ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବରେନ୍ଦ୍ର କୃଷ୍ଣ ଧଳ
ରାଜକିଶୋର ରାୟ
ଆଶିଷ କୁମାର କର
ସେନାପତି ପ୍ରଦ୍ୟୁମ୍ନ କେଶରୀ
ରଜତ କୁମାର ମିଶ୍ର
ତ୍ରିନାଥ ସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦଉଡ଼
 |- ଗୋପୀନାଥ ମହାନ୍ତି
 
 
ତା: ସେପ୍ଟେମ୍ବର୍ ୧୪, ୨୦୧୫  
 

ସମୁଦ୍ରର ବାଲିପନ୍ତା ଉପରେ ସେ ଗୋଟାଏ ଲମ୍ବ ଲଟା, ତା ଚେର ପାଇଁ ମାଟି ନାହିଁ, ଖାଲି ଘୁଙ୍ଗା ବାଲି, ମିଠା ପାଣି ନାହିଁ। ସମୁଦ୍ରର ଉଛୁଳା ଲୁଣିପାଣି, ତଥାପି ସେ ବି ଗୋଟିଏ ଶାଗୁଆ ଛନଛନିଆ ଉଦ୍ଭିଦ। ନାଁ ତା’ର ଗୁଡ଼କଙ୍କ।

କିଏ କାହିଁକି ତାକୁ ଚାହୁଁ ଚାହୁଁ ଗୁଡ଼ କଥା ଭାବିଥିଲା ତା ଜଣା ନାହିଁ, ଝିଙ୍କକାଠି ପରି ଠିଆ ଠିଆ ଲମ୍ବ ଲମ୍ବ, ଶୁଖିଲା ବାବୁଲ୍‌ କଣ୍ଟା ପରି ସରୁ ସରୁ ଆଉ ନିରସ, ଆକୃତିରେ କଦମ୍ବ ଫୁଲ ପରି, ଆକାରରେ ଫୁଟ୍‌ବଲ୍‌, ସେହି ତା’ର ଫୁଲ, କେତେବେଳେ କଢ଼ ଧରେ କେତେବେଳେ ଫୁଟେ ଆଉ ଶୁଖେ, ତା’ପରେ ଗୋଟାଛାଏଁ ସେହି କଣ୍ଟାଳିଆ ପିଣ୍ଡୁଳା କେତେବେଳେ ବୃନ୍ତଚ୍ୟୁତ ହୁଏ, ଏଣେ ତେଣେ ଧାଇଁବୁଲେ। ଗୁଡ଼କଙ୍କ କହିଲେ ଆଖି ଆଗରେ ଉଭା ହୁଏ ସେହି ଶୁଖିଲା ଟାଆଁସିଆ ସରୁ ସରୁ କଣ୍ଟା କାଠିଖଞ୍ଜା ଫୁଲଟିମାନ। କଣ୍ଟାମୁନରେ ଭରାଦେଇ ଭୂଇଁ ଉପରେ ଠିଆ ହୋଇଥାନ୍ତି, କେତେବେଳେ ତାଙ୍କ ଦେହରେ ଲାଗେ ସାମାନ୍ୟତମ ପବନର ହାବୁକା, ହଠାତ୍‌ ଦୌଡ଼ନ୍ତି। ଟଳି ଟଳି ଦୌଡ଼ିଲାବେଳେ, ଅନାଇଁଲେ ଲାଗେ ସତେ ଅବା ସେଗୁଡ଼ାକ କଣ ଜୀଅନ୍ତା ପ୍ରାଣୀ, ନିଜ ଇଚ୍ଛାରେ ନିଜ ନିଷ୍ପତ୍ତି ପ୍ରକାରେ ଦୌଡ଼ନ୍ତି ଅଥବା ବିଶ୍ରାମ କରନ୍ତି। ଏଠିକି ଯାଆନ୍ତି କି ସେଠିକି ଯାଆନ୍ତି, ପରାଧିନ ନୁହଁନ୍ତି, ସ୍ୱାଧୀନ।

ଦି’ପହର ଗଡ଼ିଆସୁଥାଏ। ନିଛାଟିଆ ବାଲିପନ୍ତା। ଶାଗୁଆ ସମୁଦ୍ର ମଠେଇ ମଠେଇ ଗଡ଼େଇ ଲାଗିଥାଏ କାଚପରି ଢେଉ। ମୁଁ ଯେଉଁଠି ବସିଥାଏ ସେପଟେ ଚଢ଼େଇଟିଏ ବି ଉଡ଼ୁ ନଥାଏ। ଖାଲି ବାଲି, ପାଣି, ଉପରେ ଆକାଶ, ଦ୍ରଷ୍ଟା ଏକା ମୁଁ।

ସେତିକିବେଳେ ମୁଁ ଲକ୍ଷ କଲି ସେମାନଙ୍କୁ। ବାଲିବନ୍ତ ଉପରେ ଧାଡ଼ି ହୋଇ ସାତଟି ଗୁଡ଼କଙ୍କ ଫୁଲ। ସେମାନେ ସତେକି ନିଶ୍ୱାସ ରୋଧି ଉତ୍ସୁକ ହୋଇ ଅପେକ୍ଷା କରିଥିଲେ, ସେଉଠୁ କାହା ନିର୍ଦ୍ଦେଶ ପାଇଲେ କେଜାଣି ଦୌଡ଼ିବାକୁ ଆରମ୍ଭ କଲେ। ଭାରି ଉତ୍ସାହ ଲାଗୁଥାଏ ସେ ଦଉଡ଼ ଦେଖିବାକୁ। ଏକା ସମୟରେ ଏକାଠି ସେମାନେ ବାହାରିଛନ୍ତି, ସତେ ଯେମିତି ଏକା ଦିନ ଏକା ମୁହୂର୍ତ୍ତରେ ଏ ସଂସାରରେ ଜନ୍ମ ହୋଇଥିବା ସାତଟି ଛୁଆ। ଏକା ଜୀବନ- ଦ୍ୟୋତନାରେ ପ୍ରତ୍ୟେକ ପରିଚାଳିତ, ସତେ ଅବା ସମାନ ସୁଯୋଗ ସୁବିଧା ସମସ୍ତିଙ୍କର। ସେମିତି ସମସ୍ତଙ୍କ ସାମ୍ନାରେ ପଟା ପରି ବାଲି ଲମ୍ବିଛି, ଅଟକେଇବାକୁ କିଛି ନାହିଁ।

ଅଳ୍ପବାଟ ଯାଇ ଗୋଟାଏ ମାଦଳ ହୋଇ ପଡ଼ି ରହିଲା। ଆଉ ଟିକିଏ ଗଲାରୁ ଦି’ଟା ଅଲଗା ଅଲଗା ହୋଇ ଗଡ଼ି ଗଲେ ସମୁଦ୍ର ପାଣିକି, ଆଉ ଖଣ୍ଡେ ଆଗରେ ଆହୁରି ଗୋଟାଏ ଅଟକିଗଲା। ଆହୁରି ଚାଲିଥାନ୍ତି ତିନିଟା, ହଠାତ୍‌, ଗୋଟଏ ଉପରକୁ ଉଠିଗଲା ଆଉ ଶୂନ୍ୟେ ଶୂନ୍ୟେ କୁଆଡ଼େ ଉଡ଼ି ଉଡ଼ି ଚାଲିଗଲା। ଦଉଡ଼ୁଥାନ୍ତି ଦି’ଟା, ଗୋଡ଼ିଆଗୋଡ଼ି ଆଗ ପଛ ଜଣେ ଆଉ ଜଣକୁ ଛୁଏଁ ନ ଛୁଏଁ। ଆଗଟାର କଣ ବିଗିଡ଼ିଗଲା ସେ ଅଟକିଗଲା। ଚାଲିଥାଏ ପଛଟା ଟଳିଟଳିକା, ସାତଜଣ ବାହାରିଥିଲେ, ଚାଲିଛି ସେ ଏକୁଟିଆ। କେହି ତା’ର ପ୍ରତିଦ୍ୱନ୍ଦି ବି ନାହାଁନ୍ତି।

ହଠାତ୍‌ ପଛରୁ ବିଜୁଳି ବେଗରେ ଧାଇଁ ଧାଇଁ ଆଇଲା ଆଗେ ଟଳି ପଡ଼ିଥିବା ଭିତରୁ ଗୋଟାଏ। କି ପରିବର୍ତ୍ତନ ତା’ଠିଁ। କଳ୍ପନାତୀତ। ଅଳ୍ପ ସମୟ ପରେ ଆଗର ଗୁଡ଼କଙ୍କକୁ ଟପି ଆଗେ ଆଗେ ଦୌଡ଼ିଲା।

କେଉଁଠି ଏ ଦଉଡ଼ା ଦଉଡ଼ିର ଶେଷ ମୁଁ ଜାଣିପାରିଲି ନାହିଁ। ଆଜି ଆଗ କାଲି ପଛ, ଆଜି ତଳେ କାଲି ଉପରେ।

ଚାହିଁ ରହିଥିଲି। ସମୁଦ୍ର ଫୁଲସ୍ତରା ମାରି ଉଠିଲା, ଲହଡ଼ି ଗଡ଼େଇଲା। କୂଳ ଉପରକୁ, ଆହୁରି ଉପରକୁ। ଗୁଡ଼କଙ୍କମାନଙ୍କ ଦଉଡ଼ ଖେଳରେ ବାଲି ବି ଗଲା ବୁଡ଼ି। ଗୋଟାଏ ଯୁଗ ଶେଷ ହେଲା।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋପୀନାଥ ମହାନ୍ତି
ଗୋପୀନାଥ ମହାନ୍ତି
ଚଳିତ ଶତାବ୍ଦୀର ଭାରତୀୟ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗୋପୀନାଥ ମହାନ୍ତି (୧୯୧୪-୯୧) ଉଲ୍ଲେଖନୀୟ ଗୁରୁତ୍ବର ଅଧିକାରୀ୤ ଆଦିବାସୀ ଜନଜୀବନ, ସୁଖ-ଦୁଃଖ, ସଂଘାତ-ସଂଘର୍ଷ, ସ୍ବପ୍ନ ଓ ସମ୍ଭାବନାର ଚିତ୍ର ତାଙ୍କ ଲେଖନୀରେ ବାସ୍ତବରୂପ ଧାରଣ କରିଥିଲା୤ ମୁଖ୍ୟତଃ ଜଣେ ଔପନ୍ୟାସିକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ ମଧ୍ୟ ତାଙ୍କ ରଚିତ କ୍ଷୁଦ୍ରଗଳ୍ପଗୁଡ଼ିକ ବେଶ୍ ମାର୍ମିକ ଥିଲା୤ ଏହା ସହିତ ସେ ଜଣେ ଅନୁବାଦକ ସହିତ ଦୁଇଟି ଜୀବନୀ ଓ ନିଜର ଆତ୍ମଜୀବନୀ ମଧ୍ୟ ଲେଖିଥିଲେ୤ ମଣିଷର ବିଭିନ୍ନ ଅବସ୍ଥା ସହିତ ପରିବେଶ ଓ... [ କ୍ରମେ ସବିଶେଷ ]
ଗୋପୀନାଥ ମହାନ୍ତିଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤