ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଭୁବନେଶ୍ବର ବେହେରା
ଅଚ୍ୟୁତାନନ୍ଦ କର
ବାମାଚରଣ ମିତ୍ର
ଅମରେଶ ବିଶ୍ବାଳ
ରମେଶ ଚନ୍ଦ୍ର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆକର୍ଷଣ
 |- ଦୟାନିଧି ମିଶ୍ର
 
 
ତା: ନଭେମ୍ବର୍ ୨୯, ୨୦୧୨  
 

ଦୁଇ

ଯେତେବେଳେ ମୋର ଚେତନା ଆସିଲା ଦେଖିଲି ଯେ ମୁଁ ଗୋଟିଏ କୋଠାରୀରେ ଖଟ ଉପରେ ଶୋଇଛି ଓ ମୋ ପାଖରେ ଜଣେ ସାହେବ ଚଉକି ଉପରେ ବସିଛନ୍ତି୤ ବାପା ମଧ୍ୟ ଆଉ ଗୋଟିଏ ଚଉକିରେ ସାହେବ ପାଖରେ ବସିଛନ୍ତି୤ ମୁଁ ଯିମିତି ଆଖି ମେଲି ଚାହିଁଲି, ସାହେବ ଇଂରାଜୀରେ କଟର ମଟର ବାପାଙ୍କୁ କ’ଣ କହିଲେ୤ ବାପା ମଧ୍ୟ ସାହେବଙ୍କୁ ଇଂରାଜୀରେ ଜବାବ ଦେଲେ୤ ପରେ ସାହେବ ବାପାଙ୍କୁ ଆଉ କ’ଣ କହି ଧୀରେ ଧୀରେ ଚାଲିଗଲେ୤

ସାହେବ ଚାଲିଗଲା ପରେ ମା’ ଓ ବହୂ ଦୁହେଁଯାକ କୋଠରୀ ଭିତରକୁ ଆସିଲେ୤ ଘା’ ମୁଣ୍ଡ ଆଉଁସିବାକୁ ଲାଗିଲେ୤ ବହୁ ପିଠି ପାଖରେ ବସି ପିଠି ଆଉଁସିଲେ୤

ଆଜି ମା’ ବହୂ ଦୁହିଁଙ୍କ ଆଖିରେ ଲୁହ୤ ବାପା ମଧ୍ୟ କାନ୍ଦୁଛନ୍ତି୤ ମୁଁ ଏଥିର କାରଣ କିଛି ବୁଝି ପାରିଲି ନାହିଁ୤ ମୁଁ କେଉଁଠି ଅଛି୤ ସେଠାକୁ କିପରି ଆସିଲି ଏ ସବୁ ଜାଣିବା ପାଇଁ ମୋର ଭାରି ଆଗ୍ରହ ହେଲା; କିନ୍ତୁ ଯେତେ ଚେଷ୍ଟା କଲେ ସୁଦ୍ଧା ଜାଣି ପାରିଲି ନାହିଁ୤

ମା’ଙ୍କୁ କ’ଣ କରିବାକୁ ଆଦେଶ ଦେଇ ବାପା କୋଠରୀରୁ ଚାଲିଗଲେ୤ ବହୂ ଏକା ମୋ ପାଖରେ ରହିଲେ୤ ତାଙ୍କ ଆଖିରୁ ଝର ଝର ଲୁହ ଗଡ଼ୁଛି୤ ସବୁବେଳେ ମୋ ଦେହକୁ ଆଉଁସୁଛନ୍ତି୤ ବାପା ମା’ ଚାଲିଯିବାରୁ ବହୂଙ୍କୁ ପଚାରିଲି- ‘ବହୂ, ଏଠିକି କାହିଁକି ଆସିଛେ ? ଏଠିକି ଆମକୁ କିଏ ଆଣିଲା ?

ମୋ କଥା ଶୁଣି ବହୂ ଆହୁରି କାନ୍ଦିଲେ୤ ପଣତରେ ଲୁହ ପୋଛି କହିଲେ- ‘ଡାକ୍ତର ମନା କରିଛନ୍ତି୤’ ସତକୁ ସତ ବୋହୂଙ୍କ ମୁହଁରୁ କଥା ନ ସରୁଣୁ ମୋ ଦେହଯାକ ଭାରି ପୋଡ଼ିବାକୁ ଲାଗିଲା୤ ଘା’ରୁ ରକ୍ତ ବାହାରିବାକୁ ଲାଗିଲା୤ ମୁଁ ପୁଣି ଅଚେତ ହୋଇପଡ଼ିଲି୤ ଏପରି କେତେବେଳଯାଏ ମୁଁ ଅଚେତ୍‌ ହୋଇପଡ଼ିଲି ଭଗବାନ ଜାଣନ୍ତି; କିନ୍ତୁ କେଜାଣି କାହିଁକି ମୋତେ ସେ ଅବସ୍ଥାଟି ଭଲ ଲାଗିଲା୤ ଈଶ୍ବରଙ୍କ ରାଜ୍ୟରେ ପ୍ରତ୍ୟେକ ପଦାର୍ଥର ଉପକାରିତା ଅଛି୤ ମୂର୍ଚ୍ଛାମରଣ ସଙ୍ଗେ ସମାନ ହେଲେ ସୁଦ୍ଧା କ୍ଷଣକ ପାଇଁ ମନୁଷ୍ୟକୁ ସଂସାରର ଦୁଃଖ ସୁଖରୁ ଅନେକ ଦୂରକୁ ନେଇଯାଏ୤ ଯେଉଁ ବିଷ ମନ୍ୟୁଷର ପ୍ରାଣ ନିଏ, ସେହି ବିଷ ପୁଣି ଔଷଧ ରୂପେ ମନୁଷ୍ୟକୁ ରକ୍ଷା କରେ୤ ଭଗବାନଙ୍କ ଲୀଳା କିଏ ବୁଝି ପାରିବ ? ମୁଁ ଯେତେବେଳ ଯାଏଁ ମୂର୍ଚ୍ଛିତ ଅବସ୍ଥାରେ ଥିଲି ମୋର ଦୁଃଖ ସୁଖ ଜ୍ଞାନ ନ ଥିଲା୤ ସେତେବେଳେ ମୁଁ କେଉଁ ରାଜ୍ୟରେ ବୁଲୁଥିଲି, ଭଗବାନ ଜାଣନ୍ତି୤

କିନ୍ତୁ ବେଶିବେଳଯାଏ ଏ ସୁଖ ଭୋଗ କରି ପାରିଲି ନାହିଁ୤ ପୁଣି ଶୀଘ୍ର ମୋର ଚେତନା ହେଲା୤ ଆଖି ଖୋଲି ଦେଖିଲି ଯେ ମା’ ଘା’ ସବୁ ଧୋଇକରି ସେଥିରେ ମଲମ ଲଗାଉଛନ୍ତି୤ ବୋଉ ପଙ୍ଖା ଧରି ବିଞ୍ଚୁଛନ୍ତି୤

ଏପରି ମୂର୍ଚ୍ଛା ଓ ଚେତନାର କେତେ ଅଭିନୟ ହେଲା, ଲେଖିବାକୁ ଶକ୍ତି ନାହିଁ୤ ସେ କଥା ଆଜି ମନେ ପଡ଼ିଲେ ଲେଖନୀ ଥରି ଯାଉଛି, ହୃଦୟ ଅବସନ୍ନ ହୋଇ ଯାଉଛି, ଆଖିରୁ ଅବିଶ୍ରାନ୍ତ ଲୁହ ଗଡ଼ୁଛି୤ ଓଃ ଦୁଃଖର ସମୟ ଏତେ କଠିନ-ଏତେ ନିଷ୍ଠୁର ! ଭଗବାନ ଏ ଦୁଃଖ ମଧ୍ୟରେ କି କି ସୁଖ ନିହିତ କରିଅଛନ୍ତି, କିଏ କହିପାରେ ?

ମନୁଷ୍ୟର ଅବସ୍ଥା ଚିରଦିନ ସମାନ ନ ଥାଏ୤ ଦୁଃଖ ପରେ ସୁଖ-ସୁଖ ପରେ ଦୁଃଖ ଲାଗିଛି୤ ‘ଚକ୍ରବତ୍‌ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ୤’ ମୋର ଦୁଃଖ ମଧ୍ୟ ବେଶିଦିନ ରହି ନ ଥିଲା୤ ଭଗବାନଙ୍କ କୃପାରୁ ଶୀଘ୍ର ଆରୋଗ୍ୟ ଲାଭ କଲି୤

ସେ ଆଜି ଅନେକ ଦିନର କଥା୤ ଏଥିମଧ୍ୟରେ ଅନେକ ପରିବର୍ତ୍ତନ ହୋଇ ଗଲାଣି୤ ବାପା ମତେ ଆଉ ଗାଁକୁ ଛାଡ଼ୁ ନାହାନ୍ତି୤ ତାଙ୍କ ପାଖେ ରହି କଟକରେ ପାଠ ପଢୁଛି୤ ମା’ ହେରିକା ମୋ ଦେହ ଭଲ ହେଲାରୁ ଗାଁକୁ ଚାଲିଗଲେ୤ ବାପା କଟକରେ ଓକିଲାତି କରନ୍ତି୤ ଗାଁରେ ଜମିଦାରୀ ବୁଝିବା ପାଇଁ କେହି ନ ଥିବାରୁ ମା’ କଟକକୁ ଆସି ପାରନ୍ତି ନାହିଁ୤ ଭାଇ ଏ ବର୍ଷ ବି.ଏ. ପାସ୍‌ କରି କଲିକତାରେ ଏମ୍‌.ଏ. ପଢ଼ୁଛନ୍ତି୤ ମୁଁ ମାଟ୍ରିକୁଲେସନ୍‌ ପାସ୍‌ କରି କଟକ କଲେଜରେ ପଢ଼ୁଛି୤

ମୁଁ ଚମ୍ପା ଗଛରୁ କି ଲଗ୍ନରେ ପଡ଼ିଲି କେଜାଣି ପିଲାକାଳ କଥା ଆଉ ଜମା ମନେ ନାହିଁ୤ ଗାଁକୁ ଯିବା ପାଇଁ ଆଉ ଜମା ଇଚ୍ଛା ହେଉ ନାହିଁ୤ ବାପା ମଧ୍ୟ ମତେ ଆଉ ଗାଁକୁ ଛାଡ଼ି ଦେଉ ନାହାନ୍ତି୤ ମା’ ଯେତେ ଲେଖିଲେ ସୁଦ୍ଧା ବାପା ମାନୁନାହାନ୍ତି୤ ତାଙ୍କ ଇଚ୍ଛା, ପଢ଼ା ଶେଷ ହେବାଯାଏଁ ମୁଁ କଟକରେ ରହିବି୤ ମୋର ମଧ୍ୟ ସେହି ଇଚ୍ଛା୤

ବାପା କଟକରେ କାହାରି ସଙ୍ଗେ ମୋତେ ମିଶିବାକୁ ଦିଅନ୍ତି ନାହିଁ୤ ସେ କହନ୍ତି, ‘କଟକ ସହର କଳିର ରାଜଧାନୀ୤ ଏପରି ସ୍ଥାନରେ ପିଲାମାନଙ୍କୁ ଆକଟ କରି ରଖିବା ଉଚିତ୍‌୤’ ମା’ ମଧ୍ୟ ଦିନେ କହୁଥିଲେ- ‘କଟକ ସହର, ଦେଖିକରି ଚାଲିବ୤ ସେଠେଇଁ ମାଟି ପଥର ମଧ୍ୟ କଥା କହନ୍ତି୤’ ତେବେ କଟକରେ ସମସ୍ତେ ଯେ ଖରାପ ଏ କଥା କିଏ କହିବ ? ସେ ଯାହାହେଉ, ବାପାଙ୍କ କଥା ମାନିବା ହିଁ ମୋର କାର୍ଯ୍ୟ୤

ଦିନେ ମୁଁ ଘରେ ବସି ପଢ଼ୁଛି୤ ଡାକବାଲା ଆସି ମୋ ହାତରେ ଚିଠି ଖଣ୍ଡିଏ ଦେଇଗଲା୤ ଚିଠି ଖୋଲି ପଢ଼ିଲି; କିନ୍ତୁ ତହିଁର ଅର୍ଥ ବୁଝି ପାରିଲି ନାହିଁ୤ ହସ୍ତାକ୍ଷର ଯେପରି ମୁଁ କେବେ ଦେଖିଛି ! କି ସୁନ୍ଦର ମୁକ୍ତାପରି ଅକ୍ଷର ! ଅତୀତର ଗର୍ଭ ତନ୍ନ ତନ୍ନ କରି ଖୋଜିଲି; କିନ୍ତୁ କୌଣସିଠାରେ କିଛି ପାଇଲି ନାହିଁ୤ ଚିଠି କିଏ ଲେଖିଛି ? ମୋ ଠାକୁ କାହିଁକି ଲେଖିଛି ? ମୋ ସଙ୍ଗେ ତା’ର କି ସମ୍ପର୍କ ? ଏ ସବୁ ଜାଣିବା ପାଇଁ ଅନେକ ଚେଷ୍ଟା କଲି; କିନ୍ତୁ କିଛି ଠିକ୍‌ କରି ପାରିଲି ନାହିଁ୤ ପୁଣି ଚିଠି ଖୋଲି ପଢ଼ିଲି-
‘ବିନୋଦ ବାବୁ,
ମୋର ପରିଚୟର ଭୂମିକା ଅନାବଶ୍ୟକ୤ ବର୍ତ୍ତମାନ ମୋର ଅନ୍ତିମକାଳ ଉପସ୍ଥିତ୤ ତୁମକୁ ଦେଖିବା ପାଇଁ ମୋ ମନ ଅତିଶୟ ବ୍ୟାକୁଳ୤ ଯଦି ପୂର୍ବ ପରିଚୟର ଆଦର ଥାଏ, ଶୀଘ୍ର ଆସି ମୋର ଉତ୍କଣ୍ଠା ଦୂର କରିବ୤ ଇତି ୤
ତୁମର
କ-’
ଚିଠି ପଢ଼ି ମୋ ମନ ବ୍ୟାକୁଳ ହେବାକୁ ଲାଗିଲା ୤ ମୁଁ ଯେପରି ଅନ୍ଧକାର ମଧ୍ୟରେ ଆଲୋକ ଦେଖିବାକୁ ପାଇଲି ୤ କିଏ ଯେପରି ମୋ ନିକଟକୁ ଆସି କାଳେ କହିଲା- ‘ଯାଅ, ବିଚାରୀ ତୁମ ପାଇଁ କେତେ କଷ୍ଟ ପାଉଛି୤’ କିନ୍ତୁ ବିଚାରୀ କିଏ ? ସେ ମୋ ପାଇଁ କାହିଁକି କଷ୍ଟ ପାଉଛି ?

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦୟାନିଧି ମିଶ୍ର
ଦୟାନିଧି ମିଶ୍ର
ଓଡ଼ିଆ କଥା ସାହିତ୍ୟରେ ଦୟାନିଧି ମିଶ୍ର(୧୮୯୧-୧୯୫୫) ଜଣେ ନିଆରା ଲେଖକ ଭାବେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ୤ ସେ ଜଣେ ଶିକ୍ଷକ, ଆଇନଜୀବୀ ଓ ରାଜନେତା ଭାବେ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ନିଜର କର୍ମମୟ ଜୀବନ ଅତିବାହିତ କରିଥିଲେ୤ ଏକତ୍ର ବିରତ୍ବ ଓ ପ୍ରଣୟର ଉପସ୍ଥାପନା କୌଶଳ, ବିଷୟବସ୍ତୁଗୁଡ଼ିକର ବିଭାଗୀକରଣ, ଆରମ୍ଭର ବୈଚିତ୍ର୍ଯ, ବିଷୟ ଗ୍ରନ୍ଥିର କ୍ରମ ଉନ୍ମୋଚନ, ବିଭିନ୍ନ ପରିସ୍ଥିତିରେ ଆବେଗ ଓ ଉତ୍ତେଜନାର ସମାବେଶ ହେଉଛି ଦୟାନିଧିଙ୍କ ଲେଖାର ବୈଶିଷ୍ଟ୍ଯ୤ ତାଙ୍କ ରଚିତ ଏବଂ ପ୍ରକାଶିତ ଗ୍ରନ୍ଥ ମଧ୍ୟରେ... [ କ୍ରମେ ସବିଶେଷ ]
ଦୟାନିଧି ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤