦସିଆ ଆଣି ଦୁଆର ମୁହଁରେ ଦେଇ ଯାଉଥିଲା୤ ବାଡ଼ିରେ ହେଉଥିବା ଗବ, ପୁଲାଙ୍ଗ, ସୋରିଷ, ରାଶି ନେଇ ତେଲୀପୁଅ ତାର ପାରିଶ୍ରମିକ ପାଇ ଗୃହସ୍ଥକୁ ତେଲ ଆଣି ଦେଇଯାଉଥିଲା, ବାଡ଼ିବଗାଏତରୁ ଜାଳେଣି କାଠ କାମ ଚଳୁଥିଲା, ବାଡ଼ିରୁ ବାଉଁଶ ବଗାଏତରୁ ଜାମୁ ପୁଲାଙ୍ଗ ଗଛ, ଅନାବାଦୀ ଜଙ୍ଗଲରୁ ବେତ ଆଣି, ବିଲରୁ ନଡ଼ା ବାଡ଼ିଆ ମାଟି ଆଣି ଗାଁ ବଢ଼େଇ ଗାଁ ମୂଲିଆଙ୍କ ଦ୍ବାରା ବାସଗୃହ ତିଆରି ହେଉଥିଲା; କିନ୍ତୁ ଏଣିକି ମଫସଲରୁ ଏସବୁ ଲୋପ ପାଇଲା ଓ ପାଇବ୤

ଗ୍ରାମରେ କୌଣସି ବିବାଦ ଉପସ୍ଥିତ ହେଲେ, କୌଣସି ଅଡ଼ୁଆ ଲାଗିଲେ ଗ୍ରାମ ମହାଜନେ ବସି ଦିଅଁଙ୍କ ଚକଡ଼ାରେ ସେସବୁ ଅଡ଼ୁଆକୁ ମୀମାଂସା କରି ଦେଉଥିଲେ ଓ ଗ୍ରାମରେ ଅବସ୍ଥାପନ୍ନ ବ୍ୟକ୍ତିମାନଙ୍କ ସାହାଯ୍ୟ, ବଦାନ୍ୟତା ଓ ସ୍ବଚ୍ଛଳତା ଦ୍ବାରା ଗ୍ରାମର ଦୂରବସ୍ଥାପନ୍ନ ପରିବାର ଓ ଗରିବଗୁରୁବାମାନେ ଚଳି ଯାଉଥିଲେ୤ ଜମିଦାରମାନେ ରୟତମାନଙ୍କର ଫଳତଃ ‘ମା ବାପ’ ଥିଲେ; ତାଙ୍କ ଘର ସବୁବେଳେ ପ୍ରଜାମାନଙ୍କ ପାଇଁ ଅବାରିତ ଦ୍ବାର ଥିଲା, ସେ ଯେପରି ଗରିବଠାରୁ ତଣ୍ଡିକରି ଜୋରିମାନା ଓ ବେଠି ନେଉଥିଲେ, ଅସମୟ ପଡ଼ିଲେ ନ’ଅଙ୍କରେ ଛତ୍ର ଦେଇ ଗରିବଙ୍କୁ ବଞ୍ଚାଉଥିଲେ, ଖାଇବାକୁ ନଥିଲେ ପରିବାରକୁ ପୋଷୁଥିଲେ, ପୁଣ୍ୟ ପର୍ବରେ ପିଠା ବାଣ୍ଟୁଥିଲେ, ବାଧିକି ପଡ଼ିଥିଲେ ଔଷଧ ପଥ୍ୟର ବ୍ୟବସ୍ଥା କରି ଦେଉଥିଲେ, ନିରୁପାୟ ପିତୃମାତୃଶୂନ୍ୟ ପିଲାମାନଙ୍କୁ ଭରଣପୋଷଣ କରୁଥିଲେ୤ ଏବେ ରାଜ୍ୟ-ପ୍ରଜାଙ୍କର ଅନେକ ସ୍ଥଳରେ ଚିହ୍ନା ପରିଚୟ ସୁଦ୍ଧା ନଦାରଦ୤ ଏବେ ଜମିଦାର ପ୍ରଜାଠାରୁ ଖଜଣା ଗଣ୍ଡାକ ନେଇ ମାଲଗୁଜାରି ପଏଠ କରି ଦେଇ ମାଲିକାନା- ଲଫାତକ ନେଇ ଆପଣା ଅୟସରେ ଖରଚ କରୁଅଛନ୍ତି ଓ ଜମିଦାର ପ୍ରଜାକୁ ପାଟି ଫିଟାଇଲେ ସେ ଯାଇ ଖଣ୍ଡେ ଦରଖାସ୍ତ ଧରି କଚେରିରେ ହାଜର୤

ଆଧୁନିକ ସଭ୍ୟତାର ଏ ଯେଉଁ ଗତି ହେଉଅଛି, ସେଇଟା ଭଲ ଆଡ଼କୁ କି ମନ୍ଦ ଆଡ଼କୁ, ତାହା ଭଗବାନ ଜାଣନ୍ତି୤ ତା’ପରେ ଆଧୁନିକ ସଭ୍ୟତା ଲୋକଙ୍କୁ ଶିଖାଇଅଛି କାର୍ଯ୍ୟ ବିଭାଗ୤ ଏଥିରେ ଅର୍ଥ ଏହି କି, ସମସ୍ତେ ସବୁ କାର୍ଯ୍ୟ ନକରି ଜଣେ ଜଣେ ଲୋକ ଏକ ଜାତିର କାମ କରିବେ୤ ଉଦାହରଣସ୍ବରୂପ- ଯେ ସୂତା କାଟିବ, ସେ ଲୁଗା ବୁଣିବ ନାହିଁ; ଯେ ଲୁଗା ବୁଣିବ, ସେ ଦାଣ୍ଡରେ ଲୁଗା ବିକିବ ନାହିଁ୤ ଏଥିରେ ସୁବିଧା ଏହିକି, ଜଣେ ମନୁଷ୍ୟ ଗୋଟିଏ କାମରେ ଦିନରାତି ମନ ଦେଲେ ସେ ବିଭାଗରେ ସେ ପାରଙ୍ଗମ, ବିଚକ୍ଷଣ ଓ ଅନୁଭବୀ ହେବ୤ ଫଳତଃ ସେ କାର୍ଯ୍ୟ ଅପେକ୍ଷାକୃତ କୌଶଳ ଓ କୃତିତ୍ବଦ୍ବାରା ସମ୍ପନ୍ନ ହେବ- ଏପରି ଗୋଟିଏ ଗୋଟିଏ କାର୍ଯ୍ୟରେ ଯେଉଁମାନେ କୃତିତ୍ବ ଲାଭ କରନ୍ତି, ସେମାନଙ୍କୁ ଓସ୍ତାଦ୍‌ ବୋଲାଯାଏ୤ କିନ୍ତୁ ଏଥିରେ ମଧ୍ୟ ଅସୁବିଧାର ମାତ୍ରା କମ ନୁହେଁ୤ ଓସ୍ତାଦ୍‌ ତାଙ୍କ ଆଦରିଥିବା କର୍ମ ଛଡ଼ା ଅନ୍ୟ କର୍ମମାନ ଅନଭ୍ୟାସ ଯୋଗୁଁ ବିବେକ ପାସୋରି ପକାନ୍ତି୤ ଫଳତଃ କୌଣସି ଅନୁଷ୍ଠାନ ସାଙ୍ଗୋପାଙ୍ଗ କଲାବେଳକୁ ଓସ୍ତାଦ୍‌ ପଣେ ଖଣ୍ଡେ ଲୋଡ଼ା ହୁଅନ୍ତି୤ ଏଥିରେ ପରମୁଖାପେକ୍ଷିତା ଅତ୍ୟଧିକ ବଢ଼ିଯାଏ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋପାଳ ଚନ୍ଦ୍ର ପ୍ରହରାଜ
ଗୋପାଳ ଚନ୍ଦ୍ର ପ୍ରହରାଜ
ଓଡ଼ିଆ ଭାଷାରେ ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ଭାବେ ଗୋପାଳଚନ୍ଦ୍ର ପ୍ରହରାଜ (୧୮୬୮-୧୯୪୬) ସୁପରିଚିତ୤ ତାଙ୍କ ଦ୍ବାରା ସଙ୍କଳିତ ପୁର୍ଣ୍ଣଚନ୍ଦ୍ର ଭାଷାକୋଷ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଭାଷାର ଏକ ଅମୂଲ୍ୟ ଏବଂ ସ୍ବତନ୍ତ୍ର ସୃଷ୍ଟି, ଯାହାର ବିକଳ୍ପ ନାହିଁ୤ ତାଙ୍କ ରଚିତ ରମ୍ୟରଚନା ସଙ୍କଳନ ଯଥା: ଭାଗବତ ଟୁଙ୍ଗିରେ ସନ୍ଧ୍ୟା, ନନାଙ୍କ ବସ୍ତାନି, ବାଇ ମାହାନ୍ତି ପାଞ୍ଜି, ଆମଘରର ହାଲ୍‌ଚାଲ୍‌ ଆଦି ତାଙ୍କର କାଳଜୟୀ ସୃଷ୍ଟି୤ ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ସ୍ବାଧୀନତା ପୂର୍ବବର୍ତ୍ତୀ ସମୟର ହୋଇଥିଲେ ସୁଦ୍ଧା ସେହି ଲେଖାର ଗୁରୁତ୍ବ ଏବଂ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤