ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଛି
ତାଳଚେରଠାରୁ ରେଳ ଲାଇନ୍ ଉପରେ ଗୋଟିଏ ପାସେଞ୍ଜର ଟ୍ରେନ୍ ଗତିକରି ଆସୁଛି ଏ ଲାଇନରେ ଗାଡିର ଗତି ବଡ ମନ୍ଥର ପ୍ରତି ଧୁମ ଫୁତ୍କାରର ତାଳେ ତାଳେ କେତେଗୁଡିଏ ଲୁହାର ଚକ ଲୁହା ଧାରଣା ଉପରେ ଗଡି ଆସୁଥିଲା
ଖଇରା ଭୁଇଁ ଉପରେ ରକ୍ତରଶ୍ମି ଝରାଇ ସୂର୍ଯ୍ୟ ତଳକୁ ଯାଉଥିଲେ ଦୂର ପଲ୍ଲୀ ଭିତରେ ଗୋଟିଏ ଦୁଇଟି ଗୋଧନ ଦଳ ମାଟି ଉଡାଇ ଯାଉଥିବାର ଦୃଶ୍ୟ ଦିଶିଯାଉଥିଲା
ଟ୍ରେନ୍ ଭିତର କୋଠରୀ ଗୁଡିକରେ ପ୍ରଦୀପ ଜଳି ଉଠିଲାଣି ଆରୋହୀମାନଙ୍କର ପୂର୍ବର ପାଉଁଶିଆ ମୁହଁ ଆଲୋକିତ ହୋଇଯାଇଛି
ଚିହ୍ନିଲି, ଓଡିଶାର କୌଣସି କଲେଜର ଜଣେ ବିଜ୍ଞାନ ଅଧ୍ୟାପକ, ଓଡିଶାର କୌଣସି ଗୋଟିଏ ଗଡ଼ଜାତର ଜଣେ ଦେବାନ, ଓଡ଼ିଶାର କୌଣସି ଗାନ୍ଧୀ ଆଶ୍ରମର ଜଣେ କଂଗ୍ରେସ କର୍ମୀ ଓ ଓଡ଼ିଶାର କୌଣସି ତେଲ ମିଲ୍ର ଜଣେ ପୁଞ୍ଜିପତି ମାରୁଆଡ଼ି ଆରୋହୀ ଭିତରେ ଏମାନଙ୍କୁ ମୁଁ ଆଗରୁ ଚିହ୍ନିଥିଲି ସେମାନଙ୍କ ସହିତ ମୁଁ ଆଳାପ କରିଥିଲି ଅଚିହ୍ନା ଲୋକଙ୍କ ଭିତରେ ମାନ୍ୟବ୍ୟକ୍ତି ବୋଧହୁଏ ନ ଥିଲେ, ଗୁଣୀ ବ୍ୟକ୍ତି ବି ନଥିଲେ ଯେଉଁମାନେ ଥିଲେ, ସେମାନେ ସବୁବେଳେ ନଥିଲା ପରି ଟ୍ରେନ୍ରେ ଯାତାୟାତ କରନ୍ତି ଦେଖାଶୁଣା ଜୀବ ଏମାନେ; କିନ୍ତୁ କେହି କେବେ ଏମାନଙ୍କୁ ଦୃଷ୍ଟି ଦିଅନ୍ତି ନାହିଁ ଆଳାପ କଥା ଦୂରେ ଥାଉ
ଢାଉ ରଙ୍ଗର ଆଣ୍ଠୁ ଉପରକୁ ଖଣ୍ଡେ ଖଣ୍ଡେ ଲୁଗା ପିନ୍ଧି ଚାରି ପାଞ୍ଚ ଜଣ ପୁରୁଷ ଓ ତାଙ୍କ ସଙ୍ଗେ ସେହି ଭଳି ଦେହ ଘୋଡ଼ାଇ ଆଉ ଖଣ୍ଡେ ଖଣ୍ଡେ ଢାଉ ରଙ୍ଗର ଲୁଗା ପିନ୍ଧା ପିନ୍ଧି ମାଇପି କେତେଜଣ ବସିରହିଥିଲେ; ବେଞ୍ଚ ଉପରେ ନୁହେଁ, ତଳେ ଅଧପୋଡା ବିଡି, ଖଙ୍କାର, କଦଳୀ ଚୋପା, କୋବିପତ୍ର, ପାନପିକ ଓ ସର୍ବୋପରି ନାକର ତରଳ ଦ୍ରବ୍ୟ ପଦାର୍ଥ ସମନ୍ବୟରେ ଯେଉଁଠି ଗୋଟିଏ ଶଯ୍ୟା ପଡ଼ିଥିଲା, ସେଇଠି, ତା’ରି ଉପରେ ସେମାନେ ବସିଥିଲେ
ସେମାନେ ବଡ଼ କାକୁସ୍ଥ ଦେଖା ଯାଉଥିଲେ, ସତେ କି କେହି ତାଙ୍କୁ କରୁଣା ଦେଖାଇ ଏଡ଼େବଡ଼ ଯାନରେ ବସିବାକୁ ଆଜ୍ଞା ଦେଇଛି
ତାଙ୍କୁ ଦଣ୍ଡେ ମୁଁ ଚାହିଁ ରହିଥିଲି ଏକ ପାଖେ ଅସ୍ତାୟମାନ ସୂର୍ଯ୍ୟର ରଶ୍ମି ସଞ୍ଚାରର ଅପୂର୍ବ ଶୋଭା, ଅନ୍ୟପାଖେ ଟ୍ରେନର ଏହି ଆରୋହୀ ଦଳ
ସମ୍ବଲପୁର ଲରି ଷ୍ଟାଣ୍ଡ ପାଖେ ଗଡ଼ଜାତର ଦେବାନଙ୍କ ସଙ୍ଗେ ପ୍ରଥମେ ଦେଖା ହୋଇଥିଲା ସେ ମତେ ଚିହ୍ନି ନଥିଲେ, ପରେ ଚିହ୍ନିଲେ ବୋଧହୁଏ କେହି ଜଣେ ସେଠାରେ ମୋର ପରିଚୟ କରାଇ ଦେଇଥିଲେ ପରିଚୟ ଆଦ୍ୟପ୍ରାନ୍ତ ସୂକ୍ଷ୍ମଭାବରେ ଶେଷ ନ ହେଉଣୁ ଦେବାନ ସାହେବ ଏକପ୍ରକାର ଚିତ୍କାର କରି ଅତି ପାଖରେ ଛିଡ଼ା ହୋଇଥିବା ଜଣେ ଅଧୋବଦନା ଅଥଚ ଆଧୁନିକା ତରୁଣୀଙ୍କୁ ମତେ ଦେଖାଇ କହିଥିଲେ
“ଆଲୋ ଆଭା”, ଏ ଜଣେ ଲେଖକ ନାଁ ବୋଧହୁଏ ଶୁଣିଥିବୁ ଏ ହେଉଛନ୍ତି ଶ୍ରୀ…. ତୁ ବୋଧହୁଏ ତାଙ୍କର ବହି ତୁମ କ୍ଲାସରେ ପଢୁଥିବୁ ଏହିଭଳି ଲୋକଙ୍କ ସଙ୍ଗେ ଦେଖାହେବା ଭାଗ୍ୟର କଥା”
ମୁଁ ଲଜ୍ଜିତ ହେଲି ଆଭା ସଲଜ୍ଜ ଭାବ ଦେଖାଇଲେ ତାଙ୍କର ବ୍ରୀଡ଼ାଭାବ କାଟିଦେବା ପାଇଁ ମୋ ପ୍ରତି ତାଙ୍କର ମୃଦୁ “ନମସ୍କାର” ଧ୍ବନି ତାଙ୍କୁ ସାହାଯ୍ୟ କଲା; ମୋର ସଙ୍କୋଚ ଭାବ କାଟିଦେବା ପାଇଁ ମୋର “ପ୍ରତିନମସ୍କାର” ବାଣୀ ବୋଧହୁଏ ମତେ ସାହାଯ୍ୟ କଲା
ସମୟ ଥିଲେ ଚିନ୍ତା କରିଥାନ୍ତି, ମୋର ନାମ ସହିତ ଓଡ଼ିଶାର ବାତାବରଣ ଭିତରେ ଯେ ଗୋଟିଏ ଛୋଟ ବାୟୁମଣ୍ଡଳ ସମ୍ପୃକ୍ତ ଓ ଯାହାର ଆକୁଞ୍ଚନ ଓ ସଙ୍କୁଞ୍ଚନ ଓଡ଼ିଶାର ବହୁ କ୍ଷେତ୍ରରେ ମାର୍ଜିତ ହେଉ ବା ଆମାର୍ଜିତ ହେଉ, ଦୃଷ୍ଟ ହୁଏ, ତାହା କେତେଦୂର ଆଭାର କୁସୁମ-କୋମଳ ହୃଦୟକୁ ବିମଥିତ କରିପାରିଚି
କିନ୍ତୁ ସମୟ ନ ଥିଲା ଲରି ଛାଡିବା ସମୟ ହୋଇଥିଲା ଆଭା ବସିଲା ମହିଳାସନରେ, ଆଉ ମୁଁ ଓ ଦେବାନ୍ ବସିଲୁ ପୁରୁଷାସନରେ
ଭିକ୍ଷା ଯେଉଁ ଭିକ୍ଷୁକ ମାଗେ, ସେ ଯେ କାହିଁକି ଲରି ଛାଡ଼ିବା ବେଳକୁ, ଟ୍ରେନ୍ ଡବା ଭିତରେ, ପରୀକ୍ଷା ଦେଇଗଲା ବେଳକୁ, ହୋଟେଲ ଦୁଆର ମୁହଁରେ, ସିନେମା ଗୃହ ଆଗରେ ହାତ ପତେଇଦିଏ, ତାହା ବୁଝିବା ମନସ୍ତାତ୍ତ୍ବିକମାନଙ୍କ ପକ୍ଷରେ ସହଜ ହୋଇପାରେ ପ୍ରାଚୁର୍ଯ୍ୟ ଓ ତୃପ୍ତି ପାଖେ ଦୈନ୍ୟ ଓ ଅଭାବ କର ପତେଇ ଯେଉଁ ଅଭିଯୋଗ ବାଢ଼େ, ସେଥିରେ ରହସ୍ୟ ଅଛି, ଗ୍ଲାନି ବି ଅଛି
ବସ୍ର ଚାରିଟା ଚକ ଘୂରିବାକୁ ଆରମ୍ଭ କରିଛି କି ନାହିଁ ଗୋଟିଏ ପଙ୍ଗୁ, ଦେବାନ ବାବୁଙ୍କୁ ହାତ ପତେଇ ଦେଇଛି ଅଥର୍ବ ସେ, ପଡ଼ିଯିବାର ଭୟ ତାହାର ଥିଲା ସେହି ଭୟକୁ ଭ୍ରୁକ୍ଷେପ ନ କରି ସେ ଦଉଡ଼ି ଦଉଡ଼ି ଯୋଡ଼ ହାତରେ ମାଗୁଥାଏ “ପଇସାଟିଏ, ଗୋଟିଏ ପଇସା- ହେ, ବାବା”
ଦେବାନଙ୍କ ମୁହଁରେ ବିରକ୍ତି ଓ କ୍ରୋଧର ଚିହ୍ନ ଶେଷ ମୁହୂର୍ତ୍ତକୁ ସେ ଆବିଷ୍କାର କଲେ ଯେ, ଟିଫିନ ବାକ୍ସ ଆଭା ସଜାଡ଼ି ଆଣିଛି, ଅଥଚ ଷ୍ଟେଟ୍ର ପ୍ରସିଦ୍ଧ ରାଜୋଦ୍ୟାନ କୂପର ସ୍ବଚ୍ଛ ନୀର ସେ ସୋରେଇରେ ଆଣିପାରି ନାହିଁ ଆଭାକୁ ସେ ସେଇଠି ଚେତେଇ ଦେଇଥିଲେ ଯେ, ବମ୍ବେ ବା କଲିକତା ଗଲେ ମଧ୍ୟ ରାଜକୂପର ଜଳ ନେବାକୁ ସେ ଭୁଲନ୍ତି ନାହିଁ କାରଣ ବାଟରେ ଘାଟରେ ଯାହା ତାହା ପାଣି ପିଇବା ଅର୍ଥ ମୃତ୍ୟୁ ତା’ପରେ ଏହି ପଙ୍ଗୁଭଳି ଭିଖାରୀଗୁଡ଼ାକ ସଂସ୍ରବରେ ଯେଉଁ ମାଟିପାଣି ଆସୁଛି, ତାହା ସହିତ ସୁସ୍ଥ ଜୀବ ସଂଯୋଗ ରଖିଲେ ପ୍ରାଣ ଆଉ ରହିବ ନାହିଁ
ଡ୍ରାଇଭର୍ ବସ୍ ଛାଡ଼ିପାରୁ ନାହିଁ ଦେବାନଙ୍କର ଅସୁବିଧା ହୋଇଛି ବସ୍ ବି ସେହି ଷ୍ଟେଟ୍ ଭିତରେ ଯାଏ ଡ୍ରାଇଭରର ମନ ଖରାପ ପ୍ରଥମେ ହାତ ଯୋଡି ସେ ଷ୍ଟିଅରିଂ ଚକ୍ରକୁ ନମସ୍କାର କରିସାରିବା ପରେ ଏ ଯେଉଁ ଦୁର୍ଯୋଗ, ସେଥିରେ ତାର ରାଗ ହେଲା ବିଚାରା ଭିଖାରୀ ଉପରେ ଅକଥ୍ୟ ଭାଷାରେ ସେ କହିବାକୁ ଆରମ୍ଭ କରିଛି ଦେବାନ ବାବୁ ବି ସମର୍ଥନ କଲେ
“ଏଗୁଡ଼ାକ ଚୋର, ବଦମାସ, ବ୍ୟବସାୟ ଖୋଲିଛନ୍ତି- ବାହାର, ବାହାର”
ମୋ ପାଖରେ ଦୋପଇସିଟିଏ ନ ଥିଲା ଚାରଣି
- ସେତିକି ବଢେଇ ଦେଲି ବସ୍ ଚାଲିଲା
ଆଠମଲ୍ଲିକ-
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ରଶ୍ମି ରଞ୍ଜନ ପରିଡା | ଜାନୁଆରୀ ୧୧, ୨୦୧୨ - ୭:୩୮ ଅପରାହ୍ନ
କେତେ ସୁନ୍ଦର ସତେ..
ଏବେ ଆଉ ଏମିତି ନେତା ନାହାନ୍ତି, ଯାହାଙ୍କ ପାଦ ତଳେ ମୁଣ୍ଡିଆ ମାରି ହେବ ଛଡନ୍ତୁ ସେ କଥା..
ଆମ ଓଡିଶାକୁ ଏବେ ବି ଅନେକ କାଙ୍ଗାଳ କହଛନ୍ତି…
ସେଥି ପାଇଁ ଆମେ ଓଡିଆ ହିଁ ଦାୟୀ, ଆମେ ଆମକୁ, ଆମ ରାଜ୍ୟ ତଥା ଆମ ଭାଷାକୁ ଭଲ ପାଉନା
୨. ଅମିୟ ପ୍ରଧନ୍ | ମାର୍ଚ୍ଚ୍ ୧୫, ୨୦୧୨ - ୮:୩୯ ପୂର୍ବାହ୍ନ
gapa ti bahut badhia heichhi….
୩. Samarendra nayak | ମାର୍ଚ୍ଚ୍ ୨୪, ୨୦୧୨ - ୭:୩୦ ପୂର୍ବାହ୍ନ
dhanya bad mora odia sahitya sarstanku. Mun bahare thai madhya ehaku net madhyamare padhi paruchhi mu chesta karuchi lekha deba paeen.