ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ତ୍ରିନାଥ ସିଂହ
ଭଗବତୀ ଚରଣ ପାଣିଗ୍ରାହୀ
ଡକ୍ଟର ମାୟାଧର ମାନସିଂହ
ଅମରେନ୍ଦ୍ର ଖଟୁଆ
ବିରଜା ବଳ
ସନ୍ଥକବି ଭୀମ ଭୋଇ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଚାର୍ଯ୍ୟେ ଥିଲେ ବୋଲି
 |- ରାଜକିଶୋର ରାୟ
 
 
ତା: ଡିସେମ୍ବର୍ ୩୦, ୨୦୧୧  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଥରେ ନୁହେଁ, ବହୁଥର ଏ ମର୍ମସିକ୍ତ ବାଣୀ କଂଗ୍ରେସକର୍ମୀଙ୍କର କାନରେ ପଡ଼ିଛି; କିନ୍ତୁ ମହାତ୍ମାଙ୍କର ଅନଶନ ସମ୍ବାଦରେ ତାଙ୍କର ମତି ଏତେ ବିହ୍ବଳ ହୋଇଛି ଯେ, ବୁଢୀର ବିଳାପ କାନକୁ ଯାଉ ନାହିଁ୤ କେତେବେଳକୁ ବିରକ୍ତିରେ ସେ କହିଲେ-

“ଓଃ, କେତେ ବକ୍ ବକ୍ କରୁଛୁ୤ ରହ, ବିଡ଼ିଟା ଲଗାଏଁ୤ କିଲୋ ବୁଢୀ, ନିତି ଯଦି ତୁ ଇମିତି ଭିଖ ମାଗିବୁ, ତେବେ ସମାଜର ସଂସ୍ଥା ରହିବ କିପରି?” ଏହା କହି କର୍ମୀ ଜଣକ ମୋ ଉପରେ ଦୃକ୍‌ପାତ କରି “ସମାଜ-ସଂସ୍ଥା” ଭଳି ଗୋଟାଏ ରାଜନୀତିକ ଶବ୍ଦ ଶୁଣାଇ ପାରିଛନ୍ତି ବୋଲି ଆତ୍ମତୃପ୍ତିରେ ଟିକିଏ ହସିଲେ୤

ବୁଢ଼ୀ ସେଠାରୁ ଶୂନ୍ୟହସ୍ତରେ ଫେରିଆସିଲା୤ କର୍ମୀଙ୍କର ମୁହଁରେ ବିଡ଼ିଟା ବସ୍ ରାସ୍ତାର ମୋଡ଼ ବୁଲିବା ପର୍ଯ୍ୟନ୍ତ ଅଗ୍ନିକଣା ଝରାଉଥାଏ୤

ଟ୍ରେନ୍‌ର ପ୍ରକୋଷ୍ଠ ଭିତରେ ଦେବାନଠାରୁ ଆରମ୍ଭ କରି ସେହି କଂଗ୍ରେସକର୍ମୀ ପର୍ଯ୍ୟନ୍ତ ମୋର ଯାତ୍ରାସଙ୍ଗୀ ରହିଛନ୍ତି୤

ଶୀତ ସନ୍ଧ୍ୟାର ଶୀତଳ ବାୟୁ କ୍ରମେ ସୁଶୀତଳ ହୋଇଯାଉଛି୤ ଟ୍ରେନର ଗତି କମିଆସିଲା୤

ବିଜ୍ଞାନ ଅଧ୍ୟାପକ ସେତେବେଳକୁ ସିଗାରେଟ୍‌ରେ ନିଆଁ ଧରାଇଛନ୍ତି୤ ଦେୱାନ ବାବୁ ପାଇପରେ ଅଭ୍ୟସ୍ତ ୤ ତେଣୁ ତାଙ୍କ ପାଇପରୁ ସ୍ଫୁଲିଙ୍ଗ ବାହାରୁଛି୤ କର୍ମୀଙ୍କର ବିଡ଼ି ଲିଭି ନାହିଁ୤ ଗୋଟାକ ପରେ ଗୋଟାଏ ଚାଲିଛି୤ ତୈଳବୀଜ ବ୍ୟବସାୟୀ ଶେଠଜୀ ଚିଲମରେ ଖଇନ୍ ଦେଇ ଖୁଁ ଖୁଁ କରି ଟାଣି ଯାଉଛନ୍ତି୤

ଅନ୍ଧକାରର ମସୀ ତଳେ ମୋର ପ୍ରଲୁବ୍‌ଧ ଆତ୍ମା ଆଲୋକ ଖୋଜୁଛି୤ ମୁଁ କୃଷ୍ଣା ପ୍ରକୃତିକୁ ଚାହିଁ ରହିଥିଲି୤ ଦିଗ୍‌ବଳୟ ତଳେ ଗୋଟିଏ ନକ୍ଷତ୍ର ଜଳୁଥିଲା୤

ଷ୍ଟେସନ….

ସ୍ବାଭାବିକ କୋଳାହଳ୤

ଦୁଇ ମୁହୂର୍ତ୍ତ ଭିତରେ ଷ୍ଟେସନର କୋଳାହଳ ଯେପରି ସ୍ଥିର ହୋଇ ଆସିଲା୤

କିଏ ମ ? କିଏ ସେ ? କ୍ଷୀଣ କଣ୍ଠରେ କିଏ କହିଲା- “ଆଚାର୍ଯ୍ୟ”! ସେ କଣ୍ଠ ପୁଣି ସ୍ପଷ୍ଟ ଶୁଣାଗଲା-“ଆଚାର୍ଯ୍ୟ ମହାଶୟ !” ସେ ସ୍ପଷ୍ଟ କଣ୍ଠ ପୁଣି ସ୍ପଷ୍ଟତର ଶୁଣାଗଲା୤ “ଆଚାର୍ଯ୍ୟ ହରିହର”୤

ଅନ୍ୟ ଜଣେ କିଏ କହିଲା-“ଋଷିପ୍ରତିମ”୤
ମୁଣ୍ଡିଆ-
ପ୍ରଣାମ-
ମୁଣ୍ଡିଆ-
ଜୁହାର-
ପାଦଧୂଳି ଦିଅନ୍ତୁ-

ଉତ୍ତର ଶୁଭିଲା- ହଉ ବାବା, ଭଲ ଅଛ ? ଢେଙ୍କାନାଳରେ କାମ ଥିଲା, ଯାଇଥିଲି୤ ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ କହିଲି, ମୋ କଥା ପିଲାଏ ଶୁଣିଛନ୍ତି୤ ସେହି ମୋର ଶାନ୍ତି୤ ହଁ, ସତ୍ୟବାଦୀରେ ବ୍ରାହ୍ମଣେ ହଳ କଲେ୤ ମୋ ଉପରକୁ ସମସ୍ତେ ଖପ୍‌ପା୤ ହଉ ବାବା, ଭଲ ଅଛ ? ସୂତା କାଟୁଛ ତ ? ଗୀତା ପଢ଼ିବ୤ ଯେ ଯେଉଁ ନୀତିରେ ଯାଅ, ସେ ବୁଢ଼ା ଜନନାୟକଙ୍କୁ ମନରେ ରଖିଥିବ୤ କେଉଁ ଡବାରେ ବସିବା ? ଏଇଠି ବସିଗଲେ ହେବ୤ ସାରଙ୍ଗ, ତମେ ଟିକଟ ଆଣ୤

ଉତ୍କଳର ଚିର ପରିଚିତ ସେହି ପୁରୁଷକୁ ନ ଚିହ୍ନେ କିଏ ? ହାତରେ ଖଣ୍ଡିଏ ମାତ୍ର ଶଯ୍ୟାସନ ଝୁଲାଇ କାନ୍ଧରେ ଖଣ୍ଡିଏ ମୁଣା ରଖି ସେ ଉଠିଆସିଲେ ଆମରି ଡବା ଭିତରକୁ୤

ପ୍ରସନ୍ନ କାନ୍ତି, ଅନାଡମ୍ବର ଶୌର୍ଯ୍ୟ, ମୁଖ୍ୟରେ ସେହି ସାତ୍ତ୍ବିକ ହସ!!

“-ଆରେ ବାବା, ଏଇଠି ସବୁ ବସିଛ, ହଉ ବସ ବସ୤”

ଦେବାନଙ୍କ ପାଇପ ମୁହଁରୁ ଖସି ପଛ ଆଡ଼କୁ ଆଉଜି ଯାଉଛି୤ ଅଧ୍ୟାପକଙ୍କର ସିଗାରେଟ୍ ଝରକା ବାଟେ ତଳେ ପଡ଼ିଲାଣି୤ ମାରୁଆଡ଼ି ଚିଲମଟାକୁ ତଳେ ଗଡ଼େଇ ଦେଇଛନ୍ତି୤ ବିଚାରା କର୍ମୀଙ୍କର ଅବସ୍ଥା ସବୁଠୁଁ ଉଦ୍‌ବେଗଜନକ୤ ସେ କିଛିକ୍ଷଣ ନିଶ୍ଚଳ ହୋଇ ରହିଗଲେ୤ ତେଣୁ ତାଙ୍କର ଅଧରରେ ଅମାନିଆ ବିଡ଼ିଟା ଲାଗି ରହିଥିଲା୤

“କିଓ ଭାନୁଶଙ୍କର, ଧୂଆଁ ଅଭ୍ୟାସ କଲ କାହିଁକି?”

ମୁଁ ଦୂରରୁ ଦେଖୁଥାଏ, କର୍ମୀଙ୍କର ସମାଜ-ସଂସ୍ଥା ଏତିକିରେ ଭାଙ୍ଗିପଡ଼ିଲା୤ ସେ ଅସ୍ତବ୍ୟସ୍ତ ହୋଇ “ଢୁ” କରି ଗୋଟାଏ ମୁଣ୍ଡିଆ ମାରିଦେଲେ୤ ବିଜ୍ଞାନ ଅଧ୍ୟାପକ ହଠାତ୍ ଆରମ୍ଭ କରିଦେଲେ- “ଆଜ୍ଞା, ଭାରତ କଅଣ ମୌଳିକ ଶିକ୍ଷା ଯୋଜନାକୁ ଶୀଘ୍ର ଗ୍ରହଣ କରିପାରିବ?”

-“ଦାତାମାନେ, ଏ ଅନ୍ଧକୁ ଦୟାକର୤ ନିଆଶ୍ରିକ ମାଗୁଛି, ପଇସା ଅଧଲାଏ ଦିଅ୤ ଭଗବାନ ଦୟା କରିବେ୤ ଦିଅ ବାବା୤”

ଅନ୍ଧ ଗୀତ ଧରିଛି୤

ଛଳଛଳ ଆଖିରେ ଉତ୍କଳର ଋଷି ବାରଣ କଲେ-“ନାହିଁ ବାବା, ଗୀତ ବୋଲ ନାଇଁ, କଷ୍ଟ ହେବ୤ ହେଇଟି ନିଅ, କହି ଆଚାର୍ଯ୍ୟେ ଦୁଇଅଣିଟିଏ ଅନ୍ଧକୁ ବଢ଼ାଇ ଦେଲେ୤”

ସାଙ୍ଗେ ସାଙ୍ଗେ ଦେବାନ୍ କହିଲେ- “ନେ, ନୋଟଟାଏ, ଦେଖି ରଖ୤” ଅଧ୍ୟାପକ ମନିବ୍ୟାଗରୁ ଅଣ୍ଡାଳି ଆଣିଲେ ଟଙ୍କାଟିଏ, କହିଲେ-“ନେ ଟଙ୍କାଟା; ସାଇତି କରି ରଖ୤ ଆହା! ଏମାନେ ଦରିଦ୍ରନାରାୟଣ୤ ଆମେରିକାରେ ଏମାନଙ୍କୁ ସାହାଯ୍ୟ କରିବାପାଇଁ ବହୁ ପ୍ରକାରର ପାଣ୍ଠି ରହିଛି୤” ମାରୁଆଡ଼ି ଖୋସଣୀ ଫିଟାଇ କହିଲେ- “ଲେଓ, ଆଠ ଆନା, ହାମରା ଗୋଦାମକୁ ଗଇଲେ କିଛୁ ବେଶୀ ମିଳିବ ରେ୤” ଶେଷରେ କର୍ମୀ ପକେଟରୁ ବାହାର କଲେ ଚାରିଅଣା ପଇସା; କହିଲେ
-“ନେ ବାବା, ନେ, ସମାଜର ସଂସ୍ଥା ରଖିବାକୁ ହେଲେ ତୁମକୁ ହିଁ ଆଗ ଦେଖିବାକୁ ହେବ୤”

ଏ ଭିତରେ ଦୁଇଟି ଷ୍ଟେସନ ପାର ହୋଇଯାଇଛି୤ ମୁଁ ଚିତ୍ରପ୍ରତିମା ଭଳି ବସି ରହିଥାଏ୤ ଦେବାନ ସାହେବ ପାଖକୁ ଆସି ମତେ ହଲେଇ ଦେଇ କହିଲେ

-“ଆପଣ କଅଣ ଦେଖୁଛନ୍ତି?”

ମୁଁ ଉତ୍ତର ଦେଲି- “ପ୍ରକୃତି୤” ସେ ହସିଲେ; କହିଲେ- “ଅନ୍ଧକୁ କିଛି ଦେଲେ ନି?” ମୁଁ ଉତ୍ତର ଦେଲି-“ନାଁ”୤ ଦେବାନ୍ କହିଲେ “କିନ୍ତୁ ସବୁଠାରେ ମୁଁ ଦେଖିଲି ଆପଣ ଦେଇ ଆସିଛନ୍ତି୤”

ମୁଁ କହିଲି- “ହଁ, କିନ୍ତୁ ଏଠାରେ ପାରିଲି ନାହିଁ୤”
“କାରଣ?”

“-ଆଚାର୍ଯ୍ୟେ ଥିଲେ ବୋଲି…” ସେ ମୋର କାନ୍ଧ ଉପରେ ସ୍ନେହରେ ହାତ ରଖି କହିଲେ-
“ମୁଁ ଶିଖିଲି୤”

ମୁଁ ପୁଣି କହିଲି- “ମୋର ସେହି ଏକା ଉତ୍ତର; ଆଚାର୍ଯ୍ୟେ ଥିଲେ ବୋଲି….”

ଦେବାନ୍‌ବାବୁ ଏଥର ମତେ ଭଲ ଭାବରେ ଚାହିଁଲେ, ଆଉ କହିଲେ-

“ସତେ, ଆପଣ କବି ଭାବର ଲୋକ…୤”

ଟ୍ରେନ୍ ଚାଲିଥାଏ୤ ଦୂର ଚକ୍ରବାଳ ତଳେ ଏକାକୀ ସେହି ନକ୍ଷତ୍ରଟି ଆହୁରି ଦୀପ୍ତ ଦେଖାଯାଉଥାଏ୤

ମୁଁ ମୁହଁ ଫେରାଇ ଦେଖିଲି, ଆଭା କଅଣ ଲେଖୁଛି
-ତାର ଅଙ୍କ ଉପରେ ତାହାରି ଡାଏରିଟି ଢଳି ପଡ଼ିଥିଲା୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଜକିଶୋର ରାୟ
ରାଜକିଶୋର ରାୟ
ଜଣେ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ରାଜକିଶୋର ରାୟ(୧୯୧୪-୧୯୯୮) ଓଡ଼ିଆ ସାହିତ୍ୟରେ ସୁପରିଚିତ, ସୁପଠିତ ଓ ସୁପ୍ରିୟଲେଖକ୤ ତାଙ୍କ ରଚିତ ପ୍ରତ୍ୟେକ କ୍ଷୁଦ୍ରଗଳ୍ପର ବିଷୟବସ୍ତୁ ସାମାଜିକ ଘଟଣାବଳୀ ଉପରେ ପର୍ଯ୍ୟବେଶିତ ଥିଲେ ହେଁ ପ୍ରତ୍ୟେକଟି ଲେଖା ଅନ୍ୟଠାରୁ ସ୍ବତନ୍ତ୍ର୤ ଗଳ୍ପର ବିଷୟବସ୍ତୁ ନିର୍ବାଚନରେ, ତାହାର ଆରମ୍ଭ ଓ ଶେଷରେ ଉତ୍କଣ୍ଠା, ବାସ୍ତବତା,ଆକସ୍ମିକତାର ପରିବେଷଣ କୌଶଳ ବିଚାରରୁ ପୁଣି ସମସ୍ୟା ଉପସ୍ଥାପନ କରି ତାହାର ସମାଧାନକୁ ପାଠକଙ୍କ ହାତରେ ଛାଡ଼ି ଦେଇଥିବା ସିଦ୍ଧାନ୍ତ ପାଇଁ ଗାଳ୍ପିକ ଶ୍ରୀ ରାୟ ବେଶ୍ ପରିଚିତ୤... [ କ୍ରମେ ସବିଶେଷ ]
ରାଜକିଶୋର ରାୟଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ରଶ୍ମି ରଞ୍ଜନ ପରିଡା |  ଜାନୁଆରୀ ୧୧, ୨୦୧୨ - ୭:୩୮ ଅପରାହ୍ନ

    କେତେ ସୁନ୍ଦର ସତେ..
    ଏବେ ଆଉ ଏମିତି ନେତା ନାହାନ୍ତି, ଯାହାଙ୍କ ପାଦ ତଳେ ମୁଣ୍ଡିଆ ମାରି ହେବ ୤ ଛ୤ଡନ୍ତୁ ସେ କଥା..
    ଆମ ଓଡିଶାକୁ ଏବେ ବି ଅନେକ କାଙ୍ଗାଳ କହଛନ୍ତି…
    ସେଥି ପାଇଁ ଆମେ ଓଡିଆ ହିଁ ଦାୟୀ, ଆମେ ଆମକୁ, ଆମ ରାଜ୍ୟ ତଥା ଆମ ଭାଷାକୁ ଭଲ ପାଉନା ୤

  • ୨. ଅମିୟ ପ୍ରଧନ୍ |  ମାର୍ଚ୍ଚ୍ ୧୫, ୨୦୧୨ - ୮:୩୯ ପୂର୍ବାହ୍ନ

    gapa ti bahut badhia heichhi….

  • ୩. Samarendra nayak |  ମାର୍ଚ୍ଚ୍ ୨୪, ୨୦୧୨ - ୭:୩୦ ପୂର୍ବାହ୍ନ

    dhanya bad mora odia sahitya sarstanku. Mun bahare thai madhya ehaku net madhyamare padhi paruchhi mu chesta karuchi lekha deba paeen.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤