ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁଧାଂଶୁ ଶେଖର ପାତ୍ର
ଜଗଦୀଶ ମହାନ୍ତି
ଆଶିଷ କୁମାର କର
ରବି ଶତପଥୀ
ଶୈଳେନ୍ଦ୍ର କୁମାର ଜେନା
ସାର୍‌ ବାସୁଦେବ ସୁଢ଼ଳଦେବ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆକର୍ଷଣ
 |- ଦୟାନିଧି ମିଶ୍ର
 
 
ତା: ନଭେମ୍ବର୍ ୨୯, ୨୦୧୨  
 

(ସତ୍ୟ ଘଟଣା ମୂଳକ ଗଳ୍ପ)
ଏକ

ଆଜି ପିଲାକାଳ କଥା ମନେ ପଡ଼ିଲେ କେତେବେଳେ ସୁଖ ହୁଏ କେତେବେଳେ ବା ଦୁଃଖ ହୁଏ ୤ ଯେତେବେଳେ କାମଦାମ କିଛି ନ ଥାଏ, ମଣିଷ ନିଶ୍ଚିନ୍ତ ହୋଇ ଘଡ଼ିଏ ବସିବାକୁ ଅବସର ପାଏ୤ ପିଲାଦିନର କେତେ ପୁରୁଣା କଥା ଆସି ମନେପଡ଼େ୤ ସେ ସବୁ ଭୁଲିବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ଭୁଲି ହୁଏ ନାହିଁ ୤
‘ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର
ଫିଙ୍ଗି ପାରିଲେ ସେ ଲଭନ୍ତା ନିସ୍ତାର ୤’

କମଳା ଘର ଆମ ଘର ବେଶୀ ଦୂର ନୁହେଁ୤ ଆମ ଘରେ ଥାଇ ତାକୁ ଡାକିଲେ ସେ ଶୁଣି ପାରିବ୤ କମଳା ସବୁବେଳେ ଆମ ଘରେ ଥାଏ୤ ମା’ ତାକୁ କେତେ ଗେଲ କରନ୍ତି-କେତେ ଚିଜ ଖାଇବାକୁ ଦିଅନ୍ତି୤ ମୁଁ ମଧ୍ୟ ତାଙ୍କ ଘରକୁ ଯାଏ୤ ସେଠାରେ ଖାଏ, ପିଏ, କେତେ ହସ କଉତୁକ କରେ୤ କମଳାର ମା’ ମୋତେ କେତେ ଆଦର କରନ୍ତି୤ ସେ ଯେତେବେଳେ ମୋତେ ‘ବାବା’ ବୋଲି ଡାକନ୍ତି କମଳା ମୁରୁକି ମୁରୁକି ହସି କେତେ ଖୁସି ହୁଏ୤ ସେ ମତେ ଏତେ ଭଲ ପାଏ୤

କମଳା ଆଉ ମୁଁ ଏକା ସାଙ୍ଗରେ ଖେଳୁ୤ ଦାଣ୍ଡ ଦୁଆରେ ବସି କେତେ ବାଲିଘର ଗଢ଼ୁ୤ ସେତେବେଳେ ମନ ସବୁବେଳେ ପ୍ରଫୁଲ୍ଲ – ଖେଳିବା ପାଇଁ ଭାରି ଆଗ୍ରହ୤ ବିଧାତାଙ୍କ ଚବିଶ ଘଣ୍ଟିଆ ଦିନ ମନକୁ ଆସେ ନାହିଁ୤ ଓଃ, ବିଧାତାଙ୍କ ଦିନଗୁଡ଼ାକ ଏତେ ଲମ୍ବ ! କେତେବେଳେ ସରେ ନାହିଁ୤ ସେଥିପାଇଁ ଆମ ମନକୁ ଆମେ ସାନ ସାନ ଦିନ ସୃଷ୍ଟି କରୁ୤ ସୂର୍ଯ୍ୟଙ୍କ ଉଦୟ ଅସ୍ତ ସଙ୍ଗେ ଆମ ଦିନର କୌଣସି ସମ୍ବନ୍ଧ ନ ଥାଏ୤ ସୂର୍ଯ୍ୟ ଆକାଶରେ ଥିଲେ ମଧ୍ୟ ଆମ ଦିନ-ରାତି ହୁଏ୤ ବାଲିଘର ବନାଇ ଖେଳିଲା ବେଳେ ଆମେ ଦିନକ ମଧ୍ୟରେ କେତେ ଦିନରାତି କଟାଉ୤ ଆଉ ସେ କଥା କାହିଁ ? ସେ ସ୍ବପ୍ନମୟ ରାଜ୍ୟ ଖୋଜିଲେ ଆଉ କାହୁଁ ମିଳିବ୤

ବଡ଼ି ଭୋର୍‌ରୁ ଉଠି ଦିହେଁଯାକ ଆମ ବଗିଚାରୁ ଫୁଲ ତୋଳିବାକୁ ଯାଉ୤ ଆମ ବଗିଚାରେ ଗୋଟାଏ ଚମ୍ପାଗଛ ଅଛି୤ ବାପା ଗଛଟିକୁ କଟକରୁ କିଣିଆଣି ବଗିଚାରେ ଲଗାଇଥିଲେ୤ ସେଥିରେ କେତେ ଫୁଲ ଫୁଟେ୤ ସେ ଫୁଲ ଦେଖିଲେ ତୋଳିବା ପାଇଁ ଇଚ୍ଛା ହୁଏ ନାହିଁ୤ ଫୁଲଗୁଡ଼ିକ ସବୁ ସତେଜ; ଯେପରି ସୂର୍ଯ୍ୟ, ପବନ ଓ ପାଣି ତିନିହେଁ ମିଶି ସେ ସବୁକୁ ସତେଜ କରୁଛନ୍ତି୤ ଏପରି ଫୁଲ ତୋଳିବାକୁ କାହା ମନ ବଳିବ ? ଫୁଲକୁ ଛିଣ୍ଡାଇ ପକାଇଲେ ଫୁଲ ମନରେ କଷ୍ଟ ହେବ ଯେ ! ତା ଦେହରୁ କେତେ ରକ୍ତ ବାହାରିବ ! ହସିଲା ଫୁଲଟି କାନ୍ଦି ପକାଇବ୤ ନା, ନା, ଦିଅଁ ଘେନିବେ ପରା ! ଦିଅଁଙ୍କ ପାଇଁ ସେ କାମ କରିବାକୁ ହେବ୤ କମଳା ଓ ମୁଁ ଚମ୍ପାଗଛ ଉପରକୁ ଉଠି ଗୀତ ଗାଇ ଗାଇ ଫୁଲ ତୋଳୁ୤ ଫୁଲ ନେଇ ଘରେ ମାଳ ଗୁନ୍ଥୁ୤ କମଳା ମୋଠାରୁ ଭଲ ମାଳ ଗୁନ୍ଥି ଜାଣେ୤ ତା’ ଫୁଲମାଳଟିକି ମତେ ଦିଏ୤ ମୋ’ ଫୁଲମାଳଟିକୁ ମୁଁ ତାକୁ ଦିଏ୤ ଫୁଲମାଳ ଧରି ଦୁହେଁଯାକ ଆମ ଗାଁ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଯାଉ୤ ଠାକୁରଙ୍କୁ ମାଳପିନ୍ଧାଇ ହସି ହସି ଘରକୁ ବାହୁଡ଼ି ଆସୁ୤

ଦିନେ ଆମ ଚମ୍ପାଗଛରୁ ଫୁଲ ତୋଳି ଆସୁଥିଲୁ୤ ପଞ୍ଝାଏ ଟୋକା ଆସି କହିଲେ- ‘କାଲି ଦେଖିବ; ସବୁ ଆମେ ନେଇଯାଇଥିବୁ୤ ତୁମେ ଆସିଲାବେଳକୁ ଗଛରେ ଗୋଟାଏ ହେଲେ ଫୁଲ ନ ଥିବ୤’ ସେମାନଙ୍କ କଥାଶୁଣି ମୋ’ ମନରେ ଭାରି କଷ୍ଟ ହେଲା୤ କମଳା ମୁହଁକୁ ଶୁଖେଇ ଦେଇ ମୋ’ ମୁହଁକୁ ଅନେଇଲା୤ କମଳାର କଷ୍ଟ ଦେଖି ମୋ’ ମନରେ ଟକିଏ ରାଗହେଲା୤ ଆଚ୍ଛା ଦେଖିବା ସେମାନେ କିମିତି ଆସି ଫୁଲ ନେଇଯିବେ ! ଦୁହେଁ ପ୍ରତିଜ୍ଞା କଲୁ ଯେ ଆରଦିନ ରାତି ଚାରିଟାବେଳେ ଆସି ଫୁଲତକ ନେଇଯିବା୤

ସେଦିନ ରାତିରେ ମୋ’ ଆଖିରେ ଆଉ ନିଦ ନାହିଁ-କେତେବେଳେ ଚାରିଟା ବାଜିବ ? ପିଲାଏ ଆସି ବଗିଚାରୁ ଫୁଲ ନେଇଯିବେ ପରା ? ତାହାହେଲେ ଆମେ କ’ଣ ତୋଳିବୁ ? ଦିଅଁ କ’ଣ ଆମ ହାତରେ ଫୁଲ ପିନ୍ଧିବେ ନାହିଁ ? ଆମେ କି ଦୋଷ କଲୁ ? ବାର ବର୍ଷର ତପସ୍ୟା କଅଣ ଶୁଖୁଆ ପୋଡ଼ାରେ ଚାଲିଯିବ ? ଏହିପରି ଭାବି ଭାବି ମନ ଆକୁଳ ହୋଇଗଲା୤ ଆଖିରେ ଆଉ ଜମା କଷା ପଡ଼ିଲା ନାହିଁ୤ ଖଟ ଉପରେ ଏକଡ଼ ସେକଡ଼ ହୋଇ ଛଟପଟ ହେଉଥାଏ୤

ଯିମିତି ଚାରିଟା ବାଜିଲା ମୋ’ ଶୋଇବା ଘର କବାଟଟି ଖୁଡ଼୍‌ କରି ଶବ୍ଦ ହେଲା୤ ଦ୍ବାର ଖୋଲି ଦେଖେ ଯେ କମଳା ! ତାକୁ ସେପରି ଭାବରେ ରାତିରେ ଆସିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି୤ ତେବେ କ’ଣ କମଳା ମଧ୍ୟ ମୋ’ ପରି ରାତିଯାକ ଶୋଇନାହିଁ ? ଫୁଲ ତୋଳିବା ପାଇଁ ତା’ର ଏତେ ଆଗ୍ରହ ? ମୁଁ ତାକୁ କିଛି ନ କହି ଚାଦର ଖଣ୍ଡି ଘୋଡ଼େଇ ହୋଇ ତା’ ସାଙ୍ଗରେ ବଗିଚାକୁ ଗଲି୤

ସେତେବେଳକୁ ଆକାଶରେ ଚନ୍ଦ୍ର ଥିଲେ୤ ତାରାଗୁଡ଼ିକ ହୀରାଫୁଲ ଫୁଟିଲା ପରି ଆକାଶରେ ଜୁଳୁ ଜୁଳୁ ଦିଶୁଥାନ୍ତି୤ ପାହାନ୍ତିଆ ପବନ ଫୁଲରେଣୁ ଉଡାଇ, ବଗିଚାଯାକ ମହକାଇ, ସୁଲୁସୁଲୁ ବହୁଥିଲା୤ ଚମ୍ପା ଫୁଲଗୁଡ଼ିକ ବୃନ୍ତାସନରେ ବସି ପବନ ଦୋଳାରେ ଦୋଳୁଥିଲେ୤ ବଗିଚାର ଚାରିଆଡ଼େ ଚନ୍ଦ୍ରକିରଣ ହସୁଥିଲା୤ ଫୁଲ ଉପରେ ଚନ୍ଦ୍ରକିରଣ, ପତ୍ର ଉପରେ ଚନ୍ଦ୍ରକିରଣ ସବୁଠେଇଁ ଚନ୍ଦ୍ରକିରଣ୤ ଯେଉଁଠି ଚନ୍ଦ୍ରକିରଣ ପଡ଼ୁଥିଲା ନିଜେ ହସି ପରକୁ ହସାଉଥିଲା୤ ବଗିଚାଟି ଯେପରି ଚନ୍ଦ୍ରର ରାଜ୍ୟ !

କିନ୍ତୁ ଏ ସବୁ ଦେଖିବା ପାଇଁ ଆମର ଆଖି ନାହିଁ ? ଆମ ମନ ରହିଲା ଫୁଲ ତୋଳିବା ଉପରେ ୤ କାଳେ ଟୋକାଏ ଆସି ଫୁଲ ନେଇ ଯାଇଥିବେ ! ବଗିଚାରେ ପହଞ୍ଚିଲାକ୍ଷଣି ଦୁହେଁଯାକ ମାଙ୍କଡ଼ ପରି ଗଛ ଉପରକୁ ଚଢ଼ିଗଲୁ୤ କମଳା ଗୋଟିଏ ଜାଗାରେ ବସି ଫୁଲ ତୋଳିଲା୤ ମୁଁ ଆଉ ଗୋଟିଏ ଜାଗାରେ ବସି ଫୁଲ ତୋଳିବାକୁ ଲାଗିଲି୤

ମୋ ପାଖରେ ଫୁଲତକ ତୋଳିସାରି କମଳା ଯେଉଁ ଡାଳରେ ବସି ଫୁଲ ତୋଳୁଥିଲା ସେଠିକି ଗଲି୤ ସେଠିକି ଯାଇ ଦେଖିଲି ଯେ, ଆଗ ଡାଳର ଫୁଲଗୁଡ଼ାକ କମଳା ତୋଳିପାରୁ ନାହିଁ୤ ମୋତେ ଦେଖି ସେ ଘୁଞ୍ଚିଗଲା ଓ କହିଲା- ‘ତୁମେ ସେଠାକୁ ଯାଅନା, ସରୁ ଡାଳ ଭାଙ୍ଗିଯିବ୤’

ମୁଁ କିନ୍ତୁ ତା କଥା ଶୁଣିଲି ନାହିଁ୤ ଆଜି ବଗିଚାରେ ଗୋଟାଏ ସୁଦ୍ଧା ଫୁଲ ରଖିବାକୁ ଦେବି ନାହିଁ୤ ଆଜି ଫୁଲଯାକ ଦିଅଁ ପିନ୍ଧିବେ- ଆଉ କେହି ନେଇ ପାରିବେ ନାହିଁ୤ ସେଥିପାଇଁ କମଳା କଥା ନ ଶୁଣି ଡାଳ ଉପରକୁ ଉଠିଲି୤ ଖୁବ୍‌ ସାବଧାନ ହୋଇ ଫୁଲ ସବୁ ତୋଳିଲି; ଗୋଟାଏ ଫୁଲ ରହିଗଲା୤ ଯେତେ ଚେଷ୍ଟା କଲେ ସୁଦ୍ଧା ସେ ଫୁଲଟି ତୋଳି ପାରିଲି ନାହିଁ୤ ଆଉ ଟିକିଏ ଉପରକୁ ଉଠିଲି୤ ଯେଉଁ ଡାଳରେ ଫୁଲଟି ଥିଲା ହାତ ଲମ୍ବାଇ ସେ ଡାଳଟି ଧଇଲି୤ ଡାଳ ଉପରେ ହାତ ଦେଇ ଧୀରେ ଧୀରେ ଫୁଲ ନିକଟକୁ ହାତ ନେବାପାଇଁ ଚେଷ୍ଟା କଲି୤ ଫୁଲଟି ଠିକ୍‌ ଛୁଇଁବାକୁ ଯାଉଛି, ଡାଳଟି ଭାଙ୍ଗିଗଲା୤ ଡାଳ ଭାଙ୍ଗିବା ସଙ୍ଗେ ସଙ୍ଗେ ମୁଁ ଯେଉଁ ଡାଳଟି ହାତରେ ଧରିଥିଲି ସେ ଡାଳ ମଧ୍ୟ ଭାଗିଗଲା୤ ଆଉ ଆଶ୍ରୟ ନାହିଁ୤ ଭୂମି ଉପରେ ଦୁମ୍‌ କରି କଚାଡ଼ି ପଡ଼ିଲି୤ ଦେହ ମୁଣ୍ଡ ସବୁ ଖଣ୍ଡିଆ ହୋଇଗଲା୤ ପ୍ରାୟ ଦୁଇ ମିନିଟ୍‌ ପରେ ଅଚେତ ହୋଇଗଲି୤ ତା’ ପରେ ଆଉ କ’ଣ ହେଲା ଜାଣେ ନାହିଁ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦୟାନିଧି ମିଶ୍ର
ଦୟାନିଧି ମିଶ୍ର
ଓଡ଼ିଆ କଥା ସାହିତ୍ୟରେ ଦୟାନିଧି ମିଶ୍ର(୧୮୯୧-୧୯୫୫) ଜଣେ ନିଆରା ଲେଖକ ଭାବେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ୤ ସେ ଜଣେ ଶିକ୍ଷକ, ଆଇନଜୀବୀ ଓ ରାଜନେତା ଭାବେ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ନିଜର କର୍ମମୟ ଜୀବନ ଅତିବାହିତ କରିଥିଲେ୤ ଏକତ୍ର ବିରତ୍ବ ଓ ପ୍ରଣୟର ଉପସ୍ଥାପନା କୌଶଳ, ବିଷୟବସ୍ତୁଗୁଡ଼ିକର ବିଭାଗୀକରଣ, ଆରମ୍ଭର ବୈଚିତ୍ର୍ଯ, ବିଷୟ ଗ୍ରନ୍ଥିର କ୍ରମ ଉନ୍ମୋଚନ, ବିଭିନ୍ନ ପରିସ୍ଥିତିରେ ଆବେଗ ଓ ଉତ୍ତେଜନାର ସମାବେଶ ହେଉଛି ଦୟାନିଧିଙ୍କ ଲେଖାର ବୈଶିଷ୍ଟ୍ଯ୤ ତାଙ୍କ ରଚିତ ଏବଂ ପ୍ରକାଶିତ ଗ୍ରନ୍ଥ ମଧ୍ୟରେ... [ କ୍ରମେ ସବିଶେଷ ]
ଦୟାନିଧି ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤