ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଅନନ୍ତ ପଟ୍ଟନାୟକ
ଜୟନ୍ତ ମହାପାତ୍ର
ଶକ୍ତି ମହାନ୍ତି
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଭାନୁଜୀ ରାଓ
ଫନି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଓଡ଼ିଆ ଭାଷା, ଜାତି ଓ ଜାତୀୟତା
  ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
 
 
ତା: ଅକ୍ଟୋବର୍ ୨୧, ୨୦୧୧  
ମୂଳ ପୃଷ୍ଠାସାହିତ୍ୟ ଓ ସଂସ୍କୃତି
 

ଶ୍ରୀଜଗନ୍ନାଥଙ୍କ କରୁଣାରୁ ଓଡ଼ିଆମାନେ ପ୍ରାଚୀନ ଯୁଗରୁ ଉତ୍କୃଷ୍ଟ କଳା କୌଶଳ ଜ୍ଞାତ, ସାମୁଦ୍ରିକ ବାଣିଜ୍ୟ ସମୃଦ୍ଧ ତଥା ସମରବିଶାରଦ ଜାତି ରୂପେ ବିଶ୍ବ ଦରବାରରେ ସ୍ବତନ୍ତ୍ର ଆସନ ଅଳଙ୍କୃତ କରିଥିଲେ୤ ଖ୍ରୀଷ୍ଟପୂର୍ବ କାଳରୁ ଓଡ଼ିଶାର ପ୍ରାକୃତିକ ପରିବେଶ, ସାଂସ୍କୃତିକ ପୃଷ୍ଠଭୂମି ଓ ସାମାଜିକ ପରମ୍ପରାରୁ ଓଡ଼ିଆ ଭାଷାର ଉନ୍ମେଷ ଘଟି ଭାରତର ପୂର୍ବାଞ୍ଚଳରେ ଏହା ଏକ ସମୃଦ୍ଧ ଆର୍ଯ୍ୟଭାଷା ରୂପେ ପ୍ରତିଭାତ ହୋଇଥିଲା୤ ଗୌରବର କଥା, ପ୍ରାଚୀନ ଯୁଗରୁ ଓଡ଼ିଆ ଜାତି ଆପଣାର ଭାଷା ଓ ସଂସ୍କୃତିକୁ ଆଧାର କରି ଓ ଜାତୀୟତାର ସ୍ବାଭିମାନରେ ସୁରଭିତ ହୋଇ ଭାରତୀୟ ଉପମହାଦେଶସ୍ଥ ପୂର୍ବ ମହୋଦଧି ତଟରେ ଆଗଙ୍ଗାଗୋଦାବରୀ ବିଶାଳ ଓଡ଼ିଶା ସାମ୍ରାଜ୍ୟ ଗଠନ କରିଥିଲେ୤

ଓଡ଼ିଆ ଜାତିର ପ୍ରାଚୀନ ଐତିହ୍ୟ ଅନୁଧ୍ୟାନ କଲେ ହୃଦ୍‌ବୋଧ ହୁଏ, ମହାଭାରତ ଯୁଗର ବହୁପୂର୍ବରୁ ଏକ ବିଶାଳ ଆର୍ଯ୍ୟଗୋଷ୍ଠୀ ଭାରତର ପୂର୍ବ ମହୋଦଧି ତଟସ୍ଥ ନଦୀ ବହୁଳ ଆର୍ଦ୍ର ଅଞ୍ଚଳରେ ବସବାସ ପୂର୍ବକ ଓଡ୍ର ନାମରେ ପରିଚିତ ହୋଇଥିଲେ୤ ଗବେଷକଙ୍କ ମତରେ ଆର୍ଦ୍ର ଅଞ୍ଚଳରେ ବାସ କରିଥିବାରୁ ଓ ଚାଷବାଷପୂର୍ବକ ଜୀବିକାର୍ଜନ କରୁଥିବାରୁ ଆଦିବାସୀମାନଙ୍କ ଦ୍ବାରା ଚାଷୀ ବା ଓଡ଼ ବୋଲି ସମ୍ବୋଧିତ ହେବାରୁ ପ୍ରାଚୀନ କାଳରେ ଓଡ଼ ବା ଓଡ୍ର କୁହାଯାଉଥିଲା୤ ଆର୍ଯ୍ୟାବର୍ତ୍ତରେ ନିବାସ କାଳରେ ସେମାନଙ୍କ କଥିତ ପ୍ରାକୃତ ଭାଷା ସୌରସେନୀ, ପୈଶାଚୀ, ମାଗଧୀ, ଦ୍ରାବିଡ଼ ଓ ଆଦିବାସୀମାନଙ୍କ କଥିତା ଭାଷା ସଂସ୍ପର୍ଶରେ ଆସି ଅଭିନବ ରୂପ ଧାରଣ କରିଥିଲା୤ ଭରତଙ୍କ ନାଟ୍ୟଶାସ୍ତ୍ରରେ ଏହି ଭାଷା ଉଡ୍ରଜାବିଭାଷା ବା ଓଡ୍ରମାଗଧୀ ରୂପେ ପରିଚିହ୍ନିତ୤ ଭରତଙ୍କ ସମୟ ବେଳକୁ ଓଡ୍ରମାନେ ନୌବାଣିଜ୍ୟ ବିଶାରଦ ଭାବରେ ପ୍ରତିଷ୍ଠା ଅର୍ଜନ କରି ଶ୍ରେଷ୍ଠୀ ବା ସାଧବ ରୂପେ ପରିଚିତ ଥିବାରୁ ଭରତମୁନି ସେମାନଙ୍କ ଓଡ୍ରମାଗଧୀ ଭାଷାକୁ ଶ୍ରେଷ୍ଠୀଙ୍କ ଭାଷା ବୋଲି ବ୍ୟକ୍ତ କରିଛନ୍ତି୤ ଏହି ଭାଷା ଉନ୍ନତ ଆହରଣ ଶୈଳୀରେ ବିକଶିତ ହୋଇ ପୂର୍ବାଞ୍ଚଳରେ ଏକ ସମୃଦ୍ଧ ଆର୍ଯ୍ୟ ଭାଷାରୂପେ ପ୍ରତିଭାତ ହୋଇଥିଲା୤ ଷଷ୍ଠ ଶତାବ୍ଦୀଠାରୁ ଦଶମ ଶତାବ୍ଦୀମଧ୍ୟରେ ସିଦ୍ଧାଚାର୍ଯ୍ୟବୃନ୍ଦ ଚର୍ଯ୍ୟାଗୀତ ରଚନା ପୂର୍ବକ ଓଡ଼ିଆ ଭାଷାର ଗୌରବ ବୃଦ୍ଧି କରିଥିଲେ୤ ପରବର୍ତ୍ତୀ କାଳରେ ଓଡିଆ ଭାଷାରେ ଅଗଣିତ ଶାସ୍ତ୍ର, ପୁରାଣ, କାବ୍ୟ, କବିତା, ନାଟକ, ଉପନ୍ୟାସ, ପ୍ରବନ୍ଧ ପ୍ରଭୃତି ରଚନା ହୋଇ ଓଡ଼ିଆ ଭାଷା ସମୃଦ୍ଧ୤ ଲିପିତତ୍ତ୍ବବିଦ୍‌ଙ୍କ ମତରେ ବ୍ରାହ୍ମୀଲିପିରୁ ଓଡ଼ିଆ ଲିପି ଜନ୍ମନେଇ ବିକାଶର ଧାରାରେ ଏକ ସ୍ବତନ୍ତ୍ର ଲିପିର ମର୍ଯ୍ୟାଦା ଲାଭ କରିଥିଲା୤ ଖ୍ରୀଷ୍ଟପୂର୍ବ କାଳରୁ ଅଶୋକ ଓ ଖାରବେଳଙ୍କ ଧଉଳି ଓ ଖଣ୍ଡଗିରି ଶିଳାଲେଖରୁ ଓଡ଼ିଆଲିପିର ସ୍ବାତନ୍ତ୍ର୍ଯ ପରିଦୃଷ୍ଟ ୤ ଏହାହିଁ ପୂର୍ବାଞ୍ଚଳ ଭାଷାଗୋଷ୍ଠୀର ପ୍ରାଚୀନ ଲିପି୤

ଓଡ଼ିଆ ଭାଷା ଓ ସଂସ୍କୃତିରୁ ଓଡ଼ିଆ ଜାତୀୟତାର ଉଦ୍ଭବ ଘଟିଥିଲା୤ ଓଡ଼ିଆ ଭାଷାଭିତ୍ତିରେ ପୂର୍ବାଞ୍ଚଳରେ ପ୍ରତିଷ୍ଠିତ ଓଡ଼ିଶା ସାମ୍ରାଜ୍ୟର ଉତ୍ତରରେ ଗଙ୍ଗା, ଦକ୍ଷିଣରେ ଗୋଦାବରୀ, ପୂର୍ବରେ ମହୋଦଧି ଓ ପଶ୍ଚିମରେ ଅମରକଣ୍ଟକ ଚତୁଃସୀମା ରୂପେ ପରିଚିହ୍ନିତ ଥିଲେ୤ ଏହି ସାମ୍ରାଜ୍ୟ ଭାରତର ପ୍ରାଚୀନ ଷୋଡ଼ଶ ଜନପଢ ଅନ୍ତର୍ଭୁକ୍ତ ନ ହୋଇ ସ୍ବତନ୍ତ୍ର ରାଷ୍ଟ୍ରର ମର୍ଯ୍ୟାଦା ଲାଭ କରିଥିଲା୤ ପୌରାଣିକ ଓ ଐତିହାସିକ ଯୁଗରେ ଓଡ଼ିଶା ଭୂଖଣ୍ଡ ଉଡ୍ର, କଳିଙ୍ଗ, ତ୍ରିକଳିଙ୍ଗ, ଉତ୍‌କଳିଙ୍ଗ, ଉତ୍କଳ, ତୋଷଳ, କାନ୍ତାର ଓ କଙ୍ଗୋଦ ପ୍ରଭୃତି ବହୁନାମରେ ପରିଚିତ ଥିଲେ ହେଁ, ଭାବ, ଭାଷା ଓ ଜାତୀୟତା ଦୃଷ୍ଟିରୁ ଅଭିନ୍ନ ଥିଲା୤ ରାମାୟଣ, ମହାଭାରତ, ଭାଗବତ, ତ୍ରିକାଣ୍ଡକୋଷ, ଜ୍ଞାନସିଦ୍ଧି, ପଞ୍ଚତନ୍ତ୍ର, ଅନର୍ଘରାଘବ, ତନ୍ତ୍ରଯାମଳ, ଶକ୍ତିସଙ୍ଗମତନ୍ତ୍ର, ବ୍ରହ୍ମ ପୁରାଣ, ସ୍କନ୍ଦ ପୁରାଣ, ହରିବଂଶ, ବୌଦ୍ଧାୟନସୂତ୍ର, ଦିଗ୍‌ବିଜୟ ପ୍ରକାଶ, ମତ୍ସ୍ୟପୁରାଣ, ଅଗ୍ନିପୁରାଣ, ଦଶକୁମାର ଚରିତ, ବୃହତ୍‌ସଂହିତା, କପିଳ ସଂହିତା ପ୍ରଭୃତି ଅଗଣିତ ଶାସ୍ତ୍ରରେ ଏହି ଭୂଖଣ୍ଡର ଭୂୟସୀ ପ୍ରଶଂସା କରାଯାଇଛି ତଥା “କଳିଙ୍ଗା ସାହାସିକା” ପ୍ରଭୃତି ବୀରତ୍ବ ବ୍ୟଞ୍ଜକ ବିଶେଷଣ ଦ୍ବାରା ଓଡ଼ିଆମାନଙ୍କୁ ପରିଚିହ୍ନିତ କରାଯାଇଛି୤ ଏହି ବିସ୍ତୀର୍ଣ୍ଣ ଭୂଖଣ୍ଡରେ ଚୈତ୍ର, ଭୌମ, ସୋମ, ଗଙ୍ଗ, ସୂର୍ଯ୍ୟ ଓ ଭୋଇବଂଶର ନୃପତିଗଣ ରାଜତ୍ବ କରି ଅକ୍ଷୟ ଯଶ ରଖିଯାଇଛନ୍ତି୤ ପ୍ରାଚୀନ ଶାସ୍ତ୍ର ଓ ଅଭିଲେଖରେ ଓଡ଼ିଆ ଜାତିର ଶୌର୍ଯ୍ୟ, ବୀର୍ଯ୍ୟ ଓ ସମୃଦ୍ଧ ସଭ୍ୟତାର ବର୍ଣ୍ଣନା ବିଦ୍ୟାମାନ୤ ମହାଭାରତ ଯୁଦ୍ଧରେ ଅଗଣିତ ଓଡ଼ିଆବୀର ଜାତ୍ୟାଭିମାନ ଓ ବୀରତ୍ବର ପରାକାଷ୍ଠା ପ୍ରଦର୍ଶନ କରିଥିଲେ୤ ଗ୍ରୀକ୍‌ ଦୂତ ମେଘାସ୍ଥିନିସ୍‌ଙ୍କ ବିବରଣୀରୁ ଉପଲବ୍‌ଧ ହୁଏ, ମୌର୍ଯ୍ୟଯୁଗରେ ଓଡ଼ିଆମାନେ ସମର ନିପୁଣ ସମୃଦ୍ଧ ଜାତି ଭାବରେ ଖ୍ୟାତ ଅର୍ଜନ କରିଥିଲେ୤ ମୌର୍ଯ୍ୟସମ୍ରାଟ୍ ଚନ୍ଦ୍ରଗୁପ୍ତ ଭାରତ ଅଧିକାର କରିଥିଲେ ହେଁ ଓଡ଼ିଶା ଅଧିକାର କରିବାକୁ ସାହାସ କରିନଥିଲେ୤ ତଦୀୟ ପୌତ୍ର ଅଶୋକ ବିଶ୍ବପ୍ରସିଦ୍ଧ କଳିଙ୍ଗ ଯୁଦ୍ଧରେ ଓଡ଼ିଆବୀରଙ୍କ ଅଭୂତପୂର୍ବ ରଣକୌଶଳ, ଆତ୍ମୋସ୍ବର୍ଗ ଓ ସ୍ବଦେଶପ୍ରୀତି ଦର୍ଶନରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତିତ ହୋଇଥିଲେ୤ ମହାମହିମ ଓଡ଼ିଆ ସମ୍ରାଟ୍ ଖାରବେଳଙ୍କ ନେତୃତ୍ବରେ ଓଡ଼ିଆ ବୀରବୃନ୍ଦ ଆଫଗାନିସ୍ଥାନ ପର୍ଯ୍ୟନ୍ତ ଦିଗ୍‌ବିଜୟ କରିଥିଲେ ମଧ୍ୟ ଉଦାରଗୁଣରେ କୌଣସି ଜାତି ବା ରାଜ୍ୟର ସ୍ବାଧୀନତା ଉପରେ ହସ୍ତକ୍ଷେପ କରି ନ ଥିଲେ୤ ସେ ସମୟରେ ଓଡ଼ିଆ ଜାତି ରାଜ୍ୟଜୟର ଆଶା ନରଖି ଅଖଣ୍ଡ ଭାରତର ସ୍ବପ୍ନ ଦେଖୁଥିଲେ୤ ପ୍ଲୀନିଂ ମତରେ ସମରବିସାରଦ ଜାତିମାନଙ୍କ ମଧ୍ୟରେ ଓଡ଼ିଆମାନେ ଅଗ୍ରଗଣ୍ୟ ଥିଲେ୤ ଓଡ଼ିଆମାନେ କୃଷିକ୍ଷେତ୍ରରେ ଥିଲେ ସମୃଦ୍ଧ କୃଷକ ଏବଂ ସମର କ୍ଷେତ୍ରରେ ଥିଲେ ସମର୍ଥ ସୈନିକ୤ ଅତଏବ “ଜୟ ଜବାନ ଓ ଜୟ କିଶାନ” ଉକ୍ତିଟି ପ୍ରାଚୀନ କାଳରୁ ଓଡ଼ିଆମାନଙ୍କ ଦ୍ବାରା ସାକାର ହୋଇଥିଲା୤

ଜୈନଶାସ୍ତ୍ରମାନଙ୍କରୁ ଜଣାଯାଏ ଖ୍ରୀଷ୍ଟପୂର୍ବ ସପ୍ତମ ଓ ଷଷ୍ଠ ଶତାବ୍ଦୀରେ ଓଡ଼ିଆମାନେ ଧାର୍ମିକ, ସଭ୍ୟ, ସମୃଦ୍ଧ ଓ ଶାନ୍ତିପ୍ରିୟ ଜାତିରୂପେ ସର୍ବ ଭାରତୀୟ ସ୍ତରରେ ମାନ୍ୟତା ଲାଭ କରିଥିଲେ୤ ବିଶ୍ବର ପ୍ରାଚୀନ ନୌବହର ଜାତି ରୂପେ ଓଡ଼ିଆଙ୍କର ପ୍ରସିଦ୍ଧି ରହିଥିଲା୤ ଦରିଆ ପାରି ଦେଶମାନଙ୍କରେ ବାଣିଜ୍ୟ ମାଧ୍ୟମରେ ଓଡ଼ିଆ ସାଧବ ପୁଅମାନେ ଅସରନ୍ତି ଧନଦୌଲତ ଓଡ଼ିଶାକୁ ବହିଆଣୁଥିଲେ୤ ସାମୁଦ୍ରିକ ବାଣିଜ୍ୟ ମାଧ୍ୟମାରେ ଓଡ଼ିଆମାନେ ବୈଦିକ ସଂସ୍କୃତି, ଜଗନ୍ନାଥ ସଂସ୍କୃତି, ଶୈବ ସଂସ୍କୃତି, ଶାକ୍ତ ସଂସ୍କୃତି, ବୈଷ୍ଣବ ସଂସ୍କୃତି ଓ ବୌଦ୍ଧ ସଂସ୍କୃତିକୁ ଆବିଶ୍ବ ପ୍ରଚାର କରିଥିଲେ୤ ପୂର୍ବଭାରତୀୟ ଦ୍ବୀପପୁଞ୍ଜରେ ଉପନିବେଶ ସ୍ଥାପନ କରିଥିବା ଓଡ଼ିଆଙ୍କ ବଂଶଧର ଏ ଅବଧି କ୍ଳିଙ୍ଗ୍ ନାମରେ ପରିଚିତ୤ ଓଡ଼ିଆମାନେ ହିଁ ବ୍ରହ୍ମଦେଶର ପ୍ରୋମ୍ ନଗରୀରେ ଦ୍ବିତୀୟ ଶ୍ରୀକ୍ଷେତ୍ର ପ୍ରତିଷ୍ଠା କରିଥିଲେ୤ ପ୍ରାଚୀନ କାଳରୁ ଓଡ଼ିଆ ଜାତି ଆପଣାର ନୃତ୍ୟ, କଳା, ସଙ୍ଗୀତ, ଶିଳ୍ପ, ଭାସ୍କର୍ଯ୍ୟ ଓ ସ୍ଥାପତ୍ୟର ସ୍ବାତନ୍ତ୍ର୍ଯ ଓ ସୌଷ୍ଠବରେ ବିଶ୍ବଗୌରବର ଅଧିକାରୀ ହୋଇପାରିଥିଲେ୤ ଓଡ଼ିଶାର ଶିଳ୍ପକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ କଳିଙ୍ଗ ଶ୍ରେଣୀୟ କଳାରୂପେ ଜାତୀୟ ସ୍ତରରେ ସ୍ବୀକୃତ, ଯାହାକି ପୁରୀ, ଭୁବନେଶ୍ବର ଓ କୋଣାର୍କ ମନ୍ଦିର ଗାତ୍ରରେ ଖୋଦିତ୤ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ବହୁ ପ୍ରାଚୀନ୤ ଭରତମୁନିଙ୍କ ନାଟ୍ୟଶାସ୍ତ୍ର ରଚନାର ବହୁପୂର୍ବରୁ ଓଡ଼ିଶୀ ନୃତ୍ୟର ବିକାଶ ଘଟିଛି ବୋଲି ଖଣ୍ଡଗିରି ଗୁମ୍ଫାଭିଲେଖରୁ ଉପଲବ୍ଧ୤

ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଓଡ଼ିଶାରେ ଏକ ସମନ୍ବୟାତ୍ମକ ସାଂସ୍କୃତିକ ସ୍ରୋତ ପ୍ରବାହିତ ତଥା ଉନ୍ନତ ରୁଚି ଓ ସଂସ୍କାରବୋଧ ଦ୍ବାରା ଏହା ଉଜ୍ଜୀବିତ୤ ଉଦାର ଓ ମହାନ ଅଭିପ୍ରେରଣାରେ ଦୀପ୍ତିମନ୍ତ ଏହି ସଂସ୍କୃତିର ବୌଦ୍ଧିକ ସୃଜନଶୀଳତା ଏହାକୁ ବିଶ୍ବ ସଂସ୍କୃତିରେ ସ୍ବତନ୍ତ୍ର ଆସନରେ ଅଧିଷ୍ଠିତ କରାଇ ପାରିଛି୤ ଶତାବ୍ଦୀ ଶତାବ୍ଦୀ ଧରି ଏହି ସାଂସ୍କୃତିକ ସ୍ରୋତ ଓଡ଼ିଆ ଜାତିର ଜୀବନଚ଼ର୍ଯ୍ୟାକୁ ସୁନ୍ଦର, ସମୃଦ୍ଧ, ସୃଜନଶୀଳ ଓ ସୁରଭିତ କରିଆସିଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
author photo
ବିଶେଷ କରି ଆଧ୍ୟାତ୍ମିକ,ଧର୍ମ, ସଂସ୍କୃତି ଓ ପରମ୍ପରା ଏବଂ ଭାଷା ସାହିତ୍ୟ ଉପରେ ସ୍ବତନ୍ତ୍ର ଏବଂ ବଳିଷ୍ଠ ଲେଖନୀ ଚାଳନ କରୁଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି୤ ଏକାଧାରରେ ଜଣେ ସାହିତ୍ୟିକ, ସ୍ତମ୍ଭକାର, ଜଗନ୍ନାଥ ଧର୍ମ ପ୍ରଚାରକ, ପ୍ରାବନ୍ଧିକ, ଗବେଷକ, ତନ୍ତ୍ରାଚାର୍ଯ୍ୟ, ଜ୍ୟୋତିର୍ବିଦ୍,ପ୍ରତ୍ନତତ୍ବବିତ୍‌ ଓ ବାସ୍ତୁବିଜ୍ଞାନୀ ଭାବରେ ଶ୍ରୀ ମିଶ୍ର ବେଶ୍ ସୁପରିଚିତ୤ ଧର୍ମ, ସଂସ୍କୃତି ଓ ପରମ୍ପରା ଉପରେ ତାଙ୍କଦ୍ବାରା ରଚିତ ଏକାଧିକ ପୁସ୍ତକ ଅଜସ୍ର ପାଠକୀୟ ସ୍ବୀକୃତି ହାସଲ କରିଛି୤ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିବା ଶ୍ରୀ ମିଶ୍ରଙ୍କ ଲେଖନୀ ଏବେ ମଧ୍ୟ ପ୍ରଖରଭାବେ ଗତିଶୀଳ୤
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. Suvendu |  ଫେବୃଆରୀ ୨୯, ୨୦୧୨ - ୯:୫୮ ଅପରାହ୍ନ

    bahut bhalo

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤