ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅଳକା ସାନ୍ୟାଲ
 |- ଗୁରୁପ୍ରସାଦ ମହାନ୍ତି
 
 
ତା: ଜୁନ୍ ୨, ୨୦୧୧  
 

ତୁମକୁ ବା ସଚ୍ଚିବାବୁ ଦେଖିଥିଲେ କେବେ
ଜାଣେନାହିଁ ଅଳକା ସାନ୍ୟାଲ
ସେତେବେଳେ ଆକାଶରେ ସ୍ବର୍ଣ୍ଣ ଚିତା ବାଘ ଅବା ହରିଣର ଛାଲ
ଅବା ଥିଲା ଗୋଲ ହୋଇ ହଳଦିଆ ଜହ୍ନର ମଶାଲ୤

ମୁଁ ତୁମକୁ ଦେଖେ ଆଜି ତୁମେ ଦିଅ ବ୍ଲାଉଜ୍‌ର ବୋତାମ
ଚା ଦାଗ ତୁମେ ଧୂଅ ସେମିଜରୁ ଗରମ ପାଣିରେ
ତୁମେ ପୁଣି କଥା କୁହ ମୁହଁ ପୋତି ଟେବୁଲ ସେପାଖେ
ତୁମେ ପୁଣି ଉଠିଆସି ଆସ୍ତେ ବସ ପାଖ ଚଉକିରେ୤

ଦିପହର ଧୂଳି ଉଡ଼େ ‘ଖାକି ଆଉ ଫିଲ୍ଡ଼ ଗ୍ରେ ଧୂଳି’
ସିଗାରେଟ୍ ଧୂଆଁ ପୁଣି ଭାରିହୋଇ ବସିଯାଏ ଜରିଫୁଲ କାଗଜ ଫୁଲରେ
କାଉ ଆଉ ବାଦୁଡ଼ିର ଚେଁ ଚାଁ ମିଶିଯାଏ ଏକାଠି ବାହାରେ
କୋଇଲାର ଧୂଆଁ ପୁଣି ନିଶ ମୋଡ଼ି ଉଠେ ରିକ୍ସାବାଲା ବାଟ ଯାଏ ଭୁଲି୤

ତମକୁ ମୁଁ ଦେଖିପାରେ ଜୋତା ଷ୍ଟ୍ରାପ ତୁମେ ଧୀରେ ଖୋଲ
ତୁମେ ଆସି ଲୋଟିପଡ଼ ବିଛଣାରେ ବେଣୀ ଆଉ ଶାଢ଼ୀ ଅସଂଯତ
ତୁମେ ପୁଣି ଆସ୍ତେ ଉଠ ଲୁଗାପଟା ଠିକ୍‌ଠାକ୍ କରି
ଟାଉନ ହଲ୍ ସଭାରେ ମୁଁ ପାଏ ପୁଣି ତୁମର ସାକ୍ଷାତ୤

ତମକୁ ବା ସଚ୍ଚିବାବୁ କେବେ ଥରେ ଚକ୍ରରଥ ଗନ୍ଧର୍ବ ହାତରୁ
ଛଡ଼ାଇ ଆଣିଲାବେଳେ ତୁମେ କଲ ଜୟ ଜୟକାର
ତା ପରେ ବା ପୁଣି କେବେ ନୂଆଖାଲି ପଠାଣ ବସ୍ତିରୁ
ଭାରତର ସ୍ବାଧୀନତା ଦେଲା ପୁଣି ଦ୍ବିତୀୟ ନିସ୍ତାର୤

ଦିପହର କ୍ଳାନ୍ତ ହୁଏ ସନ୍ଧ୍ୟା ଆସେ ରେଳପୋଲ ଆଡୁ
କୋଇଲା ଚୂଲିର ଧୂଆଁ ଦେଖା ଆଉ ଯାଏ ନାହିଁ ଚୁପ୍‌ଚାପ୍‌ କାଉ ଓ ବାଦୁଡ଼ି
ସିଗାରେଟ୍ ଧୂଆଁ ହୁଏ ଆହୁରି ଜମାଟ ପୁଣି ନରଗିସ୍ ନେତାଜୀ ଫଟୋରେ
ଆକାଶରେ ଜହ୍ନ ପୁଣି ଦେଖାଦିଏ ଅକସ୍ମାତ ତାର ତଳ ଓଠ ରାଗରେ କାମୁଡ଼ି

ମୁଁ ତୁମର ଶୁଣେ ଆଜି ଝଡ଼ପରି ଭୀଷଣ ବତ୍କୃତା
ମୁଁ ଦେଖେ ତୁମର ଦେହ ହଠାତ୍ ଯାଏ କାଦୁଅ ପାଲଟି
ଛିଣ୍ଡା ଚିଠି କାଗଜରେ ତୁମର ଯା ଅବଶିଷ୍ଟ ରହେ
ପବନ ସେତକ ନିଏ ସଡ଼କରୁ ସାଉଁଟି ସାଉଁଟି୤

ଭଙ୍ଗା ନୂଆଖାଲିରେ ବା କଲିକତା ନୂଆଦିଲ୍ଲୀ ଆଡ଼େ
କାଉ ଆଉ ବାଦୁଡ଼ିର ଚେଁ ଚାଁ, ପୁଣି ଏତେ ଯିବା ଓ ଆସିବା
କଟକରେ ଗଳି ଗଳି ରାସ୍ତା ରାସ୍ତା ଛକରେ ଛକରେ
ରାତିର ପ୍ରସୂତି କଷ୍ଟ ସକାଳର ରୁଗ୍‌ଣ ଜନ୍ମ ନେବା୤

ତା ଭିତରେ ତୁମେ ପୂଣି ପ୍ରେମ କର ଗର୍ଭବତୀ ହୁଅ
ସିନେମାରେ ହ୍ୟାଣ୍ଡବିଲ ମୁଁ ଦେଖିଛି ତୁମର ଦେହରେ
ପବନ ତୁମକୁ ଯେବେ ଆସ୍ତେ ନିଏ ବାଲିରୁ ସାଉଁଟି
ମୁଁ ତୁମକୁ ସ୍ବପ୍ନ ଦେଖେ ମୋର ଢିଲା ପାଇଜାମା କାମିଜର ଅମରାବତୀରେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୁରୁପ୍ରସାଦ ମହାନ୍ତି
ସ୍ବାଧୀନତା ପରବର୍ତ୍ତୀ ଆଧୁନିକ ଓଡ଼ିଆ କବିଙ୍କ ମଧ୍ୟରେ ଗୁରୁପ୍ରସାଦ ମହାନ୍ତି (୧୯୨୪-୨୦୦୪) ଜଣେ ପ୍ରତିଷ୍ଠିତ କବି ଭାବେ ସୁପରିଚିତ୤ ଅଧିକ ସଂଖ୍ୟାରେ ଲେଖାଲେଖି କରି ନଥିଲେ ସୁଦ୍ଧା ପ୍ରସିଦ୍ଧ ଇଂରାଜୀ କବି ଟି.ଏସ୍‌.ଇଲିଅଟ୍‌ଙ୍କ ଲେଖା ଓ ଆଦର୍ଶରେ ଶ୍ରୀ ମହାନ୍ତି ଅନୁପ୍ରାଣିତ ହୋଇଥିଲେ ବୋଲି ଜଣାପଡ଼େ୤ ସେ ନିଜର କାବ୍ୟ ସଙ୍କଳନ "ସମୁଦ୍ରର ସ୍ନାନ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଏବଂ ଭ୍ରମଣ ସାହିତ୍ୟ "ପାଟଳିପୁତ୍ରର ହାଲ୍‌ଚାଲ୍‌" ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ୤ ଏହା ବ୍ୟତୀତ ତାଙ୍କର ଉଲ୍ଲେଖନୀୟ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ସୁଦାମବଂଧୁ ଭଟ୍ଟମିଶ୍ର |  ଅକ୍ଟୋବର୍ ୧୮, ୨୦୧୧ - ୧୨:୪୮ ପୂର୍ବାହ୍ନ

    ଆଗରୁ ଅନେକ ଥର ଏ କବିତା ପଢ଼ିଛି୤ ଇଏ ମୋର ପ୍ରିୟ କବିତା୤ ତ୍ରୁଟି, ବିଚ୍ୟୁତି ପ୍ରତି ଧ୍ୟାନ ଦେବେ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭଲ ଲାଗିଲା । ମନେ ମନେ ଖୋଜୁଥିଲି ଅନେକ ପ୍ରିୟ କବିଙ୍କ କବିତା । ଆଜି ଆପଣଙ୍କ ମାଧ୍ୟମରେ ପ୍ରିୟ କବି ମାୟାଧର ମାନସିଂହଙ୍କ କବିତା ତରୁଣ…
    ( ମହେନ୍ଦ୍ର କୁମାର ପ୍ରଧାନ )
  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )