ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପରଦା ତଳେ
 |- କିଶୋରୀ ଚରଣ ଦାସ
 
 
ତା: ମେ ୭, ୨୦୧୯  
 

ଠିକ୍‌ ସେହି ସମୟରେ କୃଷ୍ଣ ପକ୍ଷର ଜହ୍ନ ଉଇଁ ଆସିଥିଲା ଦିଗ୍‌ବଧୂର କୋଳରୁ ଓ ସେହି ଫିକା ଆଲୁଅ ମଝିରେ ରାଜପଥରେ ଛିଡ଼ା ହୋଇଥିଲେ ତିନୋଟି ପ୍ରାଣୀ। କୁହୁଡ଼ି କାକର, ପବନ ପାଣିରେ ଅସ୍ଥି ମଜ୍ଜା ତାଙ୍କର ଥରି ଯାଉଥିଲା-ଶରୀର ପଙ୍ଗୁ ଓ ଅସଜ ହୋଇ ପଡ଼ିଥିଲା, କିନ୍ତୁ ପେଟ ଭିତରେ ଭୋକର ନିଆଁ ଜଳୁଥିଲା ଦୁଇଗୁଣ ବେଗରେ। ତାଙ୍କ ଭିତରୁ ଜଣେ ପୁରୁଷ, ଜଣେ ସ୍ତ୍ରୀ ଓ ଜଣେ ବାଳକ।

ପୁରୁଷ କହିଲା-‘କିଲୋ, ଆଜି ଖାଇବାକୁ ଅଛି ନା ? ମୋ କପାଳରେ ଆଉ ଭିକ ଜୁଟିବ ନାହିଁ, ଆଉ ତୁ ଯଦି ନ ଆଣିବୁ-
‘ମୁଁ ମାଇପିଟା କଣ ଆଣିବି-ଯାହା ଦି’ଟା ଆଣିଥିଲା ତା’ତ ଟୋକାଟା ଖାଇ ଦେଲା-ଆଉ ମୋ ପାଖରେ କଣ ଅଛି ? ପିଲାଟା ପାଟି କରି ଉଠିଲା-‘ନାଇଁ ମୁଁ ଖାଇନାହିଁ, ମିଛ କହୁଛି- ସେ ନିଜେ’।

ପୁରୁଷ ଗର୍ଜି ଉଠି କହିଲା-ଶାଳୀ ମୋତେ ଏମିତି ଭଣ୍ଡଉଛୁ ସବୁ ଦିନେ। ଆଜିକୁ ତିନିଦିନ ହେଲା ମୁଁ ଓପାସରେ ଅଛି-ଆଉ ତୁ ମଜାରେ ଖାଉଛୁ ନା ? ବଦମାସ-ଶାଳୀ-

ମାଇପିଟା ଦୁଇ ହାତ ପଛକୁ ଘୁଞ୍ଚିଯାଇ ପାଟି’ କରି ଉଠିଲା-
‘ନାଇଁ ଲୋ, ମୁଁ ଖାଇନାହିଁ ସତ କହୁଛି, ସତ। ତା’ କଥା ସରିବା ଆଗରୁ ପୁରୁଷର କଦାକାର ହାତ ଥରି ଥରି ବାଜିଲା ସ୍ତ୍ରୀର ଶୁଖିଲା ପାଉଁଶିଆ ମୁହଁ ଉପରେ। ଅବଶ ଦେହରେ ମାଡ଼ ସମ୍ଭାଳି ନ ପାରି ସେ ପଡ଼ିଗଲା ରାସ୍ତା କଡ଼ରେ। ପାଖରେ ଥିବା ପଥରରେ କପାଳଟା ବାଡ଼େଇ ହୋଇ ଗଲା-ଝରି ପଡ଼ିଲା ନାଲି ରକତର ଧାର। ଧଳା ଚାନ୍ଦିନୀର କୋଳରେ ନାଲି ରକତ ଦିଶିଲା ଉଜ୍ଜ୍ୱଳ, ଶୋଭନୀୟ !!

ପିଲାଟା ଚେଁଚେଁଇ ଉଠିଲା ଗଭୀର ନୈଶ୍ୟ ନିସ୍ତବ୍‌ଧତା ଭେଦ କରି।
x x x

ତା ଆରଦିନ ସକାଳେ ମଧୁର ସ୍ୱପ୍ନର ସଂସାରରୁ ଉଠି ନିର୍ମଳ ବାବୁ ଶୁଣିଲେ ତାଙ୍କର ଚାକରଠାରୁ ଯେ ଗୋଟାଏ ଭିକାରୁଣି ମରି ପଡ଼ିଛି ରାସ୍ତାକଡ଼ରେ। କିଏ ମାରିଛି କିଛି ଜଣା ପଡ଼ିନାହିଁ। ନିର୍ମଳ ବାବୁଙ୍କର ମନେ ପଡ଼ିଗଲା କାଲି ରାତିରେ ଦେଖିଥିବା କଦାକାର ଭିକାରୀର ବିକୃତ ମୁହଁ। ସେ ଭାବିଲେ “ ଓଃ କି ଅସଭ୍ୟ, କୁତ୍ସିତ, ବଦମାସ ଲୋକ ଜଣେ ଜଣେ ଥାଆନ୍ତି ପୃଥିବୀରେ।”

ଖାଇପିଇ ସାରିଲା ପରେ ରେଡିଓର ସଙ୍ଗୀତ ମୂର୍ଚ୍ଛନା ଶୁଣୁ ଶୁଣୁ ତାଙ୍କୁ କିଏ ଜଣେ କହିଲା ଯେ, ଖୁନୀ ଧରା ପଡ଼ିଛି ଓ ସେ ହେଉଛି ଜଣେ ଭିକାରୀ। ତାକୁ ଖୁନୀ ବୋଲି କହିଦେଲା ଗୋଟାଏ ବାର ବରଷର ପିଲା। ନିର୍ମଳ ବାବୁ ଯୁଗପତ୍‌ ପ୍ରସନ୍ନ ଓ ଆଶ୍ଚର୍ଯ୍ୟ ହୋଇ ‘ହୁଁ’ ଟିଏ ମାରି ପୁଣି ସଙ୍ଗୀତ ଝଙ୍କାରରେ ଢାଳି ଦେଲେ ତାଙ୍କର ମନ।

ସନ୍ଧ୍ୟା ନହେଉଣୁ ନିର୍ମଳ ବାବୁ ଦେଖିଲେ ତାଙ୍କ ଦାଣ୍ଡ ଆଡ଼େ ଦୁଇଜଣ ପୁଲିସ ଗୋଟାଏ ଲୋକକୁ ଧରି ନେଉଛନ୍ତି ହାଜତକୁ-ଆଉ ସେ ଲୋକଟା ହେଉଛି ସେହି କାଲି ରାତିର କଦାକାର ମଣିଷ। ପଚାରିଲାରୁ ବୁଝିଲେ ଯେ, ସେ ସେହି ଭିକାରୁଣୀକୁ ମାରିଥିବା ଦୋଷରେ ଧରା ହୋଇ ଯାଉଛି। ସେ ମନେ ମନେ ଭାବିଲେ-ଓଃ କି କୁତ୍ସିତ କଦର୍ଯ୍ୟ ଲୋକ ! ବିଶ୍ୱବିଧାତାଙ୍କ ଗୋଟାଏ କିମ୍ବୂତ କିମାକାର ସୃଷ୍ଟି !!

ତାଙ୍କ ଭାବନା ସୁଅରେ ବାଧାଦେଇ ଶଶାଙ୍କ ବାବୁ ପହଞ୍ଚିଗଲେ, କହିଲେ “ କିହେ, କାଲି ସିନେମା ଦେଖିବାକୁ ଯାଇଥିଲ ପରା! କିପରି ଲାଗିଲା !”

ଖୁବ୍‌ ଭଲ-‘ବିଶେଷତଃ ଭିକାରୀ ପାର୍ଟଟା ହୋଇଥିଲା ବଡ଼ artstic ଓ true to life’
“ଚାଲ, ଆଜି ଆଉଥରେ ଯିବ ମୋ ସାଙ୍ଗରେ”
‘ହଉ’
ପାଞ୍ଚ ମିନିଟ ପରେ ସୌଖୀନ କାର୍‌ରେ ଦୁଇ ଜଣ ଯାକ ଚାଲିଗଲେ ରୂପେଲି ପରଦାରେ କେଉଁ ଭିକାରୀର ଛବି ଦେଖିବାକୁ।

୧୯୪୨ ମସିହାରେ ସେତେବେଳର ବହୁଳ ପ୍ରସାରିତ ପତ୍ରିକା ‘ନବୀନ’ରେ ପ୍ରକାଶିତ ଏହି ଗଳ୍ପଟି ଲେଖକଙ୍କର ପ୍ରଥମ ପ୍ରକାଶିତ ଗଳ୍ପ। ସେତେବେଳେ ଲେଖକଙ୍କୁ ମାତ୍ର ୧୮ବର୍ଷ ହୋଇଥିଲା।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କିଶୋରୀ ଚରଣ ଦାସ
କିଶୋରୀ ଚରଣ ଦାସ
ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସହିତ ଜଣେ ବଳିଷ୍ଠ ସାହିତ୍ୟିକ ଭାବେ କିଶୋରୀ ଚରଣ ଦାଶ(୧୯୨୪-୨୦୦୪)ଙ୍କ ଲେଖାଗୁଡ଼ିକ ଅଜସ୍ର ପାଠକୀୟ ସ୍ବୀକୃତି ଲାଭ କରିଛି। ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଶ୍ରୀ ଦାଶ ଲେଖନୀ ଚାଳନା କରିବା ସହିତ ଜଣେ ଅନୁବାଦକ ଭାବେ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲେ। ସରଳ ଓ ସାବଲୀଳ ଭାଷା ବ୍ୟବହାର କରୁଥିବା ଶ୍ରୀ ଦାଶଙ୍କର ସମସ୍ତ ଲେଖାରେ ସାଧାରଣ ଲୋକଙ୍କର ଜୀବନଶୈଳୀ ସହିତ ଦୈନନ୍ଦିନ ଜୀବନର ଅନୁଭୂତି ଓ ରୋମାଞ୍ଚ ଭରି ରହିଛି। ଓଡ଼ିଶା ସାହିତ୍ୟ... [ କ୍ରମେ ସବିଶେଷ ]
କିଶୋରୀ ଚରଣ ଦାସଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤