ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

କମଳା ଶତପଥି
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଆଶିଷ କୁମାର କର
ସୁଧାଂଶୁ ଶେଖର ପାତ୍ର
ରବି ଶତପଥୀ
ଭୂପେନ୍‌ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦୋଳ ଯାତ୍ରା : ଆଧ୍ୟାତ୍ମିକ ପ୍ରସଙ୍ଗ
  ଡଃ. ସତ୍ୟପ୍ରିୟ ମହାଳିକ, ଭୁବନେଶ୍ବର
 
 
ତା: ମାର୍ଚ୍ଚ୍ ୧୮, ୨୦୧୧  
ମୂଳ ପୃଷ୍ଠାସାହିତ୍ୟ ଓ ସଂସ୍କୃତି
 

ଲୀଳାମୟ ଭଗବାନ ଦୁଷ୍ଟ ବିନାଶ ଓ ସାଧୁର ପରିତ୍ରାଣ ପାଇଁ ଯୁଗେ ଯୁଗେ ଅବତାର ଗ୍ରହଣ କରିଛନ୍ତି୤ ଜଗନ୍ନାଥଙ୍କ ବିଷୟରେ ଐତିହାସିକ ତଥ୍ୟର ଆଲୋଚନା କଲେ ଜଣାଯାଏ ଯେ, ଯଥାର୍ଥରେ ୧୦ମ ଶତାବ୍ଦୀ ବେଳକୁ ଓଡ଼ିଶାରେ ସେ ରାଷ୍ଟ୍ରଦେବତା ରୂପେ ପରିଚିତ ହୋଇ ସାରିଥିଲେ୤ ଡଃ. ବାସୁଦେବ ସାହୁଙ୍କ ମତରେ “ ଦଶମ ଶତାବ୍ଦୀ ବେଳକୁ ଓଡ଼ିଶାର ରାଷ୍ଟ୍ରଦେବତାଙ୍କ ନାମ ଅନୁସାରେ ଲୋକମାନେ ପୁଅମାନଙ୍କର ନାମକରଣ ଆରମ୍ଭ କଲେଣି୤” ଆହୁରି ମଧ୍ୟ ଓଡ଼ିଶାର ଧର୍ମଧାରା ଆଲୋଚନାକରି ସିଦ୍ଧାନ୍ତରେ ପହଞ୍ଚି ହୁଏ ଯେ, ଓଡ଼ିଶାର ଜଗନ୍ନାଥ ପୀଠ ସର୍ବଧର୍ମ ସମନ୍ବୟ ସ୍ଥଳ ଏବଂ କାଳକ୍ରମେ ଜୈନ, ବୈଦ୍ଧ, ବୈଷ୍ଣବ ଇତ୍ୟାଦି ଧର୍ମ ଜଗନ୍ନାଥଙ୍କ ମଧ୍ୟରେ ମିଶି ଯାଇଛି୤

ଚୈତନ୍ୟଙ୍କ ଆଗମନ (୧୫୦୯-୧୦) ପରେ ଯେଉଁ ଶୁଦ୍ଧ ବୈଷ୍ଣବ ଧର୍ମର ପ୍ରଚାର ଓଡ଼ିଶାରେ ଘଟିଥିଲା ତାହା କ୍ରମଶଃ ଜଗନ୍ନାଥଙ୍କ ଭିତରେ ଆବଦ୍ଧ ହୋଇ ପଡ଼ିଲା୤ ଫଳତଃ ଜଗନ୍ନାଥଙ୍କୁ ଅବତାରୀ ଓ ଶ୍ରୀକୃଷ୍ଣଙ୍କୁ ଅବତାର ଭାବେ ପରିକଳ୍ପନା କରାଗଲା୤ ୧୬ଶ ଶତାବ୍ଦୀର କବି ଦିବାକର ଦାସ ଏ ପ୍ରସଙ୍ଗରେ ଲେଖିଛନ୍ତି-

ଯେହୁ ଗୋଲକ ନିତ୍ୟ ସ୍ଥଳ୤ ସେଇଟି ଗିରି ନୀଳାଚଳ ୥
କୋଟିଏ ଯୁଗ ଯେବେ ଯାଇ୤ ଏଥିରେ ଲୀଳା ନସରଇ ୥
ଶ୍ରୀଜଗନ୍ନାଥ ଷୋଳକଳା୤ ଏଥୁ କଳାଏ ନନ୍ଦବଳା ୥
କଳାକ ଷୋଳ କଳା ହୋଇ୤ ଘେନି ଜନ୍ମିଲେ ଗୋପେ ଯାଇ ୥

ସୂତରାଂ ଓଡ଼ିଶୀ ବୈଷ୍ଣବର ଜଗନ୍ନାଥପ୍ରାଣତା ଓ ଗୌଡ଼ୀୟ ବୈଷ୍ଣବର କୃଷ୍ଣ ଚେତନାର ଏକ ଅପୂର୍ବ ସମନ୍ବୟ ସଂଘଟିତ ହୋଇଥିଲା୤ ସେହି ସମୟଠାରୁ ଜଗନ୍ନାଥଙ୍କ ମନ୍ଦିରରେ ଜଗନ୍ନାଥଙ୍କ ନିଯୋଗ, ଆଚାର ଓ ଯାନିଯାତ୍ରାର କିଛି କୃଷ୍ଣତ୍ବ ଓ ବୈଷ୍ଣବତ୍ବର ଆରୋପ ହେଲା ଏବଂ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କର ଅଭେଦ ପରିକଳ୍ପନା କରାଗଲା୤

ଦୋଳଯାତ୍ରା ବା ଚାଚେରୀ ଯାତ୍ରା ଜଗନ୍ନାଥଙ୍କର ସେହି କୃଷ୍ଣତ୍ବର ଏକ ଚରମ ନିଦର୍ଶନ୤ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ‘ବାର ମାସରେ ତେରଯାତ’ ହୁଏ ବୋଲି ଲୋକ ମୁଖରେ ପ୍ରଚାରିତ ଅଛି୤ ମାତ୍ର ପ୍ରକୃତରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ଯାତ୍ରାମାନଙ୍କର ସଂଖ୍ୟା ବହୁତ ବେଶୀ୤ ତନ୍ମଧ୍ୟରୁ ଦ୍ବାଦଶ ଯାତ୍ରା ହେଉଛି ଜଗନ୍ନାଥଙ୍କର ମୁଖ୍ୟଯାତ୍ରା୤ ସେ ଗୁଡ଼ିକ ହେଲା- (୧) ସ୍ନାନ ଯାତ୍ରା (୨) ରଥ ଯାତ୍ରା (୩) ଶୟନ (୪) ଦକ୍ଷିଣାୟନୀ (୫) ପାର୍ଶ୍ବପରିବର୍ତ୍ତନ (୬) ଉତ୍‌ଥାପନ (୭) ପ୍ରାବରଣ ଷଷ୍ଠୀ (୮) ପୁଷ୍ୟପୂଜା (୯) ଉତ୍ତରାୟଣ (୧୦) ଦୋଳଯାତ୍ରା (୧୧) ଦମନକ ଚତୁର୍ଦ୍ଦଶୀ (୧୨) ଅକ୍ଷୟ ତୃତୀୟା୤

ଏହି ଲୀଳାମାନଙ୍କ ମଧ୍ୟରୁ ଦୋଳଯାତ୍ରାରେ ଶ୍ରୀଜଗନ୍ନାଥ ନିଜେ ମଦନଗୋପାଳ (ଶ୍ରୀକୃଷ୍ଣ ହୋଇ ଫଗୁ ଖେଳ ବା ଚାଚେରୀ ଲୀଳା କରନ୍ତି)୤ ଏହି ଯାତ୍ରାର ଐତିହାସିକ ଉତ୍ପତ୍ତି ସମ୍ବନ୍ଧରେ ‘ମାଦଳା ପାଞ୍ଜି’ରେ ନିମ୍ନମତେ ଉଲ୍ଲେଖ ଅଛି-
‘ଗଉଡ଼ିଆ ଗୋବିନ୍ଦ ଦେବ ରାଜା ହେଲେ ଚାରି ବର୍ଷ, ସନ. ୧୪୮୩ ପର୍ଯ୍ୟନ୍ତ୤ ଏ ରାଜାଙ୍କ ଦିନରେ ଦୋଳବେଦି ଉପରେ ଦୋଳି ଛିଡ଼ି ପଡ଼ିଲା୤ ବଡ଼ଠାକୁରଙ୍କ ଭୂଜ ଭାଙ୍ଗିଗଲା୤ ଦେଉଳ ଭିତରେ ବିଜେକଲା ଉତ୍ତାରୁ ଶ୍ରୀଭୂଜ ନିର୍ମାଣ ମହାସ୍ନାନ ହୋଇ ଏହିଠାରୁ ଦୋଳଯାତ୍ରାକୁ ଦୋଳଗୋବିନ୍ଦ ବିଜେ କଲେ୤

ଏଥିରୁ ଜଣାଯାଏ ଯେ ୧୫୭୩ (୧୪୮୩ ଶକାବ୍ଦ) ଖ୍ରୀ.ରେ ତତ୍‌କାଳୀନ ରାଜନୈତିକ ବିପର୍ଯ୍ୟୟ ସତ୍ତ୍ବେ କୃଷ୍ଣ ଉପାସନାର ପ୍ରାଧାନ୍ୟ ସଙ୍ଗେ ସଙ୍ଗେ ଏହି ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହିତ ପାଳିତ ହେଉଥିଲା୤ ଏ ଯାତ୍ରା ସମ୍ପର୍କରେ ବିଭିନ୍ନ ପୁରାଣରେ ଅନେକ ତଥ୍ୟ ରହିଛି୤ଯଥା ସ୍କନ୍ଦ ପୁରାଣ, ଯାତ୍ରା ଭାଗବତ, ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଆଦିରେ ଏ ଯାତ୍ରା ଫାଲ୍‌ଗୁନ ଶୁକ୍ଳଦଶମୀ ତିଥିରୁ ଆରମ୍ଭ ହୋଇଥାଏ ବୋଲି ଉଲ୍ଲେଖ ରହିଛି୤ ୧୨ଶ ଶତାବ୍ଦୀର କବି ଜୟଦେବଙ୍କ ‘ଗୀତ ଗୋବିନ୍ଦ’ରେ ନିମ୍ନମତେ ବସନ୍ତ ରାସର ବର୍ଣ୍ଣନା ରହିଛି-

‘ବସନ୍ତେ ବାସନ୍ତୀ କୁସୁମ ସୁକୁମାରୈ ରଚୟବୈ
ର୍ଭମନ୍ତୀ କାନ୍ତାରେ ବହୁ ବିହିତ କୃଷ୍ଣାନ୍ବସରଣାମ୍‌;
ଅମଳଂ କନ୍ଦର୍ପଜ୍ବର ଜନିତ ଚିନ୍ତାକୁଳତୟା
ଚଳନ୍‌ ବାଧାଂ ରାଧାଂ ସରସମି ଦମ୍ବଚେ ସହଚରୀ ୥’

ଜୟଦେବଙ୍କ ବର୍ଣ୍ଣିତ ବସନ୍ତ ରାସ ଏହି ଦୋଳଯାତ୍ରାର ପ୍ରତୀକ ଅଟେ୤ ଶ୍ରୀଜଗନ୍ନାଥଙ୍କ ଏହି ଉତ୍ସବଟି ଶ୍ରୀମନ୍ଦିରରେ ପାଳିତ ହୁଏ୤ ଦୋଳବେଦୀ ନାମକ ଗୋଟିଏ ମନ୍ଦିର ଐଶାନ୍ୟ ଭାଗରେ ଅଛି୤ ସେହିଠାରେ ଦୋଳଗୋବିନ୍ଦ, ଲଷ୍ମୀ ଓ ସରସ୍ବତୀଙ୍କ ସହିତ ଦୋଳିରେ ବିଜେ କରନ୍ତି୤ ସେଠାରେ ଫୁଲଛତ୍ର ଓ ଫୁଲ ଚାନ୍ଦୁଆ ଟଣାଯାଏ୤ ଅବିର ଲାଗି ଚଣା ସାକର ପ୍ରଭୃତି ଭୋଗ ଓ ଅନେକ ନୀତି ହୋଇଥାଏ୤ ଦୋଳ ପୂର୍ଣ୍ଣମୀର ପାଞ୍ଚଦିନ ପୂର୍ବରୁ ଜଗନ୍ନାଥ ମହାପ୍ରଭୁଙ୍କର ମଧ୍ୟାହ୍ନ ଭୋଗ ପରେ ଚାଚେରୀ ବେଶ କରାଯାଏ ଏବଂ ଚାଚେରୀ ଭୋଗ ନାମକ ଗୋଟିଏ ଅଧିକ ଭୋଗ ଲାଗି କରାଯାଏ୤ ତାହାପରେ ଠାକୁର ଦୋଳଗୋବିନ୍ଦ, ଲଷ୍ମୀ ଓ ସରସ୍ବତୀଙ୍କ ସହ ବିଜେ କରି ଚାଚେରୀ ଭ୍ରମଣ ପାଇଁ ବାହାରନ୍ତି୤ ଏଥିରେ ଫଗୁଲାଗି ମଧ୍ୟ ହୁଏ୤ ଏହିପରି ପାଞ୍ଚଦିନ ଧରି ଉତ୍ସବ ପାଳିତ ହୁଏ୤

କବି ଶ୍ରୀହର୍ଷଙ୍କ ଦ୍ବାରା ରଚିତ ଶ୍ରୀଜଗନ୍ନାଥଙ୍କର ଏହି ମହିମାମୟ ଦୋଳ ବା ଚାଚେରୀ ଯାତ୍ରାର ମହତ୍ତ୍ବ ନିମ୍ନ ଶ୍ଳୋକରେ ବର୍ଣ୍ଣିତ୤
‘ଦୋଳେଚ ଦୋଳ ଗୋବିନ୍ଦଂ
ଚାପେଚ ମଧୁସୂଦନଂ
ରଥତୁ ବାମନଂ ଦୃଷ୍ଟ୍ବା
ପୁନର୍ଜନ୍ମ ନ ବିଦ୍ୟତେ ୥’
ଏହି ଦୋଳଯାତ୍ରା ବା ବସନ୍ତ ଉତ୍ସବକୁ ଚାଚେରୀ ବେଶ ଚାଚେରୀ ଯାତ୍ରା ବା ଚାଚେରୀ ଲୀଳା କୁହାଯାଏ୤ ଓଡ଼ିଆ କାବ୍ୟ କବିତାରେ ମଧ୍ୟ ଏହି ଦୋଳଯାତ୍ରା ଓ ଚାଚେରୀ ଲୀଳାର ଉଦାହରଣ ଦେଖିବାକୁ ମିଳେ୤ ଏହି ଦୋଳଯାତ୍ରା ବା ଚାଚେରୀ ଯାତ୍ରା ଉପରେ ଚାଚେରୀ ଲୀଳା ଏକ ପ୍ରାମାଣିକ ଇତିହାସ୤ କାଳ୍ପନିକ କାହାଣୀ ଓ ପୌରାଣିକ ଘଟଣା ଅବତାରଣାର ଏକ ସମନ୍ବୟ ରକ୍ଷାକରି ଚାଚେରୀ ଲୀଳାର କାରଣ, ବିଧି, ପ୍ରସଙ୍ଗ ଓ ବର୍ଣ୍ଣନା ଇତ୍ୟାଦି- ଉପାଖ୍ୟାନ ଓ ଚମତ୍କାର କଥନ ଶୈଳୀରେ ବର୍ଣ୍ଣିତ୤

ସ୍ବତରାଂ ଜଗନ୍ନାଥଙ୍କ ବିଭିନ୍ନ ଯାତ୍ରା ବା ଲୀଳାପରି ଦୋଳଯାତ୍ରାର ପୃଷ୍ଠଭୂମି ଏବଂ ଲୀଳା ପ୍ରସଙ୍ଗ ଚମତ୍କାର ଭାବ ଓ ଚେତନାର ସ୍ପର୍ଶ ଦିଏ୤

ବି.ଦ୍ର.:- ଉକ୍ତ ଲେଖା ନିମନ୍ତେ ଜଗନ୍ନାଥ ଚେତନାର ଉଦ୍ଭବ ଓ ବିକାଶ, ମାଦଳା ପାଞ୍ଜି, ଗୀତ ଗୋବିନ୍ଦ, ରହସ୍ୟମଞ୍ଜରୀ, ବିଚିତ୍ର ରାମାୟଣ ପୁସ୍ତକ ସହିତ “ଶ୍ରୀମନ୍ଦିର ପତ୍ରିକା” ବିଭିନ୍ନ ସଂଖ୍ୟାର ସହାୟତା ନିଆଯାଇଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡଃ. ସତ୍ୟପ୍ରିୟ ମହାଳିକ, ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ଅଶୋକ ନୟକ୍ |  ମାର୍ଚ୍ଚ୍ ୨୩, ୨୦୧୧ - ୧:୧୬ ଅପରାହ୍ନ

    ବହୁତ୍ ଭଲ୍ ଲଗିଲ

  • ୨. ପ୍ରମୋଦ କୁମାର ବାଗ(ମାଲିଝର) |  ମାର୍ଚ୍ଚ୍ ୨୪, ୨୦୧୧ - ୧୧:୪୦ ପୂର୍ବାହ୍ନ

    ବହୁତ ଆକର୍ଷଣୀୟ ସାଜସଜ୍ଜା . ଅପ୍ରାନ୍ତ ଳିପି ରେ ଲିଖିତ ପାଠକ ଙ୍କ ମତାମତ ପଢିବା ଯୋଗ୍ୟ କରି ପାରିଲେ ଆହୁରି ସୁନ୍ଦର ହୁଅନ୍ତା . ଧନ୍ୟବାଦ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤