ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପରଦା ତଳେ
 |- କିଶୋରୀ ଚରଣ ଦାସ
 
 
ତା: ମେ ୭, ୨୦୧୯  
 

ରୂପେଲି ପରଦାରେ ଫୁଟି ଉଠିଲା କେତେ ରକମର ଛବି-କେତେ ହସକାନ୍ଦର ଅସରନ୍ତି କଥା। ଭିକାରୁଣୀ ରୂପରେ କେତେ ରୂପସୀ ‘ତାରକା’ଙ୍କ ରକ୍ତିମ ଅଧରରେ ଖେଳିଗଲା ମନ ଭୁଲାଣିଆ ହସ, କଣ୍ଠରୁ ବାହାରିଲା ସ୍ୱରର ଝଙ୍କାର, କଜଳ-କଳା ଆଖିରୁ ଝରି ପଡ଼ିଲା ବୁକୁଫଟା ଲୁହର ଧାର। ଭିକାରୀ ରାଜଦ୍ୱାରରେ ଗାଇଲା ବାଦ୍ୟ ସମ୍ବଳିତ ଭଜନ। ଗରିବ ହୋଇ ମଧ୍ୟ, ତାର ସରଳ ଜୀବନ କିପରି ବିତିଗଲା ସୁନ୍ଦର, ମଧୁର ଭାବରେ, ସଂସାରରେ ଦୁଷ୍ଟ ଲୋକଙ୍କର ଶତ ଯାତନା ଏଡ଼ିଦେଇ-ଶେଷରେ କିପରି ହେଲା ସତ୍ୟର ଜୟ-ଧର୍ମର ଜୟ-ଏ ସବୁର ନିଖୁଣ ଛବି ଫୁଟିଉଠିଥିଲା ସେହି ବଡ଼ ସିନେମା ଘରର ଶୁଭ୍ର ପରଦା ଉପରେ। କରତାଳି ନାଦରେ ପୂରି ଉଠିଲା ପ୍ରେକ୍ଷାଗୃହ। କ୍ରମେ ଆଲୁଅ ଲିଭିଗଲା ଓ ଗୋଟି ଗୋଟି ଦର୍ଶକ ସବୁ ଚାଲି ଆସିଲେ ବାହାରକୁ। ସମସ୍ତଙ୍କ ମୁହଁରେ ଗୋଟାଏ କଥା-‘ଚମତ୍କାର’ Marvellous।

ଚକୋଲେଟ୍‌ ରଙ୍ଗର ମରିସ କାରରେ ବିଲାତି ପୋଷା କୁକୁରଟିଏ ଅପେକ୍ଷା କରିଥିଲା ନିର୍ମଳ ବାବୁଙ୍କ ପାଇଁ। ନିର୍ମଳବାବୁ ପଦାକୁ ବାହାରି ଆସି କାଶ୍ମିରୀ ଶାଲ୍‌ଟି ଆଡ଼େଇ ଦେଇ, ତାଙ୍କ ହାତ ମଣିବନ୍ଧରେ ଥିବା ସୁନା ଘଣ୍ଟାଟି ଦେଖି କହି ଉଠିଲେ-‘ By jove ! ସାଢ଼େ ଦଶ ବାଜିଲାଣି।’ ସଙ୍ଗେ ସଙ୍ଗେ ସେ ଯାଇ ବସିଲେ କାରର ମଖମଲ କୁସନ ଉପରେ। ଇଲେକ୍‌ଟ୍ରିକ୍‌ ହର୍ଣ୍ଣ୍‌ ପିଁ ପିଁ ହୋଇ ବାଜି ଉଠିଲା ଓ ଗାଡ଼ି ଚାଲିଲା ବଡ଼ ସହରର ପିଚୁ ଢଳା ରାସ୍ତା ଉପରେ।

ବାହାରେ ପଉଷ ମାସର କଲିଜା ଥରା ଶୀତ। କଳା ରାତି ସାଙ୍ଗରେ କୁହୁଡ଼ି ମିଶିଯାଇ କିଛି ବାରି ହେଉ ନ ଥାଏ। ହେମାଳିଆ ପବନରେ ଥରି ଯାଉଥାଏ ଆକାଶ ଧରଣୀ। ସବୁଜ ପତରରୁ କାକର ଥୋପା ଥୋପା ହୋଇ ଝରି ପଡ଼ୁଥାଏ, ତରୁଣର ନିରାଶ ପ୍ରାଣର କ୍ରନ୍ଦନ ପରି।

କିନ୍ତୁ ସେ ବାହାରର ସଂସାର ସହିତ ନିର୍ମଳ ବାବୁଙ୍କ ସମ୍ପର୍କ କ’ଣ ? ରୂପେଲି ପରଦାର ରୂପେଲି ଛବି ଦେଖିଲାବେଳେ ପରଦା ତଳେ କଣ ଅଛି ତା କିଏ କେବେ ଭାବେ କି ?

ଗୋଟାଏ ଛକରେ ଗାଡ଼ି ବୁଲାଇଲା ବେଳେ ମଟରର head light ପଡ଼ିଲା ଗୋଟାଏ କଦାକାର ଜୀବ ଉପରେ। ସେ ହେଉଛି ମଣିଷ-କିନ୍ତୁ ଗଛ ତଳର ମଣିଷ-ସଭ୍ୟ, ସୁନ୍ଦର ସମାଜର ରୂପେଲି ପରଦାର ତଳେ କେଉଁ ଅନ୍ଧାରି କୋଣରେ। ଆଖିରେ ତାର ବିଭତ୍ସ ଦୃଶ୍ୟ। ଅପରିଷ୍କାର କୁତ୍ସିତ ମୁହଁରେ ତାର ଯୁଗଯୁଗର ଆବର୍ଜନା ସତେ ଯେପରି ଠୁଳ ହୋଇ ରହିଛି। ସାତ ଜାଗାରେ ଚିରା କୁରୁତା ଉପରୁ ଫୁଟିଉଠୁଛି କଦର୍ଯ୍ୟ କଳା ଚମଡ଼ାର ଅଂଶ, ଯାହାକୁ ଦେଖିଲେ ବିକାର ଜାତ ହେବ। ତାର ସେ ରୂପ ଦେଖି ନିର୍ମଳ ବାବୁ ଭାବିଲେ-‘ସିନେମା ଛବିରେ ତ ଏପରି ଭିକାରୀର ରୂପ ନଥିଲା ! ଏହାର ରୂପରେ ତ ନାହିଁ ସରଳ, ଉନ୍ନତ ପ୍ରାଣର ଚିହ୍ନ-ତା’ ବଦଳରେ ହୁଏତ ଅଛି ହତ୍ୟା, ମହାମାରୀର ବିଭୀଷିକା !! ନାଃ-ଏ ଗୋଟାଏ ମଣିଷ ନାମଧାରୀ ଅସ୍ୱାଭାବିକ ଜନ୍ତୁ, ଏହା ମନେ ମନେ କହି ନିର୍ମଳ ବାବୁ ଦ୍ୱିଗୁଣ ବେଗରେ କାର୍‌ ଚଳାଇବାକୁ ଲାଗିଲେ।

କାର୍‌ ଆସି ଛିଡ଼ା ହେଲା ‘ନିର୍ମଳ ଭବନ’ର portico ରେ। ପୋଷାକଧାରୀ ଚପରାଶି ସଲାମ କରି ସଙ୍ଗେ ସଙ୍ଗେ ଗାଡ଼ିର କବାଟ ଫିଟାଇ ଦେଲା। ନିର୍ମଳ ବାବୁ ବାହାରି ଆସିଲେ ବିଲାତି କୁକୁରଟି ସାଙ୍ଗରେ ଧରି। ରାତିର କଳା ଅନ୍ଧାର, କୁହୁଡ଼ି ଓ ଶୀତୁଆ ପବନକୁ ପଛରେ ପକେଇ ଦେଇ ସେ ଚାଲିଗଲେ ତାଙ୍କର ବିଜୁଳିଆଲୁଅ ଦିଆ ଘରକୁ। Spring ଦିଆ ଗଦି ପଡ଼ିଥାଏ ଚିକ୍‌କଣ କଳା ପଲଙ୍କ ଉପରେ। ତା ଉପରେ ଧୋବ ଫରଫର ଚାଦର। ତା’ ଉପରେ ଫୁଲ କାମକରା ତକିଆ ଦିଓଟି, ଗୋଟିକରେ ନିର୍ମଳବାବୁ ଓ ଅନ୍ୟଟିରେ ତାଙ୍କ ନବ ପରିଣୀତା ପତ୍ନୀ ସରସୀ। ଖିଆପିଆ ସାରି ସେହି କୋମଳ ଶଯ୍ୟାରେ, ସରସୀର ଗଳା ବେଷ୍ଟନ କରି ନିର୍ମଳ ବାବୁ ଭାବିଲେ ‘ ସଂସାରଟା କେତେ ମଧୁର କେତେ ସରସ, କେତେ ସ୍ୱପ୍ନମୟ ସତେ !!

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କିଶୋରୀ ଚରଣ ଦାସ
କିଶୋରୀ ଚରଣ ଦାସ
ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସହିତ ଜଣେ ବଳିଷ୍ଠ ସାହିତ୍ୟିକ ଭାବେ କିଶୋରୀ ଚରଣ ଦାଶ(୧୯୨୪-୨୦୦୪)ଙ୍କ ଲେଖାଗୁଡ଼ିକ ଅଜସ୍ର ପାଠକୀୟ ସ୍ବୀକୃତି ଲାଭ କରିଛି। ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଶ୍ରୀ ଦାଶ ଲେଖନୀ ଚାଳନା କରିବା ସହିତ ଜଣେ ଅନୁବାଦକ ଭାବେ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲେ। ସରଳ ଓ ସାବଲୀଳ ଭାଷା ବ୍ୟବହାର କରୁଥିବା ଶ୍ରୀ ଦାଶଙ୍କର ସମସ୍ତ ଲେଖାରେ ସାଧାରଣ ଲୋକଙ୍କର ଜୀବନଶୈଳୀ ସହିତ ଦୈନନ୍ଦିନ ଜୀବନର ଅନୁଭୂତି ଓ ରୋମାଞ୍ଚ ଭରି ରହିଛି। ଓଡ଼ିଶା ସାହିତ୍ୟ... [ କ୍ରମେ ସବିଶେଷ ]
କିଶୋରୀ ଚରଣ ଦାସଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤