ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭାନୁଜୀ ରାଓ
ଦୀପକ ମିଶ୍ର
ସନ୍ୟାସୀ ନାୟକ
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ବରେନ୍ଦ୍ର କୃଷ୍ଣ ଧଳ
ରମେଶ ଚନ୍ଦ୍ର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଡ଼ମ୍ବର
 |- ମୃତ୍ୟୁଞ୍ଜୟ ରଥ
 
 
ତା: ମେ ୫, ୨୦୧୮  
 

ଆଡ଼ମ୍ବରପ୍ରିୟତା ଏ ଯୁଗର ଗୋଟିଏ ଲକ୍ଷଣ। କି ରାଜନୀତି, କି ଧର୍ମନୀତି, କି ସମାଜନୀତି, ସର୍ବତ୍ର କିଛି ହେଲେ ଆଡ଼ମ୍ବର ରହିଅଛି। ସମସ୍ତଙ୍କ ଦୃଷ୍ଟିଟା ଯେପରିକି ବାହାରେ ପଡ଼ୁଅଛି। ବାହାରର ଉନ୍ନତିରେ ସମସ୍ତେ ପ୍ରବୃତ୍ତ। ନୀଚ ଉଚ୍ଚପଦସ୍ଥଠାରୁ ପ୍ରଥମେ ବାହ୍ୟ ବିଷୟ କେବଳ ଅନୁକରଣ କରୁଅଛି। ବହିର୍ବସ୍ତୁ ଅନୁକରଣରେ କାହାର ବି ଦିବ୍ୟଦୃଷ୍ଟି ନାହିଁ। କିନ୍ତୁ ଏହିପରି ବାହାର ଦୃଷ୍ଟିରେ ଭିତରର କି ଦୁରବସ୍ଥା ହେଉଅଛି, ତାହା ଲୋକେ ଚକ୍ଷୁ ଥାଇ ସୁଦ୍ଧା ପ୍ରତ୍ୟକ୍ଷ କରିପାରୁ ନାହାନ୍ତି। ମନ ଏହି ଆଡ଼ମ୍ବର ସ୍ରୋତରେ ସଦା ଭାସମାନ ହୋଇ ବେଳେ ବେଳେ ମୂଳ ବା ଆଶ୍ରୟସ୍ଥଳରେ ବିଚ୍ୟୁତ ହୋଇ ଯାଉଅଛି। ଯେ କୌଣସି ବିଷୟରେ ବିଚାର କଲେ, ଦେଖାଯିବ, ମୂଳ ଦୃଢ଼ ନ ଥିଲେ ସମଗ୍ର ବସ୍ତୁଟି କଦାପି ସ୍ଥିର ହୋଇ ରହିପାରିବ ନାହିଁ। ସମସ୍ତେ ଯଦି ଏହି ସ୍ରୋତରେ ଭାସି ମୂଳକୁ ଅବହେଳି ଯାନ୍ତି, ତାହାହେଲେ ପରିଣାମ ଅଧଃପତନ ବିନା ଆଉ କଅଣ ହୋଇପାରେ ?

ଲୋକେ ଏହି ଛଳନାର ବଶବର୍ତ୍ତୀ ହୋଇ ପ୍ରକୃତ କଥା ପ୍ରାୟ ଗୋପନ କରିଥାନ୍ତି। ଫଳତଃ ଏହି ଛଳନାରୁ ମିଥ୍ୟାପ୍ରଚାର ଏବଂ ପ୍ରତାରଣା ସମାଜରେ ବୃଦ୍ଧି ଲାଭ କରେ। ଯେ ଯାହା ଥାଏ, ସେ ତଦପେକ୍ଷା ଆପଣାକୁ ବଡ଼ ବୋଲି ଦେଖାଇ ହେଲେ, ଲାଭ ଅପେକ୍ଷା କ୍ଷତି ଅଧିକ। ବାହାବା ନେବା କିମ୍ବା କେବଳ ପଦପ୍ରାପ୍ତିରେ ଦୃଷ୍ଟି ରହିଲେ ଆଉ ତଦୁପଯୁକ୍ତ ଯୋଗ୍ୟତା ଉପାର୍ଜନରେ ଲୋକଙ୍କର ମନ ବଳେ ନାହିଁ। କେବଳ ଉପରେ ଉପରେ ଭାସିଲେ ରତ୍ନଲାଭ ଅସମ୍ଭବ। ଆଉ ଯାହା ଅଭ୍ୟନ୍ତର ପ୍ରଦେଶରୁ ଆସି ନାହିଁ, ତାହା ସ୍ଥାୟୀ ବା ଦୃଢ଼ ନୁହେଁ ଏବଂ ତଦ୍ଦ୍ୱାରା କୌଣସି କାର୍ଯ୍ୟ ସୁସାଧିତ ହୋଇ ନ ପାରେ। ଲୋକମାନଙ୍କର ଦୃଷ୍ଟି ଆଗେ ପଦାର୍ଥର ବାହାରେ ପଡ଼େ ; ପଛେ ତାହାର ଭିତରେ- ଗୋଟିଏ ଜାତି ଅପର ସଭ୍ୟତର ଜାତିଠାରୁ କେବଳ ବହିର୍ବିଷୟ ଆଗେ ଅନୁକରମ କରେ। କିନ୍ତୁ ଅଭ୍ୟନ୍ତର ସମାନ ବା ଏକ ନ ହେଲେ ବାହାରକୁ ସଦୃଶ କରିବା ସୁସଙ୍ଗତ ନୁହେ। ଆଡ଼ମ୍ବରପ୍ରିୟତା ଦ୍ୱାରା ଏହି ଅନୁକୃତି ପରତନ୍ତ୍ରତା ଗତି କ୍ରମେ ସମାଜରେ ପ୍ରବେଶ କରିଅଛି।

କ୍ରିୟାନୁରୂପ ଆଡ଼ମ୍ବର ଆବଶ୍ୟକ। କିନ୍ତୁ ଲଘୁକ୍ରିୟହୋଇ ଆପଣାକୁ ସୀମାତିରିକ୍ତ ପ୍ରଖ୍ୟାପନ କରିବା କଦାପି ଭଲ ନୁହେ। ଚାକଚକ୍ୟପ୍ରିୟତା ହେତୁରୁ ଆମ୍ଭେମାନେ ଅନେକ ମସୟରେ ଦ୍ରବ୍ୟର ପ୍ରକୃତ ମହତ୍ୱ ବୁଝିପାରୁ ନାହିଁ। ଏହାର ଦୃଷ୍ଟାନ୍ତ ବହୁଳଭାବରେ ଆମ୍ଭମାନଙ୍କର ନିତ୍ୟ ପ୍ରତ୍ୟକ୍ଷୀଭୂତ ହେଉଅଛି। ଅନେକ ସ୍ଥାୟୀ ଦେଶୀୟ ଦ୍ରବ୍ୟ ପରିବର୍ତ୍ତରେ ସଦୃଶ୍ୟ ବୈଦେଶିକ ଦ୍ରବ୍ୟ ବ୍ୟବହାରରର ବାହୁଲ୍ୟ କ’ଣ ତନ୍ମମଧ୍ୟରେ ଗୋଟିଏ ପ୍ରଧାନ ନୁହେଁ ? ଦେଶୀୟ ଦ୍ରବ୍ୟ ଉପଯୋଗୀ ନ ହେଲେ ତାହାକୁ ଉନ୍ନତ ଏବଂ ଯୁଗଜନୋଚିତ କରିବା ଉଚିତ। କିନ୍ତୁ ଆମ୍ଭମାନଙ୍କର ବିକୃତ ରୁଚି ତେଣିକି ଅଗ୍ରସର ନ ହୋଇ ମନୋହର ବୈଦେଶିକ ଦ୍ରବ୍ୟ ପ୍ରତି ଧାବିତ। ଫଳତଃ ଏହି ଆପାତ-ମଧୁର ଚାକଚକ୍ୟପ୍ରିୟତାର ପରିଣାମ କିପରି ଭୟଙ୍କର ଏବଂ ଅଶୁଭପ୍ରଦ, ତାହା ଚିନ୍ତାଶୀଳ ବ୍ୟକ୍ତିମାତ୍ରକେ ପ୍ରତ୍ୟକ୍ଷ କରି ପାରିବେ।

ଛଳନା ଯୋଗୁଁ ଧର୍ମର ମଧ୍ୟ ଉନ୍ନତି ହୋଇପାରୁ ନାହିଁ। ଶିଖା ତିଳକାଦି ଧାରଣ ଯଥାର୍ଥ ଧର୍ମ ନୁହେଁ। ଅନ୍ତର ଶୁଦ୍ଧ ଥିଲେ କୌଣସି ପ୍ରକାର ବାହ୍ୟ ଆଡ଼ମ୍ବର ବା ଛଳନା ସ୍ପର୍ଶ କରିପାରେ ନାହିଁ। ବାହ୍ୟ ଆଡ଼ମ୍ବରରେ ଅଧିକାଂଶ ସମୟ ନଷ୍ଟକରି ବର୍ତ୍ତମାନ ଆମ୍ଭମାନଙ୍କର ଉପରଟି ଚିକ୍‌କଣ, କିନ୍ତୁ କଳୁଷିତ ଏବଂ କୀଟଦଂଷ୍ଟ ଭିତରଟି। ଐନ୍ଦ୍ରଜାଲିକ ପରି ପ୍ରକୃତିକୁ ଅନ୍ୟ ପ୍ରକାର ପ୍ରଦର୍ଶନ କରିବା କଦାପି ଭଲ ନୁହେଁ। ପ୍ରାଣ ସର୍ବଦା ନୂତନ ଲଭିବା ପାଇଁ ବ୍ୟାକୁଳ, ହୀନଗୌରବ ପୁରାତନରେ ଆଉ ତାହାର ତୃପ୍ତି ହୁଏ ନାହିଁ, କିନ୍ତୁ ଏହି ମାନସନିହିତ ବାସନାକୁ ଅବଶ୍ୟ ଆଡ଼ମ୍ୱର ବୋଲାଯିବ ନାହିଁ। ଉଲ୍ଲିଖିତ ପ୍ରସଙ୍ଗ ବ୍ୟତୀତ ଆଧୁନିକ ରୀତିନୀତି ମଧ୍ୟ କିଞ୍ଚିତ୍‌ ଛଳନାଯୁକ୍ତ।

ସାହିତ୍ୟ ସମ୍ବନ୍ଧରେ ମଧ୍ୟ ଆଲୋଚନା କଲେ ଦେଖାଯିବ, ତାହା ଘୋର ଛଳନାବୃତ। ଆଜିକାଲି ସାହିତ୍ୟ-କ୍ଷେତ୍ରରେ ବିଶେଷତଃ ଉପନ୍ୟାସ ପ୍ରହସନାଦିର ସଂଖ୍ୟା ଯେପରି ବୃଦ୍ଧି ଲାଭ କରୁଅଛି, ସେଥିରୁ ସ୍ପଷ୍ଟ ପ୍ରତୀତି ହେଉଅଛି ଯେ, ଲୋକେ ସୁଲଭ କଳ୍ପନାରାଜ୍ୟରେ ବିଚରଣ କରିବାକୁ ଉଦ୍ୟତ। ପ୍ରାଚୀନ ଆର୍ଯ୍ୟମାନେ ଗଣିତ, ଜ୍ୟୋତିଷ, ଦର୍ଶନ, ନ୍ୟାୟ, ସ୍ମୃତି ପ୍ରଭୃତି ଚିନ୍ତା ଓ ଗବେଷଣାସାଧ୍ୟ ଜଟିଳ ଶାସ୍ତ୍ର ପ୍ରଣୟନରେ ଅଧିକ ନିବିଷ୍ଟ ଥାଇ ତହିଁର ପୁଷ୍ଟିସାଧନ କରୁଥିଲେ, କିନ୍ତୁ ବର୍ତ୍ତମାନ ତାଦୃଶ କଠିନ ଶ୍ରମସାଧ୍ୟ ତତ୍ତ୍ୱଚିନ୍ତା ପ୍ରାୟ ନାହିଁ। ରଚକବୃନ୍ଦ ସ୍ୱୀୟ ରଚନାକୁ ଭାଷାରେ ଚାକଚକ୍ୟଶାଳୀ କରିବା ବିଷୟରେ ସମଧିକ ଯତ୍ନବାନ୍‌। ଲେଖାରେ ସାରବତ୍ତା ଥାଉ ବା ନ ଥାଉ, ବାକ୍ୟଗୁଡ଼ିକ ଆପାତତଃ ଶ୍ରୁତିମଧୁର ଏବଂ ସାଧାରଣ ଚିତ୍ତରଞ୍ଜକ ହେଲେ ଉଦ୍ଦେଶ୍ୟ ସିଦ୍ଧ ହେଲା। ଏପରି ଆହାର୍ଯ୍ୟକାରିତା ଦ୍ୱାରା କଣ ସାହିତ୍ୟର ନିଃସର୍ଗ ଲାବଣ୍ୟ ନଷ୍ଟ ହେଉନାହିଁ ? ଯେଉଁ ସାହିତ୍ୟରେ ସତ୍ୟକଥା ବା ବିଶ୍ୱଜନୀନ ବିଷୟ ଯେତେ ଅଧିକ ଥାଏ, ତାହା ତେତେ ଅଧିକ କାଳ ସ୍ଥାୟୀ। ବାକ୍‌ଛଟାପୂର୍ଣ୍ଣ ସାହିତ୍ୟ କଦାପି ଚିରସ୍ଥାୟୀ ହେବ ନାହିଁ। ପ୍ରସ୍ତର ଏବଂ ତଦୁପରି କୃତ ରଞ୍ଜନକାର୍ଯ୍ୟ ମଧ୍ୟରେ ଯେପରି ସମ୍ବନ୍ଧ, ସ୍ଥାୟୀ ସାହିତ୍ୟ ଏବଂ ବାକ୍‌ଛଟା ମଧ୍ୟରେ ସେହିପରି। ପ୍ରସ୍ତରର ରଙ୍ଗ ତାହାର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ ସତ୍ୟ ; ମାତ୍ର ସ୍ଥାୟିତ୍ୱ ସମ୍ବନ୍ଧରେ ତାହାର କିଛିମାତ୍ର ଶକ୍ତି ନାହିଁ। ଯାହା ମୂଳରୁ ସୁନ୍ଦର ନୁହଁ, ତାହାକୁ କ୍ରିୟାଦ୍ୱାରା ସୁନ୍ଦର କରିବାକୁ ଗଲେ ସୁଦ୍ଧା ନୈସର୍ଗିକ ସୌନ୍ଦର୍ଯ୍ୟଶାଳୀ ହୋଇ ନ ପାରେ, କିନ୍ତୁ ସମସ୍ତେ ଏହି ନିଃସର୍ଗ ସୌନ୍ଦର୍ଯ୍ୟର ପକ୍ଷପାତୀ। ଅତଏବ ସମସ୍ତଙ୍କର ବାହ୍ୟ ଚାକଚକ୍ୟ ଆଡ଼କୁ ଦୃଷ୍ଟି ନ ଦେଇ ଅନ୍ତଃସାର ପ୍ରତି ଦୃଷ୍ଟିଦେବା ଉଚିତ। ଛଳନାକୁ ମନୋମଧ୍ୟରୁ ଶୀଘ୍ର ଦୂରକରିବା ବୁଦ୍ଧିମାନ୍‌ର ସର୍ବଥା କର୍ତ୍ତବ୍ୟ।

‘ଆଡ଼ମ୍ବର’ ଲେଖକଙ୍କର ଏକ ବହୁ ଚର୍ଚ୍ଚିତ ପ୍ରବନ୍ଧ। ଲେଖକ ଏଥିରେ ସରଳ ଓ ପାଣ୍ଡିତ୍ୟପୂର୍ଣ୍ଣ ଭାଷାରେ ବାହ୍ୟ ଆଡ଼ମ୍ବରର ଅସାରତା ଦର୍ଶାଇ ସମାଜକୁ ନୂତନ ଦିଗ ଦର୍ଶନ ଦେବାପାଇଁ ପ୍ରୟାସ କରିଛନ୍ତି।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୃତ୍ୟୁଞ୍ଜୟ ରଥ
ସମାଲୋଚକ ଭାବେ ମୃତ୍ୟୁଞ୍ଜୟ ରଥ ଓଡ଼ିଆ ସାହିତ୍ୟରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଥିଲେ। ସେ ସଂସ୍କୃତ ନାଟକର ଅନୁବାଦ କରିବା ସହ ରାଧାନାଥଙ୍କୁ ଅନୁସରଣ କରି ବହୁ କାବ୍ୟକବିତା ରଚନା କରିଛନ୍ତି। ସେ ମୌଳିକ ସମାଲୋଚନାମୂଳକ ପ୍ରବନ୍ଧ ଦ୍ୱାରା ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି ସାଧନ କରିଛନ୍ତି।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤